ମହାଆଡମ୍ବରରେ ମହାଦେବଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର : ମହା ଆଡମ୍ବରରେ ସରିଲା ମହାଦେବଙ୍କ ବାହାଘର । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ହୋଇଥିଲା ବିବାହ ଉତ୍ସବ । ଜଗଦଜନନୀ ମାତା ପାର୍ବତୀଙ୍କ ହାତ ଧରିଲେ ବାବା ଭୋଳାନାଥ । ଦେବଦମ୍ପତିଙ୍କ ବିବାହ ପାଇଁ ଦୁଲୁକିଲା ସମ୍ବଲପୁର ।

ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ ମହାଦେବ । ବାଜାବାଣର ରୋଷଣୀ ସହିତ ଭଳିକିଭଳି ପାରମ୍ପରିକ ନୃତ୍ୟୁରେ ଦୁଲୁକୁଥିଲା ସହର । ନନ୍ଦପଡାର ବାବା ବାଲୁଙ୍କେଶ୍ବର ଝାଡୁଆପଡାର ବାବା ଲୋକନାଥ ଓ ମୁଦିପଡାର ବାବା ଯାଗେଶ୍ବରଙ୍କ ହାତଗଣ୍ଠି ପଡିସାରିଛି । ଆଜି ଦିନ ତମାମ କନ୍ୟାପିତା ମାତା ଘରେ ଯୁଗଳ ଦର୍ଶନ ଦେବେ ନବ ଦମ୍ପତି । କାଲି ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି ।

ଏପଟେ ଭୁବନେଶ୍ବରରେ ବାବା ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ ହୋଇଛି । ରାତି ୧୦ଟା ପରେ ବରଯାତ୍ରୀ କନ୍ୟା ଘର କେଦାରଗୌରୀ ମନ୍ଦିର ଅଭିମୂଖେ ଯାତ୍ରା କରିଥିଲେ । ରାତି ଗୋଟାଏ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । କେବଳ ପାରମ୍ପରିକ ବାଜା ରୋଷଣୀ ସହିତ ବିବାହ ପାଇଁ ଯାଇଥିଲେ ପ୍ରଭୁ ।