ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି, ଜାମିନ ଅବଧି ୧୩ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି

ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲା ଜାମିନ । ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ପ୍ରଦାନ କଲେ ଜାମିନ  । ତେବେ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆସ୍ୱସ୍ତି  । ଜାମିନ ଅବଧିକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇଲେ ସୁରଟ ସେସନ କୋର୍ଟ । ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୧୩ରେ ହେବ  ।ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ସେସନ୍ସ କୋର୍ଟ ପିଟିସନ ଦାଏର କରିବେ ରାହୁଲ ଗାନ୍ଧୀ। ଦଣ୍ଡାଦେଶର ୧୧ଦିନ ପରେ ସେସନ୍ସ କୋର୍ଟରେ ଆବେଦନ କରିବେ ରାହୁଲ। ସୁରଟ ଯିବା ପୂର୍ବରୁ ରାହୁଲଙ୍କୁ ଭେଟିଛନ୍ତି ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ।

କଂଗ୍ରେସ ଶାସିତ ରାଜ୍ୟର ୩ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଭୂପେଶ ବାଘେଲ ଓ ସୁଖବିନ୍ଦର ସିଂ ସୁଖୁ ରାହୁଲଙ୍କ ସହ କୋର୍ଟ ଯିବେ। ସେପଟେ ରାହୁଲ ଯିବା ପୂର୍ବରୁ ତାଙ୍କ ସମର୍ଥନରେ ସୁରଟ ସେସନ୍ସ କୋର୍ଟ ଆଗରେ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗି ରହିଛି। ୨୦୧୯ ଏପ୍ରିଲରେ କର୍ଣ୍ଣାଟକ କାରୋଲରେ ଆୟୋଜିତ ଏକ ରାଜନୈତିକ ସଭାରେ ମୋଦି ସରନେମକୁ ନେଇ ବିବାଦୀୟ ବିବୃତ୍ତି ଦେଇଥିଲେ ରାହୁଲ ଗାନ୍ଧୀ। ଏ ନେଇ ଗୁଜରାଟ ସୁରଟରେ ବିଜେପି ନେତା ପୂର୍ଣ୍ଣେସ ମୋଦି ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାଏର କରିଥିଲେ ।

ଗୁଜରାଟ ସିଜେଏମ କୋର୍ଟରେ ରାହୁଲଙ୍କ ବିରୋଧରେ ପିଟିସନ ଦାଏର ହୋଇଥିଲା । ଘଟଣାର ୪ବର୍ଷ ପରେ ୨୩ ମାର୍ଚ୍ଚ ୨୦୨୩ରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ସିଜେଏମ କୋର୍ଟ। ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବାର ୨୪ଘଣ୍ଟା ମଧ୍ୟରେ ଲୋକସଭା ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲେ। ସେପଟେ କଂଗ୍ରେସ ନେତା ଓ କର୍ମୀଙ୍କ ସହ ରାହୁଲ କୋର୍ଟକୁ ଯିବାକୁ ପିଲାଳିଆମି କହି ଟାର୍ଗେଟ୍ କରିଛି ବିଜେପି। ଏନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ରାହୁଲ ଡରିବେନି କି କାହା ଆଗରେ ମୁଣ୍ଡ ନୁଆଁଇବେନି ବୋଲି କହିଛନ୍ତି। ରାହୁଲଙ୍କୁ କୋର୍ଟ ଯିବାକୁ କହୁଥିବା ବିଜେପି କାହିଁକି ଏଭଳି ମନ୍ତବ୍ୟ ଦେଉଛି ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ।