କେରଳ ମଲପ୍ପୁରମରେ ପର୍ଯ୍ୟଟକ ଡ଼ଙ୍ଗା ଓଲଟି ୨୨ଜଣଙ୍କ ସଲୀଳ ସମାଧି

ଥିରୁଅନନ୍ତପୁରମ : ଅବହେଳାରୁ ଅଘଟଣ । କେରଳ ମଲପ୍ପୁରମର ଥୁବାଲଥେରମ ବିଚ ନିକଟରେ ଡଙ୍ଗା ଓଲଟି ୨୨ ପର୍ଯ୍ୟଟକ ମୃତ । ଅନୁମତି ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଡଙ୍ଗା । ସନ୍ଧ୍ୟା ୫ଟା ପରେ ଡଙ୍ଗା ଚଳାଚଳ ବନ୍ଦ ଥିବା ବେଳେ କାହିଁକି ପର୍ଯ୍ୟଟକଙ୍କୁ ଡଙ୍ଗାରେ ନିଆଯାଉଥିଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ୨୨ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ରବିବାର ରାତିରେ ଦୁର୍ଘଟଣା ଘଟିଥିବା ବେଳେ ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

ଡଙ୍ଗା ବୁଡ଼ି ପରେ ୮ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ୫ଜଣ ପହଁରି ପହଁରି କୂଳରେ ପହଞ୍ଚିଥିଲେ । ୧୦ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନଡିଆରଏଫ, କୋଷ୍ଟ ଗାର୍ଡ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବାହିନୀ ଓ ସ୍କୁବା ଡାଇଭିଂ ଟିମ୍ ପକ୍ଷରୁ ଏବେ ବି ରେସ୍କ୍ୟୁ ଅପରେସନ ଜାରି ରହିଛି । ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ । ଆଜି ସକାଳୁ କେରଳ ଜଙ୍ଗଲ ମନ୍ତ୍ରୀ ଏ କେ ଶଶୀନ୍ଦ୍ରନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ।

କେରଳର ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଓ ବିରୋଧୀ ଦଳ ନେତା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ । ସେପଟେ ଡଙ୍ଗା ବୁଡ଼ି ଘଟଣାରେ ଶୋକ ବ୍ୟକ୍ତ କରିବା ସହ କଂଗ୍ରେସ କର୍ମକର୍ତ୍ତା ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଟୁଇଟ କରିଛନ୍ତି ରାହୁଲ ଗାନ୍ଧୀ । ଆଜି କେରଳରେ ସବୁ ସରକାରୀ କାର୍ଯ୍ୟ ରଦ୍ଦ କରାଯାଇଛି ।