ଭଦ୍ରକ: ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ୫ରୁ ୭ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବୀଣା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ଶୁଭଲଷ୍ମୀ ନାମକ ଏକ ବସ୍ ଭୁବନେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ବୀଣା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ପଛ ଆଡ଼ୁ ଧକ୍କା ଦେଇଥିଲା । ବସର ବାମ ପାର୍ଶ୍ବରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନେକ ଯାତ୍ରୀ ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ଥିବା ସୂଚନା ମିଳିଛି ।
ବିହାରର ନାଳନ୍ଦା ଜିଲ୍ଲାରେ ପୁଣି ସଂଘର୍ଷ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା
ପାଟନା: ବିହାରର ନାଳନ୍ଦା ଜିଲ୍ଲାର ବିହାରସରିଫରେ ପୁଣି ସଂଘର୍ଷ । ରାମନବମୀ ଅବସରରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପରେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କହୁଥିଲେ ବି ପୁଣି ସଂଘର୍ଷ ଦେଖାଦେଇଛି । ସାସାରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା ହୋଇଥିଲା । ଘଟଣା ପରେ ପୂରା ଅଞ୍ଚଳରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ ୧୪୪ ଧାରା ଜାରି କରାଯାଇଛି । ଗୁଳିମାଡ଼ରେ କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ଟିମ୍ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି ।
ସୂଚନା ଅନୁସାରେ ଏଭଳି କିଛି ଗୋଷ୍ଠୀ ସଂଘର୍ଷ ଘଟିପାରେ ବୋଲି ପୋଲିସ ପାଖରେ ସୂଚନା ଥିଲା । ଯେଉଁଥିପାଇଁ ପୋଲିସ ସତର୍କ ରହିଥିଲା । ଏହା ସତ୍ତ୍ୱେ ଅନେକ ସ୍ଥାନରେ ସଂଘର୍ଷ ହୋଇଛି । ଏହି ଅଞ୍ଚଳରେ ଯେପରି ସ୍ଥିତି ଆହୁରି ଖରାପ ନ ହୁଏ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାମନବମୀରେ ପଶ୍ଚିମବଙ୍ଗ ଓ ଗୁଜରାଟରେ ହିଂସା କାଣ୍ଡ ଘଟିବା ପରେ ବିହାରର ସାସାରାମରେ ମଧ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବ୍ୟତୀତ କେତେକ ଘରେ ନିଆଁ ଲଗାଇବାର ଘଟଣା ମଧ୍ୟ ଘଟିଥିଲା ।
ନକଲି ସିମ୍ କାର୍ଡ ପକାଉଥିଲେ ସାବଧାନ, ବ୍ଲକ ହୋଇଯିବ ଫୋନ୍ । ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ: ନକଲି ସିମ୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ । ବ୍ଲକ ହୋଇଯିବ ଆପଣଙ୍କ ଫୋନ୍ । ଦେଶରେ ସାଇବର ଠକେଇ ହେଉ କିମ୍ୱା ଅପରାଧୀକ ଘଟଣା ଘଟାଇବା ପାଇଁ ନକଲି ସିମ୍ କାର୍ଡର ବହୁଳ ଭାବରେ ବ୍ୟବହୃତ ହେଉଛି। ସିମ୍ କାର୍ଡରେ ହେଉଥିବା ଠକେଇ ଉପରେ ରୋକ୍ ଲଗାଇବାକୁ ସରକାର ଅଣ୍ଟା ଭିଡି ଥିବା ବେଳେ ବର୍ତ୍ତମାନ ଏହାର ଉପାୟ ମିଳିଛି । ତେବେ ଚାଲନ୍ତୁ ଜାଣିବା କିପରି ରୋକା ଯାଇପାରିବ ନକଲି ସିମର ବ୍ୟବହାର । ତେବେ କ’ଣ ରହିଛି ଏହାର ନିୟମ ।
ସୂଚନା ଅନୁଯାୟୀ, ପୂର୍ବରୁ ଅନ୍ୟର ଡକ୍ୟୁମେଣ୍ଟ ଦ୍ୱାରା ନକଲି ସିମ ଆକ୍ଟିଭ୍ ହୋଇଯାଉଥିଲା । କିନ୍ତୁ ଏବେ ଆକ୍ଟିଭ୍ ସିମ୍ ପକାଇବା ଦ୍ୱାରା ବନ୍ଦ ହୋଇପାରେ ଆପଣଙ୍କ ପୋନ୍ । ଏନେଇ ସରକାର ନୂଆ ନିୟମ ଆଣିଛନ୍ତି । ଯେଉଁଥିରେ ସରକାର ଏକ ନୂତନ AI (ଆର୍ଟିଫିସିଆଲ୍ ଇଣ୍ଟାଲିଜେନ୍ସ) ଆଧାରିତ ବ୍ୟବସ୍ଥା ପ୍ରଣୟନ କରିଛନ୍ତି, ଯାହା ନକଲି ସିମ୍ କାର୍ଡ ଯାଞ୍ଚ କରିବ। ଆର୍ଟିଫିସିଆଲ୍ ଇଣ୍ଟାଲିଜେନ୍ସଙ୍କ ସହାୟତାରେ ସରକାର ନକଲି ସିମ୍ କାର୍ଡ ଚିହ୍ନଟ କରି ତାକୁ ଅବରୋଧ କରିବାରେ ସକ୍ଷମ ହେବେ। ଯଦି ଆପଣ ଆଗରୁ ସିମ୍ କାର୍ଡକୁ ଆକ୍ଟଭି କରିଛନ୍ତି, ତେବେ ସେହି ସିମ୍ କାମ କରିବା ବନ୍ଦ କରିଦେବ । ନୂଆ ନିୟମ ଅନୁଯାୟୀ, ସିମକୁ ଫୋନରେ ପକାଇ ସାରିବା ପରେ ସିମଟି ଆକ୍ଟଭି ହେବ। କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିବ। ଏହାପରେ ଆପଣ ଦେଇଥିବା ତଥ୍ୟକୁ ଆଧାର କରି ଯାଞ୍ଚ କରାଯିବ ପରେ ସିମ୍ ଆକ୍ଟିଭ୍ ହେବ ।
ଏନେଇ ସରକାରଙ୍କ ପକ୍ଷରୁ ନୂଆ ସିମ୍ କାର୍ଡ ଆବେଦନ କରିଥିବା ଗ୍ରାହକଙ୍କ ଆବେଦନ ଫର୍ମକୁ ଭଲଭାବରେ ସ୍କାନ କରାଯାଉଛି । ଏହି କାର୍ଯ୍ୟରେ ଚେହେରା ଚିହ୍ନିବା ଟେକ୍ନୋଲୋଜି ଡିଭାଇସର ବ୍ୟବହାର କରାଯାଉଛି। ଏହା ଦ୍ୱାରା ନକଲି ଡକ୍ୟୁମେଣ୍ଟ ଦେଖାଇ ସିମ୍ କାର୍ଡ କିଣିଥୁବା ଗ୍ରାହକଙ୍କୁ କଷ୍ଟକର ହୋଇପଡିବ। ଯଦି ଆପଣ ନକଲି ଡକ୍ୟୁମେଣ୍ଟ ଦ୍ୱାରା ସିମକୁ କିଣିବାରେ ସକ୍ଷମ ହେଉଛନ୍ତି । ତେବେ ତାକୁ ଫୋନରେ ପକାଇଲେ ତାହା ଚାଲିବ ନାହିଁ । ସିଧାସଳଖ ଫୋନ ବ୍ଲକ ହୋଇଯିବ ।
ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା, ମାସ ଶେଷକୁ ରେଜଲ୍ଟ !
ଭୁବନେଶ୍ବର: ଏଥର ଜୁଲାଇ ନୁହେଁ, ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇ ପାରେ ମାଟ୍ରିକ ପରୀକ୍ଷା ଫଳ । ସୁରୁଖୁରୁରେ ସରିଛି ମାଟ୍ରିକ ପରୀକ୍ଷା । ଆସନ୍ତା ସୋମବାରରୁ ଆରମ୍ଭ ହେବ ଖାତାଦେଖା । ୧୩ ଦିନ ଭିତରେ ସରିବ ଖାତା ଦେଖା । ପରୀକ୍ଷା ଫଳ ବାହାରିବା ପରେ ଜୁନ୍ ଦ୍ବିତୀୟ ସପ୍ତାହରୁ ଏକାଦଶ କ୍ଲାସ ଆରମ୍ଭ ହେବାର ସମ୍ଭାବନା ରହିଛି ।
ଏପ୍ରିଲ ୩ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ସୁଦ୍ଧା ସରିବ ମାଟ୍ରିକ ଖାତା ଦେଖା । ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର ବଛାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଖାତାଦେଖା ହେବ । ନିର୍ଦ୍ଧାରିତ ସମୟରେ ମାଟ୍ରିକ ଖାତାଦେଖା ହେଉଥିବାରୁ, ଶୀଘ୍ର ଫଳାଫଳ ପ୍ରକାଶ ମଧ୍ୟ ହୋଇପାରେ । କୋଭିଡ ସମୟର ପରୀକ୍ଷା ଦ୍ବନ୍ଦ୍ବକୁ ସଫଳତାର ସହ ସାମ୍ନା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋଭିଡ ପରବର୍ତ୍ତୀ ସମୟରେ ବି ପରୀକ୍ଷା ପରିଚାଳନାର ବଡ଼ ସଫଳତା ପାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୫ ସୁଦ୍ଧା ମୂଲ୍ୟାୟନ ସରିବାର ଅର୍ଥ ହେଉଛି, ଚଳିତମାସ ଶେଷ ସୁଦ୍ଧା ଫଳ ପ୍ରକାଶ । ପୂର୍ବରୁ ଜୁଲାଇ ଯାଏଁ ଫଳାଫଳ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ଏଥର ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଆଲୋଚନା କରି ଶୀଘ୍ର ମାଟ୍ରିକ ଫଳ ପ୍ରକାଶ କରିବା ଦିଗରେ ସଙ୍କେତ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଏପ୍ରିଲ ଶେଷ ସୁଦ୍ଧା ଯଦି ଫଳ ପ୍ରକାଶ ପାଏ, ଜୁନ୍ ମାସରୁ ଏକାଦଶ କ୍ଲାସ ଆରମ୍ଭ ହେବ । ଏହା ଭିତରେ ଫର୍ମ ଫିଲଅପ୍ କରି ପରୀକ୍ଷା ଦେଇ ନଥିବା ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏପରି ହେଲେ, ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଏକାଦଶକୁ ଉତ୍ତୀର୍ଣ୍ଣ ହେବେ ।
କୋଭିଡ ପାଇଁ ଶିକ୍ଷା ବ୍ୟବସ୍ଥା ସମାନ୍ୟ ପଛକୁ ଚାଲି ଯାଇଥିଲା । ହେଲେ ରାଜ୍ୟ ସରକାର ଶିକ୍ଷାଦାନରେ କୋଭିଡକୁ ଚ୍ୟାଲେଞ୍ଜ ଭାବେ ନେଇ ସଫଳତା ପାଇଥିଲେ । ଚଳିତ ଥର ଯଦି ଠିକ୍ ସମୟରେ ଫଳାଫଳ ପ୍ରକାଶ ପାଏ, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
୨୦୩୬ରେ ଓଡ଼ିଶାର ଚିତ୍ର କିପରି ହେବ, ପ୍ରସ୍ତୁତ ହେଉଛି ଖସଡ଼ା
ଭୁବନେଶ୍ବର: ଭାଷା ଭିତ୍ତିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟବାସୀ ଆଜି ୮୮ତମ ଜୟନ୍ତୀ ପାଳୁଥିବା ବେଳେ ଜନ୍ମ ଶତବାର୍ଷିକୀ ୨୦୩୬କୁ ନଜରରେ ରଖି ନେଇ ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସୂଚନା ପ୍ରଯୁକ୍ତି, ଅର୍ଥନୀତି କ୍ଷେତ୍ରରେ ରାଜ୍ୟ କେତେ ଆଗେଇଛି, କୃଷି, ଶିଳ୍ପରେ କେଉଁଠି ପହଞ୍ଚିଛି, ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ୧୦୦ ବର୍ଷରେ ଓଡ଼ିଶାର ଚିତ୍ର କିପରି ହେବ, ତାର ଖସଡ଼ା ବି ପ୍ରସ୍ତୁତ ହେଉଛି । ବିକାଶଶୀଳ ରାଜ୍ୟ ଭାବେ ଜାତିସଂଘ ଦ୍ୱାରା ସ୍ଥିରୀକୃତ ନିରନ୍ତର ବିକାଶ ଲକ୍ଷ୍ୟ ବା ଏସଡିଜି ୨୦୩୦ର ମାପଦଣ୍ଡ କେତେ ପୂରଣ କରିଛି ଓଡ଼ିଶା, ଆଉ କ’ଣ ହାସଲ କରିବାକୁ ବାକି ଅଛି, ତା’ର ବି ତର୍ଜମା ହେଉଛି । ଓଡ଼ିଶାରେ ଲଗାତାର ଚାଲିଥିବା ନବୀନ ସରକାର ଖାଦ୍ୟ ନିରାପତ୍ତା, ପ୍ରାକୃତିକ ବିର୍ପଯ୍ୟୟ ମୁକାବିଲାରେ ବିଶ୍ୱଗୁରୁ ସାଜିଥିବା ବେଳେ ଶିଳ୍ପାୟନ, ପୁଞ୍ଜିନିବେଶ ସହ ସାମଗ୍ରୀକ ବିକାଶ କ୍ଷେତ୍ରରେ ରାଜ୍ୟକୁ ଅନେକ ଆଗକୁ ନେଇଛି । ସ୍ୱତନ୍ତ୍ର ରାଜ୍ୟ ଗଠନର ଉଦ୍ଦେଶ୍ୟ ସାକାର ହେବାରେ ଲାଗିଛି ।
୧୯୩୬ରୁ ୨୦୨୩ । ଭାଷା ଭିତିରେ ଜନ୍ମ ନେଇଥିବା ଓଡ଼ିଶା ୮୭ ବର୍ଷ ଅତିକ୍ରମ କରିଛି । ୨୦୩୬ରେ ଜନ୍ମ ଶତବାର୍ଷିକୀ ପାଳନ କରିବ ରାଜ୍ୟ । ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ବରପୁତ୍ରଙ୍କ ଅବଦାନକୁ ଓଡ଼ିଆ ଜାତି ମନେ ପକାଉଥିବା ବେଳେ ରାଜ୍ୟର ସାମଗ୍ରୀକ ବିକାଶ କଥା ମଧ୍ୟ ଉଠିଛି । ଦୀର୍ଘ ୨୩ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକଙ୍କ ସରକାର ଏସବୁ ଦିଗରେ ସବୁଠାରୁ ଅଧିକ ସଫଳ ହୋଇଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ସହ ଏହାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ସରକାର ଆଇନ ଆଣିଛନ୍ତି । ଓଡ଼ିଆ ଭାଷାକୁ ଅନାଦର କଲେ ଦଣ୍ଡର ବ୍ୟବସ୍ଥା ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ଭିତ୍ତିଭୂମିରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ହୋଇଛି । ବିଶ୍ୱସ୍ତରୀୟ ହସ୍ପିଟାଲ ସାଙ୍ଗକୁ ମାଗଣା ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ହେଉ କି ଫାଇଭ-ଟି ନୀତିରେ ବିଦ୍ୟାଳୟର ରୂପାନ୍ତରଣ ସାଙ୍ଗକୁ ଗୁଣାତ୍ମକ ଶିକ୍ଷାରେ ଉନ୍ନତି ଆସିଛି । ବିଜୁ ଏକ୍ସପ୍ରେସ ୱେ, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଗାଁ ଗଣ୍ଡାକୁ ଗମନାଗମନର ଧାରା ବଦଳାଇଛି । ୧୦୦ ବର୍ଷରେ ଓଡ଼ିଶା କିପରି ହେବା ଉଚିତ ତା’ପାଇଁ ସରକାର କେବଳ ଖସଡ଼ା ପ୍ରସ୍ତୁତ କରିନାହାନ୍ତି, ବରଂ ତାହା ହାସଲ କରିବାକୁ କାମ ମଧ୍ୟ ଆରମ୍ଭ କରିଛନ୍ତି ।
ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ଆଜି ସାରା ବିଶ୍ୱରେ ଶିଳ୍ପାୟନ ପାଇଁ ପୁଞ୍ଜିନିବେଶର ହଟସ୍ପଟ ପାଲଟିଛି । କେବଳ ଖଣିଜ ଶିଳ୍ପ ନୁହେଁ, କୃଷି, ମାନୁଫାକ୍ଚରିଂ, ଟେକ୍ସଟାଇଲ କ୍ଷେତ୍ରରେ ମଧ୍ୟ ଆଗେଇଛି । ଭୁବନେଶ୍ୱର ଆଇଟି କ୍ଷେତ୍ରରେ ଦେଶର ବଡ଼ ବଡ଼ ସିଲିକନ ସିଟିକୁ ପଛରେ ପକାଇଲାଣି । ହକି, ଫୁଟବଲ, ଟେନିସ ସହ ଆଥଲଟିକ କ୍ଷେତ୍ରରେ ନୂଆ ଭିତ୍ତିଭୂମି ସହ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗୁଁ ଓଡ଼ିଶା ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ଉଭା ହୋଇଛି । ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ସହ ଜଡ଼ିତ ଓଡ଼ିଶା ଐତିହ୍ୟ ବିକାଶ କ୍ଷେତ୍ରରେ ଅନେକ ଆଗକୁ ଗଲାଣି । ଦିନେ ସ୍ୱପ୍ନ ଭଳି ଲାଗୁଥିବା ଟ୍ୟାପ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବି ସମ୍ଭବ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମିଶନ ଜିରୋ କାଜୁଆଲିଟି ନୀତି ଆପଣାଇ ଜଗତ ସାରା ପ୍ରଶଂସା ସାଉଁଟୁଛି ଓଡ଼ିଶା । ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ଓଡ଼ିଶା ।
ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି । ମିଶନ ଶକ୍ତି ୭୦ ଲକ୍ଷ ମହିଳାଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ସ୍ୱାଧୀନତା ଦେଇଛି । ଅର୍ଥନୀତି କ୍ଷେତ୍ରରେ ସାରା ଦେଶ ପାଇଁ ଉଦାହରଣ ସାଜିଛି । ଏଭଳି ଧାରା ଜାରି ରହିଲେ ୨୦୩୦ ସୁଦ୍ଧା ଜାତିସଂଘର ଏସଡିଜି ଲକ୍ଷ୍ୟ ହାସଲ ହେବାରେ ଅସୁବିଧା ନାହିଁ ।
୧୦୦ ବର୍ଷର ଓଡ଼ିଶା କିପରି ହେବା ଉଚିତ, ସେଥିପାଇଁ ରାଜ୍ୟ ସରକାର ସମସ୍ତଙ୍କ ସହଭାଗିତାରେ ଭିଜନ ୨୦୩୬ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ଏହାକୁ ବାସ୍ତବ ରୂପ ଦେବା ପାଇଁ ଯୋଜନା କରିଛନ୍ତି । ସମସ୍ତଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ପାଇଁ ଜାତିସଂଘର ଏସଡିଜି ୨୦୩୦ କେବଳ ସଭା ସମିତିରେ ସୀମିତ ନ ରହି ଗ୍ରାଉଣ୍ଡ ଜିରୋରେ ବାସ୍ତବ ରୂପ ନେବା ଆରମ୍ଭ କଲାଣି ।
ଏପ୍ରିଲ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ, ଆସିବ ବଡ଼ ନିବେଶ
ଭୁବନେଶ୍ବର: ଜାପାନରୁ ଆସିବ ବଡ଼ ନିବେଶ । ଏପ୍ରିଲ ୩ରେ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ଓଡ଼ିଶାରେ ଜାପାନର ବଡ଼ ବଡ଼ କମ୍ପାନୀ କିପରି ପୁଞ୍ଜିନିବେଶ କରିବେ ସେ ନେଇ ଗୁରୁତ୍ବ ଦିଆଯିବ । ବିଶେଷ କରି ଜାପାନର ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରକୁ ଫୋକସ କରିବେ ମୁଖ୍ୟମନ୍ତ୍ରୀ । ଜାପାନରୁ ଓଡ଼ିଶାକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋଡ୍ ଶୋ’ କରି ଆକୃଷ୍ଟ କରାଯିବ । ବିଦେଶରୁ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦମ୍ୟକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।
ରୋମ ,ଦୁବାଇ ପରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ନିବେଶ ସମ୍ମିଳନୀରେ ସାମିଲ ହେବା ସହ ରୋଡ୍ ଶୋ’ କରିବେ । ଦୁବାଇରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଦ୍ବାରା ଅଧିକ ପୁଞ୍ଜି ଆସିବାର ଆଶା ରଖିଛି ଶିଳ୍ପ ବିଭାଗ ।
ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସୁସମ୍ପର୍କକୁ ଆହୁରି ମଜବୁତ କରିବ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଓ ଦୁବାଇ ଗସ୍ତ ପରେ ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।
ଓଡ଼ିଶା ଏବେ ଶିଳ୍ପର ହବ ପାଲଟିଛି । ପ୍ରାକୃତିକ ସମ୍ପଦରେ ଭାରତର ଟପ୍ ୧୧ଟି ଆଇଟିଆଇ ସଂସ୍ଥା ଓଡ଼ିଶାରେ ରହିଛି । ଏଡିବି ଓ ସିଙ୍ଗାପୁରର ଆଇଟିଇଇଏସ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ମଧ୍ୟ ପୁଞ୍ଜିନିବେଶ ଲାଗି ସହାୟକ ହୋଇଛି । ଏବେ ଜାପାନର ୫୨ଟି କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାର ଆଶା ରହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ, ନେଲେ ଆଶୀର୍ବାଦ
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି । ନବୀନ ନିବସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ପାଖରୁ ଆଶୀର୍ବାଦ ନେଇଛନ୍ତି ।
ସାକ୍ଷାତ ପରେ ଦୀପାଳି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଆସିଥିଲି । ବିଜେଡି ଏକ ଦକ୍ଷ ଦଳ । ବାପା ନବକିଶୋର ଦାସଙ୍କ ପରେ ବିଜେଡି ମୋ ଉପରେ ଭରସା କରିଥିବାରୁ ବହୁତ ଖୁସି । ଏଥର ଆମେ ଝାରସୁଗୁଡ଼ାରେ ବହୁ ଭୋଟରେ ଜିତିବୁ । ବାପାଙ୍କ ପ୍ରତି ଜନସାଧାରଣଙ୍କ ଭଲ ପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ କାର୍ଯ୍ୟଧାରା ସବୁବେଳେ ଲୋକଙ୍କ ହିତ ସାଧନ କରିଛି । ଏଣୁ ଆମେ ବହୁ ଭୋଟରେ ବିଜୟୀ ହେବୁ ।’
ବାପା ଝାରସୁଗୁଡା ପାଇଁ ଦେଖିଥିବା ସ୍ବପ୍ନକୁ ପୂରଣ କରିବି । ବାପାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ରହିଛି । ବିଜେଡିର ପ୍ରାର୍ଥୀ ହୋଇଥିବାରୁ ମୁଁ ଗର୍ବିତ । ଲୋକମାନେ ବିଜେଡିକୁ ସମର୍ଥନ କରୁଛନ୍ତି । ଲୋକମାନେ ହିଁ ବିଜୟୀ ହେବେ ବୋଲି ଦୀପାଳି କହିଛନ୍ତି ।

