ନବରଙ୍ଗପୁରରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ

1 min read

ନବରଙ୍ଗପୁର: ବିକାଶ ପଥରେ କେତେ ବାଟ ଆଗେଇଛି ନବରଙ୍ଗପୁର ? ଲୋକଙ୍କର କ’ଣ ରହିଛି ସମସ୍ୟା ? ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଗ୍ରାଉଣ୍ଡରେ କେତେ କାର୍ଯ୍ୟକାରୀ ହେଉଛି, ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଦୁଇଦିନିଆ ଗସ୍ତରେ ନବରଙ୍ଗପୁର ଯାଇ ସ୍କୁଲ, ଡାକ୍ତରଖାନା ଓ ବିଭିନ୍ନ ଧାର୍ମିକସ୍ଥଳୀ ଅନୁଧ୍ୟାନ କରିବା ସହିତ ଲୋକଙ୍କ ସହିତ ସିଧାସଳଖ କରିଛନ୍ତି ଆଲୋଚନା । ଏହି ସମୟରେ ତେଲ ଜଳସେଚନ ପ୍ରକଳ୍ପ ସହିତ ଏକାଧିକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

କ୍ଲାସ୍ ରୁମରେ ଶିକ୍ଷକ, ଆହାର କେନ୍ଦ୍ରରେ ସାଧାରଣ ଲୋକ ଆଉ ଲୋକଙ୍କ ମେଳରେ ସମାଧାନର ବାହାକ । ନବରଙ୍ଗପୁରର ଗ୍ରାଉଣ୍ଡରେ ବିକାଶର ସମୀକ୍ଷା ବେଳେ ଏଭଳି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ସ୍ମାର୍ଟ କ୍ଲାସ ରୁମରେ ପିଲାଙ୍କୁ ଭବିଷ୍ୟତର ମନ୍ତ୍ର ଦେଇଛନ୍ତି । ମାଆଙ୍କ ହାତ ତିଆରି ଖାଦ୍ୟ ଖାଇ ମହିଳାଙ୍କ ମନୋବଳ ବଢାଇଛନ୍ତି । ଦୁଇଦିନିଆ ଗସ୍ତରେ ଲୋକଙ୍କ କଥା ଶୁଣିଛନ୍ତି ଆଉ ଅଟକିଥିବା ବିକାଶର ଗତିକୁ ବଳ ଦେଇଛନ୍ତି । ସକାଳୁ ସକାଳୁ ନବରଙ୍ଗପୁର ବ୍ଲକ ମାଣ୍ଡାଡୋଙ୍ଗରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପାଣ୍ଡିଆନ । ଏହାପରେ ଜଟାବାହାଲ SSD ହାଇସ୍କୁଲରେ ପହଞ୍ଚି ଥିଲେ । ସେଠାରେ ପିଲାଙ୍କୁ କିଛି ସମୟ ପାଠ ପଢାଇବା ପରେ ଲୋକଙ୍କ ସମସ୍ୟା ଉପରେ ଦରଖାସ୍ତ ଗ୍ରହଣ କରି ସମାଧାନ ପ୍ରତିଶ୍ରୁତି ଦେଇଥିଲେ । ଝରିଗାଁ ବ୍ଲକ ବିଡ୍ରିଗୁଡ଼ାରେ ମା’ ଘାଟଘୋଷଣୀଙ୍କୁ ଦର୍ଶନ କରି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ମାନ୍ୟତା ଦାବି କଥା ଶୁଣି ସମାଧାନ ପ୍ରତିଶ୍ରୁତି ଦେଇଥିଲେ ।

ସେଠାରୁ ଉମରକୋଟ ଇଣ୍ଡୋର ଷ୍ଟାଡିୟମ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ   । ବିଭିନ୍ନ ସଂଗଠନ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ RMCରେ ମିଶନ ଶକ୍ତି ମହିଳାଙ୍କୁ ଭେଟିଥିଲେ । ମାଆଙ୍କ ହାତ ତିଆରି ଟେରାକୋଟା, ଅଳଙ୍କାର ଓ ଘରସଜା ଜିନିଷ ଦେଖିବା ସହ ବଜାର ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରେ ମାଣ୍ଡିଆ ଚା ପିଇଥିଲେ ପାଣ୍ଡିଆନ ।

ଏହାସହ SHGଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ । ପରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ରକୁ ଯାଇ ସାଧାରଣ ଲୋକଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ।

ପୂଜାରିଗୁଡ଼ାରେ ଭାସ୍କେଲ ଡ୍ୟାମର ଅନୁଧ୍ୟାନ କରି ପୋଡାଗଡ଼ରେ ନଳ ରାଜାଙ୍କ ବିଭିନ୍ନ ଶିଳା ଲିପି ଦେଖିବା ସହ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାସହ ଭୈରବୀ ଓ ଚାଉରିଆ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ 5T ସଚିବ ।

ସେହିପରି ଝରିଗାଁ ବ୍ଲକ ସତିଘାଟରେ ଜଳସେଚନ ବ୍ୟବସ୍ଥାର ତଦାରଖ କରିଥିଲେ । ନକ୍ସା ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ୧୫ ଦିନରେ ପ୍ରକଳ୍ପକୁ ଅନୁମୋଦନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ସେଠାରୁ ଚନ୍ଦାହାଣ୍ଡି ବ୍ଲକ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହିତ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଗୋଟିଏ ପରେ ଗୋଟିଏ ଜିଲ୍ଲା । ଫୋକସରେ ରାଜ୍ୟର ଉନ୍ନତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାଗସ୍ତରେ ଯାଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ । ଗ୍ରାଉଣ୍ଡରେ ଲୋକଙ୍କ ସମସ୍ୟା ଶୁଣି ସମାଧାନର ରାସ୍ତା ବାହାର କରୁଥିବାରୁ ଫାଇଭ-ଟି ସଚିବଙ୍କୁ ପ୍ରଶଂସା କରିଛନ୍ତି ଜନସାଧାରଣ ।