୨ ସପ୍ତାହ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି

1 min read

ନୂଆଦିଲ୍ଲୀ:  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଛନ୍ତି ଦିଲ୍ଲୀ କୋର୍ଟ । ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ବଢାଇବା ଲାଗି ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା । ଦିଲ୍ଲୀ ମଦ ନୀତି ମାମଲାରେ ଅଧିକ ଜେରାର ଆବଶ୍ୟକ ଥିବାରୁ ତାଙ୍କୁ ଆଉ ୨ ସପ୍ତାହ ଲାଗି ରିମାଣ୍ଡ ଅବଧି ବଢ଼ାଇବା ଲାଗି କୋର୍ଟ ନିକଟରେ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା ।

ଆବେଦନର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଅବଧିକୁ ଏପ୍ରିଲ ୧୭ ଯାଏ ବଢ଼ାଇଛନ୍ତି । ଗତ ସପ୍ତାହରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଦିଲ୍ଲୀ ମଦ ନୀତି ମାମଲାରେ ପ୍ରାୟ ୧୦୦ କୋଟି ଟଙ୍କାର କିକବ୍ୟାକ ହୋଇଥିବା କ୍ଷେତ୍ରରେ ସିସୋଦିଆ ପ୍ରମୁଖ ଭୂମିକା ନେଇଥିବା ଦର୍ଶାଇ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ କୋର୍ଟ ।

ସେପଟେ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀରେ ପୁଣି ଆପ୍ କର୍ମୀ ହଲ୍ଲାବୋଲ କରିଛନ୍ତି । ସେପଟେ ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି- ସିସୋଦିଆଙ୍କ ଜାମିନ ଲାଗି ଆପ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ । ଦିଲ୍ଲୀ ମଦନୀତି ମାମଲାରେ ଗତ ଫେବ୍ରୁଆରୀ ୨୬ ତରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।