ଅଫିସ୍‌ ଯିବାକୁ ଗୁପ୍ତ ଟ୍ରେନର ବ୍ୟବହାର କରୁଛନ୍ତି ଋଷ ରାଷ୍ଟ୍ରପତି

ମସ୍କୋ: ଅଲଗା ଅଲଗା ସହରରେ ଅଫିସ ଓ କଡ଼ା ସୁରକ୍ଷା ପ୍ରୋଟୋକୋଲରେ ପୁଟିନ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିଛି ହତ୍ୟା ଭୟ । ଜୀବନ ପ୍ରତି ରହିଥିବା ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବା ପାଇଁ ପୁଟିନ ବ୍ୟକ୍ତିଗତ ସୁରକ୍ଷା ବଢ଼ାଇଦେଇଛନ୍ତି ବୋଲି କହିଛନ୍ତି ପୁଟିନଙ୍କ ପୂର୍ବତନ ସୁରକ୍ଷା ଅଧିକାରୀ ଗ୍ଲିବ କରାକୁଲବ ।

ସୁରକ୍ଷିତ ରହିବା ପାଇଁ ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ା ଯାଇଥିବା ବେଳେ ବିଭିନ୍ନ ସହରରେ ରହିଥିବା ଅଫିସକୁ ଯିବା ପାଇଁ ସେ ଗୁପ୍ତ ଟ୍ରେନ ନେଟଓ୍ବର୍କର ବ୍ୟବହାର କରୁଛନ୍ତି ବୋଲି ଗ୍ଲିବ ଖୁଲାସା କରିଛନ୍ତି । ପୁଟିନଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର କରାଯାଉଥିବା ସନ୍ଦେହ କରି ସେ କାଜଖାସ୍ତାନ ଠାରେ ଥିବା ଦୂତାବାସର ବଙ୍କର ଭିତରେ ରହୁଛନ୍ତି । ନିଟକରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଗ୍ଲିବ ପୁଟିନଙ୍କ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ବଡ଼ ଖୁଲାସା କରିଛନ୍ତି ।

ଗ୍ଲିବ ପୁଟିନଙ୍କୁ ଯୁଦ୍ଧ ଅପରାଧୀ କହିବା ସହ ପୁଟିନଙ୍କ ବିଦେଶ ଗସ୍ତ ସମୟରେ ତାଙ୍କ ସହ ଫାୟାର ଫାଇଟର, ଫୁଡ ଟେଷ୍ଟର ଓ ଇଞ୍ଜିନିୟର ସାମିଲ ହୋଇଥାନ୍ତି ବୋଲି କହିଛନ୍ତି । ୨୦୨୦ କରୋନା ମହାମାରୀ ପରେ ପୁଟିନଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି । ସେ ମୋବାଇଲ ଫୋନ କିମ୍ବା ଇଣ୍ଟରନେଟର ମଧ୍ୟ ବ୍ୟବହାର କରନ୍ତି ନାହିଁ ।