spot_img
Home Blog Page 3662

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲା ୟୁନିଫାଏଡ ଅନିମେଶ

ପୁରୀ: କ୍ଷମା ମାଗିଲା ୟୁଟ୍ୟୁବ ବ୍ଲଗର ୟୁନିଫାଏଡ ଅନିମେଶ । ଶ୍ରୀମନ୍ଦିରର ଡ୍ରୋନ ଭିଡିଓ କରିଥିଲା ଭାଇରାଲ । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଡ୍ରୋନ ଉଡାଇବା, ଭିଡିଓ ଉତ୍ତୋଳନ କରି ଓଡ଼ିଶା ପୋଲିସ ଲୋଗୋ ଲଗାଇବା, ଭିଡିଓ ବିକ୍ରି କରିବାକୁ ମୋଟା ଅଙ୍କର ଟଙ୍କା ମାଗିବା [ଭିଯୋଗକୁ ମଧ୍ୟ କଲା ସ୍ବୀକାର ।

ଅନିମେଶ କହିଛନ୍ତି, ଅନ୍ୟ ବ୍ଲଗର ଯେପରି ମନ୍ଦିର ଉପରେ ଡ୍ରୋନ ନଉଡାନ୍ତି ସେ ନେଇ ଓଡ଼ିଶା ପୋଲିସର ଲୋଗୋ ଲଗାଇଥିଲି । ଭିଡିଓ ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିବା ପଛରେ ଖରାପ ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଅନିମେଶ । କିଛିଦିନ ତଳେ ଅନିମେଶ ଡ୍ରୋନରେ ଶ୍ରୀମନ୍ଦିରର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଅର୍ଗସ ଟିଭି ପଦମପୁରରେ ବିଜେପି ପାଇଁ ବାଣ୍ଟୁଛି ଟଙ୍କା, ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଛି ଅର୍ଗସ ନ୍ୟୁଜ୍ ଚ୍ୟାନେଲ । ଖବର ସଂଗ୍ରହ ନାଁରେ ଲୋକଙ୍କୁ ଟଙ୍କା ବାଣ୍ଟି ବିଜେପିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛି । ଏହାସହ ନୀରିହ ଗାଁ ଲୋକଙ୍କୁ ଟଙ୍କା ଦେଇ କ୍ୟାମେରା ଆଗରେ ବିଜେଡି ଟଙ୍କା ବାଣ୍ଟୁଥିବା ନେଇ କହିବାକୁ କରୁଛନ୍ତି ବାଧ୍ୟ । ଏମିତି ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ପ୍ରତିନିଧି ମଣ୍ଡଳୀ । ଅର୍ଗସ ନ୍ୟୁଜ୍ ଚ୍ୟାନେଲ ପଦମପୁରର ଦୁଇଟି ଗାଁରେ ଟଙ୍କା ବାଣ୍ଟିଥିବା ପ୍ରମାଣ ଦେବା ସହ ତୁରନ୍ତ ଏଠାରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ କରିଛି ଦାବି ।

ବିଜେଡି ପ୍ରତିନିଧି ଦଳର ନିତୃତ୍ବ ନେଇଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିଥିଲୁ । ପଦମପୁର ଉପନିର୍ବାଚନରେ ଗଣମାଧ୍ୟମର ଯେମିତି ଭୁମିକା ରହିବା କଥା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ଦେଖିବାକୁ ମିଳୁନି । ଅର୍ଗସ୍ ଟିଭି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲୁ । ନିର୍ବାଚନ ପ୍ରଚାର ସମୟ ସରିବା ପରେ ଏବେ ବି ଅର୍ଗସ ନ୍ୟୁଜ୍ ଚ୍ୟାନେଲର ୪୦ରୁ ୫୦ ଟିମ୍ ପଦମପୁରରେ ଅଛନ୍ତି । ଏମାନଙ୍କୁ ପଦମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟିବାକୁ ଦାୟିତ୍ବ ଦିଆଯାଇଛି । ପଦମପୁର ବ୍ଲକର ବରିକେଲ ପଞ୍ଚାୟତ ସିମନପୁର ଗାଁ, ପାଇକମାଳ ବ୍ଲାକ କଂସରା ପଞ୍ଚାୟତରେ ଅର୍ଗସ ତରଫରୁ ଟଙ୍କା ବଣ୍ଟା ଯାଉଥିବା ତଥ୍ୟ ଦେଇଛୁ । ସେତିକି ନୁହେଁ ଗାଁର ନୀରିହ ଲୋକଙ୍କୁ ଟଙ୍କା ଦେବା ପରେ କ୍ୟାମେରାରେ ବିଜେଡି ଟଙ୍କା ବାଣ୍ଟୁ ଥିବା କହିବାକୁ ବାଧ୍ୟ କରୁଛନ୍ତି ।’

ଆଗକୁ ସେ କହିଛନ୍ତି, ‘ଏକ ଗଣମାଧ୍ୟମ ହୋଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଏମିତି କାମ କରିବା ଅତ୍ୟନ୍ତ ଜଘନ୍ୟ । ନିର୍ବାଚନ ସମୟରେ ଏକ ଗଣମାଧ୍ୟମର ଯେତିକି ଟିମ୍ ରହିବା କଥା, ସେତିକିକୁ ଛାଡି ଅତିରିକ୍ତ ଟିମଙ୍କୁ ପଦମପୁରରୁ ବାହାର କରିବାକୁ ଆମେ ଦାବି କରିଛୁ । ଏ ଦୁଇଟି ଗାଁରେ ତୁରନ୍ତ ଯାଞ୍ଚ କରିବାକୁ ଆମେ ଦାବି କରିଛୁ ।’

ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତାକାଲି ପଦମପୁର ଉପନିର୍ବାଚନ । ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । କହିଲେ, ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ି ଚାଲିଯିବାକୁ ଦିଆଯାଇଛି ନିର୍ଦ୍ଦେଶ । କେହି ରହିଥିଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଆଗକୁ ସେ କହିଛନ୍ତି, ‘ଏକଜିଟ୍ ଓ ଓପିନିଅନ ପୋଲ୍ ଉପରେ ଆସନ୍ତାକାଲି ସଂଧ୍ଯା ସାଢେ ୬ଟା ପର୍ଯ୍ୟନ୍ତ ନିଷେଧାଦେଶ ଲାଗିଛି । ଇଭିଏମରେ ତ୍ରୁଟି ଆସିଲେ ଅଧଘଣ୍ଟା ଭିତରେ ଏହାକୁ ପରିବର୍ତ୍ତନ କରାଯିବ । ମୋଟ୍ ୩୧୯ ବୁଥ୍ ମଧ୍ୟରୁ ୩୦୬ଟିର ନାମ ବଦଳିଛି । ୧୫ଟି ମଡେଲ ବୁଥ, ୬ପିଙ୍କ୍ ବୁଥର ବ୍ୟବସ୍ଥା ହୋଇଛି। ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି । ୧୨୦ ବୁଥରେ ଓ୍ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭିରେ ନଜର ରଖାଯିବ ।’

୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ଆସନ୍ତାକାଲି ମତ ସାବ୍ୟସ୍ତ କରିବେ । ୧୨ଟି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ହେଲପ ଡେସ୍କରୁ ସାହାଯ୍ୟ ନେଇପାରିବେ । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି । ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ କରିପାରିବେ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ: ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶାର ୩ୟ ସଂସ୍କରଣ ଆଶାଠୁ ଅଧିକ ସଫଳ ହୋଇଛି । ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟକୁ ସାଢ଼େ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଛି । ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ହେବ । ବହୁ ପରିଶ୍ରମ କରି ଏ ନିବେଶ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତେ ସହଯୋଗ କରନ୍ତୁ । ମେକ୍ ଇନ୍ ଓଡ଼ିଶା କନକ୍ଳେଭର ଉଦଯାପନୀ ଉତ୍ସବରେ ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଲେ, ‘ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି । ନିବେଶକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ । ନୂଆ ଓଡ଼ିଶା ଗଠନରେ ସେମାନେ ଭାଗିଦାର ସାଜିବେ ।’

ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ କଣ୍ଟ୍ରି ପାର୍ଟନର ଜାପାନ, ନରଓ୍ବେ ଓ ଜର୍ମାନୀକୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ଶିଳ୍ପ, ବାଣିଜ୍ୟ ନେଇ ଆଗକୁ ସଂପର୍କ ଅଧିକ ସୁଦୃଢ଼ ହେବ । ଏ ଅବସରରରେ ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ସଫଳ କରାଇବାରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଅଞ୍ଚଳରେ କୋକୁଆ ଭୟ

ଭବାନୀପାଟଣା: ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଟ୍ୟାଙ୍କରରୁ ଲିକ୍ ହେଉଛି ଗ୍ୟାସ୍ । ପୂରା ଅଞ୍ଚଳ ଧୂଆଁମୟ । ଲୋକଙ୍କ ମଧ୍ୟରେ କୋକୁଆ ଭୟ । ଘଟଣା ଘଟିଛି ଭବାନୀପାଟଣା ରାୟପୁର ୧୬ ନମ୍ବର ରାଜ୍ଯ ରାଜପଥରେ ।

ପୁଷ୍ଟିପଡ଼ା ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି । ବିଶାଖାପାଟଣାରୁ ରାଇପୁର ଯାଉଥିବା ବେଳେ ଟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ସେଥିରୁ ଗ୍ୟାସ ନିର୍ଗତ ହେଉଥିବାରୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯାଇଛି ।

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: G-20 ଅଧ୍ୟକ୍ଷତାକୁ ନେଇ ବସୁଥିବା ବୈଠକରେ ହେବେ ସାମିଲ

ଭୁବନେଶ୍ବର: ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । G-20 ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ ବୈଠକ । ଏ ନେଇ ଆସନ୍ତାକାଲି ସକାଳୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି ।

୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ବର ଫେରିବେ । ନଭେମ୍ବର ୨୦୨୩ ଯାଏଁ ଭାରତ G-20 ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ରାଜସ୍ଥାନ ଉଦୟପୁରରେ ଆଜି ସଂଧ୍ୟାରେ ବସିବ ପ୍ରଥମ ବୈଠକ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, G-20ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ । ଯାହାଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ । ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟରେ ୫ଟି ବୈଠକ ଆୟୋଜିତ ହେବ । ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଅନ୍ୟ ଐତିହ୍ୟ ସ୍ଥଳଗୁଡ଼ିକରେ ଗୋଟିଏ ଲେଖାଏଁ ବୈଠକ ହେବ ।

ବିଜେପିର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଘଟଣାର ତଦନ୍ତ ଆରମ୍ଭ

ପଦମପୁର: ନିର୍ବାଚନ ପ୍ରଚାର ସମୟ ଶେଷ ପରେ ବରିହାପାଲି ଗ୍ରାମରେ ବିଜେପି ପ୍ରାର୍ଥୀ  ପ୍ରଦୀପ ପୁରୋହିତ ନିର୍ବାଚନ ପ୍ରଚାର କରିବା ଘଟଣା । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ । ଆଡିସନାଲ ତହସିଲଦାର ଓ ପଦମପୁର ବିଡିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ । ତଦନ୍ତ ରିପୋର୍ଟ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ନିର୍ବାଚନ ପ୍ରଚାର ଗତକାଲି ଅପରାହ୍ନ ୪ ଟାରେ ଶେଷ ହୋଇଥିଲା । ତା’ପରେ ନିର୍ବାଚନ ପ୍ରଚାର ହେବା କଥା ନୁହେଁ । ନିର୍ବାଚନ ପ୍ରଚାର ହେଲେ ଏହା ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି କହିଛନ୍ତି ପଦମପୁର ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ତ୍ରିଲୋଚନ ପାତ୍ର ।

ସୂଚନାଯୋଗ୍ୟ, ଗତକାଲି ପ୍ରଚାର ସମୟ ସରିବା ପରେ ପ୍ରଦୀପ ଶତାଧିକ ସମର୍ଥକଙ୍କ ସହ ପ୍ରଚାର କରୁଥିବା ଦେଖିବାକୁମ ମିଳିଥିଲା । ଏହି ଖବର ସଂଗ୍ରହ ପାଇଁ ସେଠାରେ ପହଞ୍ଚି ଥିବା ନନ୍ଦିଘୋଷ ଟିଭି ସାମ୍ବାଦିକ ରାଜକିଶୋର ବେହେରାଙ୍କୁ ଉପରେ ବିଜେପି କର୍ମୀ ଆକ୍ରମଣ କରିଥିଲେ । ପ୍ରଦୀପ ପୁରୋହିତଙ୍କ ପ୍ରରୋଚନାରେ ଆସି ବିଜେଡି କର୍ମୀ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ସେତିକିରେ ଅଟକି ନଥିଲା ବିଜେପି କର୍ମୀଙ୍କୁ ଗୁଣ୍ଡାରାଜ । ନନ୍ଦିଘୋଷ ଟିଭି କ୍ୟାମେରା ମ୍ୟାନଙ୍କୁ ଠେଲାପେଲା କରିବା ସହ କ୍ୟାମେରା ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ ଓ ନେଇ ପଳାଇଥିଲେ ।

ପଦମପୁର ଉପନିର୍ବାଚନ: ରାତି ପାହିଲେ ଭୋଟ, ବଢୁଛି ହୃଦସ୍ପନ୍ଦନ

ପଦମପୁର: କିଏ ପିନ୍ଧିବ ପଦମପୁର ମୁକୁଟ ? ଆସନ୍ତାକାଲି ଭୋଟ୍ ଦେବ ପଦମପୁର । ପ୍ରିୟ ବିଧାୟକ ବାଛିବେ ଜନତା । ସମୟ ଗଡ଼ିବା ସହ ବଢ଼ିବାରେ ଲାଗିଛି ହୃଦସ୍ପନ୍ଦନ । ପଦମପୁର ଜନତା ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଭୋଟ ଦେବାକୁ ମନସ୍ତ କରିସାରିଛନ୍ତି । ତଥାପି ଆସନ୍ତାକାଲି ଭୋଟିଂ ପରେ ଭୋଟ ଗଣତିକୁ ରହିଛି ସମସ୍ତଙ୍କ ଅପେକ୍ଷା ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ନିର୍ବାଚନ ମଣ୍ଡଳୀରେ ପାଇକମାଳ, ପଦମପୁର, ଝାରବନ୍ଧ ୩ଟି ବ୍ଲକ ଥିବା ବେଳେ ମୋଟ ୫୮ଟି ପଞ୍ଚାୟତ ରହିଛି । ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର ରହିଛନ୍ତି । ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୯୬୫ ହୋଇଥିବାବେଳେ ପୁରୁଷ ଭୋଟର ରହିଛନ୍ତି ୧ ଲକ୍ଷ ୨୯ ହଜାର ୪୯୭ । ୩୧୯ଟି ବୁଥ  ଭିତରୁ ୭୯ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି I ସେହି ବୁଥ୍ ଗୁଡିକ ସିସିଟିଭି ନିୟନ୍ତ୍ରଣରେ ରହିଛି  I

ନିର୍ବାଚନ ମଣ୍ଡଳୀରେ ୬ଟି ପିଙ୍କ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ ବ୍ଯାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି I ନିର୍ବାଚନୀ ହିଂସା ଘଟାଇବା ଲାଗି ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି । ଗତକାଲି ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ଏସପିଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ ହୋଇଛି ।

ଏପଟେ ଆସନ୍ତାକାଲି ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟିଂ ଟିମ୍ ନିଜ ନିଜ କେନ୍ଦ୍ରକୁ ଯିବାକୁ ପ୍ରସ୍ତୁତି ଚଲାଇଛନ୍ତି ।

ଆଜି ବାଂଲାଦେଶ-ଭାରତ ସିରିଜର ପ୍ରଥମ ଦିନିକିଆ

ଢାକା: ଆଜିଠାରୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦିନିକିଆ ସିରିଜ । ଢାକାର ସେର-ଇ-ବାଂଲା ଷ୍ଟାଡିୟମରେ ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର ।

ଏପଟେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି । ତାଙ୍କ ସ୍ଥାନରେ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି । ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ଶିଖର ଧଓ୍ବନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲା ଟିମ୍ ଇଣ୍ଡିଆ ।

ସକାଳେ ଜନ୍ମ ହେଲା ଝିଅ, ସନ୍ଧ୍ୟାରେ ମାଆ ବନିଗଲେ ୮୦ ଲକ୍ଷ ଟଙ୍କାର ମାଲିକ

ନର୍ଥ କାରୋନିଲା: ହିନ୍ଦୁ ଧର୍ମରେ ନାରୀଙ୍କୁ ମାଆ ଲକ୍ଷ୍ମୀଙ୍କ ସ୍ବରୂପ ଭାବେ ବିବେଚନା କରାଯାଏ । ଝିଅମାନଙ୍କୁ ଦେବୀଙ୍କ ଭଳି ପୂଜା କରାଯାଏ । ବିଶ୍ବାସ ରହିଛି ଘରେ ଝିଅଟିଏ ଥିଲେ ମାଆ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସବୁବେଳେ ରହିଥାଏ । ଏହି ଯେମିତି ଆମେରିକାର ନର୍ଥ କାରୋନିଲାର ବ୍ରେଣ୍ଡାଙ୍କୁ ଦେଖନ୍ତୁ । ଧାରକରଜରେ ବୁଡ଼ି ଥିବା ବ୍ରେଣ୍ଡା ରାତାରାତି ଲକ୍ଷପତି ବନି ଯାଇଛନ୍ତି । କାଙ୍ଗାଳୁ ଲକ୍ଷପତି ହେବା ପାଇଁ ସେ ନିଜ ନବଜାତ ଶିଶୁକନ୍ୟାକୁ ଶ୍ରେୟ ଦେଇଛନ୍ତି । କାରଣ ଦୁଇଟି ପିଲାର ମାଆ ବ୍ରେଣ୍ଡା ଯେଉଁଦିନ ସକାଳେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ, ସେହିଦିନ ସନ୍ଧ୍ୟାରେ ତାଙ୍କ ଘରକୁ ଆସିଥିଲା  ଆଉ ଏକ ଖୁସି ଖବର । ଚାହୁଁ ଚାହୁଁ ସେ ୫୩ ଲକ୍ଷ ଟଙ୍କାର ମାଲିକାନି ବନିଯାଇଥିଲେ ।

୨୮ ବର୍ଷିୟା ବ୍ରେଣ୍ଡା ନଭେମ୍ବର ୯ ତାରିଖ ସକାଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସେହିଦିନ ସନ୍ଧ୍ୟାରେ ତାଙ୍କର ଏକ ଲଟେରୀ ଲାଗିଥିଲା । ଯେଉଁଥିରେ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୮୦ ଲକ୍ଷ ଟଙ୍କା ଜିତିଥିଲେ । ଟ୍ୟାକ୍ସ କଟିବା ପରେ ତାଙ୍କ ହାତକୁ ୫୩ ଲକ୍ଷ ଟଙ୍କା ଆସିଛି । ନଭେମ୍ବର ୩୦ ତାରିଖରେ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦିଆଯାଇଛି । ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ବ୍ରେଣ୍ଡା ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଲଟେରୀ ଜିତିବା ପରେ ବ୍ରେଣ୍ଡା କହିଛନ୍ତି, ‘ମୋ ଝିଅ ମୋ ଭାଗ୍ୟ ବଦଳାଇ ଦେଲା । ସେ ମୋ ପାଇଁ ଲକି ଚାର୍ମ ।’

ବ୍ରେଣ୍ଡା କୁହନ୍ତି, ‘ୟୁଏସ ପାଓ୍ବାରବଲ୍ ଲଟେରୀ ଡ୍ର’ ଘୋଷଣା ହେବା ପରେ ମୋ ଖୁସିର ଠିକଣା ନଥିଲା । ମୁଁ ୮୦ ଲକ୍ଷ ଟଙ୍କା ଜିତିଥିବା ଲଟାରୀ ସଂସ୍ଥା ଅଧିକାରୀ ଜଣାଇଥିଲେ । ଏହା ଶୁଣି ମୁଁ କାନ୍ଦି ପକାଇଥିଲି । କଳାରେ ଝିଅ ଜନ୍ମ ହେଲା ଓ ସନ୍ଧ୍ୟାରେ ଲଟାରୀ ଜିତିଲି । ଦୁଇ ଦୁଇଟି ଭଲ ଖବର ପାଇ ଆମ ପରିବାରରେ ଖୁସି ଭରି ଦେଇଛି ।

ବ୍ରେଣ୍ଡା କହିଛନ୍ତି, ‘ଏହି ଟଙ୍କାରେ ପ୍ରଥମେ ମୁଁ ଋଣ ସୁଝିବି । ଏହାପରେ ଅନ୍ୟ କାମରେ ଖର୍ଚ୍ଚ କରିବି ।’ ସୂଚନାଯୋଗ୍ୟ, ପ୍ରତି ଜନ୍ମଦିନରେ ବ୍ରେଣ୍ଡା ଲଟେରୀ କରିଥାନ୍ତି । ହେଲେ କେବେ ତାଙ୍କ ଭାଗ୍ୟରେ ଲଟେରୀ ଲାଗିନଥାଏ ।