spot_img
Home Blog Page 3395

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ କିଭକୁ ଆମେରିକା ରାଷ୍ଟ୍ରପତିଙ୍କ ସରପ୍ରାଇଜ୍ ଭିଜିଟ୍

କିଭ: ବିଶ୍ବକୁ ସରପ୍ରାଇଜ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ ରାଜଧାନୀ କିବ୍କୁ ସୁପରପାଓ୍ବାର ପ୍ରେସିଡେଣ୍ଟଙ୍କ ଅଚାନକ ଭିଜିଟ୍ । ଗସ୍ତକାଳରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବାଇଡେନ ହେଲେ କୋଳାକୋଳି । ଆସନ୍ତା ୨୪ରେ ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ବାଇଡେନଙ୍କ ଗସ୍ତକୁ ନେଇ ସସପେନ୍ସ । ଖୁବ ଶୀଘ୍ର ୟୁକ୍ରେନକୁ ଆମେରିକା ହାଇପ୍ରୋଫାଇଲ ଅସ୍ତ୍ର ଯୋଗାଇବା ଲାଗି ବାଇଡେନ ଦେଇଛନ୍ତି ପ୍ରତିଶ୍ରୁତି । ପୋଲାଣ୍ଡକୁ ତିନିଦିନିଆ ଗସ୍ତରେ ଯିବା ଅବସରରେ କିବରେ ଅବତରଣ କରିଥିଲେ ବାଇଡେନ । ହ୍ବାଇଟହାଉସ ପକ୍ଷରୁ କୁହାଯାଇଛି- ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମ ଓ ସୀମାଗତ ସଂହତି ପ୍ରସଙ୍ଗରେ ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ।

ୟୁକ୍ରେନ ଆକ୍ରମଣ ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବିଥିଲେ ୟୁକ୍ରେନ ହେଉଛି ଏକ ଦୁର୍ବଳ ରାଷ୍ଟ୍ର ଓ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ବିଭେଦ ରହିଛି । ମାତ୍ର ଏହା ଭୁଲ ପ୍ରମାଣିତ ହୋଇଛି । ବାଇଡେନ କହିଛନ୍ତି- ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବାଲାଗି ସେ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଆଣ୍ଟିଆର୍ମର ସିଷ୍ଟମ, ଏୟାର ସର୍ଭେଲାନ୍ସ ରାଡାର ଯୋଗାଣ ନେଇ ଘୋଷଣା କରିବେ । ୟୁକ୍ରେନକୁ ରକ୍ଷା କରିବା ଲାଗି ଆଟଲାଣ୍ଟିକରୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଯାଏ ବିଭିନ୍ନ ରାଷ୍ଟ୍ରଙ୍କୁ ଏକାଠି କରାଯାଉଛି । ପୋଲାଣ୍ଡ ଗସ୍ତରେ ଯାଇ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡାଙ୍କ ସହ ଆଲୋଚନା କରିବେ ବାଇଡେନ ।

ତେଣେ ଜେଲେନସ୍କି କହିଛନ୍ତି- ଏହି ଯୁଦ୍ଧରେ ଋଷର ବିଜୟର କୌଣସି ସମ୍ଭାବନା ନାହିଁ । ଗତବର୍ଷ ଡିସେମ୍ବରରେ ଜେଲେନସ୍କି ଆମେରିକା ଗସ୍ତରେ ଯାଇଥିବାବେଳେ ଗତ ଜାନୁଆରୀରେ କିବରେ ଜେଲେନସ୍କିଙ୍କୁ ଭେଟିଥିଲେ କିଛି ଆମେରକୀୟ ସିନେଟର । ବର୍ଷେ ଧରି ଯୁଦ୍ଧରେ ୟୁକ୍ରେନର ୬ସହର ତଥା ୧୮ପ୍ରତିଶତ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି ଋଷ । ଜାପୋରିଜିଆ, ମାରିୟୁପୋଲ, ମେଲିଟୋପୋଲ, ଲୁହାନସ୍କ ଆଦି ୬ସହରକୁ କବଜା କରିଛି ଋଷ ।

ସେପଟେ ଆସନ୍ତାକାଲି ଅନୁଷ୍ଠିତ ବେଲଜିୟମ ବ୍ରସଲେସରେ ଅନୁଷ୍ଠିତ ହେବ ୟୁରୋପୀୟ ରାଷ୍ଟ୍ରସଂଘ ଓ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ବୈଠକ । ପ୍ରଥମ ଥର ଲାଗି ଏହି ବୈଠକରେ ସାମିଲ ହେବ ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଏନେଇ ଇୟୁ ବୈଦେଶିକ ଓ ନିରାପତ୍ତା ନୀତି ମୁଖ୍ୟ ଯୋଶେପ ବୋରେଲ ଓ ନାଟୋ ମହାସଚିବ ଜେନସ୍ ଷ୍ଟଲଟନବର୍ଗଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କୁଲେବା । ବୈଠକରେ ଇୟୁ ଓ ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେ ହେବ ଆଲୋଚନା ।

ଭାରତରେ ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ: ଉଦ୍ଧବ ଠାକରେ

ମୁମ୍ବାଇ:  ଭାରତର ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ । ଲୋକଙ୍କ ଦ୍ବାରା ଇସିଙ୍କୁ ନିର୍ବାଚିତ କରାଯାଉ ବୋଲି ଦାବି କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଉଦ୍ଧବ ଠାକରେ । ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ଦଳ ମାନ୍ୟତା ସହ ଧନୁ ଓ ତୀର ଚିହ୍ନ ମିଳିବା ମାମଲାରେ ଏହା କହିଛନ୍ତି ଉଦ୍ଧବ । ଏହି ମାମଲାରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିବା ଉଦ୍ଧବ କହିଛନ୍ତି- କୌଣସି ଏକ ଦଳର ଗୋଟିଏ ଗୋଷ୍ଠୀକୁ ଦଳର ନାମ ଓ ସଙ୍କେତ ସିଧାସଳଖ ଦେବା ଉଦାହରଣ ପୂର୍ବରୁ ବି ଘଟିଛି ।ଗଣତାନ୍ତ୍ରିକ ପ୍ରତିଷ୍ଠାନ ଜରିଆରେ ଗଣତନ୍ତ୍ରକୁ ଧ୍ବଂସ କରିବାରେ ବିଜେପି ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଉଦ୍ଧବ ।

ଆଜି ଯାହା ତାଙ୍କ କ୍ଷେତ୍ରରେ ଘଟିଳା ତାହା ଅନ୍ୟ କ୍ଷେତ୍ରରେ ବି ଘଟିବ । ଯଦି ସେହି ପ୍ରକ୍ରିୟା ଜାରି ରହିବ ତେବେ ୨୦୨୪ପରେ ଦେଶରେ କୌଣସି ଗଣତନ୍ତ୍ର ବା ନିର୍ବାଚନ ବ୍ୟବସ୍ଥା ରହିବ ନାହିଁ ବୋଲି ସେ କହିଛନ୍ତି । ନିଜର ପିଟିସନରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ପ୍ରାର୍ଥନା କରିଛନ୍ତି ଉଦ୍ଧବ । ପୂର୍ବରୁ ସୁପ୍ରିମକୋର୍ଟରେ ବି ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ପଷ୍ଟ ଶୁଣାଣି କରିବା ଲାଗି ଏକ କାଭିଟ ଦାୟର କରିଥିଲେ ଏକନାଥ ସିନ୍ଦେ ।

ଫେସବୁକରେ ମହିଳା ଆଇଏଏସଙ୍କ ବ୍ୟକ୍ତିଗତ ଫଟୋ ପୋଷ୍ଟ କଲେ ଆଇପିଏସ୍ ଅଧିକାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ IAS-IPS କଳି । ଚରମ ସୀମାରେ ପହଞ୍ଚିଛି ଦୁଇ ବରିଷ୍ଠ ମହିଳା ଅଧିକାରୀଙ୍କ ବିବାଦ । ଦୁଇ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର । ଆଇପିଏସ୍ ଅଫିସର ଡି ରୁପା ରବିବାର ଆଇଏଏସ୍ ଅଫିସର ରୋହିନୀ ସିନ୍ଧୂରୀଙ୍କର କିଛି ବ୍ୟକ୍ତିଗତ ଫଟୋ ଫେସବୁକରେ ସେୟାର କରିଥିଲେ । ପୁରୁଷ ଆଇଏଏସ୍ ଅଫିସରଙ୍କୁ IAS ରୋହିଣୀ ନିଜ ଫଟୋ ପଠାଇ ସେବା ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ରୂପା ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଥିଲେ ।

ଏହା ପୂର୍ବରୁ ରୋହିଣୀଙ୍କ ନାଁରେ ଭ୍ରଷ୍ଟାଚାରର ଲମ୍ବା ତାଲିକା ଜାରି କରିଥିଲେ ରୁପା । ଯାହାକୁ ନେଇ ରୋହିଣୀ ଏ ନେଇ ଏକ ବୟାନ ଜାରି କରିବା ସହ ରୁପା ତାଙ୍କ ନାଁରେ ମିଛ କ୍ୟାମ୍ପେନ ଚଳାଇଛନ୍ତି ବୋଲି କହିଥିଲେ । ଫେସବୁକ ଓ ହ୍ବାଟସଆପ୍ ପେଜରୁ ଫଟୋ ନେଇ ମୋର ମାନହାନି କରିବାକୁ ଚେଷ୍ଟା କରାଯାଉଛି । ମାନସିକ ରୋଗ ଏକ ବଡ଼ ସମସ୍ୟା, ମେଡିସିନ ଓ ଡାକ୍ତରୀ ପରାମର୍ଶ ନେବାକୁ ରୁପାଙ୍କୁ ପରାମର୍ଶ ଦେଇଥିଲେ ରୋହିଣୀ ।

ଡି ରୂପା ଦାବି କରିଥିଲେ ଯେ ସିନ୍ଦୁରୀ ତିନି ପୁରୁଷ ଆଇଏଏସ୍ ଅଧିକାରୀଙ୍କୁ ନିଜର ଏହି ପ୍ରାଇଭେଟ ଫଟୋ ନିଜେ ପଠାଇଥିଲେ । ଶନିବାର ଫଟୋ ସେୟାର ସହ ଡି ରୂପା ସିନ୍ଦୂରୀଙ୍କ ଉପରେ ୧୯ଟି ଆରୋପ ଲଗାଇଥିଲେ । ପ୍ରକାଶଯୋଗ୍ୟ, ଡି ରୂପା ଶନିବାର ନିଜ ଫେସବୁକ୍ ହ୍ୟାଣ୍ଡେଲରେ ଫଟୋ ସେୟାର କରି କହିଥିଲେ, ଏହି ପ୍ରକାରର ଫଟୋ ସାମାନ୍ୟ ଲାଗିଥାଇପାରେ । କିନ୍ତୁ ଯଦି ଜଣେ ମହିଳା ଆଇଏଏସ୍ ଅଧିକାରୀ ଜଣେ, ଦୁଇଜଣ ବା ତିନି ଆଇଏଏସ୍ ପୁରୁଷ ଅଧିକାରୀଙ୍କୁ ଏପରି କୌଣସି ଫଟୋ ପଠାନ୍ତି ତେବେ ଏହାର କଣ ଅର୍ଥ ଅଟେ?

ଏହା ତାଙ୍କର ବ୍ୟକ୍ତିଗତ ମାମଲା ରହିଯିବ ନାହିଁ, ଆଇଏଏସ୍ ସର୍ଭିସ କଣ୍ଡକ୍ଟ ରୁଲ୍ସ ଅନୁସାରେ ଏହା ଅପରାଧ ଅଟେ । କୌଣସି ବି ତଦନ୍ତକାରୀ ଅଧିକାରୀ ଏହି ଫଟୋଗୁଡିକର ବାସ୍ତବିକତାର ଯାଞ୍ଚ କରିପାରିବେ । ସେଲୁନ୍ କେଶ କାଟିବା, ତକିଆ ସହିତ ଶୋଇବା ସମୟରେ ନିଆଯାଇଥିବା ଚିତ୍ର କିଛି ଲୋକଙ୍କ ପାଇଁ ସ୍ୱାଭାବିକ ଅନୁଭବ କରିପାରେ | ନଚେତ୍ ପଠାଯାଇଥିବା ସ୍ଥିତି କହିଥାଏ । ଆଇଏଏସ୍ ଅଧିକାରୀ ରୋହିଣୀ ସିନ୍ଦୁରୀ କର୍ଣ୍ଣାଟକ କ୍ୟାଡର, ୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ଅଟନ୍ତି । ସେ ମୂଳ ରୂପରେ ଆନ୍ଧ୍ରପ୍ରଦେଶର ବାସିନ୍ଦା ଅଟନ୍ତି ।

ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନେକ ପଦରେ ରହି କାମ କରିଛନ୍ତି । ବର୍ତ୍ତମାନ ସେ ହିନ୍ଦୁ ଧାର୍ମିକ ସଂସ୍ଥା ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଭାଗର ସଚିବ ଭାବରେ କାମ କରୁଛନ୍ତି । ସେହିପରି ଡି ରୂପା କର୍ଣ୍ଣାଟକ ହସ୍ତଶିଳ୍ପ ବିକାଶ ନିଗମରେ ଏମଡି ଭାବରେ କାମ କରୁଛନ୍ତି । ସିନ୍ଦୁରୀ ଏହା ପରେ ବୟାନରେ କହିଛନ୍ତି ଯେ, ସେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ । ମୋତେ ବଦନାମ କରିବା ପାଇଁ ସାମାଜିକ ଗଣମାଧ୍ୟମ ଏବଂ ହ୍ୱାଟ୍ସଆପ ଷ୍ଟାଟସରୁ ମୋ ଫଟୋର ସ୍କ୍ରିନସଟ୍ ଏକତ୍ରିତ କରିଛନ୍ତି ।

ଯେମିତି କି ସେ ଅଭିଯୋଗ କରିଛନ୍ତି ଯେ ମୁଁ ଏହି ଫଟୋଗୁଡିକୁ କିଛି ଅଧିକାରୀଙ୍କୁ ପଠାଇଛି, ତେବେ ମୁଁ କାହାକୁ ସେ ଫଟେ ଗୁଡି଼କ ପଠାଇଛି ସେ ନାଁ ଗୁଡ଼ିକର ଖୁଲାସା କରନ୍ତୁ । ଆଇପିଏସ୍ ଅଧିକାରୀ ରୂପା ପ୍ରଶାସନକୁ ନିବେଦନ କରିଛନ୍ତି ଯେ ସିନ୍ଦୁରୀଙ୍କ ଉପରେ ସହାନୁଭୂତି ନଦେଖାନ୍ତୁ ଏବଂ ତାଙ୍କ ବିରୋଧରେ ଲାଗିଥିବା ଆରୋପର ଯାଞ୍ଚ କରନ୍ତୁ ।

ଡି ରୂପା କହିଛନ୍ତି, ସିନ୍ଦୁରୀ ତିନି ଆଇଏଏସ୍ ଅଧିକାରୀଙ୍କୁ କିଛି ଫଟୋ ସେୟାର କରିଛନ୍ତି, ସମ୍ପତ୍ତି କାରବାରରେ ତାଙ୍କ ପରିବାରର ସଦସ୍ୟଙ୍କ ସହାୟତା କରିବା ପାଇଁ ଜମିର କିଛି ଭୂଖଣ୍ଡର ସର୍ଭେ, ରେକର୍ଡ ବିଭାଗରୁ ବିବରଣୀ ମାଗିବା ପାଇଁ ତାଙ୍କ ଅଧିକାରର ଦୁରୁପଯୋଗ ହୋଇଛି । ବୃଦ୍ଧି ପାଇଥିବା ବିଲର ରିମ୍ବର୍ସମେଣ୍ଟସ ପାଇଁ ତାଙ୍କ ବିରୋଧରେ ଲୋକାୟୁକ୍ତ ଅଭିଯୋଗ ରହିଛି । ଆଇଏଏସ୍ ଅଧିକାରୀ ଡି କେ ରବିଙ୍କ ଆତ୍ମହତ୍ୟାରେ ମଧ୍ୟ ତାଙ୍କ ଭୂମିକା ରହିଛି ଏବଂ ସେ ରାଜନେତାଙ୍କୁ ଭେଟୁଛନ୍ତି । ତେବେ ପ୍ରକୃତ ସତ କଣ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ । ବିବାଦ ଦିନକୁ ଦିନ ବଢୁଥିବାରୁ ଏ ନେଇ ପୋଲିସ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ନୀତିଶଙ୍କୁ ଉପେନ୍ଦ୍ର କୁଶବାହାଙ୍କ ବାଏ ବାଏ, ଗଠନ କଲେ ନୂଆ ଦଳ

ପାଟନା: ନୀତିଶ କୁମାରଙ୍କ ସହ ଦୀର୍ଘ ଦିନର ମତାନ୍ତର ପରେ ଉପେନ୍ଦ୍ର କୁଶବାହା ଶେଷରେ ଜେଡିୟୁ ଛାଡିଛନ୍ତି । ସେ ଜେଡିୟୁର ଏମଏଲସି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସୋମବାର ପାଟନାରେ ସେ ଏନେଇ ଘୋଷଣା କରିଛନ୍ତି । ସେ ନିଜର ନୂଆ ଦଳ ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ବନାଇବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଉପେନ୍ଦ୍ର କୁଶବାହା କହିଛନ୍ତି ଯେ, ଆଜିଠୁ ମୁଁ ନୂଆ ରାଜନୀତି ଇନିଂସର ଆରମ୍ଭ କରୁଛି । ଉପେନ୍ଦ୍ର କୁଶବାହା ଏହି ଅବସରରେ ନୀତିଶ କୁମାରଙ୍କ ଉପରେ ଶାଣିତ ଆକ୍ରମଣ କରି କହିଛନ୍ତି ଯେ, ସେ ତ ପଡୋଶୀଙ୍କ ଘରେ ନିଜର ଉତ୍ତରାଧିକାରୀ ଖୋଜୁଛନ୍ତି ।

କୁଶବାହା ଆରଜେଡି ସହ ମେଣ୍ଟ କରାଯିବା ଉପରେ ମଧ୍ୟ ଆପତ୍ତି ଜଣାଇଛନ୍ତି ଏବଂ କହିଛନ୍ତି ନୀତିଶ କୁମାରଙ୍କ ରାଜନୀତିର ଅନ୍ତ ଖରାପ ରହିଛି । ଉପେନ୍ଦ୍ର କୁଶବାହା କହିଛନ୍ତି ଯେ ନୀତିଶ କୁମାର ବହୁତ ଭଲ କାମ କରିଛନ୍ତି, କିନ୍ତୁ କୁହାଯାଇଥାଏ ଶେଷ ଭଲ ତ ସବୁ ଭଲ । ନୀତିଶ କୁମାର ଏହା କରିପାରିନାହାନ୍ତି । ଅନ୍ତ ବହୁତ ଖରାପ ହୋଇଛି । ଏବେ କଥା ବଦଳି ଯାଇଛି ଶେଷ ଖରାପ ତ ସବୁ ଖରାପ । ସେ ଯେଉଁ ପଥରେ ଏବେ ଯାଉଛନ୍ତି ତାହା ଅତ୍ୟନ୍ତ ଖରାପ । ନା କେବଳ ନୀତିଶଙ୍କ ପାଇଁ ବରଂ ଜନତା ଏବଂ ଦଳ ପାଇଁ ମଧ୍ୟ । ଲାଲୁ ଯାଦବ ଏବଂ ନୀତିଶ କୁମାର ଭଳି ନେତାଙ୍କୁ ଜନତା କ୍ଷମତା ଦେଇଥିଲେ ।

ଲାଲୁ ଯାଦବ ପ୍ରାରମ୍ଭିକ ଦିନକୁ ଛାଡିଦେଲେ ଜନତାଙ୍କ କ୍ଷମତାର ବ୍ୟବହାର ପରିବାରର ହିତରେ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ଭରସା ନୀତିଶ କୁମାର ଥିଲେ, ଯିଏକି ୧୯୯୫ରେ ସମତା ଦଳ ଗଠନ ପରେ ନେତୃତ୍ୱ ସମ୍ଭାଳିଥିଲେ । ସେ କହିଛନ୍ତି ଯେ, ବିହାରର ଜନତା ସଙ୍କଟରେ ମଧ୍ୟ ନୀତିଶ କୁମାରଙ୍କୁ ଶକ୍ତି ଦେଇଥିଲେ । ୨୦୦୫ ପରେ କର୍ପୁରୀ ଠାକୁରଙ୍କ ବିରାସତ ତାଙ୍କ ପାଖକୁ ଆସିଯାଇଥିଲା । ସେ ନିଜ ଶାସନରେ ଏହାକୁ ବଢ଼ାଇବାର କାମ ବହୁତ ଭଲରେ କରିଥିଲେ । ସେ ବିହାରକୁ ଏକ ସୁଦୃଢ଼ ରାଜ୍ୟ କରିବା ଦିଗରେ ଅନେକ ଭଲ ପଦକ୍ଷେପ ନେଇଥିଲେ । ୨୦୨୦ ବିଧାନସଭା ନିର୍ବାଚନ ପରେ ଆମେ ତାଙ୍କ ସାଥିରେ ଆସିଥିଲୁ ।

ସେ ସମୟରେ ବିହାର ଜନତାଙ୍କ ଆଦେଶ ନୀତିଶ କୁମାର ଏବଂ ମୋତେ ମିଳିଥିଲା । ମୁଁ ସବୁକିଛି ଛାଡ଼ି ତାଙ୍କ ସାଥ ଦେଇଥିଲି, ହେଲେ ସେ ଜନତାଙ୍କ ହିତରେ କିଛି କରିନଥିଲେ । ସେ ଭୁଲ ବାଟରେ ଚାଲିଥିଲେ । ମେଣ୍ଟ ନେଇ ମଧ୍ୟ ଆମେ ସହମତି ଜଣାଇଥିଲୁ । ଆରଜେଡିର ନେତା ଏକ ଡିଲ କଥା କହିଥିଲେ । ନିଜେ ନୀତିଶ କୁମାର କହିବାକୁ ଲାଗିଥିଲେ ଯେ ବିହାର ପାଇଁ ଆଗାମୀ ଦାୟିତ୍ୱ ତେଜସ୍ୱୀ ଯାଦବଙ୍କୁ ଦେଉଛି । ଏବେ ତ ଆରଜେଡିର ଲୋକମାନେ କହୁଛନ୍ତି ଯେ ତେଜସ୍ୱୀ କେବେ ମୁଖ୍ୟମନ୍ତ୍ରୀ ହେବେ । ନୀତିଶ ପଡିଶା ଘରେ ନିଜର ଉତ୍ତରାଧିକାରୀ ଖୋଜୁଛନ୍ତି ବୋଲି କହିଛନ୍ତି ଉପେନ୍ଦ୍ର ।

ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର । ୬ଟି କ୍ୟାଡରର ୧୨ ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ସଂଘ ତରଫରୁ କୁହାଯାଇଛି । ପାଣି ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍କୁଟି ପାଇଁ ଋଣ ଦିଆଯିବ ।

ବ୍ୟାଙ୍କ ମିତ୍ରଙ୍କୁ ଲାପଟପ ଯୋଗାଇ ଦିଆଯିବ । ସେମାନଙ୍କୁ ବୈଷୟିକ ତାଲିମ ମଧ୍ୟ ପ୍ରଦାନ କରାଯିବ । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ମାର୍ଟ ଡିଜିଟାଲ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସପୋର୍ଟ ଷ୍ଟାଫଙ୍କୁ କେନ୍ଦ୍ର ସରକାର ଆବଶ୍ୟକ ସହାୟତା ଯୋଗାଇବା ସହ ଦରମା ଅସଙ୍ଗତି ଦୂର ନକଲେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ସେମାନଙ୍କ ଦାବି ପୂରଣ କରିବେ ।

ଆଜି ବିଜୁ ଶ୍ରମିକ ସାମୁଖ୍ୟ ବ୍ୟାନରରେ ୧୦ ଦଫା ଦାବି ପୂରଣ ପାଇଁ ଅଲ୍ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ରାଜଧାନୀରେ ବିଶାଳ ସମାବେଶ କରିଥିଲେ । ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ନିକଟରେ ଚାପ ସୃଷ୍ଟି କରାଯାଇଥିଲା ।

ବଜେଟ୍ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା

ଭୁବନେଶ୍ୱର: ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଥିଲେ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ବିଧାୟକ ନେତା ନରସିଂହ ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।

ଏହାସହ ସିପିଆଇଏମ ବିଧାୟକ ଲକ୍ଷଣ ମୁଣ୍ଡା ମଧ୍ୟ ସାମିଲ ହୋଇଥିଲେ । ବଜେଟ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ବୈଠକରେ ଆଲୋଚନା ହୋଇଛି । ବିଧାନସଭାର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଆସନ୍ତକାଲିଠୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଇଲା ନୂଆ କୁଳପତି

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଇଲା ନୂଆ କୁଳପତି । ନୂଆ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ନୂଆ ଭିସି ଭାବେ ନିଯୁକ୍ତି ଦିଆଯାଇଛି ।

ଏବେ ବ୍ରହ୍ମପୁର ୟୁନିଭର୍ସିଟିର ଓଡିଆ ବିଭାଗ ମୁଖ୍ୟ ଅଛନ୍ତି ପ୍ରଫେସର ସ୍ୱାଇଁ । ଆଗାମୀ ୩ବର୍ଷ ପାଇଁ ସେ ଦାୟିତ୍ୱରେ ରହିବେ । ପ୍ରଫେସର ସ୍ୱାଇଁଙ୍କର ୩୧ବର୍ଷର ଶୈକ୍ଷିକ ଅଭିଜ୍ଞତା ରହିଛି । ସେ ୧୦ଟି ପୁସ୍ତକ ରଚନା କରିବା ସହ ୨ଡି.ଲିଟ୍, ୧୫ଟି ପିଏଚଡି ଓ ୫୬ଟି ଏମଫିଲ୍ ମେଧାବୀଙ୍କୁ ଗାଇଡ କରିଛନ୍ତି ।

ପ୍ରାୟ ୪ଲକ୍ଷ ଠକିନେଲେ ଭଣ୍ଡ ବାବା, ଗିରଫ କଲା ପୋଲିସ

କଟକ: ପୁଣି ଚୂନ ଲଗାଇଲେ ବାବା  । ଭକ୍ତଙ୍କୁ ଲୁଟୁଥିଲେ  ଭଣ୍ଡ ବାବା  । ଆଉ ଶେଷରେ ଜେଲ ଯିବାକୁ ପଡିଛି  । ଅର୍ଥାତ କଟକରୁ  ଗିରଫ ହୋଇଛନ୍ତି ଜଣେ ଭଣ୍ଡ ବାବା । ଏହି ଭଣ୍ଡବାବା ଦ୍ବାରା ବଡ଼ ଧରଣର ଆର୍ଥିକ ଠକେଇର ଶିକାର ହୋଇଛନ୍ତି କଟକର ଏକ ଦମ୍ପତି । ଭଣ୍ଡବାବା ଯାଜପୁର ଜିଲ୍ଲାର ସିଦ୍ଧେଶ୍ବର ସାମନ୍ତରାୟକୁ ଗିରଫ କରିଛି ପୋଲିସ ।

୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ଅଭିଯୋଗରେ କଟକ ବାଦାମବାଡ଼ି ଥାନାରେ ତାଙ୍କ ନାଁରେ ଏତଲା ଦିଆଯାଇଛି । ଅଭିଯୁକ୍ତ ନାଁରେ ଏକାଧିକ ଥାନାରେ ରହିଛି ମାମଲା । ବିଭିନ୍ନ ରୋଗ ଭଲ କରିବାକୁ କହି ଲୋକଙ୍କୁ ଠକୁଥିଲା ଅଭିଯୁକ୍ତ ।ଏପରି ବାବାମାନଙ୍କ ହାବୁଡ଼ରେ ନପଡ଼ିବାକୁ ଅଭିଯୋଗକାରୀ ସଂଗ୍ରାମ ଦାସ ଅପିଲ କରିଛନ୍ତି ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବାଲେଶ୍ବରରୁ ଋଷିକେଶ ଓ ହରିଦ୍ବାରକୁ ଯାଇଛନ୍ତି ୯୭୦ ଜଣ ବରିଷ୍ଠ ନାଗରିକ । ଏହି ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ୯୭୦ ଜଣ ତୀର୍ଥଯାତ୍ରୀ ବାଲେଶ୍ବରରୁ ତୀର୍ଥରେ ଯାଇଛନ୍ତି । ସେମାନଙ୍କ ସହ ୩୦ ଜଣ ଗାଇଡ ମଧ୍ୟ ତୀର୍ଥଯାତ୍ରୀଙ୍କୁ ସହଯୋଗ କରିବାକୁ ଯାଇଛନ୍ତି । ବାଲେଶ୍ବର ଷ୍ଟେସନରେ ତ୍ରୀର୍ଥଯାତ୍ରୀଙ୍କୁ ସ୍ବାଗତ କରାଯାଇଥଇଲା । ତୀର୍ଥ ସମୟରେ କଣ କରିବେ, କଣ ନକରିବେ ସେନେଇ ବରିଷ୍ଠ ନାଗରିକଙ୍କୁ ସୂଚନା ଦିଆଯାଇଛି ।

ଟୁଇଟର ପରେ ଫେସବୁକ ବିକ୍ରି କରିବ ବ୍ଲୁ-ଟିକ୍

ନନ୍ଦିଘୋଷ ବ୍ୟୁରୋ: ଟୁଇଟର ପରେ ଫେସବୁକ ବିକ୍ରି କରିବ ବ୍ଲୁ-ଟିକ । ଟଙ୍କା ଦେଇ ଆକାଣ୍ଟ ଭେରିଫାଏ କରିବା ସହ ବ୍ଲୁ ଟିକ୍ ପାଇପାରିବେ ୟୁଜର୍ସ । ଚଳିତ ସପ୍ତାହରୁ ଏହି ସେବା ଆରମ୍ଭ ହେବ ବୋଲି ଫେସବୁକ ଓ ଇନଷ୍ଟାରେ ପୋଷ୍ଟ କରି ସୂଚନା ଦେଇଛନ୍ତିଫେସବୁକ ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗ । କୌଣସି ବୈଧ ପରିଚୟ ପତ୍ର ବିନା ୟୁଜର୍ସ ଆକାଉଣ୍ଟ ଭେରିଫାଏ କରିପାରିବେ ନାହିଁ ।

ଓ୍ବେବ ୟୁଜର୍ସଙ୍କୁ ମାସିକ ୧୧.୯୯ ଡଲାର ଅର୍ଥାତ ପ୍ରାୟ ୧ହଜାର ଟଙ୍କା ଓ ଆଇଫୋନ ୟୁଜର୍ସଙ୍କୁ ୧୪.୯୯ ଅର୍ଥାତ ପ୍ରାୟ ୧୨ଶହ ଟଙ୍କା ମାସିକ ଦେବାକୁ ହେବ । ଏହି ସର୍ଭିସ ଲାଗୁ ହେବା ଦ୍ବାରା ଫେକ୍ ଆକାଉଣ୍ଟ ସମସ୍ୟା ରହିବ ନାହିଁ । ଏହାସହ ୟୁଜର୍ସ ସିଧାସଳଖ କଷ୍ଟମର ସପୋର୍ଟଙ୍କ ସହ ସମ୍ପର୍କ କରିପାରିବେ । ପ୍ରଥମେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡରେ ଏହି ସେବା ଆରମ୍ଭ ହେବ । ପରେ ଅନ୍ୟ ଦେଶରେ ଏହାକୁ ଆରମ୍ଭ କରାଯିବ ବୋଲି ଜୁକରବର୍ଗ କହିଛନ୍ତି । ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ ପାଇଁ ବ୍ଲୁ ଟିକ୍ ସେବା ଆରମ୍ଭ କରିବ ପ୍ୟାରେଣ୍ଟ କମ୍ପାନୀ ମେଟା ।