ପାକିସ୍ତାନରେ ଗମ୍ଭୀର ସ୍ଥିତିରେ ରାଜନୈତିକ ସଙ୍କଟ, ସର୍ବୋଚ୍ଚ କୋର୍ଟଙ୍କ ଆଗୁଆ ନିର୍ବାଚନ ନିର୍ଦ୍ଦେଶ ପାର୍ଲାମେଣ୍ଟରେ ଖାରଜ

ଇସଲାମାବାଦ: ଘୋର ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ପେଶି ହେଉଛି ପାକିସ୍ତାନ । ମହଙ୍ଗା ଦର ୩୬ ପ୍ରତିଶତ ବୃଦ୍ଧି । ଖାଦ୍ୟ ପାଇଁ ହାହାକାର । ଆର୍ଥିକ ସଙ୍କଟକୁ ନେଇ ଅତି ଭୟଙ୍କର ସ୍ଥିତିର ସାମ୍ନା କରୁଥିବା ପାକିସ୍ତାନରେ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ନୂଆ ବିବାଦ ସ୍ଥିତିକୁ ଆହୁରି ଜଟିଳ କରିଛି । ପାକିସ୍ତାନର ପଞ୍ଜାବ ଓ ଖେବର ରାଜ୍ୟରେ ଆଗୁଆ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ପାର୍ଲାମେଣ୍ଟରେ ଏହାକୁ ଖାରଜ କରିଦିଆଯାଇଛି । ଅକ୍ଟୋବରରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ପରାମର୍ଶ ଦେଇଥିବା ବେଳେ ସରକାର କିନ୍ତୁ ମେ ୧୪ରେ ନିର୍ବାଚନ କରିବାକୁ କହିବା ସହ ନିର୍ବାଚନ ଆୟୋଗଙ୍କ ପରାମର୍ଶ ବିରୋଧରେ ଆସିଥିବା ପ୍ରସ୍ତାବ ଗୃହରେ ପାରିତ କରିଦିଆଯାଇଛି ।

ପାକିସ୍ତାନ ରାଜନୈତିକ ସଙ୍କଟରେ ଏହା ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବରୁ ସୁପ୍ରିମକୋର୍ଟରେ ଜଜ୍ ଭର୍ସେସ ଜଜ୍, ସରକାର ଭର୍ସେସ ସୁପ୍ରିମକୋର୍ଟ, ସେନା  ଭର୍ସେସ ସୁପ୍ରିମକୋର୍ଟ ଓ ଇମରାନ ଭର୍ସେସ ସେନା ଜାରି ରହିଥିବା ବେଳେ ଏବେ ସରକାର ଓ ସୁପ୍ରିମକୋର୍ଟ ସାମ୍ନାସାମ୍ନି ହୋଇଛନ୍ତି । ଦେଶ କାଙ୍ଗାଳସ୍ଥିତିରେ ପହଞ୍ଚିଥିବା ବେଳେ ରାଜେନୖତିକ ସଙ୍କଟ ଅତି ଗମ୍ଭୀର ହୋଇଛି । ଲୋକମାନେ ଅଟା ପାଇଁ ଲମ୍ବା ଲାଇନରେ ଠିଆ ହେଉଥିବା ବେଳେ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି । ସହରରେ ଖାଦ୍ୟ ସାମଗ୍ରୀ ୪୭ ପ୍ରତିଶତରୁ ଅଧିକ ମହଙ୍ଗା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୫୦ପ୍ରତିଶତ ପାର କରିଛି ।