ଡ୍ୟୁଟିରେ ଥାଇ କମିଶନରଙ୍କୁ ଅଟକାଇଥିଲେ, ସମ୍ମାନିତ ହେଲେ କନେଷ୍ଟବଳ

ହାଇଦ୍ରାବାଦ: କମିଶନରଙ୍କୁ ଡରିଲେନି ଲେଡି କନଷ୍ଟେବଳ । ନିୟମ ନିକଟରେ ନିଜେ ରହିଲେ ଅଟଳ । ଫଳ ଏମିତି ହେଲା ଯେ, କନଷ୍ଟେବଳଙ୍କୁ ମିଳିଲା ସମ୍ମାନ । ଏବେ ତେଲଙ୍ଗାନାରେ ଲେଡି କନଷ୍ଟେବଳ କେ. କଳ୍ପନାଙ୍କୁ ନେଇ ଜୋରଦାର ଚର୍ଚ୍ଚା । ଘଟଣାଟି ଥିଲା ଏହିପରି । ତେଲଙ୍ଗାନାର ରଚାକୋଣ୍ଡାସ୍ଥିତ ଏଲବି ନଗର ସରକାରୀ ସ୍କୁଲରେ ଚାଲିଥିଲା ଦଶମ ଶ୍ରେଣୀ ପରୀକ୍ଷା ।

ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ସେଠାକୁ ଆସିଥିଲେ ରଚାକୋଣ୍ଡା ପୋଲିସ କମିଶନର ଡି.ଏସ. ଚୌହ୍ବାନ । ତାଙ୍କ ନିକଟରେ ଥିଲା ମୋବାଇଲ । ହଠାତ୍ ସେଠାରେ ଉପସ୍ଥିତ ଥିବା କନଷ୍ଟେବଳ କେ. କଳ୍ପନା କମିଶନରଙ୍କୁ ସ୍କୁଲ ଭିତରକୁ ଛାଡି ନଥିଲେ । ମୋବାଇଲଟିକୁ ଭିତରକୁ ନନେବା ଲାଗି ସେ କମିଶନରଙ୍କୁ ବାରଣ କରିଥିଲେ । କନଷ୍ଟେବଳଙ୍କ ଏହି କଥା ଶୁଣି କମିଶନର ସାମାନ୍ୟ ଇତସ୍ତତଃ ହୋଇଯାଇଥିଲେ ।

ତେବେ ସେ ନିଜର ମୋବାଇଲକୁ କନଷ୍ଟେବଳଙ୍କ ହାତକୁ ବଢାଇ ଦେଇ ଭିତରକୁ ଯାଇଥିଲେ । କଳ୍ପନାଙ୍କ ଏପରି ଦାୟିତ୍ବବୋଧରେ କମିଶନର ଖୁସି ହୋଇଥିଲେ ଏବଂ କଳ୍ପନାଙ୍କୁ ସମ୍ମାନିତ କରିଥିଲେ । କଳ୍ପନାଙ୍କ କାର୍ଯ୍ୟରେ ଶତମୁଖ ହୋଇଛନ୍ତି ଏଲବି ନଗର ଡେପୁଟି ପୋଲିସ କମିଶନର ସାଇ ଶ୍ରୀ ଓ ସହକାରୀ କମିଶନର ଶ୍ରୀଧର ରେଡ୍ଡୀ ।