ସାହି ଜାତ: ଶ୍ରୀମନ୍ଦିର ସମ୍ମୁଖରେ ରାବଣ ନୃତ୍ୟ ପ୍ରଦର୍ଶିତ

ପୁରୀ: ପୁରୀରେ ଆରମ୍ଭ ହୋଇଥିବା ନିଆରା ଓ ପାରମ୍ପରିକ ସାହି ଜାତରେ ରବିବାର ଦିନ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ସାହି ଜାତ ବାହାରିଥିଲା। ନଗର ପରିକ୍ରମା କରିବା ସହ ବାଦୀ ସାହି ଭାବେ ପରିଚିତ ଛୁଡଙ୍ଗ ସାହିକୁ ଗମନ କରିଥିଲା। ତେବେ ଗତକାଲି ଅଘୋରି ନୃତ୍ୟ ଥିଲା ବେଶ ଆକର୍ଷଣୀୟ ଓ ଚିତ୍ତାକର୍ଷକ।

ସାହି ଜାତରେ ଏହି ନୃତ୍ୟ ପ୍ରଥମ ଥର ପାଇଁ ବାହାରି ଥିବାବେଳେ ଏହାକୁ ଦେଖିବା ପାଇଁ ବେଶ ଭିଡ଼ ଜମିଥିଲା। ଅଘୋରି କଳାକାରଙ୍କ ନୃତ୍ୟ ସମସ୍ତଙ୍କୁ ଚକିତ କରିଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖରେ ପାରମ୍ପରିକ ନାଗା ନୃତ୍ୟ ମଧ୍ୟ ଥିଲା ବେଶ ଚିତ୍ତାକର୍ଷକ। ବିରବାଦ୍ୟର ତାଳେତାଳେ ନାଗା ନୃତ୍ୟ ଶରୀରରେ ଶିହରଣ ସୃଷ୍ଟି କରିଥିଲା।

ଆଜି କୁଣ୍ଡାଇବେଣ୍ଟ ସାହି ପକ୍ଷରୁ ରାବଣ ବାହାରିଥିବା ବେଳେ ମାୟା ରାବଣ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ସମ୍ମୁଖରେ ରାବଣ ନୃତ୍ୟ କରୁଥିବାର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିବା ବେଳେ ସାଧାରଣ ଲୋକେ ଏହାକୁ ଦେଖି ବିମୋହିତ ହୋଇଥିଲେ।