ହୋଲି ପୂର୍ବରୁ ପକେଟ୍‌କୁ ଝଟକା, ବଢିଲା ରନ୍ଧନ ଗ୍ୟାସ ଦର

ନୂଆଦିଲ୍ଲୀ: ହୋଲିର ଠିକ ପୂର୍ବରୁ ରୋଷେଇ ଘରେ ନିଆଁ ଲଗାଇଲା ସିଲିଣ୍ଡର ଦର । ଘରୋଇ ସିଲିଣ୍ଡର ଦାମ ୫୦ ଟଙ୍କା ବଢିଛି   ।  ଗ୍ୟାସ ବୁକିଂ କଲେ ଦେବାକୁ ପଡ଼ିବ ୧୧ ଶହରୁ ଅଧିକ ଟଙ୍କା । ଟେନସନରେ ଖାଉଟି । ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ ୧୧୦୩ ଟଙ୍କାରେ ପହଞ୍ଚିଛି  । ପାଖାପାଖି ୮ ମାସ ପରେ ରନ୍ଧନ ଗ୍ୟାସ ଦରବୃଦ୍ଧି ହୋଇଛି  । ଏହା ପୂର୍ବରୁ ଜୁଲାଇ ୬, ୨୦୨୨ରେ ଘରୋଇ ଗ୍ୟାସ ସିଲିଣ୍ଡରର ଦରବୃଦ୍ଧି ହୋଇଥିଲା  ।

ବର୍ଦ୍ଧିତ ଦର ଲାଗୁ ହେଲେ ମୁମ୍ବାଇରେ ସିଲିଣ୍ଡର ଦାମ ୧୧୦୨ ଟଙ୍କାରେ ପହଢ୍ଚିଛି  । କୋଲକତାରେ ୧୧୨୯ ଟଙ୍କା ଓ ଚେନ୍ନାଇରେ ୧୧୧୮ ଟଙ୍କାରେ ପହଞ୍ଚିଛି ଘରୋଇ ଗ୍ୟାସ ସିଲିଣ୍ଡର  । ସେପଟେ କମର୍ସିଆଲ ସିଲିଣ୍ଡରକୁ ବି ମିଳିଛି ଝଟକା  । ଏବେ ୧୭୬୯ ଟଙ୍କା ପରିବର୍ତ୍ତେ ୨୧୧୯.୫୦ ଟଙ୍କାରେ ମିଳିବ କମର୍ସିଆଲ ସିଲିଣ୍ଡର  । କମର୍ସିଆଲ ସିଲିଣ୍ଡର ପାଇଁ ଆଜିଠୁ ୩୫୦ ଟଙ୍କା ଅଧିକ ଦେବାକୁ ପଡିବ  । ବର୍ଦ୍ଧିତ ଦର ଲାଗୁ ପରେ ୨୧ ଶହ ଡେଇଁଲା ରେଟ୍  ।

ମାର୍ଚ୍ଚ ୧ରୁ ବର୍ଦ୍ଧିତ ଦର ଲାଗୁ କରିଛନ୍ତି ସରକାରୀ ତୈଳ କମ୍ପାନୀ  । କିନ୍ତୁ ଉତ୍ତର ପ୍ରଦେଶରେ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦର ଲାଗୁ କରାଯାଇନାହିଁ  ।