ମୁମ୍ବାଇରେ ଥାଇ ତାମିଲନାଡ଼ୁରେ ନିଜ ହତ୍ୟାର ବ୍ଲୁପ୍ରିଣ୍ଟ, ମୁମ୍ବାଇରୁ ଗିରଫ କଲା ଗଜପତି ପୋଲିସ

ମୋହନା: ଧରାପଡ଼ିଲା ହତ୍ୟା ନାଟକ । ଏଥି ସହିତ ଓଡ଼ିଶାକୁ ବଦାନମ କରିବାକୁ ହୋଇଥିବା ଚକ୍ରାନ୍ତରେ ବି ପଡ଼ିଲା ଜବନିକା । ନିଜେ ନିଜର ହତ୍ୟା ନାଟକ ତିଆରି କରି ଫଶିଗଲେ ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳର ଶରତ ପରିଛା । ମୁମ୍ବାଇରେ ଥାଇ ତାମିଲନାଡ଼ୁରେ ନିଜ ହତ୍ୟାର ନାଟକ ରଚନା କରିଥିଲେ ଶରତ । ଶରତ ମୃତ୍ୟୁର ସତ୍ୟତା ଜଣାପଡ଼ିନଥିବା ବେଳେ ଏହି ଘଟଣାକୁ ନେଇ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ରାଜ୍ୟକୁ ବଦନାମ କରିବାକୁ ଆଗେଇ ଆସିଥିଲେ । ହେଲେ ପ୍ରଥମେ ନନ୍ଦିଘୋଷ ଟିଭି ଏହାର ଖୁଲାସା କରିଥିଲା । ଆଉ ସତକୁ ସତ ଗତକାଲି ଶରତକୁ ଗଜପତି ପୋଲିସ ମୁମ୍ବାଇରୁ ଗିରଫ କରିଛି । ଋଣଭାର ଓ ସ୍ତ୍ରୀ ସହ ମନୋମାଳିନ୍ୟ ପାଇଁ ନିଜ ହତ୍ୟାର ପ୍ଲଟ ତିଆରି କରିଥିଲା ଶରତ ।

ସ୍ତ୍ରୀ ସହ ମନୋମାଳିନ୍ୟ ଓ ଧାରକରଜରୁ ମୁକ୍ତି ପାଇବାକୁ ଶରତ ନିଜକୁ ମାଡ଼ ମରାଯିବାର ମିଛ ଭିଡିଓ ସହ ନିଜର ମୃତ୍ୟୁ ଫଟୋ ପରିବାରକୁ ପଠାଇଥିଲା । ଏପରିକି ଏକ ଆମ୍ବୁଲାନ୍ସରେ ତା’ର ମୃତଦେହ ନିଆଯାଉଥିବାର ଭିଡିଓ ମଧ୍ୟ ପରିବାରକୁ ପଠାଇଥିଲା । କିନ୍ତୁ ଆମ୍ବୁଲାନ୍ସରେ ଥିବା ମୃତଦେହ ତା’ର ନୁହେଁ ବୋଲି ସେ ସମୟରେ ସ୍ପଷ୍ଟ ହୋଇଥିଲା । ଗତକାଲି ମୁମ୍ବାଇରୁ ଗିରଫ ହେବା ପରେ ପୋଲିସ ମଧ୍ୟ ଶରତର ସବୁ ଖେଳର ଖୁଲାସା କରିଛି । ତେବେ ଶରତର ଏଭଳି ନାଟକ କେବଳ ପାରିବାରିକ ସମସ୍ୟା ନା ଆଉ କିଛି ତାହା ଅଧିକ ତଦନ୍ତ ସାପେକ୍ଷ । ଶରତ ବିରୋଧରେ ଠକେଇ, ମିଛ ଭିଡିଓ ଓ ଫଟୋ ଭାଇରାଲ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି ।