ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଉପରମୁହାଁ ପାରଦ, ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବଢ଼ୁଛି ତାପମାତ୍ରା । ସ୍ବାଭାବିକଠାରୁ ୪ରୁ ୫ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ପାରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ମାଲକାନଗିରି, ନୟାଗଡ଼, ବଲାଙ୍ଗୀର, ଅନୁଗୁଳ, ଚାନ୍ଦବାଲି, ନବରଙ୍ଗପୁର, ଭବାନୀପାଟଣା ଆଦି ସହର ଏବେ ହଟସ୍ପଟରେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ନୟାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀରରେ ୩୪ ଡିଗ୍ରୀ ଲେଖାଏଁ ପାରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ପାରା ୩୩ଡିଗ୍ରୀ ଉପରେ ରହିଛି । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ତାପମାତ୍ରା ବୃଦ୍ଧି ହେବ ।