ପୁଣି ଭାରତ ଆସିବେ ଆଫ୍ରିକା ଅତିଥି, ଆସନ୍ତାକାଲି ପହଞ୍ଚିବେ ଆଉ ୧୨ ଚିତା

1 min read

ନୂଆଦିଲ୍ଲୀ: ଭାରତକୁ ପୁଣି ଆସିବେ ଆଫ୍ରିକା ଅତିଥି । ଦକ୍ଷିଣ ଆଫ୍ରିକାରୁ ଭାରତକୁ ଅଣାଯିବ ଆଉ ୧୨ ବିରଳ ଚିତା । ସେମାନଙ୍କୁ ଆଣିବା ଲାଗି ଭାରତରୁ ଯାଇଛି ସି-୧୭ ପରିବହନ ବିମାନ । ଆସନ୍ତାକାଲି ଭାରତରେ ପହଞ୍ଚିବେ ଅତିଥି । ଅତିଥିମାନେ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରହିବେ । ଏହି ୧୨ଟି ଚିତାଙ୍କ ମଧ୍ୟରୁ ୭ଟି ଅଣ୍ଡିରା ଓ ୫ଟି ମାଈ ଥିବା ସୂଚନା ମିଳିଛି । ସେଠାରେ ସେମାନଙ୍କ ଲାଗି ୧୦ଟି କ୍ବାରାଣ୍ଟାଇନ ଏନକ୍ଲୋଜର ପ୍ରତିଷ୍ଠା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ଗତବର୍ଷ ନାମିବ୍ୟାରୁ ଅଣାଯାଇଥିବା ୮ ବାଘଙ୍କୁ ମଧ୍ୟ କୁନୋ ପାର୍କରେ ରଖାଯାଇଛି । ବାଘମାନେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ସ୍ବାଭାବିକ ଜୀବନ ବିତାଉଛନ୍ତି । ବାଘମାନଙ୍କୁ ଆଣିବା ଲାଗି ଯାଇଥିବା ବାୟୁସେନା ବିମାନ ଦକ୍ଷିଣ ଆଫ୍ରିକାର ଗାଉଟେଙ୍କସ୍ଥିତ ଓଆର ଟାମ୍ବୋ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବ । ବିମାନଟି ମଧ୍ୟପ୍ରଦେଶ ଗ୍ବାଲିୟର ଏୟାରଫୋର୍ସ ବେସରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟରରେ ସେମାନଙ୍କୁ ୧୬୫ କିଲୋମିଟର ଦୂର ସେଓପୁର ଜିଲ୍ଲା କୁନୋ ପାର୍କକୁ ନିଆଯିବ । ଦକ୍ଷିଣ ଆଫ୍ରିକା, ନାମିବ୍ୟା ଓ ବୋସଓ୍ବାନାରେ ପ୍ରାୟ ୭ ହଜାର ଚିତା ରହିଛନ୍ତି ।