ପଞ୍ଜାବର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଏବେ ବି ଫେରାର, ସାରା ରାଜ୍ୟରେ ଖୋଜୁଛି ପୋଲିସ

ଚଣ୍ଡିଗଡ଼: ପଞ୍ଜାବର ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂ ଏବେ ବି ଫେରାର । ପଞ୍ଜାବ ପୋଲିସ ଅମ୍ରିତପାଲ ସିଂର ତଲାସି ଜାରି ରଖିଛି । ଅମ୍ରିତପାଲର ୭୮ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଅମ୍ରିତ ପାଲକୁ ନେଇ ଫେକ୍ ନ୍ୟୁଜ ଉପରେ ବିଶ୍ବାସ ନକରିବାକୁ ଅପିଲ କରିଛି ପଞ୍ଜାବ ପୋଲିସ । ହେଟ୍ ସ୍ପିଚ୍ ଓ ଅନ୍ୟାନ୍ୟ ମାମଲାରେ ଅମ୍ରିତପାଲକୁ ଖୋଜୁଛି ପୋଲିସ । ଏହାକୁ ନେଇ ମୋଗା ଜିଲ୍ଲାରେ ଇଣ୍ଟରନେଟ ସେବା ବାତିଲ ହୋଇଛି । ପୂର୍ବରୁ ଅମ୍ରିତପାଲଙ୍କ ୬ ସହଯୋଗୀଙ୍କୁ ଗିରଫ ରଖିଥିଲା ପୋଲିସ । ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂ । ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କ ଦ୍ବାରା ଗଠିତ ହୋଇଥିଲା ସଂଗଠନ । ଗତବର୍ଷ ଫେବ୍ରୁଆରୀରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଦୀପ ସିଦ୍ଧୁ ।

ଗତ ଫେବ୍ରୁଆରୀ ୨୩ ତାରିଖରେ ପ୍ରମୁଖ ସହଯୋଗୀ ଲଭପ୍ରୀତ ସିଂ ଗିରଫ ହେବା ପରେ ଅମ୍ରିତପାଲଙ୍କ ନେତୃତ୍ବରେ ହୋଇଥିଲା ସଶସ୍ତ୍ର ବିରୋଧ । ବନ୍ଧୁକ ଓ ଖଣ୍ଡା ଧରି କର୍ମୀମାନେ ଭାଙ୍ଗିଥିଲେ ବ୍ୟାରିକେଡ । ଅମୃତପାଲ ସିଂଙ୍କୁ ଭିନ୍ଦ୍ରନେଓ୍ବାଲେ ୨.୦ ବୋଲି ସମ୍ବୋଧନ କରିଥାନ୍ତି ତାଙ୍କ ସମର୍ଥକ । ଗତ ୨ ବର୍ଷ ଧରି ପଞ୍ଜାବରେ ବେଶ୍ ସକ୍ରିୟ ଅଛନ୍ତି ଅମୃତପାଲ । ତାଙ୍କୁ ସଶସ୍ତ୍ର କର୍ମୀମାନେ ସର୍ବଦା ଘେରି ରହିଥାନ୍ତି । ସେ ଜଣେ ଖଲିସ୍ତାନୀ ସମର୍ଥକ ଓ ଜର୍ଣ୍ଣେଲ ସିଂ ଭିନ୍ଦ୍ରନେଓ୍ବାଲେଙ୍କ ସମର୍ଥକ ବୋଲି ଜଣାଶୁଣା । ଗତ କିଛିଦିନ ଧରି ସେ ଅନେକ ବିବାଦୀୟ ବୟାନ ଦେଇଆସୁଥିଲେ ।