ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିବ ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ

ଶ୍ରୀନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିବ ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ । କାଶ୍ମୀର ଉଦାମପୁର ଜିଲ୍ଲା ଦାଲ ହ୍ରଦ ନିକଟରେ ଟ୍ୟୁଲିପ ଉଦ୍ୟାନ ରହିଛି । ପ୍ରତିବର୍ଷ ଏହା ଏପ୍ରିଲ ପହିଲାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥାଏ । ମାତ୍ର ଚଳିତବର୍ଷ ଆଜିଠୁ ଖୋଲାଯାଉଛି । ଯେଉଁଥିପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଛି  । ଟ୍ୟୁଲିପ ଉଦ୍ୟାନ ସୌନ୍ଦର୍ଯ୍ୟ ଲୋକଙ୍କର ମନ ମୋହିଥାଏ । ଏଥିପାଇଁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ କାଶ୍ମୀର ଆସିଥାନ୍ତି ।

୩୫ ହେକ୍ଚର ଜମିରେ ଏହି ଉଦ୍ୟାନ ରହିଥିବାବେଳେ ଏଥିରେ ରହିଛି ୬୮ରୁ ଅଧିକ ପ୍ରଜାତିର ଫୁଲ । ଫୁଲ ଗୁଡ଼ିକ ଗଛରେ ପ୍ରାୟ ଏକ ମାସ ରହିଥାଏ । ଏହି ସମୟରେ ଫୁଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ବହୁ ଗବେଷକ ମଧ୍ୟ ଏଠାକୁ ଆସି ଗବେଷଣା କରିଥାନ୍ତି । ଚଳିତବର୍ଷ କୌଣସି କଟକଣା ନଥିବାରୁ ଟ୍ୟୁଲିପ ଉଦ୍ୟାନ ବୁଲିବାକୁ ଏବେଠୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପହଞ୍ଚିସାରିଲେଣି ।