ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ

1 min read

ନୂଆଦିଲ୍ଲୀ: ପୁଣି ଝଟକିଲେ ଭାରତୀୟ । ଭାରତୀୟ-ଆମେରିକୀୟ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ଓଜେସିକିଙ୍କ ଇସ୍ତଫା ଘୋଷଣା ପରେ ନୀଲ ମୋହନ ପିନ୍ଧିବେ ମୁକୁଟ । ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ ।

୪୯ ବର୍ଷ ବୟସ୍କ ଷ୍ଟାନଫୋର୍ଡ ଗ୍ରାଜୁଏଟ ନୀଲ ମୋହନ କିଛି ଦିନ ଲାଗି ନେଟଗ୍ରାଭିଟି ଷ୍ଟାର୍ଟଅପରେ କାର୍ଯ୍ୟ କରିଥିଲେ । ନେଟଗ୍ରାଭିଟିକୁ ପରବର୍ତ୍ତୀ ପର୍ଯ୍ୟାୟରେ ଡବଲ କ୍ଲିକ ଅଧିଗ୍ରହଣ କରିଥିଲା । ୨୦୦୭ରେ ଡବଲକ୍ଲିକକୁ କିଣିଥିଲା ଗୁଗୁଲ । ଗୁଗୁଲର ଆଡଭର୍ଟାଇଜିଂ ପ୍ରଡକ୍ଟର ଆଡଓ୍ବାର୍ଡସ, ଆଡସେନ୍ସ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନୀଲ ମୋହନ ।