ଓଡ଼ିଶାରେ ଡ୍ରାଇଭରଙ୍କ କଲ୍ୟାଣ ରାଜ୍ୟ ସରକାର ହିଁ କରିବେ: ବିଜେଡି

ଭୁବନେଶ୍ୱର: ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ତୁଚ୍ଛା ରାଜନୀତି କରୁଛି ବିଜେପି । ଆନ୍ଦୋଳନକୁ ସମର୍ଥନ କରି ବିଜେପି ନାଟକବାଜି କରୁଛି ବୋଲି କହିଛି ବିଜେଡି । ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ ସୁବିଧା ପ୍ରଦାନ କରାଯାଇଛି ବୋଲି ସ୍ପଷ୍ଟ କରନ୍ତୁ ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡି । ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ କରିବା ପୂର୍ବରୁ ବିଜେପି ଶାସିତ ରାଜ୍ୟରେ କେଉଁ ସୁବିଧା ଦିଆଯାଉଛି ତାହାର ତାଲିକା ବିଜେପି ନେଇକି ଯାଉ ବୋଲି ବିଜେଡି କହିଛି ।

ରାଜ୍ୟରେ ସ୍କୁଲ କଲେଜରେ ବିଭିନ୍ନ ପରୀକ୍ଷା ଚାଲିଛି । ଏହି ସମୟରେ ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକ ହଇରାଣ ହେଉଛନ୍ତି । ଏକ ଦାୟିତ୍ବ ସମ୍ପନ୍ନ ଦଳ ଭାବେ ବିଜେପି ଡ୍ରାଇଭରଙ୍କୁ ଆନ୍ଦୋଳନରୁ ବିରତ ହେବାକୁ ଆହ୍ବାନ ଦେବା କଥା । ମାତ୍ର ଏହାକୁ ନେଇ ବିଜେପି ରାଜନୀତି କରିବା ଅଶୋଭନୀୟ । ଡ୍ରାଇଭରଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ହେଲେ ବିଜେପି ସେମାନଙ୍କୁ ମିଛ ସମର୍ଥନ ଓ ସମବେଦନା ଜଣାଇ ରାଜନୀତି କରୁଛି । ଡ୍ରାଇଭରଙ୍କ ଆବଶ୍ୟକତା କେବଳ ରାଜ୍ୟ ସରକାର ପୂରଣ କରିବେ । ବିଜେପିର ପ୍ରଲୋଭନରେ ନପଡ଼ିବାକୁ ଡ୍ରାଇଭରଙ୍କୁ ଅନୁରୋଧ କରିଛି ବିଜେଡି ।