spot_img
Home Blog Page 3343

ରେଳବାଇ ସୁରକ୍ଷାକର୍ମୀଙ୍କ ମହାନତା, ଯାତ୍ରୀଙ୍କୁ ହଜିଲା ଟଙ୍କା ବ୍ୟାଗ୍‌ ଫେରାଇଲା ଆରପିଏଫ

କଟକ: ରେଳବାଇ ପୋଲିସର ମହାନତା । ହଜିଥିବା ଟଙ୍କା ବ୍ୟାଗ ଫେରାଇଲା କଟକ ଆରପିଏଫ । ହାଓ୍ୱଡା ଭାସ୍କୋଡାଗାମା ଅମରାବତୀ ଏକ୍ସପ୍ରେସରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଶରତ କୁମାର ବେହେରା ଯାତ୍ରା କରୁଥିଲେ । ଭଉଣୀର ବାହାଘର ପାଇଁ ହାଓ୍ୱଡାରୁ ପରିବାର ସହ ଘରକୁ ଆସୁଥିବା ବେଳେ ୧ ଲକ୍ଷ ୭୦ ହଜାର ଟଙ୍କା ଓ ମୋବାଇଲ ଫୋନ ଥିବା ବ୍ୟାଗ ଟ୍ରେନରେ ଛାଡ଼ି ଦେଇଥିଲେ । ଏନେଇ ରେଳ ବିଭାଗକୁ ଅଭିଯୋଗ କରିବା ପରେ ଆରପିଏଫ ଅଧିକାରୀ ଏସ. ମହାପାତ୍ର ଏବଂ ବିଶ୍ୱଜିତ ରାଉତ ତଦନ୍ତ କରି ବ୍ୟାଗକୁ ପାଇଥିଲେ । ପରେ ଶରତଙ୍କୁ ଯୋଗାଯୋଗ କରି ବ୍ୟାଗକୁ ଫେରାଇଥିଲେ । ଟଙ୍କା ବ୍ୟାଗ ଫେରି ପାଇ ଆରପିଏଫକୁ ଧନ୍ୟବାଦ ଦେଇଛନ୍ତି ଶରତ ।

 

 

ସତୀଶଙ୍କ ଶେଷ ଦର୍ଶନ କରିବାକୁ ପହଞ୍ଚିଲାଣି ବଲିଉଡ, ଦେଖନ୍ତୁ କିଏ ପହଞ୍ଚିଲେ ?

ମୁମ୍ବାଇ: ବଲିଉଡରେ ନିଜ କମେଡି ଓ ନିର୍ଦ୍ଦେଶନା ବଳରେ ଫିଲ୍ମକୁ ସୁପରହିଟ କରିବାରେ ବଳ ଯୋଗାଉଥିବା ସତୀଶ କୌଶିକ ଆଉ ନାହାନ୍ତି  । ୬୬ ବର୍ଷ ବୟସରେ ହୃଦଘାତରେ ସତୀଶଙ୍କ ପରଲୋକ ଘଟିଛି  । ସତୀଶଙ୍କ ଶେଷଯାତ୍ରାରେ ସାମିଲ ହେବାକୁ ପହଞ୍ଚିଛି ବଲିଉଡ  । ତାଙ୍କ ଘର ବାହାରେ ଫିଲ୍ମ ତାରକାଙ୍କ ଭିଡ ଜମିବାରେ ଆରମ୍ଭ ହେଲାଣି  ।

ମିଷ୍ଟର ଇଣ୍ଡିଆ ଫିଲ୍ମରେ କ୍ୟାଲେଣ୍ଡର ଓ ଦିୱାନା ମସ୍ତାନା ଚଳଚ୍ଚିତ୍ରରେ ପପୁ ପେଜର ଭାବେ ଲୋକପ୍ରିୟତା ହାସଲ କରିଥିଲେ ସତୀଶ  ।

ନିଜ ଟ୍ୟାଲେଣ୍ଟ ବଳରେ ଫିଲ୍ମଫେୟାରରେ ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଦୁଇ ଦୁଇଥର ସେ ପୁରସ୍କାର ଜିତିଛନ୍ତି  ।

ଜାଭେଦ ଅଖତରଙ୍କ ଠୁ ନେଇ ଅମିତାଭ ବଚ୍ଚନ ଓ ପଙ୍କଜ ତ୍ରିପାଠୀ ସମେତ ବଲିଉଡ ସିତାରା ସତୀଶଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବାକୁ ପହଞ୍ଚିଛନ୍ତି  ।

 ଗତକାଲି ଦିଲ୍ଲୀସ୍ଥିତ ଫାର୍ମ ହାଉସରେ ହୋଲି ପାର୍ଟି ପରେ ବିଳମ୍ବିତ ରାତିରେ ହୃଦଘାତରେ ପ୍ରାଣ ହରାଇଥିଲେ ସତୀଶ  ।

୪୦ ବର୍ଷରୁ ଉର୍ଦ୍ଧ୍ବ କ୍ୟାରିଅରରେ ସତୀଶ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି  ।

 

ବିଜେଡିର ମହିଳା ଦିବସରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ ଗରିବ ଥାଳିରୁ କେନ୍ଦ୍ର କାଟିଛି ୫ କେଜି ଚାଉଳ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ଆଜି ପାଳିତ ହୋଇଛି ରାଜ୍ୟସ୍ତରୀୟ ମହିଳା ଦିବସ । ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା’ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ମହିଳା ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣ ବିଜୁ ଜନତା ଦଳର ମୁଖ୍ୟ ଫୋକସ୍ । ଆମର ପ୍ରିୟ ନେତା ବିଜୁ ବାବୁ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତିକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ । ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାଙ୍କ ପାଇଁ ୩୩ ପ୍ରତିଶତରୁ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି ବିଜେଡି । ସଂସଦ ଓ ବିଧାନସଭାରେ ମା’ମାନଙ୍କ ପାଇଁ  ୩୩ ପ୍ରତିଶତ ସଂରକ୍ଷଣ ଦେବା  ପାଇଁ  ବିଜୁ ଜନତା ଦଳ ତା’ର ଲଢେଇ ଜାରି ରଖିବ ।

ଆମ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ । କିନ୍ତୁ କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ୫ କେଜି କାଟିଦେଲେ । ସେହିପରି LPG ଦର ଏବେ ଆକାଶଛୁଆଁ ହେଲାଣି । ଚାଉଳ କାଟିବା ଓ LPG ଦର ବୃଦ୍ଧି ଯୋଗୁଁ ଆମର ମା’ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡ଼ା ନିନ୍ଦା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମା’ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା’ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢ଼ିଛନ୍ତି । SHGରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ମା’ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡ଼ିଶାର ପରିଚୟ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

ଜଳୁଛି ଜଙ୍ଗଲ, ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ

ବଲାଙ୍ଗୀର: ଜଙ୍ଗଲ ନିଆଁର ଆଁରେ ପୂରା ଓଡ଼ିଶା । ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ । ବଲାଙ୍ଗୀର ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ତ ସିନ୍ଧେକେଲା ନିକଟରେ ଥିବା ଗିଦଘରା ପାହାଡ଼, ମହାଖଣ୍ଡର ଛତରଦାଣ୍ଡି, ଛତ୍ରରଙ୍ଗ ଆଦି ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । କେଉଁଠି ଶିକାର ଉଦ୍ଦେଶ୍ୟରେ ଶିକାରୀ ଜଙ୍ଗଲରେ ନିଆଁ ଲଗାଉଛି ତ ଆଉ କେଉଁଠି ସଚେତନତା ଅଭାବରୁ ଲାଗୁଛି ନିଆଁ । ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁ ବହୁ ମୂଲ୍ୟବାନ କାଠ, ଜଙ୍ଗଲଜାତ ଦ୍ରବ୍ୟ ନଷ୍ଟ ହେବା ସହ ଜଙ୍ଗଲୀ ପଶୁ ପକ୍ଷୀ ମଧ୍ୟ ଭୟଭୀତ ହେଉଛନ୍ତି ।

ଅନେକ ସମୟରେ ପଶୁ ପକ୍ଷୀଙ୍କ ଜୀବନ ଯାଉଥିବା ମଧ୍ୟ ନଜିର ହେଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ସ୍କ୍ୱାର୍ଡ ଓ ବନ ବିଭାଗର କର୍ମଚାରୀ ଲାଗିଛନ୍ତି । ନିଆଁ ହୁତୁ ହୁତୁ ହୋଇ ଜଳୁଥିବାରୁ ଏହା ପରିବେଶ ପ୍ରେମୀ ଓ ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି । ବଙ୍ଗୋମୁଣ୍ଡା ରେଞ୍ଜରେ ୧୨ରୁ ୧୫ଟି ଫାୟାର ସ୍କ୍ବାର୍ଡ ନିଯୁକ୍ତ କରାଯାଇଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗେଇବାକୁ ସଚେତନ କରାଯାଉଛି ବୋଲି କହିଛନ୍ତି ବଙ୍ଗୋମୁଣ୍ଡା ରେଞ୍ଜର ।

ରାଜଧାନୀରେ ମାତାଲ ଯୁବତୀଙ୍କ ହଙ୍ଗାମା

ଭୁବନେଶ୍ୱର: ପବରେ ମଦ ପିଇଲେ, ରାସ୍ତା ଉପରେ ହଙ୍ଗାମା କଲେ । ଝୁଲି ଝୁଲି ପବରୁ ଓହ୍ଲାଇଲେ, ଯାହାକୁ ଦେଖିଲେ ଗାଳି କଲେ। ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ ମାତାଲ ଯୁବତୀଙ୍କ ହଙ୍ଗାମା । ନିଶାଶକ୍ତ ଅବସ୍ଥାରେ ପୋଲିସକୁ ଗାଳିଗୁଲଜ କରିଛନ୍ତି ଯୁବତୀ । ମଦ ନିଶାରେ ରାସ୍ତାରେ ମୋବାଇଲ ପିଟି ଭାଙ୍ଗିଛନ୍ତି । ମଦ୍ୟପ ଯୁବତୀଙ୍କ ଘର ଯାଜପୁର, ସେ ସହିଦନଗରରେ ହଷ୍ଟେଲରେ ରୁହନ୍ତି । ବେସରକାରୀ କମ୍ପାନୀରେ କାମ କରନ୍ତି ଉକ୍ତ ଯୁବତୀ । ଉକ୍ତ ଯୁବତୀ ଜଣକ ହୋଲି ସେଲିବ୍ରେସନ ଆଳରେ ମଦ୍ୟପାନ କରି ରାସ୍ତା ଉପରେ ହଙ୍ଗାମା କରିଥିଲେ ।

ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ମହିଳା ଦିବସ ପାଳିତ । ଦଳୀୟ କାର୍ଯ୍ୟାଳୟରେ ମହିଳା ବିଜେଡିର କର୍ମକର୍ତ୍ତା ମହିଳା ଦିବସ ପାଳିଛନ୍ତି । ଚଳିତ ବର୍ଷର ଥିମ ରହିଛି ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା । ଯାହା ମହିଳାଙ୍କ ସାମ୍ମନ, ସମାନତା ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ବହନ କରୁଛି । ଆଜିଠାରୁ ମାର୍ଚ୍ଚ ୧୭ ତାରିଖ ଯାଏ ସମସ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମାବେଶ କରାଯିବ । ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣ ଦିଗରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ମହିଳା ବିକାଶ ଯୋଜନା ଉପରେ ଆଲୋଚନା ହୋଇଛି । ଗତକାଲି ଅନେକ ନିର୍ବାଚନ ମଣ୍ଡଳୀରେ ବିଜେଡି ମହିଳା ଦିବସ ପାଳନ କରିଥିଲା ।

ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ, ଜମିଜମା ସମ୍ପର୍କୀତ କେସ୍‌ ହେବ ଫଇସଲା

ଭୁବନେଶ୍ୱର: ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ଆଭାସି ମାଧ୍ୟମରେ ହେବ ଜମି ଜମା ସମ୍ପର୍କୀତ କେସ୍ ଫଇସଲା । ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩ ହଜାର ମାମଲାର ସମାଧାନ ହୋଇଛି । ଆଜି ରାଜସ୍ବ ବିଭାଗର ବଜେଟ ପରବର୍ତ୍ତୀ ପ୍ରେସମିଟରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା ପାଇଁ ଗାଁ ଗାଁରେ ରାଜସ୍ୱ ମେଳାର ଆୟୋଜନ କରାଯିବ । ଚଳିତ ବର୍ଷ ୫୪୫ OAS ଏବଂ ORS ପଦବୀ ପୂରଣ ହେବ । OPSC ଜରିଆରେ ଏହି ପଦବୀ ପୂରଣ କରାଯିବ । ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର ପାଇଁ ୫ ହଜାର ନୂଆ ନିଯୁକ୍ତି କରାଯିବ। RI, ARI ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ଭିତ୍ତିଭୂମି ସୁଦୃଢ଼ ଉପରେ ବିଭାଗ ଗୁରୁତ୍ଵ ଦେଉଛି । ଚଳିତ ଥର ୪୩୧ RI ଅଫିସ ନିର୍ମାଣ ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ସବ୍ ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭିଲାନସ ବ୍ୟବସ୍ଥା କରାଯାଉଛି । ଏଥିରେ ଅଡିଓ ଭିଜୁଆଲ ବ୍ୟବସ୍ଥା ରହିବ । ଏହା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ ।

ସେହିପରି ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍ ସର୍ଭେ କରାଯିବ । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ବିଭାଗ ଗୁରୁତ୍ଵ ଦେଇଛି । ହସ୍ପିଟାଲରେ ନିରବିଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲରେ ଅଣ୍ଡର କେବଲିଂ ବ୍ୟବସ୍ଥା କରାଯିବ । ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକରଣରେ ୨୦ ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ସମ୍ମାନିତ କରିବେ କେନ୍ଦ୍ର ସରକାର । ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇ ୫୪ଟି ସେବାରେ ସମୟ ଅବଧି ହ୍ରାସ କରାଯାଇଛି । ମ୍ୟୁଟେସନ, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଭଳି ୫୪ଟି ସେବାର ସମୟ ଅବଧି ହ୍ରାସ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସୁବାସ ଚନ୍ଦ୍ର ଆପଦା ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବେ ।

କଲ୍ ସେଣ୍ଟରରେ ରେଡ୍, ନଗଦ ୪ କୋଟି ଟଙ୍କା ସହ ୬ ଜଣ ଗିରଫ

କୋଲକାତା: କଲ୍‌ ସେଣ୍ଟରରୁ କୋଟି କୋଟି ଟଙ୍କା ଜବତ । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ନିଉ ଟାଉନ୍ ଓ ହାଓ୍ବଡାରେ ଥିବା କଲ୍ ସେଣ୍ଟରରେ ଚଢ଼ାଉ । ୧୦ଟି କଲ୍ ସେଣ୍ଟର ଉପରେ ରେଡ୍ କରି ପ୍ରାୟ ୪ କୋଟି ନଗଦ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।  ଅନ୍ୟପଟେ ଏହି କଲ ସେଣ୍ଟର ବିଦେଶୀ କମ୍ପାନୀ ଓ ବିଦେଶୀ ଲୋକଙ୍କୁ ଲୋନ୍ ଦେବା ନାମରେ ଠକେଇ ଅଭିଯୋଗ ମଧ୍ୟ ରହିଛି । ଏହି କଲ୍ ସେଣ୍ଟରକୁ ଗୌରବ ଓ ସୌରଭ ନାମକ ଦୁଇ ଭାଇ ମିଶି ଚଳାଉଥିଲେ । ଗିରଫ ହୋଇଥିବା ୬ ଜଣ ସମସ୍ତେ ଭିନ୍ନ ଭିନ୍ନ ରାଜ୍ୟର ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ତେବେ ଏହି ଘଟଣା ପରେ ଆଉ କେଉଁ କେଉଁ ସ୍ଥାନରେ ଏଭଳି ବେଆଇନ ଓ ଠକେଇ କଲ୍ ସେଣ୍ଟର ରହିଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମହାମେଣ୍ଟ ପୂର୍ବରୁ ଏନସିପି ଆଉଟ, ନାଗାଲାଣ୍ଡରେ ବିଜେପି ମେଣ୍ଟ ସରକାରକୁ ଏନସିପିର ସମର୍ଥନ

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟ ପୂର୍ବରୁ ପାଓ୍ୱାର ଝଟକା । ବିରୋଧୀ ଆସନରେ ବସିବାକୁ ସଜବାଜ ଭିତରେ ନାଗାଲାଣ୍ଡର ବିଜେପି-ଏନଡିପିପି ମେଣ୍ଟ ସରକାରକୁ ସମର୍ଥନ ଜଣାଇଛି ଏନସିପି । ନାଗାଲାଣ୍ଡରେ ଏନଡିପିପି ଓ ବିଜେପିର ମେଣ୍ଟ ସରକାର ଗଠନ ହୋଇଥିବା ବେଳେ ଏନସିପି ନୂଆ ସରକାରଙ୍କୁ ସମର୍ଥନ ଦେଇଛି । ଦଳ ବିରୋଧୀ ଦଳ ନେତା ଚୟନ ପାଇଁ ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ପରାମର୍ଶ ମାଗିଥିବା ବେଳେ ସେ ସରକାରଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଦଳର ପ୍ରଭାରୀ ନରେନ୍ଦ୍ର ବର୍ମା କହିଛନ୍ତି ।

ନାଗାଲାଣ୍ଡରେ ଏନସିପିର ଏହି ନିଷ୍ପତ୍ତିର ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିପାରେ । ମହାରାଷ୍ଟ୍ରରେ ଉଦ୍ଧବ ଗୋଷ୍ଠୀର ଶିବସେନା, କଂଗ୍ରେସ ଓ ଏନସିପିର ମେଣ୍ଟ ରହିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମହାମେଣ୍ଟ ଗଠନ ପାଇଁ ବିରୋଧୀଙ୍କ ପ୍ରସ୍ତୁତି ବେଳେ ଶରଦ ପାଓ୍ବାରଙ୍କ ନାଗାଲାଣ୍ଡ ଗେମ୍ ବିରୋଧୀଙ୍କ ଟେନସନ୍ ବଢ଼ାଇଛି ।

ଜ୍ୱାଇଁକୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକ

ବଲାଙ୍ଗୀର: ପାରିବାରିକ କଳହର କରୁଣ ପରିଣତି । ଜ୍ୱାଇଁକୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକ । ବସ୍ତାରେ ବାନ୍ଧି ଜଙ୍ଗଲରେ ଫିଙ୍ଗିବା ଉଦ୍ୟମ ବେଳେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଶ୍ବଶୁର ସହ ୫ଜଣଙ୍କୁ ଅଟକ ରଖାଯାଇଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁର ଘଟଣା । ମୃତକ ହେଲେ ବରଗଡ଼ ଜିଲ୍ଲା ରାଜଭାଟିପଡ଼ାର ରୁଦ୍ର ମେହେର । ଖପ୍ରାଖୋଲ ଚାବ୍ରିପାଳି ଗାଁରେ ରାଜଭାଟିପଡ଼ାର ରୁଦ୍ର ମେହେର ବିବାହ କରିଥିଲେ I ବିବାହ ପରଠୁ ଶ୍ୱଶୁର ଘର ସହ କଳହ ଲାଗି ରହିଥିଲା I

ଗତ ବୁଧବାର ଦିନ ତାଙ୍କ ସ୍ତ୍ରୀ ସରୋଜିନୀ ମେହେର ଏକ ବିବାହ ଉତ୍ସବକୁ ଯାଇଥିଲେ I ଜ୍ବାଇଁ ଓ ଶ୍ୱଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା I ଉତକ୍ଷୀପ୍ତ ହୋଇ ଶ୍ୱଶୁର ଘର ଲୋକ ରୁଦ୍ରଙ୍କୁ ପିଟିଥିଲେ । ଆକ୍ରମଣରେ ରୁଦ୍ରଙ୍କ ମୃତ୍ୟୁ ପରେ ଘଟଣାକୁ ଚପାଇବା ପାଇଁ ଏକ ଭ୍ୟାନରେ ମୃତଦେହ ନେଇ ଜଙ୍ଗଲରେ ଫିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ମୃତଦେହ ଜବତ କରିଛି । ଶ୍ୱଶୁର ସହ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଶ୍ୱଶୁର ଉଦ୍ଧବ ମେହେର, ଅନିରୁଦ୍ଧ ମେହେର, ସୁନିଲ କୁମାର ମେହେରଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ।