ଅନୁଗୋଳ: ଅନୁଗୋଳ ଜାତୀୟ ରାଜପଥ ସନ୍ତାରାପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୋଟରସାଇକେଲକୁ ଧକା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି । କୁଳେଇ ଗାଁର କିଛି ଯୁବକ ମୋଟରସାଇକେଲରେ ଜରପଡା ଆଡକୁ ଯାଉଥିବା ବେଳେ ଅନୁଗୋଳ ଆଡକୁ ଯାଉଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କୁଳେଇ ଗାଁର ସିପୁ ପ୍ରଧାନ , ସୁନୀଲ ସାହୁ ଓ ମାନସ ବେହେରାଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଉତ୍ୟକ୍ତ ଲୋକେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିବା ସୂଚନା ।
ଛାତ୍ରୀଙ୍କୁ ମାଡ଼ମାରି ନିଲମ୍ବିତ ହେଲେ ଶିକ୍ଷକ
ଗଞ୍ଜାମ: ଛାତ୍ରୀଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଶିକ୍ଷକ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ RCMUP ସ୍କୁଲରେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ ଶିକ୍ଷକ ପଲଭର୍ଟ ବଳିଆରସିଂ । ପରୀକ୍ଷାରେ କମ ମାର୍କ ଥିବା ଯୋଗୁ ଶିକ୍ଷକ ଜଣଙ୍କ ଆଦିବାସୀ ଛାତ୍ରୀଙ୍କୁ ମାଡ ମାରି ବେହୋସ କରିଦେଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଅଭିଯୋଗ କରିଥିଲେ ଅଭିଭାବକ । ପରେ ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
ଦୁଇ ଦିନ ପରେ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ବଢିବ
ଭୁବନେଶ୍ୱର: ଅସ୍ତବ୍ୟସ୍ତ କରିବ କାଳବୈଶାଖୀ । ଦୁଇ ଦିନ ପରେ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ବଢିବ । ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୫ ତାରିଖରେ ୧୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୬ ତାରିଖରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି । ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । କାଳବୈଶାଖୀ ଯୋଗୁ ରବି ଫସଲ ବ୍ୟାପକ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବିଶେଷ କରି ଡାଲିଜାତୀୟ ଫସଲ ଅମଳ ସମୟ ହୋଇଥିବାରୁ ସେଗୁଡିକ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ପାଣିପାଗ ବିଜ୍ଞାନୀ ।
ପନିପରିବା ଚାଷରେ ମଧ୍ୟ କୀଟନାଶକ ପ୍ରୟୋଗ ବନ୍ଦ କରିବାକୁ କୁହାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ପୁଣି ଉପରମୁହାଁ ହୋଇପାରେ ପାରଦ । କିଛି ସ୍ଥାନରେ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।
ରାଜଧାନୀରେ ବ୍ରାଉନସୁଗାର ଖାଇ ସିରିଜ୍ ଦୁର୍ଘଟଣା
ଭୁବନେଶ୍ୱର: ରାଜଧାନୀରେ ବ୍ରାଉନସୁଗାର ଖାଇ ଗାଡ଼ି ଚଲାଉଥିଲେ, ଘଟିଲା ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସୂର୍ଯ୍ୟନଗରରେ ମାଡ଼ି ବସିଲେ ଲୋକେ । ୩ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଲେ । କ୍ୟାପିଟାଲ ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ଗାଡ଼ି ଭିତରେ ନିଶା ସେବନ ସାମଗ୍ରୀ ମଧ୍ୟ ପଡ଼ିଛି । ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୋଲିସ ।
ବିମାନରେ ପୁଣି ଯାତ୍ରୀଙ୍କ ଉତ୍ପାତ, ଏମର୍ଜେନ୍ସି ଡୋର ଖୋଲିବାକୁ ଉଦ୍ୟମ ବେଳେ କାବୁ କଲେ ଷ୍ଟାଫ୍
ମୁମ୍ବାଇ: ବିମାନରେ ପୁଣି ଯାତ୍ରୀଙ୍କ ଉତ୍ପାତ । ଟଏଲେଟରେ ସିଗାରେଟ ପିଇଲେ । ସହଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମଧ୍ୟ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଛନ୍ତି । ଲଣ୍ଡନରୁ-ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କର ଏଭଳି କାରନାମା ସାମ୍ନାକୁ ଆସିଛି । ମଝି ଆକାଶରେ ଯାତ୍ରୀ ଜଣଙ୍କ ଶୌଚାଳୟ ଭିତରେ ସିଗାରେଟ ପିଉଥିବା ବେଳେ ଧରାପଡ଼ିଥିଲେ । ସିଗାରେଟ ପିଇବାକୁ ମନା କରିବାରୁ ଯାତ୍ରୀଜଣଙ୍କ କ୍ରୁ ମେମ୍ବରଙ୍କ ସହ ଯୁକ୍ତିତର୍କ କରିବା ପରେ ବନ୍ଧୁକ ଦେଖାଇଥିଲେ । ଏପରିକି କ୍ରୁ ମେମ୍ବରଙ୍କୁ ମାରପିଟ ମଧ୍ୟ କରିଥିଲେ । ପରେ ତାଙ୍କୁ କାବୁ କରାଯାଇ ଏକୁଟିଆ ସିଟରେ ବସାଇ ଦିଆଯାଇଥିବା ବେଳେ ସେ ଏମର୍ଜେନ୍ସି ଗେଟ ଖୋଲିବାକୁ ଉଦ୍ୟମ କରିଥିଲେ ।
ଯାତ୍ରୀମାନେ ଭୟଭୀତ ହୋଇପଡ଼ିବାରୁ ଉତ୍ପାତ କରୁଥିବା ଯାତ୍ରୀଙ୍କ ଗୋଡ଼ ହାତ ବାନ୍ଧି ଦିଆଯାଇଥିଲା । ମୁମ୍ବାଇରେ ବିମାନ ଅବତରଣ କରିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି । ସେ ଭାରତୀୟ ହୋଇଥିବା ବେଳେ ଆମେରିକୀୟ ନାଗରିକତା ଗ୍ରହଣ କରିଥିବା ଜଣାପଡ଼ିଛି ।

