ଓଡ଼ିଶାରେ ବିଧାନ ପରିଷଦ ଗଠନର ବାଟ ଫିଟୁଛି

1 min read

ଭୁବନେଶ୍ବର: ଧୀରେ ଧୀରେ ବାଟ ଫିଟୁଛି । ଓଡ଼ିଶାରେ ବିଧାନ ପରିଷଦ ଗଠନ ହେବା ନେଇ ଆଶା ବଢୁଛି । ୨୦୧୮ରୁ ଯାଇଥିବା ବିଧାନ ପରିଷଦ ସଂକଳ୍ପ ପତ୍ର ଉପରେ କେନ୍ଦ୍ର ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଏହି ସଫେଇ ଦେଇଛନ୍ତି  l ଓଡ଼ିଶା ବିଧାନ ପରିଷଦ ସଂକଳ୍ପ ନେଇ କେନ୍ଦ୍ରର ଏପରି ସଂକେତ ପରେ ପୁଣି ଥରେ ପରିଷଦ ଗଠନ ପାଇଁ ଦାବି ଜୋର ଧରିଛି । କାରଣ ପୂର୍ବରୁ ସଙ୍କଳ୍ପ ପତ୍ର ପାଇନଥିବା କହି କେନ୍ଦ୍ର ବାରମ୍ବାର ଅଧିକ ତଥ୍ୟ ମାଗି ପ୍ରକ୍ରିୟାକୁ ବିଳମ୍ବ କରୁଥିଲା ।

ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ପ୍ରସ୍ତାବ ଗଲା ପରେ ବିଚାର କରୁଛି କେନ୍ଦ୍ର । ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ଏପରି ଉତ୍ତର ଦେବା ପରେ ବିଧାନ ପରିଷଦ ଗଠନ ଦାବିକୁ ଜୋରଦାର କରିଛି ଓଡ଼ିଶା । ୨୦୧୫ରୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ରେ ବିଧାନସଭାର ସର୍ବ ସହମତି କ୍ରମେ ପାରିତ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । ଏବେ ତୁରନ୍ତ କେନ୍ଦ୍ର ସରକାର ଏହା ଉପରେ ବିଚାର କରି ବିଧାନ ପରିଷଦ ପ୍ରସ୍ତାବକୁ ପାରିତ କରିବାକୁ ବିଜେଡି ବିଧାୟକ ତଥା ବିଧାନ ପରିଷଦ କମିଟି ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି ।

୨୦୧୫ରେ ରାଜ୍ୟ ସରକାର ବିଧାନ ପରିଷଦ ଗଠନ ଉଦ୍ୟମ ଆରମ୍ଭ କରିଥିଲେ । ୨୦୧୮ ସେପ୍ଟେମ୍ବର ୬ ତାରିଖରେ ବିଧାନସଭାରେ ଏନେଇ ସଂକଳ୍ପ ପାରିତ ହୋଇଥିଲା । ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ଏହି ସଂକଳ୍ପ ପତ୍ର ରାଜ୍ୟସଭା, ଲୋକସଭା, ସଂସଦୀୟ ବ୍ୟାପାର ସଚିବ ଓ ଆଇନ ସଚିବଙ୍କୁ ପଠାଯାଇଥିଲା । କେନ୍ଦ୍ର ସରକାର କିନ୍ତୁ ବିଧାନ ପରିଷଦ ସଙ୍କଳ୍ପ ପତ୍ର ପାଇ ନଥିବା କହି ବାରମ୍ବାର ଓଡ଼ିଶାକୁ ଅଧିକ ତଥ୍ୟ ମାଗିଥିଲେ l ଯାହାର ପ୍ରମାଣ ସହ ଓଡ଼ିଶା କେନ୍ଦ୍ରକୁ ବାରମ୍ବାର ତଥ୍ୟ ଦେଇଥିଲା । ଏବେ କେନ୍ଦ୍ର ସରକାର ଆଉ ବିଳମ୍ବ ନକରି ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସହମତି ଦିଅନ୍ତୁ ବୋଲି ଉଭୟ ଶାସକ ଓ ବିରୋଧୀ ଦାବି କରିଛନ୍ତି ।

ବିଧାନସଭାରୁ ସଂସଦ ଯାଏଁ ବିଜେଡି ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ଦାବି କରିଆସୁଛି  l ଓଡିଶାରେ ବିଧାନ ପରିଷଦ ଗଠନ ହେଲେ ଏହାର ସଦସ୍ୟ ସଂଖ୍ୟା ୪୯ ରହିବ । ଓଡ଼ିଶା ସହ ପଶ୍ଚିମବଙ୍ଗ, ରାଜସ୍ଥାନ, ଆସାମ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ଉପରେ କେନ୍ଦ୍ର ବିଚାର ବିମର୍ଶ କରୁଥିବା କେନ୍ଦ୍ର ଆଇନ୍ ମନ୍ତ୍ରୀ କହିଛନ୍ତି ।