ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ଭୁବନେଶ୍ୱର:  ବିଶିଷ୍ଟ ଜନନେତା, ପୂର୍ବତନ ସାଂସଦ ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି  ।  ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ ,ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି ।  ସେ ଥିଲେ ସାଧାରଣ ଜନତାଙ୍କ ବନ୍ଧୁ  ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଥିଲେ ।

ସାଂସଦ ,ବିଧାୟକ ,ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟିର ଚେୟାରମ୍ୟାନ୍‌ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି  ।  ତାଙ୍କର ନିଃସ୍ୱାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।  ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପୂର୍ବତନ ବିଧାୟକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।