spot_img
Home Blog Page 3571

ଡେଲଏଟରେ ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମାତ୍ର ୫ ଘଣ୍ଟା କରିବେ କାମ

ଭୁବନେଶ୍ବର: ଓଡିଶାରେ ଯୁବପିଢ଼ିଙ୍କ ଲାଗି ଖୋଲିଲା ସୁବର୍ଣ୍ଣ ସୁଯୋଗ । ରାଜଧାନୀରେ ଉଦଘାଟିତ ହୋଇଛି ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟର ଓଡିଶା ଶାଖା କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ICOMC ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ୫ଟି ମହଲାରେ ଏହି କାର୍ଯ୍ୟାଳୟ ଖୋଲିବ।

ସ୍ମାର୍ଟସିଟି ଲିମିଟେଡ୍ ଅଫିସ୍ ମଧ୍ୟ ୨ଟି ବିଲଡିଂରେ କାର୍ଯ୍ୟାଳୟ ଖୋଲିବ । ଭବାନୀ ମଲରେ ଚାଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରିଚାଳନା ହେବ । ସେହିଭଳି ବଳକା ମହଲାରେ ଖୁବ୍ ଶୀଘ୍ର ବିଏମସି ଅଫିସ ଖୋଲିବ । ୨୦୧୮ମସିହାରେ ଆରମ୍ଭ ହୋଇଥିବା ଏହି ସୁଉଚ୍ଚ କୋଠା କାମ ୪ ବର୍ଷ ମଧ୍ୟରେ ସାରିଛି । ରାଜ୍ୟରେ ଡେଲଏଟର ଏହି କାର୍ଯ୍ୟାଳୟ ଖୋଲିବା ଫଳରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିପାରିବ।

ଏଠାରେ ପ୍ରତି ସିଫ୍ଟରେ ୫ଶହ ଲେଖାଏଁ ମୋଟ ୩ଟି ସିଫ୍ଟରେ ୧୫ଶହ କର୍ମଚାରୀ କାର୍ଯ୍ୟ କରିବେ। ଆଗକୁ ଏହି କୋଠାରେ ସ୍ମାର୍ଟସିଟି ଓ ବିଏମସି କାର୍ଯ୍ୟାଳୟ କାର୍ଯ୍ୟକରିବ। କାର୍ଯ୍ୟାଳୟ ଉଦଘାଟନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା ଉପସ୍ଥିତ ଥିଲେ ।

୨୦ କୋଟି ଟୁଇଟର ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍, ଇମେଲ୍‌ ଆଇଡି ହ୍ୟାକ୍‌

ନନ୍ଦିଘୋଷ ବ୍ୟୁରୋ: ସାବଧାନ ! ସ୍ମଲ ବ୍ଲଗିଂ ସାଇଟରେ ସୁରକ୍ଷିତ ନୁହେଁ ୟୁଜର୍ସଙ୍କ ତଥ୍ୟ । ସାଇବର ଅପରାଧୀଙ୍କ ଟାର୍ଗେଟରେ ସୋସିଆଲ ମିଡିଆ ୟୁଜର । ୨୦ କୋଟି ଟୁଇଟର ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍। ସ୍ମଲ ବ୍ଲଗିଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି ।

ଏତେସଂଖ୍ୟକ ଇ-ମେଲ ହ୍ୟାକିଂ ଯୋଗୁ ଫିସିଂ ଓ ଡକ୍ସିଂ ଭଳି ମାମଲା ବଢ଼ିବ ବୋଲି ଇସ୍ରାଏଲ ସାଇବର ସିକ୍ୟୁରିଟି ମନିଟରିଂ ଫାର୍ମ ହୁଡସନ ଲିଙ୍କଡ-ଇନ୍ ରେ ପୋଷ୍ଟ କରିଛନ୍ତି । ଡାଟା ଲିକର ଦୁଇ ସପ୍ତାହ ପରେ ବି ୟୁଜର୍ସଙ୍କ ଇ-ମେଲ ହ୍ୟାକକୁ ନେଇ ଟ୍ବିଟର ପକ୍ଷରୁ କିଛି ଟିପ୍ପଣୀ ରଖାଯାଇନାହିଁ । ଅନଲାଇନ ହ୍ୟାକିଂ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଇମେଲ  ଟ୍ବିଟରରୁ ହିଁ ଚୋରି ହୋଇଛି ବୋଲି ବ୍ରିଚ୍ ନୋଟିଫିକେସନ ସାଇଟ ହାବ ଆଇ ବିନ୍ ପନଡର ନିର୍ମାତା କହିଛନ୍ତି ।

ଏଲନ ମସ୍କଙ୍କ ହାତକୁ ଟ୍ବିଟରର ମାଲିକାନା ଯିବା ପୂର୍ବରୁ ହିଁ ଏହି ଡାଟା ଚୋରି ହୋଇଥିବା ଅନୁମାନ କରାଯାଉଛି ।

କାର୍ଯ୍ୟରେ ଅନୁପସ୍ଥିତ ରହି ବିଦା ହେଲେ ନବରଙ୍ଗପୁରର ୨୪ ଶିକ୍ଷକ

ନବରଙ୍ଗପୁର: କାର୍ଯ୍ୟରେ ଦୀର୍ଘବର୍ଷ ଧରି ଅନୁପସ୍ଥିତ ରହିବା ଯୋଗୁ ୨୪ ଶିକ୍ଷକଙ୍କୁ କାର୍ଯ୍ୟଚ୍ୟୁତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ କାର୍ଯ୍ୟଚ୍ୟୁତ କରିବା ପରେ ଜିଲ୍ଲା ଶିକ୍ଷାବିଭାଗ ଏହାକୁ କାର୍ଯ୍ୟକାରୀ କରିଛି । ଶିକ୍ଷକମାନେ ଦୀର୍ଘବର୍ଷ ଧରି ଛୁଟିରେ ରହିବା ଯୋଗୁ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ଜିଲ୍ଲାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ସମସ୍ତ ବିଇଓଙ୍କୁ ଚିଠି କରାଯାଇଥିଲା । ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ କାରଣଦର୍ଶାଅ ନୋଟସ ଜାରି କରାଯାଇଥିଲା । ମାତ୍ର ୬ ଜଣ ବିଭିନ୍ନ କରଣ ଦର୍ଶାଇ ଛୁଟିରେ ରହିଥିବା ଉତ୍ତର ରଖିଥିଲେ । ଅନ୍ୟ ୨୪ ଜଣ କୌଣସି ଉତ୍ତର ନଦେବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟଚ୍ୟୁତ କରିଛନ୍ତି ।

୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ଡିସେମ୍ୱର, ସର୍ବନିମ୍ନ ତାପମାତ୍ରା ୨୧.୪୯ ଡିଗ୍ରୀ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ । ଭାରତରେ ଅସ୍ବାଭାବିକ ଭାବରେ ବଢିଚାଲିଛି ତାପମାତ୍ରା । ୨୦୨୨ ଡିସେମ୍ବର ମାସ ଭାରତ ସବୁଠୁ ଉତ୍ତପ୍ତ ଭାବରେ ରେକର୍ଡ କରିଛି । ଫଳରେ ଗତ ୧୨୨ବର୍ଷର ରେକର୍ଡ ଭାଙ୍ଗିଛି ଡିସେମ୍ୱର । ପୁରା ମାସରେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୪୯ଡିଗ୍ରୀ ରେକର୍ଡ କରାଯାଇଛି । ରେକର୍ଡ ହୋଇଥିବା ତାପମାତ୍ରା ସ୍ୱାଭାବିକଠାରୁ ୧ଡିଗ୍ରୀ ଅଧିକ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

୧୨୨ ବର୍ଷ ମଧ୍ୟରେ ଅଧିକ ତାପମାତ୍ରା ଥିବା ଟପ୍ ୫ ଟି ବର୍ଷ ମଧ୍ୟରୁ ୨୦୨୨ ସର୍ବାଧିକ ୨୧.୪୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୨୦୦୮ ରେ ଦ୍ବିତୀୟ ସର୍ବାଧିକ ୨୧.୪୬ ଡିଗ୍ରୀ, ୨୦୧୬ ୨୧.୪୦ ଡିଗ୍ରୀ, ୨୦୧୫ରେ ୨୧.୧୩ ଡିଗ୍ରୀ ଏବଂ ୨୦୦୯ ରେ ହାରାହାରି ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଡିସେମ୍ବର ସରି ଜାନୁୟାରୀ ମାସର ୫ ଦିନ ବି ବିତିଲାଣି । କିନ୍ତୁ ଉତ୍ତରା ପବନ ସକ୍ରିୟ ନ ଥିବାରୁ ଜାଡ ପଡିନି ।

ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତରା ପବନ ସକ୍ରିୟ ହେବା ସହ ରାଜ୍ୟରେ ଥଣ୍ଡା ଶୁଷ୍କ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ରହିଛି । ତେବେ ଏହି ଜାଡ ବି ସ୍ବଳ୍ପ ସମୟ ପାଇଁ ବୋଲି ଆକଳନ କରାଯାଇଛି ।

ଆଜି ମହାପ୍ରଭୁଙ୍କ ଦେବାଭିଷେକ ନୀତି, ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ: ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଦେବାଭିଷେକ ନୀତି। ମହାପ୍ରଭୂଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା । ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ । ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ ।

ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, କୁଣ୍ଡଳ,ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ,ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇ ଭକ୍ତ ଜନଙ୍କୁ ଦର୍ଶନ ଦେବେ ।

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୨ଟି ଟିମ ସାମିଲ

ଅନୁଗୋଳ: ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯିବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣନାରେ ମୋଟ ୧୨ ଟି ଟିମ ସାମିଲ ହୋଇଛନ୍ତି । ସେହିପରି ମୟୂରଭଞ୍ଜ କରଞ୍ଜିଆରେ କୁମ୍ଭୀର ଗଣନା ଆରମ୍ଭ । ଜିଲ୍ଲାର ସମୁଦାୟ ୧୮ଟି ଜାଗାରେ ଗଣନା ଆରମ୍ଭ ହେବ । କୁମ୍ଭୀର ଗଣନା ପାଇଁ ମୋଟ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ଭିତରକନିକାରେ ପକ୍ଷୀ ଗଣୁଛନ୍ତି ୧୭ ଟିମ୍‌

ପଟ୍ଟାମୁଣ୍ଡାଇ: ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ। ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ। ରାଜନଗର, କନିକା, ଗହୀରମଥା , ମହାକାଳପଡ଼ା ଓ କୁଜଙ୍ଗର ୫ ଟି ରେଞ୍ଜରେ ହେବ ପକ୍ଷୀ ଗଣନା ।

ନୂଆ ରୂପରେ ଝଲସିବ ବେଦବ୍ୟାସ, ଆଜି ସମୀକ୍ଷା କରିବେ ଫାଇଭ ଟି ସଚିବ

ରାଉରକେଲା: ଆଜି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରିବେ  । ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ ଫାଇଭ ଟି ସଚିବ। ଗତକାଲି ରାତିରେ ନବୀକୃତ ରାଉରକେଲା ପାନ୍ଥନିବାସ ଗସ୍ତ କରି ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଏହା ସହ ସହରର ଟ୍ରାଫିକ ଛକରେ ଥିବା ସେନସୋରୀ ପାର୍କ ଗସ୍ତ କରିବା ସହ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରି ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ । ଶଙ୍ଖ ନଦୀ, କୋଏଲ ନଦୀ, ଓ ସରସ୍ବତୀ କୁଣ୍ଡର ମିଳନ ସ୍ଥଳରୁ ବ୍ରାହ୍ମଣୀର ଉତ୍ପନ୍ନ ହୋଇଥିବାବେଳେ ଏହା ତ୍ରିବେଣୀ ସଂଗମ ଭାବେ ପରଚିତି ଲାଭ କରିଛି ।

ଡେଲଏଟରେ ସ୍ବତନ୍ତ୍ର ସୁବିଧା, ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଇସିଓଏମସି କୋଠାରେ ଆଜି ଉଦଘାଟନ ହେବ ଡେଲଏଟ କମ୍ପାନୀ ଶାଖା । କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହିତ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ୧୨ ମହଲା ବିଶିଷ୍ଟ ଏହି କୋଠାର ୬ ତାଲାରୁ ୧୦ ତାଲା ପର୍ଯ୍ୟନ୍ତ ୫ଟି ଫ୍ଲୋରକୁ ଡେଲଏଟ ବ୍ୟବହାର କରିବ ।

ରାଜ୍ୟର ଯୁବକ ଯୁବତୀଙ୍କ ଲାଗି ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୩ଟି ସିଫ୍ଟରେ ଏଥିରେ ୫ ଶହ ଲେଖାଏ ୧୫୦୦ କର୍ମଚାରୀ କାମ କରିବେ । ପ୍ରଥମ ଥର ପାଇଁ ଏଥିରେ ଗୃହିଣୀମାନଙ୍କ ଲାଗି ବିଶେଷ ସୁବିଧା ରହିବ । ଗୃହିଣୀଙ୍କ ଲାଗି ଏଥିରେ ସ୍ବତନ୍ତ୍ର ସିଫ୍ଟ ରହିବ । ସେମାନେ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ଯାଏ ୫ ଘଣ୍ଟା କାର୍ଯ୍ୟ କରିବେ ।

ଏଥିରୁ ଗୋଟିଏ ମହଲାକୁ ବ୍ୟବହାର କରିବ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ । ୨୦୧୮ ମସିହାରେ ଏହି କୋଠା ନିର୍ମାଣ ଆରମ୍ଭ ହୋଇଥିଲା ।

ଏଥର ଭୋଟ ଦେବେ ୫ ଲକ୍ଷରୁ ଅଧିକ ଭୋଟର, ତାଲିକାରୁ ବାଦ୍‌ ୩ ଲକ୍ଷରୁ ଊର୍ଦ୍ଧ୍ବ

ଭୁବନେଶ୍ବର: ୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ । ଚଳିତଥର ମୋଟ ୫.୯୪ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ୩ କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି । ଏଥିରେ ୧ କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଏବଂ ୩୨୨୨ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ଗତ ୨୦୨୨ ନଭେମ୍ବର ୯ ତାରିଖରେ ପ୍ରକାଶିତ ହୋଇଥିଲା । ଭୋଟର ତାଲିକାରେ ତ୍ରୁଟି ସଂଶୋଧନ, ନାମ ବାଦଦେବା ଓ ସାମିଲ କରିବା, ଆପତ୍ତି-ଅଭିଯୋଗ ସହ ସ୍ଥାନାନ୍ତର ଆଦି ଆବେଦନ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫ଲକ୍ଷ ୯୪ହଜାର ୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଥିଲା । ୩ ଲକ୍ଷ ୨୦ହଜାର ୫୦୬ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି ।

ଭୋଟର ତାଲିକାରେ ସଂଶୋଧନ ଓ ବାସସ୍ଥାନ ପରିବର୍ତ୍ତନ ନିମନ୍ତେ ଫର୍ମ ନଂ-୮ରେ ଗ୍ରହଣ କରାଯାଇଥିବା ୨ଲକ୍ଷ ୧୪ହଜାର ଦରଖାସ୍ତକୁ ଅନୁମୋଦନ କରାଯାଇଛି । କେବଳ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହୋଇଥିବାରୁ ସେଠାରେ ଏବେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଜାରି ରହିଛି । ୨୦୨୩ ଚିଠା ଭୋଟର ତାଲିକାରେ ରାଜ୍ୟରେ ଲିଙ୍ଗ ଅନୁପାତ ୯୫୯ରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଏହି ଅନୁପାତ ୯୬୧କୁ ବୃଦ୍ଧି ପାଇଛି ।

ସେହିପରି ୨୦୨୩ ମସିହା ଫଟୋ ଭୋଟର ତାଲିକାରେ ଅନୁସାରେ ୧୮-୧୯ବର୍ଷ ଭୋଟରଙ୍କ ସଂଖ୍ୟା ୨.୧୦ଲକ୍ଷରୁ ୪ଲକ୍ଷ ୪୬ହଜାର ୭୭୯କୁ ବୃଦ୍ଧି ପାଇଛି । ୨୦୨୩ ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋ ପରିଚୟପତ୍ରଧାରୀଙ୍କ ସଂଖ୍ୟା ଶତକଡ଼ା ୯୯.୯୯%କୁ ବୃଦ୍ଧି ପାଇଛି ।