ଶୂନ୍ୟକାଳକୁ ହାଇଜାକ୍ କରିବାକୁ ବିରୋଧୀଙ୍କ ଚାଲ୍ !

1 min read

ଭୁବନେଶ୍ବର: ଅପ୍ରସଙ୍ଗକୁ ବିରୋଧୀ କରୁଛନ୍ତି ପ୍ରସଙ୍ଗ । କେବେ 5T ତ କେବେ ମୋ ସରକାର । ଆଉ କେବେ ନବ ଦାସଙ୍କ ହତ୍ୟା ତଦନ୍ତ । ପ୍ରଶ୍ନକାଳ ଓ ଶୂନ୍ୟକାଳକୁ ହାଇଜାକ୍ କରିବାକୁ ବିରୋଧୀଙ୍କ ଚାଲ୍ । ବାରମ୍ବାର ଗୃହ ମୁଲତବୀ ।  ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଲା ଶାସକ ବିଜେଡି ।

ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ପଛେ ଚୁଲିକି ଯାଉ, ବିରୋଧୀ ଗୃହ ନ ଚଲାଇ ଦେବାକୁ ବିରୋଧୀଙ୍କ ଉଦ୍ୟମ ।  ବଜେଟ୍ ଅଧିବେଶନ ଆରମ୍ଭରୁ ବିରୋଧୀ ୫ଟି, ମୋ ସରକାର, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ତଦନ୍ତ ପ୍ରସଙ୍ଗକୁ ନେଇ ଗୃହର ବହୁ ମୂଲ୍ୟ ସମୟ ଅପଚୟ କରିଚାଲିଛନ୍ତି । ଶନିବାର ବି ଦେଖିବାକୁ ମିଳିଥିଲା ସମାନ ସ୍ଥିତି । ପୁଣି ଥରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହରେ ବିରୋଧୀ କରିଛନ୍ତି ହଙ୍ଗାମା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ଗୃହ ମଧ୍ୟଭାଗକୁ ଆସି ଦେଇଛନ୍ତି ଧାରଣା ଓ ନାରାବାଜି । ଫଳରେ  ଚାଲିପାରିନି ପ୍ରଶ୍ନକାଳ । ଶୂନ୍ୟକାଳରେ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଆକ୍ଷେପକୁ ନେଇ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ। ଗୃହ ବାରମ୍ବାର ମୁଲତବୀ ହୋଇଥିଲା ।

ଗୋବେଲ ଥିଓରିକୁ ଆପଣାଇଛନ୍ତି ବିରୋଧୀ । ବାରମ୍ବାର ଅସତ୍ୟ କହି ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିରୋଧୀ ବ୍ୟାକୁଳ । ଗୃହର ବିଧିବିଧାନ ପ୍ରତି ସମ୍ମାନ ଦେବା ଭୁଲି ଗଲେଣି ବିରୋଧୀ । ଶାସକ ଦଳର ଅନେକ ସଦସ୍ୟ ନିଜ ନିର୍ବାଚନମଣ୍ଡଳୀ ଓ ସମସ୍ୟା ସମ୍ପର୍କରେ ଗୃହରେ ଉତ୍ଥାପନ କରିବାକୁ ଚାହୁଁଥିଲେ ବି କରିପାରୁନାହାନ୍ତି । ଆଉ ଏଣିକି ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ବରଦାସ୍ତ କରି ହେବନି ବୋଲି କହିଛନ୍ତି ବିଜେଡି ବତଧାୟକ ଅରୁଣ ସାହୁ ।

ସଂସଦୀୟ ବ୍ୟବସ୍ଥାରେ ବିରୋଧୀ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ରହିଛି । କିନ୍ତୁ ସେ ଅଧିକାରକୁ ଯଦି ରାଜନୈତିକ ଅସ୍ତ୍ର ଭାବେ ଅପବ୍ୟବହାର କରାଯାଏ, ତା ହେଲେ ସାଧାରଣ ଲୋକଙ୍କ ପାଇଁ ଚାଲୁଥିବା ବ୍ୟବସ୍ଥାପିକା ସଭାରେ ଲୋକଙ୍କ ସମସ୍ୟା ଦୂର ପାଇଁ କି ଗଠନମୂଳକ ପ୍ରସ୍ତାବ ଆସିବ ? ବିରୋଧୀଙ୍କ ଏଭଳି ଆଚରଣକୁ ନେଇ ବୁଦ୍ଧିଜୀବୀ ବି ତାଜୁବ୍ ।