spot_img
Home Blog Page 3342

ଆଜି ଉପସ୍ଥାପନ ହେବ ୨୦୨୩-୨୪ ବଜେଟ୍ ଉପରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ

ଭୁବନେଶ୍ବର : ଆଜିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ୨୦୨୩-୨୪ ପାଇଁ ଆଗତ ୨ ଲକ୍ଷ ୩୦ ହଜାର କୋଟିର ବାର୍ଷିକ ବଜେଟ୍ ଉପରେ ଗୃହରେ ବିଭାଗୀୟ ଷ୍ଟାଣ଼୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମଧ୍ୟ ସରଗରମ ରହିବ । ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ ।

ଆଇନ ଶୃଙ୍ଖଳା ନାଁରେ ରାଜରାସ୍ତାରେ ଅରାଜକତା କରିଥିବା ବିରୋଧୀଦଳ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଗୃହ ଅଚଳ କରିବାକୁ ରଣନୀତି କରିଛି । ସେପଟେ ଗ୍ୟାସ ଦର ବୃଦ୍ଧି, କୃଷକ ମାରଣ ନୀତି ପ୍ରସଙ୍ଗରେ ବିଜେପିକୁ ଘେରିବ ବିଜେଡି । ମାର୍ଚ୍ଚ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା । ୧୩ ତାରିଖ ସୋମବାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ୧୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବ । ମାର୍ଚ୍ଚ ୩୧ ତାରିଖରେ ଗୃହରେ ପାରିତ ହେବ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ।

ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ; ଉଦଘାଟନ କରିବେ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ

ରାଉରକେଲା :  ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୨୦ ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ଯାଇ ନବନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର କରିବେ ଶୁଭ ଉଦଘାଟନ । ସେଠାରେ ୧୦ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପ୍ଲେକ୍ସ ଓ ୧୮୦ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକାର୍ପଣ କରିବେ ।

ଏହାସହ ଜିଲ୍ଲାର ବିକାଶ ପାଇଁ ୯୦୦କୋଟି ଟଙ୍କାର ୬୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହକି ତାଲିମ କେନ୍ଦ୍ର ଲୋକାର୍ପଣ ପରେ ୫ଟା ୫୦ ମିନିଟରେ ଓ୍ବାର୍ଲଡ କପ ଭିଲେଜ ଆସିବେ ନବୀନ । 6 ଟା 55 ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେବେ ।

ଏହା ସହ ଏଚଆଇ ଅଫିସିଆଲ୍ସଙ୍କୁ ସମ୍ମାନିତ କରିବେ । ଏହି ଅବସରରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଗିନିଜ ବୁକ ରେକର୍ଡ ଗ୍ରହଣ କରିବେ ନବୀନ । ପରେ ଓ୍ବାର୍ଲ୍ଡ କପ ଭିଲେଜରେ ରାତ୍ରୀ ଯାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପୂର୍ବରୁ ଉତ୍କଣ୍ଠାରେ ରାଉରକେଲାବାସୀ । ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଆଜିଠୁ ମାଟ୍ରିକ୍ ପରୀକ୍ଷା ; ସକାଳ ୮ଟାରୁ ୧୦ଟା ଯାଏ ଚାଲିବ ପରୀକ୍ଷା

ଭୁବନେଶ୍ବର : ଆଜିଠୁ ମାଟ୍ରିକ୍ ପରୀକ୍ଷା । ଚଳିତବର୍ଷ ଦ୍ବିତୀୟ ସମ୍ମେଟିଭ ପରୀକ୍ଷା ଦେବେ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ । ଆଜି ପ୍ରଥମ ଦିନରେ ରହିଛି ମାତୃଭାଷା ପରୀକ୍ଷା । ସକାଳ ୮ଟାରୁ ୧୦ଟା ଯାଏ ପରୀକ୍ଷା ହେବ । ଘଣ୍ଟାଏ ପୂର୍ବରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ପରୀକ୍ଷାକେନ୍ଦ୍ରକୁ ପେନ୍, ଆଡମିଟ କାର୍ଡ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ରହିଛି ।

ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି । ମୋଟ ୩ ହଜାର ୨୧୮ ସେଣ୍ଟରରେ ପରୀକ୍ଷା ହେବାକୁ ଥିବାବେଳେ ୩୧୬ଟି ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର । ମାଓ ଉପଦ୍ରୁତ ଅଞ୍ଚଳର ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।

ସକାଳେ ଷ୍ଟ୍ରଙ୍ଗ୍ରୁମରୁ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ଯେଉଁ ସେଣ୍ଟରରେ ସମ୍ମିଟିଭ-୧ ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ ୨ ପରୀକ୍ଷା କରାଯାଉଛି । ପୂର୍ବବର୍ଷ କପି ହୋଇଥିବା ସେଣ୍ଟରଗୁଡ଼ିକୁ ପରିବର୍ତ୍ତନ କରାଯାଇଛି । କପି ରୋକିବାକୁ ବିଶେଷ ପଦକ୍ଷେପ ନେଇଛି ବୋର୍ଡ ।

ମୋଟ୍ ୭୪ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ସେଥିରୁ ବୋର୍ଡ ପକ୍ଷରୁ ୩୬ଟି ସ୍କ୍ୱାଡ୍ କରାଯାଇଛି । ଏହାଛଡ଼ା ୫୭ଟି କେନ୍ଦ୍ରୀୟ ସ୍କ୍ୱାଡ୍ ପରୀକ୍ଷା କେନ୍ଦ୍ରକୁ ଯାଇ ଚେକିଂ କରିବେ । ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।

ଜାମିନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆ ଗିରଫ

ନୂଆଦିଲ୍ଲୀ: ଜାମିନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆ ଗିରଫ । ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ ଗିରଫ କରିଛି । ତିହାର ଜେଲରେ ଦ୍ୱିତୀୟ ଥର ପାଇଁ ମାରାଥନ ପଚରାଉଚରା କରିଥିଲା ଇଡି । ଦୀର୍ଘ ୭ ଘଣ୍ଟାର ଜେରା ପରେ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଅନ୍ୟପଟେ ସିସୋଦିଆଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । କହିଛନ୍ତି, ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ । କୌଣସି ପ୍ରମାଣ ମିଳିନଥିଲା । ଏପରିକି ତଦନ୍ତ ସମୟରେ କୌଣସି ଟଙ୍କା ବି ମିଳିନଥିଲା । ଆସନ୍ତାକାଲି ଜାମିନ ଆବେଦନର ଶୁଣାଣି ଥିଲା । ଏପରିକି ସିସୋଦିଆଙ୍କୁ ଜାମିନ ମିଳିଥାନ୍ତା ବୋଲି କହିଛନ୍ତି କେଜରିଓ୍ବାଲ । ହେଲେ ଏହା ପୂର୍ବରୁ ସିସୋଦିଆଙ୍କୁ ଗିରଫ କରିଛି ଇଡି । ସିସୋଦିଆଙ୍କୁ ଜେଲରୁ ବାହାର ନକରାଇ ଦେବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ବୋଲି କହିଛନ୍ତି ଅରବିନ୍ଦ କେଜରିଓ୍ବାଲ ।

ସିବିଆଇ ଫେବୃଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଦିଲ୍ଲୀ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ଯାଏ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଅନ୍ୟପଟେ ତିହାର ଜେଲରେ ଥିବା ମନୀଷ ସିସୋଦିଆଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛି ଆମ୍ ଆଦମୀ ପାର୍ଟି । ସିସୋଦିଆଙ୍କୁ ହତ୍ୟା କରିବାକୁ ଯୋଜନା ହେଉଥିବା ଆପ୍ ଅଭିଯୋଗ କରିଛି ।

କଂଗ୍ରେସରେ ଲୋକଙ୍କ ପୁନଃଆସ୍ଥାଭାଜନ ହେଲା ଭଳି ନେତା ଦଳରେ ନାହାନ୍ତି: ମହମ୍ମଦ ମୋକିମ

ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱଙ୍କୁ ଦଳର ବିଧାୟକ ମହମ୍ମଦ ମୋକିମଙ୍କ ତେରେଚ୍ଛା ବାଣ । ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ କୁମାର ବିଶ୍ୱାଳ ଓ ହେମାନନ୍ଦ ବିଶ୍ୱାଳଙ୍କ ପରେ କଂଗ୍ରେସରେ ଚେହେରା ନାହାନ୍ତି । ଏଭଳି ନେତୃତ୍ୱ ନଥିବାରୁ ଦଳ ଶୁପ୍ତ ଅବସ୍ଥାକୁ ଆସିଗଲାଣି । କଂଗ୍ରେସ ଲୋକଙ୍କ ପୁନଃଆସ୍ଥାଭାଜନ ହେଲା ଭଳି ଦଳରେ ନେତା ନାହାନ୍ତି । ମୋକିମ କହିଛନ୍ତି, ମୁଁ କଂଗ୍ରେସରେ ଅଛି । ବିଗତ ଦିନରେ ମୁଁ ସତ୍ୟ ପରିପ୍ରକାଶ କରିଛି । ଆଲୋଚନା ହୋଇଛି । ଆଶା କରିବି, କଂଗ୍ରେସର ବରିଷ୍ଠ ନେତାମାନେ ଜାଗ୍ରତ ହୁଅନ୍ତୁ । ସମୟ କମ୍‌, ସମୟ ଚାଲିଗଲେ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହେବ । ଦଳକୁ ଟ୍ରାକ୍‌କୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ ହେବ । କଂଗ୍ରେସ ନେତା କଂଗ୍ରେସ ଭବନରେ ନ ବସି ଫିଲ୍ଡରେ ପରିଶ୍ରମ କରନ୍ତୁ ବୋଲି ମୋକିମ କହିଛନ୍ତି ।

ସେପଟେ ମୋକିମଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଯାହା ଅନୁଭବ କରିଥିବେ ତାହା କହିଥିବେ । ପୂର୍ବରୁ ସଂଖ୍ୟା ହେଉଥିଲା ବୋଲି କେହି କହୁନଥିଲେ । ଏବେ ଦଳର ସଂଖ୍ୟା ହେଉନଥିବାରୁ ସେ କହୁଛନ୍ତି । ଧୀରେ ଚାଲୁଥିବା ଗାଡ଼ି ଯେ ଜୋରରେ ଚାଲିବନି ତା’ ନୁହେଁ । ୨୦୨୪ରେ କଂଗ୍ରେସ ସରକାର ଗଠନ କରିବା ଅସମ୍ଭବ ନୁହେଁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ୬ ଓଡ଼ିଆ

ଭୁବନେଶ୍ୱର: ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ୬ ଓଡ଼ିଆ । ‘ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ’ ନାମକ ପ୍ରୋଜେକ୍ଟ ପାଇଁ ଆମେରିକା ବିଦେଶ ବିଭାଗ ପକ୍ଷରୁ ଏହି ୬ ଓଡ଼ିଆଙ୍କୁ ମନୋନୀତ କରାଯାଇଛି । ଏହି ୬ ଜଣ ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍ ଷ୍ଟେଟସ୍ ଇଣ୍ଟରନ୍ୟାସନାଲ୍ ଭିଜିଟର୍ ଲିଡରସିପ୍ ପ୍ରୋଗ୍ରାମରେ ଯୋଗ ଦେବ । ଏହି ୬ ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟର ସଂଯୋଜକ ସୌମ୍ୟ ରଞ୍ଜନ ବିଶ୍ୱାଳ, ଗିପ୍ଟ କ୍ରପର ପ୍ରତିଷ୍ଠାତା ସସ୍ମିତା ମହାପାତ୍ର, ଗୁପ୍ତେଶ୍ୱର ହର୍ବାଲ ମେଡିସିନ୍ ଓ ଟ୍ରାଡିସନାଲ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ସଂପାଦକ ହରି ପାଙ୍ଗୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବସୁନ୍ଧରାର ରିସର୍ଚ୍ଚ ଅଫିସର ଅର୍ଚ୍ଚନା ସୋରେଙ୍ଗ ଓ ’ସମ୍ବାଦ’ର ବ୍ୟୁରୋ ଚିଫ୍ ଭବାନୀ ଶଙ୍କର ତ୍ରିପାଠୀ । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ୍ ୧ ତାରିଖ ଯାଏଁ ଚାଲିବ ।

ଆମେରିକାର ଜଳବାୟୁ ପରିବର୍ତ୍ତନ ନୀତିର ପ୍ରଭାବ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଉପରେ ରହିଛି । ଏହାର ଏକମାତ୍ର କାରଣ ହେଉଛି ଚୀନ୍ ପରେ ଗ୍ରୀନ ହାଉସ୍ ଗ୍ୟାସ ନିର୍ଗତ କରିବାରେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ଦେଶ ଅପେକ୍ଷା ଆମେରିକା ୪୦୦ ବିଲିୟନ୍ ମେଟ୍ରିକ୍ ଟନରୁ ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ କରିଥାଏ । ଏଥିସହିତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସମ୍ପର୍କରେ ସ୍ଥାନୀୟ ସରକାର, ବେସରକାରୀ ସଙ୍ଗଠନ, ଗଣମାଧ୍ୟମ ଓ ବିଶେଷ କରି ସୋସିଆଲ୍ ମିଡିଆର ମହତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଏହି ୬ ଜଣିଆ ଓଡ଼ିଆ ପ୍ରତିନିଧି ଦଳ ଅଧ୍ୟୟନ କରିବେ । ମନୋନୀତ ପ୍ରତିନିଧିମାନେ ପରିବେଶ ସୁରକ୍ଷା ଓ ଜଳବାୟୁ ସଂରକ୍ଷଣ ଉପରେ ବେଶ କାମ କରିଛନ୍ତି । ଆମେରିକାରେ ଆମ ମାନଙ୍କର ଅଭିଜ୍ଞତା ରାଜ୍ୟର ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଅଲିଭ ରିଡଲେଙ୍କ ସଂରକ୍ଷଣ ଉପରେ କାମ କରୁଥିବା ଅସ୍ତରଙ୍ଗର ସୗେମ୍ୟରଂଜନ ବିଶ୍ବାଳ କହିଛନ୍ତି ।

ପ୍ରତିବର୍ଷ ଆମେରିକାର ଦୂତାବାସ ଦ୍ୱାରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁଥିବା ପ୍ରତିନିଧିମାନଙ୍କୁ ଚୟନ କରାଯାଇଥାଏ । IVLP ମାଧ୍ୟମରେ ୨୫୦,୦୦୦ରୁ ଉର୍ଦ୍ଧ୍ୱ ବିଦେଶୀ ଆମେରିକାର ଲୋକଙ୍କ ସହିତ ସରକାରୀ ଅଧିକାରୀମାନଙ୍କ ସହ ଯୋଡି ହୋଇଥାନ୍ତି ।

 

ଆନ୍ଦୋଳନକୁ ଓହ୍ଲାଇଲେ ଟାଟା ପାୱାର ଅଧୀନରେ କାମ କରୁଥିବା ଠିକା ଶ୍ରମିକ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇଲେ ବିଦ୍ୟୁତ ବିଭାଗରେ ଟାଟା ପାୱାର ଅଧୀନରେ କାମ କରୁଥିବା ଠିକା ଶ୍ରମିକ । ଭୁବନେଶ୍ୱର ପାଓ୍ବାର ହାଉସ ଛକରେ ଥିବା ଟାଟା ପାଓ୍ବାରର କର୍ପୋରେଟ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ବିଭିନ୍ନ ଜିଲ୍ଲାର କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମାନ କାମକୁ ସମାନ ଦରମା ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭକୁ ଓହ୍ଲାଇଛନ୍ତି ୯ଟି ଜିଲ୍ଲାର ପ୍ରାୟ ୩ ହଜାର କମର୍ଚାରୀ ।

ସେସୁ ହାତରୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର ନେବା ବେଳେ ଠିକା ଶ୍ରମିକଙ୍କ କଥା ବୁଝି ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ଟାଟା ପାଓ୍ବାର ଠିକା ଶ୍ରମିକଙ୍କୁ ଶୋଷଣ କରୁଛି ବୋଲି ଅଭିଯୋଗ କରିଛି ଶ୍ରମିକ ସଂଘ । ତୃତୀୟ ପକ୍ଷ ମାଧ୍ୟମରେ ଠିକା ଭାବେ କାମ କରି ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଉଥିବା ଯୁକ୍ତି ବାଢିଛନ୍ତି ଠିକା ଶ୍ରମିକ । ସଂଘ ପକ୍ଷରୁ ସ୍ମାରକ ପତ୍ର ଦେବା ପରେ ଟାଟା ପାୱାରର ଅତିରିକ୍ତ ସିଇଓଙ୍କ ସହ କର୍ମଚାରୀ ପ୍ରତିନିଧିଙ୍କ ଆଲୋଚନା ହୋଇଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରିନାହିଁ । ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଡିଭିଜନ କାର୍ଯ୍ୟାଳୟ ଆଗରେ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ଆନୁଷଙ୍ଗିକ ଭତ୍ତା ଦାବିରେ ଆନ୍ଦୋଳନ କରିବ ମହାସଂଘ ।

 

ନିର୍ବାଚନୀ ରାଜ୍ୟରେ ବିଜେପି ପୂର୍ବରୁ ଇଡି, ସିବିଆଇ ପହଞ୍ଚିଯାଏ: କେ. କବିତା

ହାଇଦ୍ରାବାଦ: ଇଡିରେ ହାଜର ପୂର୍ବରୁ ମିଡିଆରେ ରିଆକ୍ସନ । ଇଡିର ତରବରିଆ ଡାକରାକୁ ନେଇ ବର୍ଷିଲେ କେ. କବିତା । କାହିଁକି ସପ୍ତାହେ ସମୟ ଦିଆଗଲାନି ବୋଲି ପ୍ରଶ୍ନ କରିଛନ୍ତି କବିତା ? ସର୍ଟ ନୋଟିସରେ ସମନ ପଛରେ ରାଜନୈତିକ ଅଭିସନ୍ଧି ବୋଲି କବିତା କହିଛନ୍ତି । ବିଆରଏସ୍ ନେତ୍ରୀଙ୍କୁ ସମନ ପରେ ରାଜନୀତି ପାରା ହାଇ ହୋଇଛି । ନିର୍ବାଚନୀ ରାଜ୍ୟରେ ବିଜେପି ପୂର୍ବରୁ ଇଡି, ସିବିଆଇ ପହଞ୍ଚିଯାଏ ବୋଲି କହିଛନ୍ତି କବିତା । ଆଗକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ରୀୟ ଏଜେନ୍ସିର ଉପସ୍ଥିତି ସାଧାରଣ କଥା । ବିଆରଏସର ୧୫ରୁ ୧୬ ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ରାଜନୈତିକ ପ୍ରତିଦ୍ୱନ୍ଦ୍ବୀଙ୍କ ବିରୋଧରେ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରୁଛି ବୋଲି କବିତା କହିଛନ୍ତି ।

ଦିଲ୍ଲୀ ମଦ ନୀତିର ସାଉଥ କନେକ୍ସନ ! ଇଡି ଲେନ୍ସରେ କାହିଁକି କେସିଆରଙ୍କ ଝିଅ କେ କବିତା? ଲିକର ପଲିସିରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ରାମଚନ୍ଦ୍ର ପିଲାୟୀଙ୍କ ସହ କବିତାଙ୍କ ଲିଙ୍କ୍ ନେଇ ଜେରା କରିବ ଇଡି । କବିତାଙ୍କ ଇଣ୍ଡୋସ୍ପିରିଟ କମ୍ପାନୀକୁ ଦିଲ୍ଲୀରେ ମଦ କାରବାର ପାଇଁ ଅନୁମତି ମିଳିବାରେ ଶହେ କୋଟିର କାରବାର ହୋଇଥିବା ଅଭିଯୋଗ ହୋଇଛି । କବିତାଙ୍କ କମ୍ପାନୀ ପାଇଁ ପିଲାୟୀ ଫ୍ରଣ୍ଟମ୍ୟାନ୍ ଭାବେ କାମ କରିଥିବା କହିଛନ୍ତି । ଯାହାକୁ ନେଇ ପିଲାୟୀ-କବିତାଙ୍କୁ ମୁହାଁମୁହିଁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ଟି ମୋବାଇଲରେ ସିମ୍ ପରିବର୍ତ୍ତନ, ଡିଜିଟାଲ ପ୍ରମାଣ ନଷ୍ଟ କରିବା ଯୋଗୁ ଇଡି ସ୍କାନରକୁ ଆସିଥିଲେ କବିତା । ୨୦୨୨ ଡିସେମ୍ବରରେ ସିବିଆଇ ତାଙ୍କୁ ଜେରା କରିଥିବା ବେଳେ ୨୦୨୩ ଜାନୁଆରୀରେ ଇଡି ଦାଖଲ କରିଥିବା ଦ୍ବିତୀୟ ଚାର୍ଜସିଟିରେ କବିତାଙ୍କ ନାଁ ରହିଥିଲା ।

ରାଜନୈତିକ ଆକ୍ରୋଶ ରଖି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାରକୁ ବିରୋଧୀ ନିନ୍ଦା କରିଛନ୍ତି । ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିବା ବେଳେ ନିକଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ଅଣବିଜେପି ଶାସିତ ରାଜ୍ୟରେ ସମାନ ଢଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।

ସାର୍ବଜନୀନ ଟିକାକରଣ ପାଇଁ ୧୦ଟି ତାପ ସଂରକ୍ଷିତ ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ସାର୍ବଜନୀନ ଟିକାକରଣ ନିମନ୍ତେ ୧୦ଟି ତାପ ସଂରକ୍ଷିତ ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ୫ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପଣ କରିଛନ୍ତି । ଏଥିରେ ସମସ୍ତ ପ୍ରକାରର ନୂତନ ଜ୍ଞାନ କୌଶଳ ସଜ୍ଜିତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରକ୍ତଦାତାଙ୍କ ପାଇଁ ଶଯ୍ୟା, ରକ୍ତ ସଂରକ୍ଷଣ ରେଫ୍ରିଜରେଟର, ରକ୍ତ ସଂଗ୍ରହ ମନିଟର, ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ସହ ଜେନେରେଟର, ଇନଭର୍ଟରର ସୁବିଧା ରହିଛି ।

ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ ଟିକା ସଂରକ୍ଷଣ ଭଣ୍ଡାର ରହିଥିବା ବେଳେ ୩୦ ଜିଲ୍ଲାରେ ଟିକା ଗଚ୍ଛିତ କେନ୍ଦ୍ର ଓ ୧୯୯୦ଟି ନିରାପଦ ଶୀତଳୀକରଣ କେନ୍ଦ୍ର ରହିଛି । ଏହି ସମସ୍ତ ଟିକାର ନିରାପଦ ପରିବହନ ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କ୍ରୟ କରାଯାଇଛି । ଏହାଦ୍ୱାରା ସମଗ୍ର ରାଜ୍ୟକୁ ସୁରୁଖୁରୁରେ ଟିକା ପରିବହନ କରାଯାଇପାରିବ । ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ବାଲେଶ୍ବର, ବଲାଙ୍ଗିର, ବ୍ରହ୍ମପୁର, ଭୁବନେଶ୍ବର, କଟକ, କୋରାପୁଟ, ଫୁଲବାଣୀ, ସମ୍ୱଲପୁର ଏବଂ ସୁନ୍ଦରଗଡ଼ରେ ଅବସ୍ଥାପିତ କରାଯିବ । ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନସୁଦୂର ଗ୍ରାମଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ଓ ରକ୍ତ ସଂଗ୍ରହ ପାଇଁ ରକ୍ତ ସଂରକ୍ଷଣ ଯାନ ବିଭିନ୍ନ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି ।

୨୦ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିୟନ୍ତ୍ରଣକୁ ଆସିଲା ନିଆଁ, ଜଳିଗଲା ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ପୁରୀ: ଭୟଙ୍କର ଅଗ୍ନିକାଣ୍ଡରେ ଜଳିପୋଡ଼ି ଛାରଖାର ହୋଇଯାଇଛି ପୁରୀ ମରୀଚିକୋଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ । ଦୀର୍ଘ ୨୦ ଘଣ୍ଟା ପରେ ଆୟତ୍ତ ହୋଇଛି ନିଆଁ । ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଚାଲିଛି ଉଦ୍ୟମ । ହେଲେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଏହାକୁ ବନ୍ଦ କରିବାକୁ ଚାଲିଛି ପ୍ରୟାସ । ତଥାପି ହୋଟେଲର କିଛି ଅଂଶରେ ଏବେ ବି ନିଆଁ ଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ନୟାନ୍ତ ହୋଇଛନ୍ତି ୧୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ । ଗ୍ରାଉଣ୍ଡ ଫ୍ଲୋରର ନିଆଁ ଲିଭାଯାଇଥିବା ବେଳେ ପ୍ରଥମ ଫ୍ଲୋରରେ ମଧ୍ୟ ସ୍ଥିତିରେ ଆସିଛି ସୁଧାର । ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଲୁଗା, ଚୁଡ଼ି, ଜୋତା, ବ୍ୟାଗ ଦୋକାନ ସମେତ ଅନେକ ଦୋକାନ ପୋଡ଼ି ଧ୍ବଂସ ହୋଇଯାଇଛି । ୟୁ-ସେପରେ ମାର୍କେଟ୍ କମ୍ପ୍ଲେକ୍ସ ଥିବାରୁ ଏହା ଭିତରେ ପ୍ରବେଶ କରିବାକୁ ହୋଇଥିଲା ଅସୁବିଧା । ଯେଉଁଥି ପାଇଁ କ୍ଷୟକ୍ଷତି ଅଧିକ ହୋଇଥିଲା । ନିଆଁର ଭୟଙ୍କର ଆଁରେ ତରଳି ଯାଇଛି ଅନେକ ଦୋକାନର ସଟର ।

ଗତକାଲି ରାତି ୮ଟାରେ ମାର୍କେଟ୍ କମ୍ପ୍ଲେକ୍ସର ତଳ ମହଲାରେ ଲାଗିଥିଲା ନିଆଁ । ଏକ ଗାରମେଣ୍ଟ ଦୋକାନରେ ପ୍ରଥମେ ଲାଗିଥିଲା ନିଆଁ । ଆଉ ନିମିଷକ ମଧ୍ୟରେ ଏ ଦୋକାନରୁ ସେ ଦୋକାନକୁ ବ୍ୟାପିଥିଲା । ଦେଖୁ ଦେଖୁ ଜଳିବାକୁ ଲାଗିଥିଲା ଗୋଟିଏ ପରେ ଗୋଟିଏ ଦୋକାନ । ନିଆଁର ପ୍ରଭାବ ଏତେ ପ୍ରଖର ଥିଲା, ଯାହାକି ମାର୍କେଟ କମ୍ପ୍ଲେକ୍ସକୁ ଧୂଆଁମୟ କରି ଦେଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ୩ଟି ଓ ପରେ ପରେ ବଢ଼ିଥିଲା ଅଗ୍ନିଶମ ବାହିନୀ ଗାଡ଼ି ସଂଖ୍ୟା । ହେଲେ ସ୍ଥିତି ଜଟିଳ ହେବାରୁ ୫ଟି ଟିମରେ ବିଭକ୍ତ ହୋଇଥିଲା ଅଗ୍ନିଶମ ବାହିନୀ । ଗୋଟିଏ ଟିମ୍ ପ୍ରଥମ ମହଲା, ଅନ୍ୟ ୨ଟି ଟିମ୍ ତଳ ମହଲାରେ ନିୟୋଜିତ ହୋଇଥିଲେ । ସେହିପରି ଆଉ ୨ଟି ଟିମ୍ ମାର୍କେଟ କମ୍ପ୍ଲେକ୍ସ ବାହାର ପାର୍ଶ୍ବରେ ପାରା ମିଟର ପ୍ରସ୍ତୁତ କରି ନିଆଁକୁ ଅଧିକ ନବ୍ୟାପିବା ନେଇ ସଜାଗ ରହିଥିଲେ । କିଛି ଅଗ୍ନିଶମ କର୍ମଚାରୀ ଅକ୍ସିଜେନ ନେଇ ଭିତରକୁ ପଶିଥିଲେ ।

ରାତି ୧୨ଟା ପରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲା ସ୍ଥିତି, ହେଲେ ଅନେକ ଦୋକାନ ବନ୍ଦ ଥିବାରୁ ନିଆଁ ଲିଭାଇବା ସଂପୂର୍ଣ୍ଣ ସମ୍ଭବପର ହୋଇନଥିଲା । ତେଣୁ ଅଗ୍ନିଶମ ବାହିନୀର କର୍ମଚାରୀ କଟର ମାଧ୍ୟମରେ ଦୋକାନ ସଟର କାଟି ନିଆଁ ଲିଭାଇବାକୁ ରାତି ତମାମ କରିଥିଲେ କସରତ । ଆଜି ଭୋରରୁ ଭୁବନେଶ୍ବର, ତଥା ଅନ୍ୟ ସ୍ଥାନରୁ ନିୟୋଜିତ ହୋଇଥିଲେ ଅଗ୍ନିଶମ ବିଭାଗର ଅଧିକ ଫୋର୍ସ । ଓଡ୍ରାଫର ସ୍ବତନ୍ତ୍ର ଟିମ୍ ସାଙ୍ଗକୁ NFSC ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ । ହେଲେ ଅଚାନକ ତଳ ମହଲାରୁ ନିଆଁ ପ୍ରଥମ ଓ ଦ୍ବିତୀୟ ମହଲାକୁ ବ୍ୟାପିଥିଲା । ଯାହାକି ଭୟଙ୍କର ରୂପ ନେଇଥିଲା । ବରିଷ୍ଠ ଅଧିକାରୀଙ୍କ ପରାମର୍ଶ କ୍ରମେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍ ।

ମାର୍କେଟର ଜଟିଳ ନିର୍ମାଣଶୈଳୀ, ଅବସ୍ଥିତି ଓ ଚାରିପାଖରେ କୋଠା ଥିବାରୁ ନିଆଁକୁ ଆୟତ୍ତ କରିବାରେ ଦେଖା ଦେଇଥିଲା ସମସ୍ୟା । ଆଉ ଶେଷରେ ଅଗ୍ନିଶମ ବାହିନୀର କଠିନ ପରିଶ୍ରମ ପରେ ଆୟତ୍ତ ହୋଇଥିଲା ନିଆଁ । ଦୀର୍ଘ ସମୟର ଅଗ୍ନିଶମ ବାହିନୀର ପ୍ରଚେଷ୍ଟାକୁ ସବୁ ମହଲରେ କରାଯାଇଛି ସ୍ବାଗତ ।