କେନ୍ଦ୍ର ବିରୋଧରେ ମେଗା ଅଭିଯାନ : ଆଜି ଏନସିପି ସୁପ୍ରିମୋ ପାଓ୍ବାରଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଆଜି ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସମ୍ବିଧାନର ସୁରକ୍ଷା ଆହ୍ବାନରେ କିଛି ଦିନ ଧରି ବିରୋଧୀ ଦଳ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ ଏହି ଆଲୋଚନା ଗୁରୁତ୍ବ ବହନ କରୁଛି ।

କେଜ୍ରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମନ୍ ଗତ ବୁଧବାର ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ମୁମ୍ବାଇରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦିଲ୍ଲୀ ସରକାର ମାମଲାରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରି କେଜ୍ରିଓ୍ବାଲ ସମର୍ଥନ ଗୋଟାଇବାରେ ଲାଗିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ କେଜରିଓ୍ବାଲଙ୍କୁ ସମର୍ଥନ ଜଣାଇଥିଲେ ଉଦ୍ଧବ । ଗତ ୨୩ ତାରିଖରେ କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।