ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ନ୍ୟାସନାଲ ଓ୍ବାଟର ଡାଇଜେଷ୍ଟ ପୁରସ୍କାର

1 min read

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁରରେ ଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ଶ୍ରଷ୍ଠ ପୁରସ୍କାର । ଜଳ ସଂରକ୍ଷଣ ଓ ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ନ୍ୟାସନାଲ ଓ୍ବାଟର ଡାଇଜେଷ୍ଟ ପୁରସ୍କାର ଜିତିଛି ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ । ଦିଲ୍ଲୀରେ ଜଳଶକ୍ତି ମନ୍ତ୍ରାଳୟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ବତ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

୧୬ତମ ଓ୍ବାଟର ଡାଇଜେଷ୍ଟ ଆଓ୍ବାର୍ଡ ୨୦୨୨-୨୩ ବର୍ଷ ପାଇଁ ଇନ୍ଦ୍ରାବତୀ ମେଗା ଉଠା ଜଲସେଚନ ବିଭାଗକୁ ଶ୍ରେଷ୍ଠ ଭିତ୍ତିଭୂମି ଅଗ୍ରମାଗୀ ପ୍ରକଳ୍ପ ବର୍ଗରେ ଏହି ପୁରସ୍କାର ମିଳିଛି । ଓଡ଼ିଶା ଜଳସମ୍ପଦ ବିଭାଗ ପକ୍ଷରୁ ପୁରସ୍କାର ଗ୍ରହଣ କରାଯାଇଛି ।

୭୫୨ କୋଟି ଟଙ୍କାରେ ନିର୍ମିତ ଏହି ମେଗା ପ୍ରକଳ୍ପକୁ ଗତ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୬୦ କିମି କେନାଲ ଦେଇ ଧର୍ମଗଡ଼ ଉପଖଣ୍ଡର ୨୬ ହଜାର ୨୪୮ ହେକ୍ଟର ଚାଷ ଜମିକୁ ଜସେଚନ କରାଯାଉଛି । ମରୁଡି ପ୍ରବଣ ଅଞ୍ଚଳ କୋକସରା ଓ ଧର୍ମଗଡ଼ ବ୍ଲକର ଦଣ୍ଡପାଟ ଅଞ୍ଚଳର ପ୍ରାୟ ୧୨ଟି ପଞ୍ଚାୟତରେ ଏହି ପ୍ରକଳ୍ପ ଦ୍ବାରା ଏବେ ଦୁଇଟି ଫସଲ ଅମଳ ହେବା ସହ ଚାଷୀ ସ୍ୱାବଲମ୍ବୀ ହୋଇପାରିଛନ୍ତି ।