spot_img
Home Blog Page 3570

୧୫ରୁ ଭୁବନେଶ୍ବରରେ Dot Fest, ଆସିବେ ବହୁ ସେଲିବ୍ରିଟ୍

ଭୁବନେଶ୍ୱର: ହକି ବିଶ୍ବକପକୁ ନଜରରେ ରଖି ଭୁବନେଶ୍ବରରେ ଆୟୋଜନ ହେଉଛି dot fest । ଆସନ୍ତା 15 ତାରିଖରୁ ୨୯ ଯାଏଁ ପ୍ରଦଶିନୀ ପଡ଼ିଆରେ dot fest ଦ୍ବିତୀୟ ସଂସ୍କରଣ ହେବାକୁ ଯାଉଛି । ଏହାକୁ ଉଦଘାଘଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାଚ, ଗୀତ, କମେଡି ସାଙ୍ଗକୁ ଖାଇବା ପିଇବା ଜମିବ । ଏହି ସମୟରେ ଆନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ, ଭୁବନେଶ୍ବର ଲାଇଭ, ଭୁ ଫେଷ୍ଟୋ, ଏକାମ୍ର ଓ୍ବାକସ, ନାଇଟ ଫେଲା ମାର୍କେଟ, ଫଟୋ ପ୍ରଦର୍ଶନୀ କରାଯିବ । ଭୁବନେଶ୍ବର ଲାଇଭ ୧୫ ରେ ୨୪ ଯାଏଁ ହେବ । ଯେଉଁଥିରେ ବଲିଉଡ୍ ଓ ଓଲିଉଡ ଷ୍ଟାରମାନେ ଯୋଗ ଦେବେ ।

ଗୁରୁ ରାନ୍ଧଓ୍ବା, ନୀତି ମୋହନ, ଉଦିତ ନାରାୟଣ, ସୁଖବିନ୍ଦର, କମେଡି କିଙ୍ଗ ସୁନିଲ ଗ୍ରୋଭର ପ୍ରମୁଖ ସାମିଲ ହେବେ । ସେହିପରି ଇଣ୍ଡିଆନ୍ ଆଇଡଲ ବିଜେତା ପୱନଦୀପ ରାଜନ୍ ଏବଂ ଅରୁଣିତା କାଞ୍ଜିଲାଲ ମଧ୍ୟ ଯୋଗଦେବେ  । ସନ୍ଧ୍ୟା ୭ ରୁ ୧୦ ଯାଏଁ ଝୁମିବେ ରାଜଧାନବାସୀ । ଏଥିସହ ଇଣ୍ଟର ନ୍ୟାସନାଲ ଫୁଡ ଫେଷ୍ଟିଭାଲରେ 16 ଟି ଦେଶ ଯୋଗଦେବେ । ଏକାମ୍ର ହାଟରେ ମୋଟ ୩୦ ଟି ଷ୍ଟଲ୍ ହେବ ।

ଫୁଡ଼ ଫେଷ୍ଟିବାଲରେ ମାଣ୍ଡିଆକୁ ମଧ୍ୟ ସ୍ଥାନ ଦିଆଯାଇଛି । ସେହିଭଳି ୪ଟି ପାର୍କରେ ଷ୍ଟୋରୀ ଟେଲିଂ କାର୍ଯ୍ୟକ୍ରମ ରହିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଷ୍ଟୋରୀ ଟେଲର ଯୋଗ ଦେବେ । ଏହି ସମୟରେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଏକାମ୍ର ହାଟରେ ମାର୍କେଟ ଖୋଲା ରହିବ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ବିଏମସି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ବିନା ଚକରେ ବି ଆରାମରେ ଗଡୁଛି ଟ୍ରକ, ଦେଖନ୍ତୁ ଭାଇରାଲ ଭିଡିଓ..

ଦିଲ୍ଲୀ : ଚକ ବିନା ଗାଡି ଚାଲିବା ସମ୍ଭବ କି? ଆଶ୍ଚର୍ଯ୍ୟ ହୁଅନ୍ତୁନି। ଏମିତି ଏକ ଟ୍ରକର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖି ପାରିବେ ଟ୍ରକର ଆଗ ଚକ ନାହିଁ ତଥାପି କିନ୍ତୁ ଟ୍ରକ ଡ୍ରାଇଭର ପୁରା ହାଇ ସ୍ପିଡରେ ଗାଡିକୁ ଚଳାଉଛନ୍ତି । ଏଠାରେ ଲକ୍ଷ୍ୟ କରାଯାଇଛି ଯେ, କୌଣସି ଏକ ଦୁର୍ଘଟଣାର ଶିକାର ହୋଇଥିବା ଏହି ଟ୍ରକଟି ପୁଣି ବିନା ଚକରେ ପୁରା ଦ୍ରୁତ ଗତିରେ ଗଡି ଚାଲୁଛି । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ସ୍ବାଭାବିକ କଥା । ଏଭଳି ଏକ ଭାଇରାଲ ଭିଡିଓକୁ ଦେଖି ଲୋକେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । କେହି କେହି ତ ସେହି ଟ୍ରକ ଚାଳକର ଅନେକ ପ୍ରଶଂସା କରି କମେଣ୍ଟ ଦେଇଛନ୍ତି । ଟ୍ରକଟିର ଆଗ ଭାଗରେ ଚକ ନଥିବା ନଜର ଆସିଛି । ଏଠାରେ କିନ୍ତୁ ଡ୍ରାଇଭର ଜଣଙ୍କ ଚକ ନଥିବା ସତ୍ୱେ ବି ଖାତିର ନକରି ହାଇୱେରେ ଖୁବ ଦ୍ରୁତ ଗତିରେ ଚଳାଉଛନ୍ତି । ଟ୍ରକକୁ  ଦେଖିଲେ ଜାଣିପାରିବେ ଯେ, ଏହା ଦୁର୍ଘଟଣାର ଶିକାର ହୋଇଛି ।

ଏଭଳି ଭିଡିଓଟିକୁ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ସୁଖସମ ଶର୍ମା ନାମକ ଜଣେ ବ୍ୟକ୍ତି ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି । ଭିଡିଓରେ ଦେଖିପାରିବେ କେମିତି ଟ୍ରକଟି ନ୍ୟାସନାଲ ହାଇୱେରେ ପୁରା ଦ୍ରୁତ ଗତିରେ ଚାଲିଛି. କିନ୍ତୁ ଲକ୍ଷ୍ୟ କରିଲେ ଦେଖିପାରିବେ ଯେ, ଟ୍ରକଟିର ଆଗରେ ଚକା ନାହିଁ ତଥାପି ଡ୍ରାଇଭର ବାବୁ ପୁରା ବିଜୁଳି ଭଳି ମାଡି ଚାଲିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଭିଡିଓଟିକୁ ଦେଖି ସାରିଥିବାବେଳେ ଅନେକ ଲୋକ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

 

View this post on Instagram

 

A post shared by Sukhsam Sharma (@_fun_zone_91)

ପୌଷପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ

ପୁରୀ: ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ। ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ। ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ।

ଏହି ଗରାମାନଙ୍କୁ ଦେଉଳ ପୁରୋହିତ ଚେମେଡ଼ି ପତନି ଘୋଡ଼ାଇ ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି। ପରେ ଭୋଗମଣ୍ଡପ ଦ୍ୱାର ବନ୍ଦହୋଇ ତଡ଼ଉକରଣ ମୁଦ ଦିଅନ୍ତି। ପରେ ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୁତ ପୁଷ୍ପ ଓ ଚନ୍ଦନାଦି ଦ୍ୱାରା ଅଧିବାସ ହୁଏ। ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିଥିବେ।

ଶ୍ରୀମନ୍ଦିର ଭିତରବେଢାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କ ଦ୍ୱାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଏ। ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିବା ପରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯାଏ। ପରେ ମହାସ୍ନାନ ପୂଜା ଠା’ ହୁଏ। ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଏ ଓ ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଏ। ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହାଁ ବାନ୍ଧି ଘଣ୍ଟ ଛତା କାହାଳୀ ସହ ତଳିଛ ପ୍ରଧାନୀ ପଟୁଆରରେ ଆସି ଚାରିଥରେ ଚାରିଟି ପନ୍ତିରେ ରଖନ୍ତି।
ଏହା ପରେ ଶୀତଳ ଭୋଗ ଛେକ ଆସେ।

ତା’ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ପୂଜାପଣ୍ଡା ଓ ଦେଉଳ ପୁରୋହିତ ପାତ୍ରି, ଅଧିବାସ ଦର୍ପଣ ପାଖରେ ଧରିଥାନ୍ତି। ଗରାବଡୁମାନେ ଘିଅ ଓ ଜଳ ଉକ୍ତ ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରାନ୍ତି (କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ)। ପାଣି ପଡ଼ିବା ପରେ ପୁଷ୍ପାଳକମାନେ ମଇଲମ କରି ନୂଆ ଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାନ୍ତି। ଏହା ପରେ ଲକ୍ଷ୍ମୀ ଆଜ୍ଞାମାଳ ପାଇ ପାଲିଙ୍କିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ ହୁଅନ୍ତି। ସେଠାରେ ତାଙ୍କର ମାଜଣା, ଚନ୍ଦନଲାଗି ବେଶ ହୁଏ ।ଏହା ପରେ ଭିତରେ ମହାପ୍ରଭୁଙ୍କର ଅଭିଷେକ ବେଶ, ସ୍ୱର୍ଣ୍ଣ ଅଳଙ୍କାର ଲାଗି, ମାଳଫୁଲ କର୍ପୂର ଲାଗି ପରେ ରୋଷଘରୁ ଘଣ୍ଟ ,ଛତା, କାହାଳୀ, ପଟୁଆରରେ ପୁଷ୍ୟାଭିଷେକ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ।

ଏହା ପରେ ଲକ୍ଷ୍ମୀ ବାହୁଡ଼ାବିଜେ ହୋଇ ଭିତର ସିଂହାସନକୁ ବିଜେ କରନ୍ତି। ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ଓ ଦଣ୍ଡଛତ୍ର ସଂସ୍କାର କରି ଭିତରଚ୍ଛ ମହାପାତ୍ର ସିଂହାସନ ଉପରକୁ ଉଠିଲେ ତାଙ୍କୁ ଦିଅନ୍ତି। ଭିତରଚ୍ଛ ସିଂହାସନ ଉପରେ ଲକ୍ଷ୍ମଣଙ୍କ ସ୍ୱରୂପ ଠିଆହୋଇ ଦଣ୍ଡଛତ୍ର ଧରନ୍ତି। ପାଳିଆ ଭଣ୍ଡାରମେକାପ ହନୁମାନ ସ୍ୱରୂପ ଦଣ୍ଡଛତ୍ର ମୂଳକୁ ଧରନ୍ତି। ପୂଜାପଣ୍ଡା ଆସି ଷୋଡ଼ଶ ଉପଚାରରେ ପୂଜା କରନ୍ତି। ଭୋଗସରି ପାଣି ପଡ଼ିଲେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ମୁଦିରସ୍ତ ଫୁଲ ଶର ଆୟୁଧ ଲାଗି କରନ୍ତି।

ପରେ ସେ ସିଂହାସନ ଉପରେ ଚାମର ଆଲଟ କରନ୍ତି। ତା’ପରେ ସିଂହାସନ ତଳେ ମଧ୍ୟ ଆଲଟ ଲାଗି ଓ ଘଷା ବିଡ଼ିଆ ଦହି ମଣୋହି କରନ୍ତି। ଅଖଣ୍ଡ ମେକାପ ବଇଠା ହାତରେ ଧରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥାନ୍ତି। ରାଜନୀତି ଓ ବନ୍ଦାପନା ସରିବା ପରେ ମୁଦିରସ୍ତ ସିଂହାସନ ଉପରକୁ ଫୁଲ ଧନୁଶର ଓ ଗଦି ପ୍ରସାଦ ମଇଲମ କରନ୍ତି। ଭିତରଚ୍ଛ ଦଣ୍ଡଛତ୍ର ମଇଲମ କରି ତଳକୁ ଦିଅନ୍ତି। ଏ ଉତ୍ତାରୁ ଦକ୍ଷିଣଘର ଭୋଗ ଶେଷ ପରେ ରଘୁନାଥ ଠାକୁର ରତ୍ନସିଂହାସନକୁ ବିଜେ କରନ୍ତି। ସେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବାପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ କରନ୍ତି। ସେଠାରେ କାଠ ଭଦ୍ରାସନରେ ଵିଜେ ହେବା ପରେ ମହାସ୍ନାନ ହୁଏ। ଭୋଗ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡା ବିଜେ କରନ୍ତି।

ଶନିବାରଠୁ ରାଉରକେଲାକୁ ପ୍ଲେନ୍, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: କାଲିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ। ସକାଳ 10 ଟା 45ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରିବ ଆଲାଏନ୍ସ ଏୟାର ବିମାନ । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହେବେ। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିବେ ।

10 ଟା 45ରେ ଭୁବନେଶ୍ବରରୁ ଉଡାଣ ଆରମ୍ଭ କରି ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବ ବିମାନ । ଏହାପରେ 12 ଟା 5ରେ ରାଉରକେଲାରୁ ବାହାରି ଅପରାହ୍ମ ଗୋଟାଏରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । 12 ତାରିଖରୁ ଦୈନିକ ଉଡାଣ ଜାରି ରହିବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ଦିନ 2ଟା 55ରେ ଛାଡ଼ି ରାଉରକେଲାରେ 3 ଟା 50ରେ ପହଞ୍ଚିବ।

ରାଉରକେଲାରୁ 4ଟା 15ରେ ବାହାରି ଭୁବନେଶ୍ବରରେ 5ଟା 10ରେ ପହଞ୍ଚିବ । ଭୁବନେଶ୍ବରରୁ ରାଉରକେଲା ବିମାନ ଟିକେଟ ମୂଲ୍ୟ ରହିଛି 2ହଜାର 803ଟଙ୍କା। ସେହିଭଳି ରାଉରକେଲାରୁ ଭୁବନେଶ୍ବର ଟିକେଟ ମୂଲ୍ୟ ରହିଛି 2ହଜାର 721ଟଙ୍କା । ବିମାନରେ ରହିବ 72 ସିଟର ବ୍ୟବସ୍ଥା ରହିଛି ।

BSKYରେ ଯୋଡି଼ହେଲା ୨୯ ହସପିଟାଲ, ୧୫ ରାଜ୍ୟରେ ମିଲିବ ଚିକିତ୍ସା

ଭୁବନେଶ୍ୱର: ବିଏସକେଓ୍ବାଇରେ ଯୋଡ଼ିହେଲା ଆଉ ୨୯ଟି ସ୍ପେଶିଆଲିଟି ହସପିଟାଲ। ଓଡ଼ିଶା ସହ ୧୫ଟି ରାଜ୍ୟର ଏସବୁ ହସପିଟାଲରେ ସ୍ମାର୍ଟ କାର୍ଡ ଦ୍ବାରା ମାଗଣାରେ ଚିକିତ୍ସା ପାଇପାରିବେ ହିତାଧିକାରୀ। ମୋଟ୍ ୫୫୪ଟି ଘରୋଇ ସୁପର ସ୍ପେଶିଆଲିଟି ହସପିଟାଲରେ ଚିକିତ୍ସା ସୁବିଧା ମିଳିବ । କଟକର ଜିଲ୍ଲାର ୧୯ଘରୋଇ ହସ୍ପିଟାଲ BSKYରେ ସାମିଲ ହୋଇଥିବା ବେଳେ ଯାଜପୁରର ୩, ନୟାଗଡ, ନୂଆପଡା ଓ ବଲାଙ୍ଗୀର ୨ଟି ଲେଖାଏଁ ହସ୍ପିଟାଲ ସାମିଲ ହୋଇଛି।

BSKYରେ ସାମିଲ ହୋଇଥିବା ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ମିଳିବ। ଏନେଇ BSKY ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ସହ ଚୁକ୍ତିନାମା ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ  । ସମୀକ୍ଷା ବୈଠକରେ BSKY ସିଇଓ ଡକ୍ଟର ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ୟୋଜନା ଓଡିଶାର ଗରିବୀ ଲୋକଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହୋଇଛି  । ବଡ଼ ବଡ଼ ମେଡିକାଲରେ  ଉତ୍ତମ ଚିକିତ୍ସା ମିଳି ପାରୁଛି  । ବିନା ଅର୍ଥରେ ଅସ୍ତ୍ରପ୍ରଚାର ହୋଇ ଆସୁଛନ୍ତି ଅନେକ ଅସହାୟ ପରିବାରର ଲୋକେ .

 

ପ୍ରଥମ ସ୍ଥାନରେ ଆସିକା ଥାନା, ୨୦ରେ ଟ୍ରଫି ଗ୍ରହଣ କରିବେ ଥାନା ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ହୋଇଥିବା ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ ସ୍ଥାନ ଅଧିକାର କରିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ଟିମ ସାରା ଭାରତ ବର୍ଷର ପ୍ରତ୍ୟେକ ଥାନା ଗସ୍ତ କରି ଏହି ସର୍ଭେ କରିଥିଲେ  । ୨୦୨୨ ବର୍ଷ ନିମନ୍ତେ ଆସିକା ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ।

ଆସନ୍ତା ୨୦ ତାରିଖରେ ଦିଲ୍ଲୀରେ ଏକ ଉତ୍ସବରେ ଟ୍ରଫି ପ୍ରଦାନ କରାଯିବ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଟ୍ରଫି ଗ୍ରହଣ କରିବେ । ଦେଶର ଶ୍ରେଷ୍ଠ ୩ଟି ପୋଲିସ ଷ୍ଟେସନ ଭିତରେ ଆସିକା ଥାନା ଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାଧ ହ୍ରାସ, ଆଇନ ଶୃଙ୍ଖଳାକୁ ବ୍ୟବସ୍ଥିତ କରିଥିବାରୁ ଆସିକା ଥାନା ଦେଶରେ ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିଲା  । ଯଦିଓ ଚୟନ ନେଇ ପୂର୍ବରୁ ଘୋଷଣା କରାଯାଇଥିଲା କିନ୍ତୁ ଆସନ୍ତା ୨୦ ତାରିଖରେ ପୁରସ୍କାର ପ୍ରଦାନ କରାଯିବ  ।

୧୧ ରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ମଧ୍ୟରାତ୍ରିରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା । 5 ଦଫା ଦାବ ନେଇ ରାଜ୍ୟ ଟ୍ରକ୍ ମାଲିକ ସଂଘ ଏହି ବନ୍ଦ ଡାକରା ଦେଇଛି । ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ରାଜ୍ୟ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି । 15 ବର୍ଷରୁ ଉର୍ଦ୍ଧ୍ବ ଗାଡ଼ି ରାସ୍ତାରୁ ହଟାଇବା ବଦଳରେ ଏହି ସମୟସୀମା 20 ବର୍ଷ କରିବା ପାଇଁ ଦାବି କରିଛି ସଂଘ ।

ମୋଟର ଯାନ ଧାରା 67 ଅନୁଯାୟୀ ଭଡ଼ା ଧାର୍ଯ୍ୟ କରାଯାଉ ଓ ନୂଆ ଗାଡ଼ି କିଣିଲେ 25 ପ୍ରତିଶତ ରୋଡ ଟାକ୍ସ 10ବର୍ଷ ପର୍ଯ୍ୟନ୍ତ ରିହାତି ଦେବାକୁ ସଂଘ ଦାବି କରିଛି । ଏହି ଧର୍ମଘଟକୁ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ସମର୍ଥନ ଜଣାଇଥିବା ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଏବଂ ସମ୍ପାଦକ ରବି ନାରାୟଣ ଶତପଥୀ କହିଛନ୍ତି ।

ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ଯା ମାମଲା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର: ବହୁଚର୍ଚ୍ଚିତ ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ଯା ମାମଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୩ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଜାନୁଆରୀ ୩୦ତାରିଖରେ ଆତ୍ମହତ୍ୟା କରିଥିଲେ ସୌମ୍ୟରଞ୍ଜନ ।

ସୁଇସାଇଡ ନୋଟରେ ପ୍ରେମିକା ସୋନାଲିଙ୍କ ନାଁ ରହିଥିଲେ ବି ପୋଲିସ ଏ ଦିଗରେ ପଦକ୍ଷେପ ନେଇ ନଥିଲା । ଏ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୌମ୍ୟଙ୍କ ପରିବାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ସୋନାଲି ଓ ତାଙ୍କ ମାଆଙ୍କ ନାମରେ ମାମଲା ରୁଜୁ ହୋଇଥିଲା । 306 ଓ 34 ଆଇପିସିରେ ମାମଲା ରୁଜୁ କରିଥିଲା ପୋଲିସ ।

ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ପୂର୍ବରୁ ହଙ୍ଗାମା, ଆପ୍‌ର ଜୋରଦାର ବିରୋଧ

ନୂଆଦିଲ୍ଲୀ: ଏମସିଡି ମେୟର ନିର୍ବାଚନ ପୂର୍ବରୁ ଜୋରଦାର ହଙ୍ଗାମା। ଆପ୍ ଓ ବିଜେପି ମୁହାଁମୁହିଁ। ବିକ୍ଷୋଭ, ନାରାବାଜି ପରେ ଉଭୟ ଦଳର କାଉନସିଲରଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଦ୍ବାରା ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ଜୋରଦାର ବିକ୍ଷୋଭ କରିଛି ଆପ୍। ପ୍ରଥମେ ମନୋନୀତ ସଦସ୍ୟଙ୍କୁ ଶପଥ ପାଠ କରାଇବାକୁ ବିରୋଧ କରାଯାଇଛି।

ନିର୍ବାଚିତ ସଦସ୍ୟଙ୍କୁ ପ୍ରଥମେ ଶପଥ ପାଠ କରାଇବାକୁ ଦାବି କରିଛନ୍ତି ଆପ୍ କାଉନସିଲର। ମେୟର ନିର୍ବାଚନ ପରିଚାଳନା ପାଇଁ ବିଜେପି କର୍ପୋରେଟର୍ ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ୧୦ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ଦିଲ୍ଲୀ ସରକାରଙ୍କ ସହ ପରାମର୍ଶ ନକରି ସଦସ୍ୟଙ୍କୁ ଉପରାଜ୍ୟପାଳ ମନୋନୀତ କରିଥିବା ଆପ୍ ଅଭିଯୋଗ କରିଛି। ଏହାକୁ ନେଇ ଉପରାଜ୍ୟପାଳ ଓ ଆପ୍ ମୁହାଁମୁହିଁ ହୋଇଛନ୍ତି।

ତିନି ଥର କ୍ଷମତାରେ ରହିବା ପରେ ବିଜେପି ହାତରୁ ଏମସିଡି ଛଡ଼ାଇ ନେଇଥିଲା ଆପ୍‌। ତେବେ ମେୟର ନିର୍ବାଚନରେ ବିଜେପିକୁ ଉପରାଜ୍ୟପାଳ ଭିତିରି ସମର୍ଥନ ଦେଖାଉଥିବା ଆପ୍ ଅଭିଯୋଗ କରିଛି। ବିଜେପି ସମର୍ଥିତ ୧୦ଜଣ ସଦସ୍ୟଙ୍କୁ ଉପରାଜ୍ୟପାଳ ଜାଣିଶୁଣି ମନୋନୀତ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗତକାଲି ଅଭିଯୋଗ କରିଥିଲେ । ସେହିପରି ଅସ୍ଥାୟୀ ବାଚସ୍ପତି ପାଇଁ ସବୁଠୁ ବରିଷ୍ଠ କାଉନସିଲର ମୁକେଶ ଗୋଏଲଙ୍କ ନାଁ ସୁପାରିଶ କରିଥିଲେ ମଧ୍ୟ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ନିଯୁକ୍ତ କରିଛନ୍ତି ଉପରାଜ୍ୟପାଳ।