spot_img
Home Blog Page 3578

କିଏ ହେବ ମହିଳା ଆଇପିଏଲ ଟିମ୍‌ ମାଲିକ, ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ବାନ

ମୁମ୍ବାଇ: ବିସିସିଆଇ ପକ୍ଷରୁ ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ମହିଳା ଆଇପିଏଲର ଶୁଭାରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା କରିଛି । ଆଇପିଏଲର ପରିଚାଳନା ପରିଷଦ ଏକ ମିଡିଆ ରିଲିଜ୍ ମାଧ୍ୟମରେ ଘୋଷଣା କରିଛି ଯେ ଦଳ କିଣିବାକୁ ଥିବା ଆଗ୍ରହୀ ସଂସ୍ଥାଗୁଡ଼ିକ ଦଳ କିଣିବା ଏବଂ ପରିଚାଳନା କରିବାର ଅଧିକାର ହାସଲ କରିବା ପାଇଁ ଆବଶ୍ୟକ ବିଡିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତୁ । ଏହି ନିମନ୍ତ୍ରଣ ଜରିଆରେ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ବୋର୍ଡ ମଧ୍ୟ ଆବଶ୍ୟକ ସର୍ତ୍ତ ରଖିଛି । ମହିଳା ଆଇପିଏଲ୍ ଦଳ କିଣିବା ପାଇଁ ଆବଶ୍ୟକ ଯୋଗ୍ୟତା, ବିଡ୍ ସହିତ ଅଗ୍ରଗତି କରିବାକୁ ଆବଶ୍ୟକ ପ୍ରକ୍ରିୟା, ପ୍ରସ୍ତାବିତ ଦଳର ଦାୟିତ୍ବ ଏବଂ ଅଧିକାର ବିସିସିଆଇ ପକ୍ଷରୁ କୁହାଯାଇଛି ।

ଭାରତୀୟ ବୋର୍ଡ ଇନଭିଟେସନ ଟୁ ଟେଣ୍ଡରର ମୂଲ୍ୟ ୫ ଲକ୍ଷ ଟଙ୍କା ରଖିଛି । ଏହି ରାଶିର ଜିଏସଟି ପୃଥକ ଭାବରେ ପ୍ରଦାନ କରାଯିବ । ଏହି ରାଶି ଫେରସ୍ତ ହେବ ନାହିଁ । ଜିଏସଟି ସମେତ ମୋଟ ୫ ଲକ୍ଷ ୯୦ ହଜାର ଟଙ୍କା ସହ ମହିଳା ଆଇପିଏଲ୍ ଦଳ କିଣିବାକୁ ଟେଣ୍ଡର ପକାଇପାରିବେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଆଇଟିଟି କ୍ରୟ ପାଇଁ ଉପଲବ୍ଧ ହେବ । ଦଳ କିଣିବାକୁ ଆଗ୍ରହୀମାନଙ୍କୁ ଦେୟଗୁଡିକର ବିବରଣୀ ଇମେଲ କରିବାକୁ ଅନୁରୋଧ କରିଛି IPL ପରିଚାଳନା ପରିଷଦ । ବିସିସିଆଇ ସ୍ପଷ୍ଟ କରିଛି ଯେ କେବଳ ITT କ୍ରୟ କରିଥିବା କୌଣସି ବ୍ୟକ୍ତିଙ୍କୁ ବିଡ୍ କରିବାକୁ ଅଧିକାର ଦେବ ନାହିଁ । ବିସିସିଆଇ ନିଜ ଇଚ୍ଛାନୁସାରେ ଯେ କୌଣସି ପର୍ଯ୍ୟାୟରେ ବିଡିଂ ପ୍ରକ୍ରିୟାକୁ ବାତିଲ କରିପାରିବ ।

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା

ଚିଲିକା: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ୍ ପକ୍ଷୀଗଣନାରେ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ଅଛନ୍ତି ୭ ସଦସ୍ୟ । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ରହିଛନ୍ତି ।

ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକାରେ ଗୋଟିଏ ଟିମ୍‌ ନିୟୋଜିତ ଅଛନ୍ତି । କମ୍ପାସ, ବାଇନାକୁଲାର ଓ ଜିପିଏସ ମାଧ୍ୟ୍ୟମରେ ହେଉଛି ପକ୍ଷୀ ଗଣନା । ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦ ଓ ବନ୍ୟପ୍ରାଣୀ କର୍ମଚାରୀ । ଗତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି ।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଗତବର୍ଷ ଭିତରକନିକାରେ କୁମ୍ଭୀର ଗଣନା ବେଳେ ୧୭ ଶହ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା । ଚଳିତର୍ଷ କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ କୁମ୍ଭୀର ଗଣନା କରାଯିବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ନୂଆବର୍ଷରେ ବି ଶୀତ ନାହିଁ, ଘନ କୁହୁଡ଼ି ପାଇଁ ୮ଟି ଜିଲ୍ଲାକୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ବର୍ଷ ୨୦୨୩ ଆରମ୍ଭ ହୋଇଥିଲେ ବି ବର୍ଷ ଆରମ୍ଭରେ ଯେଉଁ ଭଳି ଭାବେ ଶୀତ ହେବା କଥା ତାହା ହେଉନାହିଁ । ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଗାମୀ ୨ରୁ ୩ ଦିନ ପରେ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ କମିସନ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ସକାଳୁ ଘନ କୁହୁଡ଼ି ବେଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି ।

କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ । କୁହୁଡ଼ି ପାଇଁ ଉପରୋକ୍ତ ୮ ସମ୍ଭାବିତ ସ୍ଥାନଗୁଡ଼ିକରେ ରାସ୍ତାରେ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରାଯିବା ଉଚିତ । ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମୟରେ ଘନ କୁହୁଡ଼ି ଦେଖାଗଲେ ପୋଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଏସଆରସି ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।

ହକି ବିଶ୍ବକପ: ଆଜି ଭୁବନେଶ୍ବରରେ ପହଞ୍ଚିବ ନେଦରଲାଣ୍ଡ୍ସ, ଗୁରୁବାର ଆସିବ ଚିଲି

ଭୁବନେଶ୍ୱର: ହକି ବିଶ୍ବକପକୁ ଆଉ ମାତ୍ର ୯ ଦିନ । ଆଜି ଭୁବନେଶ୍ବରରେ ୨୦୧୮ ବିଶ୍ବକପର ରୌପ୍ୟପଦକ ବିଜେତା ନେଦରଲାଣ୍ଡସ ଟିମ୍ ପହଞ୍ଚିବ । ବିମାନବନ୍ଦରରେ ପହଞ୍ଚିବା ପରେ ନେଦରଲାଣ୍ଡ୍ସ ଦଳକୁ ମେ’ ଫେୟାର ହୋଟେଲ ନିଆଯିବ । ଆସନ୍ତା ଜାନୁଆରୀ ୧୪ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ବିପକ୍ଷରେ ଖେଳିବ ନେଦରଲ୍ୟାଣ୍ଡସ । ତେବେ ଆସନ୍ତାକାଲିଠୁ ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଏଥର ଟ୍ରଫି ହାସଲ ଲାଗି ନେଦରଲ୍ୟାଣ୍ଡସ୍ ଦଳ ପ୍ରମୁଖ ଦାବିଦାର ରହିଛି । ବିଶ୍ବକପ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ନେଦରଲାଣ୍ଡସ୍ ଏପର୍ଯ୍ୟନ୍ତ ବିଶ୍ୱକପରେ ୧୦୦ ମ୍ୟାଚ୍ ଖେଳି ଜିତିଛି ୬୧ ମ୍ୟାଚ୍। ନେଦରଲାଣ୍ଡସ୍ ପଛକୁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଦେଶ ଭାବେ ଦ୍ବିତୀୟରେ ରହିଛି ଭାରତ। ଆଗାମୀ ବିଶ୍ବକପ୍ ଆୟୋଜନ କରୁଥିବା ନେଦରଲାଣ୍ଡସ୍  ପ୍ରଥମ ବିଶ୍ବକପ୍ରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି।

ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍ ଏବଂ ଜିତିଛି ୪୦ । ବିଜୟ ହାର ୪୨ ପ୍ରତିଶତ । ୧୯୭୫ରେ ହିଁ କେବଳ ଥରେ ବିଶ୍ବକପ୍ ଜିତିଛି ଭାରତ । ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୪ଟି ସଂସ୍କରଣରେ ୬ ଭିନ୍ନି ଭିନ୍ନ ରାଷ୍ଟ୍ର ବିଶ୍ବକପ୍ ଟ୍ରଫି ଜିତିବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଶ୍ୱକପରେ ସବୁଠୁ ସଫଳ ଟିମ୍ ପାକିସ୍ତାନ ୪ ଥର ବିଶ୍ୱକପ ଚାମ୍ପିୟନ ହୋଇଥିବା ବେଳେ ୨୦୨୩ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି । ନେଦରଲାଣ୍ଡସ୍ ଓ ଅଷ୍ଟ୍ରେଲିଆ ୩ ଥର ଲେଖାଏଁ, ଜର୍ମାନୀ ୨ ଥର ଏବଂ ଭାରତ ଓ ବେଲଜିୟମ୍ ଥରେ ଲେଖାଏଁ ବିଶ୍ବ ବିଜେତା ହୋଇଛନ୍ତି । ୨୦୧୮ରେ ଓଡ଼ିଶାର ଅନୁଷ୍ଠିତ ବିଶ୍ୱକପରେ ବିଜେତା ହୋଇଥିଲା ବେଲଜିୟମ୍ । ୧୯୭୧ରୁ ଆରମ୍ଭ ହୋଇଥିବା ହକି ବିଶ୍ବକପର ୫୨ ବର୍ଷ ଇତିହାସରେ ୨୬ ଦଳ ପ୍ରତିଦ୍ବନ୍ଦ୍ବିତା କରିସାରିଛନ୍ତି ।

ବିଜେଡିରୁ ବହିଷ୍କୃତ ହେଲେ ସୁବାସ ମାଝୀ, ସୂଚନା ଦେଲେ ମାନସ ମଙ୍ଗରାଜ

ଢେଙ୍କାନାଳ: ବିଜେଡିରୁ ବହିଷ୍କୃତ ହେଲେ ଢେଙ୍କନାଳ ଭୁବନ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ସୁବାସ ମାଝୀ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗାଁରେ ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଭୁବନ ବ୍ଲକ ତିନି ନମ୍ବର ଜିଲ୍ଲାପରିଷଦ ସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାରେ ମୋଟ ତିନି ଜଣଙ୍କୁ ଗିରଫ କରାଯାଇଥିଲା ।

ଅଳ୍ପକେ ବର୍ତ୍ତିଲା ଗୋ ଏୟାର ବିମାନ, ଯାତ୍ରୀ ସୁରକ୍ଷିତ

ପାଟଣା: ବିହାର ପାଟଣା ବିମାନବନ୍ଦରରେ ଏକ ବିମାନ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବିମାନଟି ଲ୍ୟାଣ୍ଡିଙ୍ଗ କରୁଥିବା ସମୟରେ ପକ୍ଷୀଟି ଧକ୍କା ହୋଇଥିଲା । ଖବର ପାଇ ବିମାନବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଛି ବିମାନଟି । ଏହାପରେ ବିମାନଟି ନିରାପଦରେ ଅବତରଣ କରିଥିଲା ।

ସୂଚନା ଅନୁଯାୟୀ, ଗୋଏୟାରର ବିମାନ ମଙ୍ଗଳବାର ବାଙ୍ଗାଲୋରରୁ ପାଟଣାକୁ ଉଡାଣ ଭରିଥିଲା । ବିମାନର ଡାହାଣ ଡେଣାରେ ପକ୍ଷୀଟି ଧକ୍କା ହୋଇଥିବାରୁ ସାମାନ୍ୟ କ୍ଷତି ହୋଇଥିଲା।  ବିମାନରେ ୧୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ବିମାନରେ ଭୟରବାତାବରଣ ଖେଳିଯାଇଥିଲା । ଏହି ଅଘଟଣ ପୂର୍ବାହ୍ନ ୧୨ଟା ପାଖାପାଖି ହୋଇଥିବା ସୂଚନା ମିଳିଛି । ଯାହାକୁ ମରାମତି କରିବାକୁ ଚେଷ୍ଟା କରାଯାଉଛି । ବୈଷୟିକ ଅଧିକାରୀମାନେ ବିମାନ ଯାଞ୍ଚ କରିଛନ୍ତି ।

ସିନେମା ହଲରେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିନେମା ହଲରେ ଦେଖିବାକୁ ମିଳିବ ନୂଆ ପରିବର୍ତ୍ତନ । ହଲ ଭିତରେ ଶୁଦ୍ଧ ପାନୀୟ ଜଳ ଯୋଗାଇକୁ ସିନେମା ହଲ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମଖ୍ୟ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ପିଏସ ନରସିହ୍ମାଙ୍କ ଖଣ୍ଡପୀଠରେ କୁହାଯାଇଛି ଯେ, ସିନେମା ହଲ ମାଲିକ ଦର୍ଶକମାନଙ୍କୁ ନିଜର ଖାଦ୍ୟ ଏବଂ ପାନୀୟ ଜଳ ନେବାରୁ ବଞ୍ଚିତ କରିପାରିବେ । ଯେହେତୁ ସିନେମା ହଲ୍ ହେଉଛି ବେସରକାରୀ ସମ୍ପତ୍ତି । ତେଣୁ ହଲ୍ ମାଲିକ ନିଜର ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରିପାରିବେ । କିନ୍ତୁ ହଲ୍ ଭିତରେ ଦର୍ଶକମାନଙ୍କୁ ଶୁଦ୍ଧ ପାନୀୟ ଜଳ ମାଗଣାରେ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଉପର ଅଦାଲତ କହିଛନ୍ତି ଯେ, ପିତାମାତାଙ୍କ ସହ ଆସୁଥିବା ଛୋଟ ପିଲା ଏବଂ ନବଜାତ ଶିଶୁଙ୍କ ପାଇଁ ଯଥେଷ୍ଟ ପରିମାଣର ଖାଦ୍ୟ ସିନେମା ହଲ୍ ଭିତରକୁ ନେଇପାରିବେ।

ସୂଚନା ଯୋଗ୍ୟ ଯେ, ଜାମ୍ମୁ-କାଶ୍ମୀରର ସିନେମା ହଲକୁ ଦର୍ଶକମାନଙ୍କୁ ଖାଦ୍ୟ ଏବଂ ପାନୀୟ ଜଳ ନେବାକୁ ହଲ୍ କର୍ମଚାରୀମାନେ ଅଟକାଇ ଥିଲେ। ଏହି ପ୍ରସଙ୍ଗରେ ଜାମ୍ମୁ-କାଶ୍ମୀର ହାଇକୋର୍ଟ ରାଜ୍ୟର ମଲ୍ଟିପ୍ଲେକ୍ସ ସିନେମାହଲର ଦର୍ଶକମାନଙ୍କୁ ଖାଦ୍ୟପାନୀୟ ନେବା ପାଇଁ ଅନୁମତି ଦେଇଥିଲେ । ସିନେମା ହଲର ମାଲିକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏନେଇ ପିଟିସନ ଦାଖଲ କରିଥିଲେ । ମଙ୍ଗଳବାର ଦିନ ସୁପ୍ରମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି କରିଛନ୍ତି ।

ଜାତିପ୍ରଥା ପାଇଁ ଅଲୋଡ଼ା ହେଲା ଶବ

ବଲାଙ୍ଗୀର: ଜାତିପ୍ରଥା ପାଇଁ ଅଲୋଡ଼ା ହେଲା ଶବ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କରୁଆଁଝର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସ୍ବାମୀଙ୍କ ଛଡ଼ା ଅନ୍ୟ ସମସ୍ତଙ୍କୁ ଶବ ଛୁଇଁବାକୁ ବାରଣ କଲେ କୁଲତା ସମାଜ । କରୁଆଁଝର ଗାଁର ଅନିଲ ପ୍ରଧାନ ୨୦୧୯ ମସିହାରେ ସୋନପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ଗାଁର ସୀମାଞ୍ଜଳୀ ସାହୁଙ୍କୁ ବିବାହ କରିଥିଲେ I ବିବାହ ସମୟରେ ଅନିଲ ପ୍ରଧାନଙ୍କ ସାହି ପଡିଶା ସହ ବନ୍ଧୁବାନ୍ଧବ ବରଯାତ୍ରୀ  ଯାଇ ଭୋଜିଭାତ ମଧ୍ୟ ଖାଇଥିଲେ  ।

ହେଲେ ସୀମାଞ୍ଜଳୀଙ୍କ ଗର୍ଭରେ ପିଲା ନଷ୍ଟ ହେବାରୁ ସ୍ବାମୀ ଅନିଲଙ୍କୁ ବାସନ୍ଦ କରିଥିଲେ କୁଲତା ସମାଜ । ପରେ ଅନିଲଙ୍କ ପିତା କୁଲତା ସମାଜକୁ ୯୦୦୦ଟଙ୍କା ଫାଇନ ଦେଇଥିଲେ  । ହେଲେ ଆଜି ସୀମାଞ୍ଜଳୀଙ୍କ ମୃତ୍ୟୁ ପରେ ଶବ ଛୁଇଁବାକୁ ମନା କରିଥିଲେ କୁଲତା ସମାଜ । ଦୀର୍ଘ ସମୟ ଧରି ଘରେ ଶବ ପଡିରହିବା ପରେ ଅନୀଲ କିଛି ଯୁବକଙ୍କ ସହାୟତାରେ ବଲାଙ୍ଗୀର ବିଭୁତିପଡା ଶ୍ମଶାନ ଘାଟରେ ସ୍ତ୍ରୀର ଶବ ସତ୍କାର କରିଛନ୍ତି I

ଶବ ସତ୍କାର ସମୟରେ ସୀମାଞ୍ଜଳୀଙ୍କ ଭାଇ ମଧ୍ୟ ଉପସ୍ଥିତ ରହି ଭଉଣୀର ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି I ଏଭଳି କୁତ୍ସିତ ଘୃଣ୍ୟ ପରମ୍ପରା ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗଭୂଷଣ ।

ଆକର୍ଷଣ ହେବ ଶିଖରଚଣ୍ଡୀ ମନ୍ଦିର, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ

ଭୁବନେଶ୍ବର: ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର । ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଶିଖରଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି କରି ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର କରାଯିବ । ୫୩ ଦଶମିକ ୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବାପାଇଁ ସେ ପରାମର୍ଶ ଦେଇଥିଲେ । ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ ।

ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ । ଜୋନ-୩ ଓ ୪ ରେ ମନୋରଞ୍ଜନ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା କରାଯିବ ।