spot_img
Home Blog Page 3505

ମିଳିଲା ପାରାଦୀପ ସମୁଦ୍ରରେ ନିଖୋଜ ଟ୍ରଲରର ସନ୍ଧାନ

ପାରାଦୀପ: ମିଳିଲା ନିଖୋଜ ଟ୍ରଲରର ସନ୍ଧାନ । ମାଛ ଧରିବାକୁ ଯାଇ ନିଖୋଜ ଥିବା ୨ଟି ଟ୍ରଲର ଦେବୀ ଲକ୍ଷ୍ମୀ ଓ କିନାରାର ସନ୍ଧାନ ମିଳିଛି । ଦୁଇଟି ଯାକ ଟ୍ରଲରର ସମସ୍ତ ୧୩ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ବୋଟ୍ ଚାଳକ ଦେଇଛନ୍ତି ସୂଚନା ।

ଟ୍ରଲରରେ ଥିବା ସମସ୍ତ ମତ୍ସ୍ୟଜୀବୀ କୂଳ ଠାରୁ ୧୨ ନଟିକାଲ ମାଇଲ ଦୂରରେ ଅଛନ୍ତି । ଦୁଇ ଘଣ୍ଟା ମଧ୍ୟରେ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି । ପହଞ୍ଚିଲେ ହିଁ ନିଖୋଜର କାରଣ ଜଣାପଡିବ ବୋଲି କହିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା । ଗତ ୮ ତାରିଖରୁ ସମୁଦ୍ର ଭିତରକୁ ଯାଇଥିବା ବେଳେ କୌଣସି ଖୋଜ ଖବର ମିଳିନଥିଲା । ଏଥିପାଇଁ କୋଷ୍ଟଗାର୍ଡକୁ ଚିଠି ଲେଖି ସହାୟତା ମାଗିଥିଲା ମତ୍ସ୍ୟଜୀବୀ ସଂଘ । ଖବର ପାଇବା ପରେ ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଶୀତରେ ଥରୁଛି ଉତ୍ତର ଭାରତ; ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ଉତ୍ତର ଭାରତରେ କୁହୁଡ଼ିର ଆସ୍ତରଣ। ଆଜି ରାଜଧାନୀରେ ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା 1.4 ରେକର୍ଡ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ ସମସ୍ତ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ତିନି ଦିନ ପାଇଁ ପୁରା ଉତ୍ତର ଭାରତକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆଜି ସକାଳୁ ଦିଲ୍ଲୀ, ପଞ୍ଜାବ, ହରିଆଣା, ୟୁପି, ରାଜସ୍ଥାନରେ ପ୍ରବଳ ଶୀତ ପ୍ରକୋପ ସହ ଘନ କୁହୁଡ଼ି ଦେଖାଯାଇଛି। ଆସନ୍ତା ତିନି ଦିନ ପାରା ମାଇନସ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି । ଘନ କୁହୁଡ଼ି ଯୋଗୁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ଓ ବିମାନ ବିଳମ୍ବ ଯୋଗୁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଷ୍ଟେସନ ଓ ବିମାନବନ୍ଦରରେ ଅପେକ୍ଷା କରିରହିଛନ୍ତି ।

ସେପଟେ ଜମ୍ମୁ-କାଶ୍ମୀର, ହିମାଚଳ, ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ପାହାଡ଼ି ରାଜ୍ୟରେ ପ୍ରବଳ ତୁଷାରପାତ ଯୋଗୁ ଶୀତ ପ୍ରକୋପ ବଢ଼ିଛି ।

ଯାଜପୁରରେ ବରୁଣେଶ୍ବର ମହୋତ୍ସବ ଉଦ୍‌ଘାଟିତ

ଯାଜପୁର: ଯାଜପୁର ବିଞ୍ଝାରପୁରରେ ବରୁଣେଶ୍ବର ମହୋତ୍ସବ ଉଦ୍‌ଘାଟିତ। ଉଦଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ମହୋତ୍ସବରେ ବିଞ୍ଝାରପୁରର ଇତିହାସ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ରକୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଶେଷରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ୱରା ନୃତ୍ୟ ପରିବେଷଣ ହୋଇଥିଲା।

ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ବନିଲା RRR

ନୂଆଦିଲ୍ଲୀ: ଏସଏସ ରାଜମୌଲିଙ୍କ ଫିଲ୍ମ RRR ବିଶ୍ବରେ ପ୍ରଶଂସା ସାଉଣ୍ଟିବାରେ ଲାଗିଛି। ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ  ରାଜମୌଲିଙ୍କ ଫିଲ୍ମ RRR ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି।

ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଶେୟାର କରିଛି। କ୍ୟାପସନରେ RRR ଫିଲ୍ମର କାଷ୍ଟ ଆଣ୍ଡ୍ କ୍ରୁ ମେମ୍ବରଙ୍କୁ ବହୁତ ଶୁଭେଚ୍ଛା।

RRR ଫିଲ୍ମ ‘ଅଲ୍ କ୍ୱାଇଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ’, ‘ଆର୍ଜେଣ୍ଟିନା ୧୯୮୫’, ‘ବାର୍ଡୋ’, ‘ଫଲ୍ସ କାନିକଲ୍ ଅଫ୍ ଏ ହ୍ୟାଣ୍ଡଫୁଲ୍ ଅଫ୍ ଟୁଥ୍ସ, କ୍ଲୋଜ୍’ ଓ ‘ଡିସିଜନ୍ ଟୁ ଲିବ’ ଭଳି ଫିଲ୍ମକୁ ପଛରେ ପକାଇ ଏହି ଆୱାର୍ଡକୁ ହାତେଇ ନେଇଛି। ରାଜମୌଲି ମଧ୍ୟ ହାତରେ ଟ୍ରଫି ଧରି ଫଟୋ ଉଠାଉଥିବାର ଏକ ପୋଷ୍ଟ ଶେୟାର କରିଛନ୍ତି ।

ଏହା ପୂର୍ବରୁ ଗୋଲ୍ଡେନ ଗ୍ଲୋବ-୨୦୨୩ରେ ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଥିଲା RRRର ନାଟୁ ନାଟୁ ସଙ୍ଗ। ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂସ୍କରଣରେ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ ଆଓ୍ବାର୍ଡ ମିଳିଥିଲା। ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ବରେ ପ୍ରଶଂସା ସାଉଣ୍ଟୁଛି ।

 

 

ରାଇସ ମିଲରେ ଅଘଟଣ, ଚାଉଳ ବସ୍ତା ତଳେ ଚାପି ହୋଇ ୨ମୃତ

ନୟାଗଡ଼: ନୟାଗଡ଼ ଓଡ଼ଗାଁ ଥାନା ରୋହୀବାଙ୍କରେ ଥିବା ମା ମଙ୍ଗଳା ରାଇସ ମିଲରେ ଅଘଟଣ। ମିଲରେ କାମ କରୁଥିବା ବେଳେ ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରମୋଦ ମହାରଣା ଓ ରାମେଶ୍ବର ଦେହୁରୀ ।

ସେମାନଙ୍କ ଘର ଗଞ୍ଜାମ ଭଞ୍ଜନଗର ଏବଂ କଟକ ବଡ଼ମ୍ବା ଅଞ୍ଚଳରେ । ଦୁଇ ଶ୍ରମିକଙ୍କ ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ମେଡିକାଲକୁ ଆଣିଛି ପୋଲିସ । ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି, ସେନେଇ ମିଲ୍ ମାଲିକ ଓ କାମ କରୁଥିବା ଅନ୍ୟ ଶ୍ରମିକଙ୍କୁ ପଚରାଉଚରା କରୁଛି ପୋଲିସ ।

କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ। ଝରକା ତାଡି ଲୁଟିବା ସାଙ୍ଗକୁ ଏଟିଏମ ଖାଲି କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ। ଅଭିଯୁକ୍ତର ନାମ ମନୋଜ ହୋଇଥିବା ବେଳେ ଘର ଗଞ୍ଜାମ ଜିଲ୍ଲାରେ। ମନୋଜର ସହଯୋଗୀ ଶ୍ୟାମସୁନ୍ଦର ଆଚାରୀକୁ ମଧ୍ୟ ଅଟକ ରଖିଛି ପୋଲିସ ।

ଶ୍ୟାମସୁନ୍ଦର ଚୋରି ସୁନାକୁ ଝଳେଇ କରି ଅଳଙ୍କାର ତିଆରି କରେ । ଗ୍ୟାଙ୍ଗର ମୋଟ ୩ ଜଣଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ମାମଲା ରହିଛି । କମିଶନରେଟ ପୋଲିସ ପକ୍ଷରୁ ଗୋଶାଣୀ ନୂଆଗାଁ, ବୈଦ୍ୟନାଥପୁର ଓ କମାପଲ୍ଲୀରେ ଚଢ଼ାଉ କରାଯାଇଛି । ତିନି ଜଣଙ୍କୁ ଆଣି ପଚରାଉଚରା କରୁଥିଲା ପୋଲିସ । ଜଣଙ୍କୁ ଛାଡିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖିଛି ।

ନେପାଳ ବିମାନ ଦୁର୍ଘଟଣା; ଫେସବୁକ୍ ଲାଇଭରେ କଏଦ ମୃତ୍ୟୁର ଚିତ୍ର

ନେପାଳ: ମୃତ୍ୟୁର ମୁହୁର୍ତ୍ତ। ଆଖି ଆଗରେ ମୃତ୍ୟୁ ଆସୁଥିବ। କେତେ ଭୟାନକ ହୋଇଥିବ ସେ ଚିତ୍ର । ନେପାଳ ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଠିକ ଏମିତି ଏକ ଦୃଶ୍ୟ । ସୋସିଆଲ ମିଡିଆରେ ରେକର୍ଡ ହୋଇଛି ଜୀବନ-ମୃତ୍ୟୁ ମଝିର କେଇ ସେକେଣ୍ଡର ଲୋମଟାଙ୍କୁରା ସମୟ। ବିମାନ କ୍ରାସ ହେବାର ମାତ୍ର ଗୋଟେ ମିନିଟ ଆଗରୁ ସୋସିଆଲ ମିଡିଆରେ ଲାଇଭ ଆସିଥିଲେ ଜଣେ ବିମାନଯାତ୍ରୀ । ହସହସ ମୁହଁରେ ଦେଖାଉଥିଲେ ବିମାନ ଲ୍ୟାଣ୍ଡିଂ କରିବାର ସମୟ । ହେଲେ କେଇ ସେକେଣ୍ଡରେ ସବୁକିଛି ବଦଳିଯାଇଥିଲା ।

ବିମାନର ସାଇଲେଣ୍ଟ ପିରିୟଡ଼ରେ ଖେଳିଯାଇଥିଲା ଆତଙ୍କ ଆଉ ଆର୍ତ୍ତ ଚିତ୍କାର । ହଠାତ ମାଡ଼ିଆସିଥିଲା ମୃତ୍ୟୁ । କ୍ରାସ ହୋଇଥିଲା ATR-72 । ବିମାନ ଦୁର୍ଘଟଣା ଲୋମଟାଙ୍କୁରା ମୁହୂର୍ତ୍ତର ସାକ୍ଷୀ ସାଜିଥିଲା ସୋସିଆଲ ମିଡିଆ । ପ୍ରତିଟି ଦୃଶ୍ୟ କଏଦ ହୋଇଥିଲା ସୋସିଆଲ ମିଡିଆ ଲାଇଭରେ । ଦୁର୍ଘଟଣା ଶେଷ ପର୍ଯ୍ୟନ୍ତ ଚାଲିଥିଲା ଲାଇଭ । ଏକ ମିନିଟ ୩୩ସେକେଣ୍ଡର ଏହି ଭିଡିଓରେ କଏଦ ହୋଇଛି ଦୁର୍ଘଟଣାର ପୂରା ଚିତ୍ର । ମୃତ୍ୟୁ କେତେ ଭୟଙ୍କର ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଲାଇଭ କରୁଥିବା ଯାତ୍ରୀଜଣଙ୍କ ୟୁପି ଗାଜିବାଦର ବୋଲି ଜଣାପଡ଼ିଛି । ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭୨ଜଣ । କାଠମାଣ୍ଡୁରୁ ଟୁରିଷ୍ଟ ସିଟି ପୋଖରା ଯାଉଥିବା ବିମାନର ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଯାଇଛି ୫ ଭାରତୀୟଙ୍କ ସମେତ ୧୫ ବିଦେଶୀଙ୍କ ଜୀବନ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସୈନ୍ୟ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୟେତି ଏୟାରଲାଇନ୍ସ ଆଜିଠୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିମାନସେବା ବନ୍ଦ ରଖିଛି ।

ରାଜ୍ୟରେ କାଲିଠୁ ବଦଳିବ ପାଗ, ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ବଦଳିଯିବ ପାଗ। ଫେରିବ ପଶ୍ଚିମାଝଡ଼ ପ୍ରଭାବ। ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାନେଇ ପୂର୍ବାନୁମାନ କିରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ଢେଙ୍କାନାଳରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ସେହିପରି ୧୮ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ଏବେ ରାଜ୍ୟରେ ଶୀତ କମିଛି। ଉତ୍ତରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କମିବା ପରେ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରା ବୃଦ୍ଧି ହୋଇଛି । ତେବେ ଗୁଚୁଚାପ ବଳୟ ପ୍ରଭାବରେ ଘନ କୁହୁଡିର ଆସନ୍ତରଣ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ ରୁ ୧୦୦ ମିଟର ରହିଛି ।

ହକି ବିଶ୍ବକପ୍; ୪ର୍ଥ ଦିନରେ ଖେଳାଯିବ ଚାରୋଟି ମ୍ୟାଚ

ଭୁବନେଶ୍ୱର: ହକି ବିଶ୍ବକପ୍ ୨୦୨୩। ଆଜି ଚତୁର୍ଥ ଦିନରେ ଚାରୋଟି ମ୍ୟାଚ ଖେଳାଯିବ। ବିର୍ସା ମୁଣ୍ଡାରେ ଦୁଇଟି ଓ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ଦିନ ଗୋଟାଏରେ ପୁଲ୍ ସିର ଟିମ୍ ମାଲେସିଆ ଓ ଚିଲି ମଧ୍ୟରେ ଟକ୍କର ହେବ। ଏଥିସହ ଦିନ ୩ଟାରେ ପୁଲ୍ ସିର ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ମ୍ୟାଚ ହେବ । ଏହି ଦୁଇଟି ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡାରେ ଖେଳାଯିବ।

ସେହିପରି କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୫ଟାରେ ହେବ ବଡ଼ ଟକ୍କର । ପୁଲ ଏର ଟିମ୍‌ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେବ । ପରେ ସଂଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ । ଗତକାଲି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଟକ୍କରରେ ଟାଇ ରହିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ । ସବୁ କ୍ବାଟରରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର। ଉଭୟ ଟିମ୍କୁ ମିଳିଲା ଗୋଟିଏ ଲେଖାଏଁ ପଏଣ୍ଟ ।

ପ୍ରଥମ ମ୍ୟାଚରେ ଓ୍ବେଲ୍ସକୁ ୫-୧ ଗୋଲରେ ପରାସ୍ତ କରିଥିଲା ସ୍ପେନ । ଦଳ ପକ୍ଷରୁ ମାର୍କ ମିରେଲ୍ସ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ପ୍ୟାନେଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ ମାର୍କ ।

ପାରାଦୀପରେ ନିଖୋଜ ମାଛଧରା ଟ୍ରଲର, କୋଷ୍ଟଗାର୍ଡକୁ ଚିଠି ଲେଖି ମାଗିଲେ ସହାୟତା

ପାରାଦୀପ: ପାରାଦୀପରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଦୁଇଟି ଟ୍ରଲର ନିଖୋଜ। ଦୁଇଟି ବୋଟରେ ରହିଥିଲେ ୧୩ ଜଣ ମତ୍ସ୍ୟଜୀବୀ।

ସୂଚନା ଅନୁଯାୟୀ, ଦେବୀ ଲକ୍ଷ୍ମୀ ଓ କିନାରା ନାମକ ଦୁଇଟି ବୋଟ ୮ ତାରିଖରେ ମାଛ ଧରିବାକୁ ଯାଇଥିଲେ। ଯାହାପର ଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲା ।  ଖବର ଜଣାପଡିବା ପରେ କୋଷ୍ଟଗାର୍ଡକୁ ଚିଠି ଲେଖି ସହାୟତା ମାଗିଛି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ । ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ତେବେ ବାଂଲାଦେଶ ସୀମାରେ ଦୁଇଟି ଯାକ ବୋଟ୍ ନିଖୋଜ ଥିବା ଜଣାପଡିଛି । ଓଏନଜିସିର କିଛି ଜିନିଷ ନେଇ ସମୁଦ୍ରକୁ ଯାଇଥିଲା ବୋଟ୍। ସମୁଦ୍ରର ୮୮ ନଟିକାଲ ମାଇଲ ଭିତରେ ହିଁ ନିଖୋଜ ହୋଇଛି ବୋଟ୍। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା।