ରାହୁଲ ଗାନ୍ଧିଙ୍କ ଘରେ ଦିଲ୍ଲୀ ପୋଲିସ, ବାସଭବନ ଆଗରେ ବାରିକେଡିଂ ସହ ବ୍ୟାପକ ଫୋର୍ସ ମୁତୟନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପୋଲିସ । ରାହୁଲଙ୍କ ଘର ଆଗରେ ବାରିକେଡିଂ କରାଯାଇଥିବା ବେଳେ ଅନ୍ୟ କଂଗ୍ରେସ ନେତାଙ୍କୁ ମଧ୍ୟ ଭିତରକୁ ଯିବାକୁ ଦିଆଯାଉ ନଥିବା ଜଣାପଡ଼ିଛି । କାଶ୍ମୀରରେ ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଦେଇଥିବା ବୟାନକୁ ନେଇ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଓ ଡିସିପି ରାହୁଲଙ୍କ ବାସଭବନରେ ପହଞ୍ଚିଛନ୍ତି । କାଶ୍ମୀରରେ ଏବେ ବି ମହିଳାଙ୍କୁ ନିର୍ଯାତନା ଓ ଯୌନ ଶୋଷଣ କରାଯାଉଛି ବୋଲି ଶ୍ରୀନଗରେ ରାହୁଲ ବୟାନ ଦେଇଥିଲେ ।

ନିର୍ଯାତିତ ମହିଳାଙ୍କ ସମ୍ପର୍କରେ ପୋଲିସକୁ ଜଣାଇବାକୁ ରାହୁଲ ଗାନ୍ଧୀଙ୍କୁ ଗତ ୧୬ ତାରିଖରେ ଦିଲ୍ଲୀ ପୋଲିସ ଚିଠି ଲେଖିଥିଲା । ହେଲେ ରାହୁଲଙ୍କ ତରଫରୁ କୌଣସି ଉତ୍ତର ଦିଆଯାଇ ନଥିବାରୁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡ଼ିଛି । ସେପଟେ ପୋଲିସ ଆକ୍ସନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ରାହୁଲଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି । ପୋଲିସ ପଛରେ ସରକାର ଲୁଚିବାକୁ ଚେଷ୍ଟା କରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି ।