ଆଜିଠୁ ଭାରତ- ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ, ପ୍ରଦର୍ଶନ ଜାରି ରଖିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ

1 min read

ନୂଆଦିଲ୍ଲୀ: ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ସକାଳ ୯ଟା ୩୦ରୁ ଦିଲ୍ଲୀରେ ହେବ ମ୍ୟାଚ୍ । ୪ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଆଗାମୀ ମ୍ୟାଚ୍ ଜିତି ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଆଶାକୁ ଆହୁରି ଉଜ୍ବଳ କରିବାକୁ ଆଶା ରଖିଛି ଭାରତ । ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଚିତ୍ ହୋଇଥିଲା କଙ୍ଗାରୁ ଟିମ୍ । ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ ହୋଇଥିଲା ଭ୍ରମଣକାରୀ ଦଳ ।

ଭାରତୀୟ ବୋଲରଙ୍କ ଆଗରେ କୌଣସି ଖେଳାଳି ତିଷ୍ଠି ପାରିନଥିଲେ । ଦୁଇଟି ଯାକ ଇନିଂସରେ ବିପର୍ଯ୍ୟୟ ସାମ୍ନା କରି ବଡ଼ ରନ ବ୍ୟବଧାନରେ ହାରିଥିଲା ଅଷ୍ଟ୍ରେଲିଆ । ଆଜିର ମ୍ୟାଚ ଜିତି ଟ୍ରାକକୁ ଫେରିବାକୁ ରଣନୀତି କରିଛି କଙ୍ଗାରୁ ଟିମ୍ । ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଆଉ ୨ଟି ମ୍ୟାଚ୍ ଜିତିଲେ ଭାରତ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବ । ଏଣୁ ଭାରତ ମଧ୍ୟ ନିଜର ସଫଳତା ବଜାୟ ରଖିବାକୁ ସ୍ବତନ୍ତ୍ର ରଣନୀତି କରିଛି ।