spot_img
Home Blog Page 3394

ପୁଣି ବଢ଼ିଲା କର୍ଣ୍ଣାଟକରେ ବିଜେପି ସଙ୍କଟ, ଦଳ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର

ବେଙ୍ଗାଲୁରୁ: ପୁଣି ବଢ଼ିଲା କର୍ଣ୍ଣାଟକରେ ବିଜେପି କ୍ରାଇସିସ୍ । ବିଜେପି ଛାଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର । ଟିକେଟରୁ ବଞ୍ଚିତ ସେଟ୍ଟର କିଛି ଦିନ ଧରି ହାଇକମାଣ୍ଡଙ୍କୁ ବିରୋଧ କରିଆସୁଥିଲେ । ବିଜେପି ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । କଂଗ୍ରେସ ସରକାର ଅମଳରେ ବିରୋଧୀ ଦଳ ନେତା ଭୂମିକା ତୁଲାଇଥିବା ସେଟ୍ଟରଙ୍କ ଲାଗି ଏବେ ଦଳୀୟ ନେତା ଚିନ୍ତାରେ ପଡ଼ିଛନ୍ତି ।

ତାଙ୍କ ବିରୋଧରେ ଦଳର ନେତାମାନେ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେଟ୍ଟର । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ସେ ଶେଷରେ ଇସ୍ତଫାର ପଥ ବାଛିଥିଲେ । ତେବେ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ସେଟ୍ଟର । ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି କେ ଏସ ଇଶ୍ୱରପ୍ପା । ସେହିପରି ବିଜେପିରୁ ଇସ୍ତଫା ଦେଇଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଡ଼ି ।

ସିବିଆଇ ଅଫିସରେ ହାଜର ହେଲେ କେଜ୍ରିଓ୍ୱାଲ, ସିବିଆଇ ଅଫିସ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଦିଲ୍ଲୀର ବିବାଦୀୟ ମଦ ନୀତି ମାମଲା । ସିବିଆଇ ଅଫିସରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସିବିଆଇ ଅଫିସ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କେଜ୍ରିଓ୍ବାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଧାରାସ୍ତାରେ ଅଟକାଇଛି । ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋଧି ରୋଡରେ ଧାରଣା ଦେଇଛନ୍ତି ଆପ୍ ନେତା । ସେପଟେ ସିବିଆଇରେ ହାଜର ହେବା ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ବିଜେପି ଓ କେନ୍ଦ୍ରୀୟ ଏଜେନ୍ସି ଉପରେ ବର୍ଷିଛନ୍ତି କେଜରିଓ୍ବାଲ । ୫ ମିନିଟ ୨୭ ସେକେଣ୍ଡର ଭିଡିଓରେ କେଜ୍ରିଓ୍ବାଲ କହିଛନ୍ତି, ଏହି ଲୋକମାନ ବହୁତ ଶକ୍ତିଶାଳୀ । ବିଜେପି ଇଙ୍ଗୀତରେ ସିବିଆଇ କାମ କରୁଛି । ମୋତେ ଗିରଫ କରିବାକୁ ବିଜେପି ନିର୍ଦ୍ଦେଶ ଦେଇଥାଇପାରେ । ସିବିଆଇ ବିଜେପି ଦ୍ବାରା ପରିଚାଳିତ ବୋଲି କେଜ୍ରିଓ୍ବାଲ କହିଛନ୍ତି । କେନ୍ଦ୍ର ସରକାର ସତ୍ତା ଲୋଭରେ ଏକଛତ୍ରବାଦ ଶାସନ ଚଲାଇଥିବା କହିଛନ୍ତି କେଜ୍ରିୱାଲ ।

ତେବେ ସିବିଆଇରେ ହାଜର ପୂର୍ବରୁ କେଜ୍ରିଓ୍ବାଲ ରାଜଘାଟରେ ପହଞ୍ଚି ଗାନ୍ଧିଜୀଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେପଟେ କେଜ୍ରିଓ୍ବାଲଙ୍କୁ ସମନକୁ ନେଇ ଆପ୍ ସମର୍ଥକ ଦିଲ୍ଲୀ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି । ପୋଲିସ କେତେଜଣ ପ୍ରତିବାଦକାରୀଙ୍କୁ ଉଠାଇନେଇଛି । ପୂର୍ବରୁ ସମାନ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।

 

ସୁନ୍ଦରଗଡ଼ ମେଡିକାଲ୍ କଲେଜରେ ନିଯୁକ୍ତି ନାଁରେ ଠକେଇ, ୪ ଜଣଙ୍କୁ ଗିରଫ କଲା ପୋଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜରେ ନିଯୁକ୍ତି ନାଁରେ ଠକେଇ । ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କୁ ସୁନ୍ଦରଗଡ ଟାଉନ୍ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ବିଭିନ୍ନ ପଦବୀରେ ଚାକିରି ଦେବା ନାମରେ କିଛି ଦଲାଲ ୧୭ ହଜାରରୁ ୭୦ ହଜାର ଟଙ୍କା ଠକି ନକଲି ନିଯୁକ୍ତି ପତ୍ର ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 

ୟୁପିରେ ଜଙ୍ଗଲରାଜ, ବନ୍ଧୁକ ମୁନରେ ଚାଲିଛି ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ:  ୟୁପିରେ ଜଙ୍ଗଲରାଜ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ବନ୍ଧୁକ ମୁନରେ ଚାଲିଛି ଉତ୍ତର ପ୍ରଦେଶ ସରକାର । ଗ୍ୟାଙ୍ଗଷ୍ଟର ବ୍ରଦର୍ସଙ୍କୁ କଡ଼ା ସୁରକ୍ଷା ଭିତରେ ହତ୍ୟା ପରେ ୟୁପି ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ସରକାରଙ୍କୁ ଉତ୍ତରଦାୟୀ କରିବା ସହ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ବିରୋଧୀ । ନ୍ୟାୟିକ ବ୍ୟବସ୍ଥା ଉପରେ ସରକାରଙ୍କର ଭରସା ନାହିଁ ବୋଲି କହିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ । ସେପଟେ ଅତିକକୁ ହତ୍ୟା ପରେ ୟୁପିର କିଛି ସ୍ଥାନରେ ଆତସବାଜୀ କରାଯିବା ସହ ସେଲିବ୍ରେସନ କରାଯିବା ନିନ୍ଦନୀୟ ବୋଲି ଓଓ୍ୱେସୀ କହିଛନ୍ତି । ଯେଉଁ ରାଜ୍ୟରେ ହତ୍ୟାକରୀଙ୍କୁ ହିରୋ ଆଖ୍ୟା ଦିଆଯାଏ, ସେହି ସମାଜରେ କୋର୍ଟ ଓ ନ୍ୟାୟପାଳିକାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି ଓଓ୍ୱେସୀ ।

ଅନ୍ୟପକ୍ଷରେ ଟ୍ୱିଟ୍ କରି ସିଧା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । କଡ଼ା ସୁରକ୍ଷାରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ଅଖିଳେଶ । ଜାଣିଶୁଣି ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ଅଖିଳେଶ ଟ୍ବିଟ୍ କରିଛନ୍ତି । ଏଭଳି ଜଘନ୍ୟ ଅପରାଧ ପାଇଁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରିଦିଆଯାଏ ବୋଲି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ୟୁପି ସରକାରରେ ଆଇନ ବ୍ୟବସ୍ଥା ଉପରେ ଏହା ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମାୟାବତୀ କହିଛନ୍ତି ।

ସେପଟେ ୟୁପିରେ ଧ୍ୱସ୍ତ ଆଇନଶୃଙ୍ଖଳାକୁ ନେଇ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ସରକାରଙ୍କର ଦାୟିତ୍ୱ । ହେଲେ ସରକାର ଏଥିରେ ବିଫଳ ହୋଇଛନ୍ତି । ୟୁପିରେ ଯାହା ଘଟୁଛି ତା’ ଉପରେ ପୁରା ଦେଶର ନଜର ରହିଛି ବୋଲି ଗେହେଲଟ କହିଛନ୍ତି । ସେହିପରି ଆଇନଶୃଙ୍ଖଳା ଓ ନ୍ୟାୟିକ ପ୍ରକ୍ରିୟାର ଉଲ୍ଲଂଘନ କରିବା ଗଣତନ୍ତ୍ର ପାଇଁ ଉଚିତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସମ୍ବିଧାନର ରକ୍ଷା କରିବା ସହ ଅପରାଧୀକୁ କଠୋର ଶାସ୍ତି ମିଳିବା ଦରକାର । ମାତ୍ର ଦେଶର ଆଇନଶୃଙ୍ଖଳା ବଜାୟ ରଖିବା ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି । ୟୁପିରେ ସମ୍ବିଧାନ, ଲୋକତନ୍ତ୍ର ଓ ଆଇନ ବ୍ୟବସ୍ଥାର ଏନକାଉଣ୍ଟର କରାଯାଇଛି । ସରକାର ଏହାର ଜବାବ ଦିଅନ୍ତୁ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି କହିଛନ୍ତି ଜେଡିୟୁ ନେତା ନିରଜ କୁମାର ।

ନୂଆପଡ଼ା ସିଲିଆରିବାହାରାରେ ବାଘ ଆତଙ୍କ, ଗାଈକୁ ଶିକାର କରି ଜଗିଛି କଲରା ପତରିଆ

ନୂଆପଡ଼ା: ନୂଆପଡ଼ା ସିଲିଆରିବାହାରାରେ ବାଘ ଭୟ । ଗାଈକୁ ଶିକାର କରି ଜଗିଛି ବାଘ । ମୋବାଇଲରେ କଏଦ ହୋଇଛି କଲରାପତରିଆର ଚିତ୍ର । ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନର ମୂଷରୀଙ୍ଗ ସଂରକ୍ଷିତ ଜଙ୍ଗଲ ସ୍ଥିତ ସିଲିଆରିବାହାରା ଗାଁରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଗାଈକୁ ଶିକାର କରି ଶିକାରକୁ ଜଗି ରହିଥିଲା । ଏହି କଲରାପତରିଆ ବାଘର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି । ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ଆସି ବାଘ ଶିକାର ପାଇଁ ଜଗି ରହିଥିଲା । ଜଙ୍ଗଲରେ ଗାଈକୁ ବାଘ ଶିକାର କରି ଖାଇଥିଲା । ହେଲେ ଗାଈକୁ ଖାଇବା ପରେ ବାଘ ଜଙ୍ଗଲକୁ ଯାଇ ପାରିନଥିଲା । ସ୍ଥାନୀୟ ଯୁବକ ବାଘର ଫଟୋ ଓ ଭିଡିଓ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି । ବନଖଣ୍ଡ ଅଧିକାରୀ ସୁଶୀଲ ତ୍ରିପାଠୀଙ୍କ ସମେତ ଏକ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ଶିକାର ପରେ ଦୁଇ ବାଘ ମଧ୍ୟରେ ଲଢେଇ ଯୋଗୁ ବାଘ ଥକି ଥିବା ଅନୁମାନ କରିଛି ବନବିଭାଗ ।

ସ୍ବାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର, ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ

ସମ୍ବଲପୁର: ସ୍ୱାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର । ସମ୍ବଲପୁରରେ  କର୍ଫ୍ୟୁ ଭିତରେ ଆରମ୍ଭ ହୋଇଛି  CDS ଓ ASO ପରୀକ୍ଷା ।  ପରୀକ୍ଷାର୍ଥୀ କିଭଳି ଭାବେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାଇ ପରୀକ୍ଷା କେନ୍ଦ୍ରକୁ ବିନା ଅସୁବିଧାରେ ପହଂଚି ପାରିବେ ସେନେଇ ତମାମ ବ୍ୟବସ୍ଥା କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାର ପରୀକ୍ଷାର୍ଥୀ ସମ୍ବଲପୁର ଆସୁଥିବାବେଳେ ସେମାନଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିବା ଦେଖିବାକୁ ମିଳିଛି ।  ମୋଟ ୪ଟି ବସର ବ୍ୟବସ୍ଥା କରାଯାଇ ମୁଖ୍ୟ ଷ୍ଟେସନ ଓ ସିଟି ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କ ସମସ୍ତ ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କର୍ଫ୍ୟୁ କୋହଳ ବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣିପାରିବେ ।

ଗତକାଲି ସମ୍ବଲପୁରକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି ସୁନୀଲ ବଂଶଲ । ବିଭିନ୍ନ ସ୍ଥାନକୁ ଯାଇ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ । ଖୁବଶୀଘ୍ର ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରିବ ବୋଲି ଡିଜିପି କହିଛନ୍ତି । ହିଂସା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି କଠୋର ହେବ ପୋଲିସ । ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଡିଜିପି । ଅନ୍ୟପଟେ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ । ସେପଟେ ବାଇକ ରାଲି ବେଳେ ଗଣ୍ଡଗୋଳ ଘଟଣାରେ ୨୬ ଜଣ ଗିରଫ ହୋଇଥିବାବେଳେ ଶୁକ୍ରବାର ପୋଡ଼ାଜଳା ଓ ହିଂସାରେ ୩୦ ଜଣ ଗିରଫ ହୋଇଛନ୍ତି  । ଆଉ ୫୦ ଜଣଙ୍କ ତାଲିକା ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ  । ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଥିବା କହିଛନ୍ତି ଏସପି ।

କେନ୍ଦୁଝରରେ ଗାଁ ସୀମାକୁ ନେଇ ଗଣ୍ଡଗୋଳ, ଦୁଇ ପଡୋଶୀ ଗାଁ ମଧ୍ୟରେ ସଂଘର୍ଷ

କେନ୍ଦୁଝର: କେନ୍ଦୁଝରରେ ଗାଁ ସୀମାକୁ ନେଇ ଗଣ୍ଡଗୋଳ । ଦୁଇ ପଡୋଶୀ ଗାଁ ଭିତରେ ସଂଘର୍ଷରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଥିସହ ୨ଟି କାର୍, ୧୦ଟି ବାଇକ୍ ସହ ୨୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଛି । କେନ୍ଦୁଝର ଜିଲ୍ଲାର ସୀମାନ୍ତ ଗାଁ ଓରାଳି ଓ ଭଦ୍ରକ ଜିଲ୍ଲାର ସୀମାନ୍ତ ଗାଁ ଆପଣ୍ଡା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପୂର୍ବରୁ ବିବାଦ ଲାଗିଥିଲା । ହେଲେ ଗତକାଲି ସଂଘର୍ଷ ଉଗ୍ର ରୂପ ଧାରଣ କରିଥିଲା । ୫୩ ନମ୍ବର ରାଜ୍ୟ ରାଜପଥର ଓରାଳି ଛକ ନିକଟରେ ଓରାଳି ଗାଁର ସୂଚନା ଫଳକ ଲାଗିଥିବା ବେଳେ, ଏହି ଛକଟି ଭଦ୍ରକ ଜିଲ୍ଲାର ଓ ଆପଣ୍ଡା ଗାଁର ବୋଲି ଦାବି କରି ଆପଣ୍ଡା ଗ୍ରାମବାସୀ ଅନ୍ୟ ଏକ ସୂଚନା ଫଳକ ଲଗାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା ।

ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳରେ ଓରାଳି ସରପଞ୍ଚଙ୍କ କାର୍ ସହ ତାଙ୍କ ଘର ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆପଣ୍ଡା ଗାଁର ଅଧିକାଂଶ ଦୋକାନୀଙ୍କ ଦୋକାନ ଜାଳି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଆଜି କେନ୍ଦୁଝର ଜିଲ୍ଲାର ଓରାଳି- ଶାଳଣିଆ ରାସ୍ତାକୁ ଆପଣ୍ଡା ଗ୍ରାମବାସୀ ବନ୍ଦ କରି ରଖିଛନ୍ତି । ଭଦ୍ରକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।

ଲୋକସେବା ଭବନରେ ୧୪ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ୧୪ଟି ଦେଶର ମନ୍ତ୍ରୀ, ସାଂସଦଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ନୀତି ପରାମର୍ଶଦାତାଙ୍କ ସହ ମଧ୍ୟ ଆଲୋଚନା କଲେ ନବୀନ । ଏହି ଅବସରରେ ରାଜ୍ୟର କଳା, ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ବିବରଣୀ ଦେଲେ । ଓଡ଼ିଶା ସବୁ କ୍ଷେତ୍ରରେ ପ୍ରଭାବ ପକାଇବା ଭଳି ବିକାଶ କରୁଛି । ଅର୍ଥ ବ୍ୟବସ୍ଥା ଓ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାର ଅଧିକ ବିକାଶ ହୋଇଛି । ଭାରତ ୭୫ ବର୍ଷ ଧରି ଏକ ଗଣତାନ୍ତ୍ରିକ ପରମ୍ପରାରେ ପରିଚାଳିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କଲେ ୧୪ ଦେଶର ପ୍ରତିନିଧି । ଏସିଆ କନେକ୍ଟ ସେଣ୍ଟରର ପ୍ରଫେସର ଡ. ରୋଜର ମୋଜର, ସୁଇଜରଲାଣ୍ଡର ସୋଭିନାର ଭର୍ଦନିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଆର୍ମେନିଆ ସାଂସଦ ଡିମିଟାର ତାସେଭ, ବୁଲଗେରିଆ ସାଂସଦ ୟୁଲିଆ କ୍ଲେମନକୋ, ୟୁକ୍ରେନ ଓ ସ୍ଲୋଭାକିଆ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ଆଜିଠୁ ରାଜ୍ୟରେ ବଦଳିବ ପାଗ, ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ପୂର୍ବ ଝାଡଖଣ୍ଡରୁ ବାହାରି ଓଡ଼ିଶା ମଧ୍ୟଦେଇ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଏବଂ ଗୁରୁଚାପବଳୟ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଆଜି ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ ସମେତ ୨୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୦ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ତେବେ ବର୍ଷା ସତ୍ତ୍ବେ ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହିବ ପାରଦ । ଏଥିପାଇଁ ୯ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି କରାଯାଇଛି ।

 

ଦିଲ୍ଲୀ ମଦ ନୀତି ମାମଲା, ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା । ଆଜି ସିବିଆଇରେ ହାଜରେ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମଦ ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଜେରା କରିବ ସିବିଆଇ । ଦିନ ୧୧ଟାରେ ସିବିଆଇରେ ହାଜର ହେବେ କେଜ୍ରିଓ୍ବାଲ । ଏଥିପାଇଁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ମଦ ନୀତି ପରିବର୍ତ୍ତନ ନିଷ୍ପତ୍ତି, କିକବ୍ୟାକ ଆଦି ଅଭିଯୋଗ ସମ୍ପର୍କରେ ତଦନ୍ତକାରୀ ଦଳ କରିବ ଖୋଳତାଡ଼ । କୌଣସି ଏକ ମାମଲାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ କରିବା ନିକଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।

ସେପଟେ ହାଜର ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ସିବିଆଇ ଓ ଇଡି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମଦ ନୀତି ମାମଲାରେ ସିବିଆଇ ଓ ଇଡି ମିଛ ଅଭିଯୋଗ କରିଛନ୍ତି । ବିଭିନ୍ନ ମିଛ ଅଭିଯୋଗ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫସାଇ ଦିଆଯାଇଛି । ଏପରିକି ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ମିଛ ସତ୍ୟପାଠ ବି ଦାଖଲ କରିଛନ୍ତି । ବାରମ୍ବାର ରେଡ୍ ପରେ ବି ଦୁଇ ସଂସ୍ଥା କିଛି ପାଇନାହାନ୍ତି । ବହୁ ନେତାଙ୍କୁ ଏହି ଦୁଇ ସଂସ୍ଥା ମାନସିକ, ଶାରୀରିକ  ନିର୍ଯାତନା ଦେଉଛନ୍ତି । ସେପଟେ ସିବିଆଇ କହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ରବିବାର ଜେରା ଲାଗି ନିର୍ଦ୍ଦେଶ ଦିଆଯାଇଛି ।