ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଦେବେ ୩ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠୁ ଯୁକ୍ତଦୁଇ ପରୀକ୍ଷା । ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ଥିବାବେଳେ କାଲି କଳା ଓ ବାଣିଜ୍ୟ ଓ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏ ଦିନକୁ ଗୋଟିଏ ଲେଖାଏ ସିଟିଂରେ ପରୀକ୍ଷା ହେବ । ଅଧଘଣ୍ଟା ଆଗରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ୧୫ମିନିଟ ଆଗରୁ ମିଳିବ ଉତ୍ତରଖାତା ଓ ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର । ସିସିଟିଭି ନିୟନ୍ତ୍ରଣରେ ରହିବ ପରୀକ୍ଷାକେନ୍ଦ୍ର ।

ଦୁଇଦିନ ଆଗରୁ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ଏହାକୁ 24 ଘଣ୍ଟିଆ ସିସିଟିଭି କ୍ୟାମେରା ଏବଂ ପୋଲିସ ସୁରକ୍ଷାରେ ରଖାଯାଇଛି । ଚଳିତବର୍ଷ ମୋଟ 3 ଲକ୍ଷ 57 ହଜାର 942 ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେବେ । ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୪୦୮ ।

କଳାରେ ୨ ଲକ୍ଷ ୧୮ ହଜାର ୪୪୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୪୫୭, ବାଣିଜ୍ୟରେ ୨୩ ହଜାର ୧୯୩ ଜଣ ପିଲା ପରୀକ୍ଷା ଦେବେ ।