spot_img
Home Blog Page 3324

ଥମିବନି ଋଷ-ୟୁକ୍ରେନ ଯୁଦ୍ଧ : ନିଜର ସ୍ଥିତି ଜାହିର ଲାଗି ସଂଘର୍ଷ ଜାରି

କିଭ୍ : ଥମିବନି ଯୁଦ୍ଧ । ନିଜର ସ୍ଥିତି ଜାହିର ଲାଗି ଋଷ ସଂଘର୍ଷ ଜାରି ରଖିଛି । ଋଷ ନିକଟରେ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ମୁଣ୍ଡ ନୁଆଁଇଛନ୍ତି ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁରିଆଟିଆସ୍ଥିତ ଏକ ଆଭିଏସନ କାରଖାନାରେ ଉଦବୋଧନ ଦେଇ ପୁଟିନ କହିଛନ୍ତି-ଭୂରାଜନୈତିକ ଭୂମିକା ଦୃଷ୍ଟିରୁ ନୁହେଁ, ବରଂ ନିଜର ସ୍ଥିତି ଜାହିର କରିବା ଲାଗି ହିଁ ଋଷ ସଂଗ୍ରାମ କରୁଛି ।

ଋଷ ଯାହା କିଛି କରୁଛି ଦେଶର ଓ ଭବିଷ୍ୟ ପିଢି ଲାଗି ହିଁ କରୁଛି । ଋଷ ବିରୋଧରେ ଯୁଦ୍ଧ ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ପୁଟିନ । ପାଶ୍ଚାତ୍ୟ ରାଷ୍ଟ୍ରର ଅର୍ଥନୈତିକ କଟକଣା କାରଣରୁ ସେ ଚିନ୍ତିତ ଅଛନ୍ତି ବୋଲି ସେ କହିଛନ୍ତି । ଅର୍ଥନୈତିକ କଟକଣା ଜାରି କରିବା ପରେ ଋଷର କାରଖାନା ବନ୍ଦ ହୋଇଯିବା ସହ ବେକାରୀ ବଢିବ ଏବଂ ଅର୍ଥନାତିକ ସଂକଟ ଘନୀଭୂତ ହେବ ବୋଲି ଶତ୍ରୁରାଷ୍ଟ୍ରମାନେ ଆଶା କରୁଥିଲେ । ମାତ୍ର ତାହା ତାହା ଘଟିଲା ନାହିଁ ବୋଲି ସେ କହିଛନ୍ତି ।

ସେପଟେ ଜର୍ମାନୀ ସ୍ବାଧୀନ ଭାବେ କିଛି କରିବାକୁ ଅସମର୍ଥ ଏବଂ ଏହା ଆମେରିକା ଦ୍ବାରା କବଳିତ ବୋଲି କହିଛନ୍ତି ପୁଟିନ । ଗତବର୍ଷ ଘଟିଥିବା ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ବିସ୍ଫୋରଣ ଘଟଣାର ତଦନ୍ତ ପ୍ରକ୍ରିୟାରେ ଜର୍ମାନୀ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସହଯୋଗ କରୁ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ପୁଟିନ ।

ଆଜି ବିଆରଏସ ନେତ୍ରୀ କେ. କବିତାଙ୍କୁ ଦ୍ବିତୀୟ ଥର ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲାରେ ଆଜି ବିଆରଏସ ନେତ୍ରୀ କେ. କବିତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୧୧ ତାରିଖରେ କବିତାଙ୍କୁ ଇଡି ଦୀର୍ଘ ୯ଘଣ୍ଟା ଧରି ଜେରା କରିଥିବାବେଳେ ଆଜି ପୁଣି ଥରେ କବିତାଙ୍କୁ କରାଯିବା ମାରାଥନ ଜେରା । ଆପର ବିଜୟ ନାୟାରଙ୍କୁ ସାକ୍ଷାତ କରିବା, ଦିଲ୍ଲୀର ଅନେକ ରିଟେଲ ଜୋନକୁ ନିୟନ୍ତ୍ରଣରେ ରଖିଥିବା ଇଣ୍ଡୋସ୍ପିରିଟ ଗ୍ରୁପର ସମୀର ମହେନ୍ଦ୍ରୁଙ୍କ ସହ ସମ୍ପର୍କ, ଆପର ନେତାଙ୍କୁ ୧୦୦କୋଟି ଟଙ୍କା ଅଗ୍ରୀମ ପ୍ରଦାନ ଆଦି ଅଭିଯୋଗ ସମ୍ପର୍କରେ ଜେରା କରିବା ଇଡି ।

ପୂର୍ବରୁ ଏହି ମାମଲାରେ ଗିରଫ ହୋଇସାରିଛନ୍ତି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇ ଓ ଆପର କମ୍ୟୁନିକେସନ ଇନ ଚାର୍ଜ ବିଜୟ ନାୟାର । ସାଉଥ ଗ୍ରୁପ ଲବି ଜରିଆରେ ୧୦୦କୋଟି ଟଙ୍କାର କିକବ୍ୟାକ ନେଇ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛି ଇଡି । ସାଉଥ ଗ୍ରୁପରେ ଅରବିନ୍ଦ ଫାର୍ମାର ପ୍ରମୋଟର ଶରତ ରେଡୀ, ଓ୍ବାଇଏସଆର କଂଗ୍ରେସ ନେତା ମାଗୁନ୍ତା ଶ୍ରୀନିବାସୁଲୁ ରେଡୀ, ତାଙ୍କ ପୁଅ ରାଘବ ମାଗୁନ୍ତା ଓ କବିତାଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ଇଡି ଦର୍ଶାଉଛି ।

କବିତାଙ୍କ ବେନାମି ନିବେଶକୁ ପିଲାଇ ଦେଖାଶୁଣା କରୁଥିବା କହିଛି ଇଡି । ସେପଟେ ଇଡି ସମନକୁ ଚାଲେଞ୍ଜ କରିବା ସହ ଗିରଫଦାରୀ ଏଡାଇବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କବିତା । ଆସନ୍ତା ୨୪ରେ ମାମଲାର ଶୁଣାଣି ଲାଗି ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ ପିଏସ ନରସିଂହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମତି ପ୍ରକାଶ କରିଛନ୍ତି । ଗତକାଲି କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁଙ୍କୁ ଇଡି ଜେରା କରିଥିବାବେଳେ ପୁରୁଣା ମଦନୀତିକୁ ଆଉ ୬ ମାସ ବଢାଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୩ରେ ବରଗଡ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ । ଏହି ଦୁଇଟି ଏନଏସି ନିର୍ବାଚନ ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅତାବିରା ପାଇଁ ଅତନୁ ସବ୍ୟସାଚୀ ନାୟକ , ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତ କରିଛନ୍ତି ନବୀନ । ସେହଭିଳି ହିନ୍ଦୋଳ ପାଇଁ ସୁଧୀର ସାମଲ, ସୁଶାନ୍ତ କୁମାର ରାଉତ, କୁନା ବିହାରୀ ଦାସଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ । ଗତକାଲି ଉଭୟ ଏନଏସି ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

FIH ହକି ପ୍ରୋ ଲିଗରେ ଅଷ୍ଟ୍ରେଲିଆକୁ ପୁଣି ପରାସ୍ତ କଲା ଭାରତ

ରାଉରକେଲା: FIH ହକି ପ୍ରୋ ଲିଗରେ ଅଷ୍ଟ୍ରେଲିଆକୁ ପୁଣି ପରାସ୍ତ କଲା ଭାରତ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମୁକାବିଲାରେ ପେନାଲ୍ଟି ସୁଟ ଆଉଟରେ ମ୍ୟାଚକୁ ଜିତିଛି ଟିମ୍ ଇଣ୍ଡିଆ । ପ୍ରଥମେ ୨-୨ରେ ମ୍ୟାଚ ବରାବର ରହିଥିଲା । ପେନାଲ୍ଟିରେ ୪-୩ଗୋଲରେ ଭାରତ ବାଜିମାରିନେଇଛି । ଏହାସହ FIH ହକି ପ୍ରୋ ଲିଗରେ ସମସ୍ତ ୪ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ଜର୍ମାନୀକୁ 3-2 ଗୋଲରେ ଭାରତ ପରାସ୍ତ କରିଥିବାବେଳେ ଦ୍ବିତୀୟରେ ଅଷ୍ଟ୍ରେଲିଆକୁ 1-0, ତୃତୀୟରେ ଜର୍ମାନୀକୁ 6-3 ଓ ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆକୁ 5-4 ଗୋଲରେ ପରାସ୍ତ କରିଛି ଭାରତ ।

କିଏ ଏ କମ୍ଫର୍ଟ ୱମେନ? ବିଶ୍ବଯୁଦ୍ଧ ବେଳେ ଯବାନଙ୍କ ଆବଶ୍ୟକତା ପୂରଣ କରୁଥିଲେ

ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ବିଶ୍ବଯୁଦ୍ଧକୁ ସାତ ଦଶକରୁ ଅଧିକ ସମୟ ବିତିଲାଣି  । ହେଲେ ଏବେ ବି ତାଜା ଅଛି ସେ ପୁରୁଣା କ୍ଷତ  । ଜାପାନ ସେନା ଦ୍ବାରା ନିର୍ଯାତିତ ନାଗରିକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି  ଦକ୍ଷିଣ କୋରିଆ । ତଥାପି ଖୁସି ନାହାନ୍ତି ଦକ୍ଷିଣ କୋରିଆର ନାଗରିକ  । ଯିଏ ନିର୍ୟାତନା ଦେଇଛି ସେ ହିଁ କ୍ଷତିପୂରଣ ଦେବ ବୋଲି ଦାବି କରିଛି ଦକ୍ଷିଣ କୋରିଆ  । ଜାପାନ ଉପରେ ଏମିତି ଖପ୍ପା କାହିଁକି ଦକ୍ଷିଣ କୋରିଆ ୭ ଦଶନ୍ଧି ପରେ ବି ଅପୂରଣୀୟ କ୍ଷତକୁ କାହିଁକି ଭୁଲିପାରୁନି ଦକ୍ଷିଣ କୋରିଆ ? ଭୁଲିବ ବା କେମିତି ? ଏହାର ମୁଖ୍ୟ କାରଣ ହେଉଛି କମ୍ଫର୍ଟ ୱମେନ  । ତେବେ କିଏ ଏହି କମ୍ଫର୍ଟ ୱମେନ ? ଏତେ ବର୍ଷ ପରେ ଆଜି କାହିଁକି ଏହି ମହିଳାଙ୍କ କଥା ଉଠିଲା ?  ଦେଖନ୍ତୁ ଏହି ରିପୋର୍ଟରେ …

 

୧୯୧୦ ରୁ ୧୯୪୫ ମସିହାର କଥା  । ଯେତେବେଳେ କୋରିଆ ସମେତ ଏସିଆର ଅନେକ ଦେଶ ଉପରେ ରାଜ୍‌ କରୁଥିଲା ଜାପାନ । ସେତେବେଳେ ଦୀର୍ଘ ବର୍ଷ ଧରି ଦକ୍ଷିଣ କୋରିଆର ନାଗରିକଙ୍କୁ ଜୋର ଜବରଦସ୍ତ ଶ୍ରମିକ ଭଳି ଖଟାଉ ଥିଲା ଜାପାନ  । ଯେଉଁ ମାମଲାରେ କୋର୍ଟ ହସ୍ତକ୍ଷେପ କରି ଜାପାନର ଦୁଇଟି କମ୍ପାନୀଙ୍କୁ ସାଉଥ କୋରିଆକୁ କ୍ଷତିପୂରଣ ଦେବା ପାଇଁ ଗତ ୨୦୧୮ରେ ନିର୍ଦ୍ଦେଶ ଦେଇଥିଲେ  । ଟୋକିଓ କେବଳ କ୍ଷମା ମାଗି ମାମଲାର ରଫାଦଫା କରିବାକୁ ଚାହିଁଥିଲା  । ଯାହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା  । ଏବେ ଚୀନ ଓ ଉତ୍ତର କୋରିଆ ଶକ୍ତିଶାଳୀ ହେବା ଦେଖି ଏହି ଦୁଇ ଦେଶ ପରସ୍ପରର ନିକଟତର ହେବାକୁ ଚାହୁଁଛନ୍ତି ।

 

ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜାପାନର ଲକ୍ଷଲକ୍ଷ ସୈନିକ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଥିଲେ  । ଗୋଳା ବାରୁଦ ଠୁ ଖାଦ୍ୟପାନୀୟ କେଉଁଥିରେ ବି ଜାପାନ ସୈନିକଙ୍କ ଅଭାବ ରଖି ନଥିଲେ ସରକାର  । ଯବାନଙ୍କ ଶରୀରର ଆବଶ୍ୟକତା ପୂରଣ ପାଇଁ ବି ଉପାୟ ବାଛି ନେଇଥିଲା ଜାପାନ  । ଯେଉଁଥିପାଇଁ ଯୁଦ୍ଧକ୍ଷେତ୍ରରେ ଜାପାନ ପ୍ରତିଷ୍ଠା କରିଥିଲା କମ୍ଫର୍ଟ ଷ୍ଟେସନ  । ଏହା ଥିଲା ଏମିତି ଏକ ବିଲ୍ଡିଂ ଯେଉଁଠି ଖାଦ୍ୟ ପାନୀୟ ସହ ଯୁବତୀଙ୍କୁ ରଖାଯାଉଥିଲା  । ଯୌନ ଦାସ କରି ସେମାନଙ୍କୁ ରଖାଯିବା ସହ ସ୍ବତନ୍ତ୍ର ପ୍ରକ୍ରିୟାରେ ଚୟନ କରାଯାଉଥିଲା  । ଫଳରେ କମ୍ଫର୍ଟ ଷ୍ଟେସନକୁ ଅଧିକାଂଶ ନାବାଳିକାଙ୍କୁ ଅଣାଯାଉଥିଲା  । ଏହି ଯୁବତୀଙ୍କୁ Comfort woman କୁହାଯାଉଥିଲା  । ଏମାନଙ୍କୁ କୌଣସି ନାମ ନୁହେଁ ବରଂ ଏକ ନମ୍ବରରେ ଡକାଯାଉଥିଲା  ।

 

ପ୍ରତିଦିନ ଜଣେ ଯୁବତୀ ୩୦ ରୁ ୪୦ ଯବାନଙ୍କ ଆବଶ୍ୟକତା ପୂରଣ କରୁଥିଲେ  । ବିରୋଧ କଲେ ମାରପିଟ୍‌ ସାଧାରଣ କଥା ଥିଲା  । ଦ୍ବିତୀୟ ବିଶ୍ବଯୁଦ୍ଧର ବହୁ ପୂର୍ବରୁ ଜାପାନ ଯୌନ ଗୁଲାମ ପ୍ରଥା ଆରମ୍ଭ କରିଦେଇଥିବା ରିସର୍ଚ୍ଚରୁ ଜଣାପଡିଛି  । ୧୯୩୨ ରୁ ୧୯୪୫ ମଧ୍ୟରେ ଜାପାନ ଯୌନ ଇଣ୍ଡଷ୍ଟ୍ରୀ ଖୋଲିଦେଇଥିବା ବହୁ ବିଶେଷଜ୍ଞ ମତ ଦିଅନ୍ତି  । ଯେଉଁଥିରେ ଲକ୍ଷ ଲକ୍ଷ ଯୁବତୀ କୋରିଆ, ଭିଏତନାମ, ଫିଲିଫିନ୍ସ ଓ ଚୀନରୁ ଥିଲେ  ।

 

Comfort Women ଅର୍ଥାତ ଆରାମ ଦେଉଥିବା ମହିଳା  । ଜାପାନୀ ଶବ୍ଦ ଇଆନ ଅର୍ଥ ଆରାମ ଓ ଫୁ ଅର୍ଥ ମହିଳା  । ଯୁଦ୍ଧବେଳେ ମହିଳାଙ୍କ ଉପରେ ଅତ୍ୟାଚାରର ସବୁ ସ୍ତର ଲଙ୍ଘି ସାରିଥିଲା ଜାପାନ  । ଗଣଦୁଷ୍କର୍ମର ଶି୍କାର ହେଉଥିଲେ ଯୁବତୀ ଓ ମହିଳା  । ଯଦି କେହି ଯୌନ ରୋଗରେ ପୀଡିତ ହେଉଥିଲେ ସେମାନଙ୍କୁ ସିଧା ଜଳାଇ ଦିଆଯାଉଥିଲା  । ନଚେତ ବନ୍ଧୁକରେ ପିଟି ହତ୍ୟା କରା ଯାଉଥିଲା  । କାରଣ ଯୁବତୀଙ୍କ ପିଛାରେ ଗୋଟିଏ ବି ଗୁଳି ନଷ୍ଟ କରିବାକୁ ଚାହୁଁ ନଥିଲା ଜାପାନ  ।

 

 

ଯୁବତୀମାନେ କିଭଳି ଗର୍ଭବତୀ ନହେବେ  ସେମାନଙ୍କୁ ଏକ ଇଞ୍ଜେକସନ ଦିଆଯାଉଥିଲା  । ୬୦୬ ନାମକ ଏହି ଇଞ୍ଜେକସନର ସାଇଡ ଇଫେକ୍ଟ ପରେ ଜାଣିବାକୁ ମିଳିଥିଲା  । ଏହି ମାରାତ୍ମକ ଇଞ୍ଜେକସନ ଯୋଗୁଁ ବ୍ଲିଡିଂ, ଓଜନ କମ, ପେଟ ଯନ୍ତ୍ରଣା, ବାନ୍ତି ଓ ଗର୍ଭଧାରଣା କ୍ଷମତା କମି ଯାଉଥିଲା  ।

ଅସ୍ତରଙ୍ଗ ଅଞ୍ଚଳରୁ ସନ୍ଦିଗ୍ଧ ପାରା ଠାବ; ଗୋଡ଼ରେ ଲାଗିଛି ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ୍

ଅସ୍ତରଙ୍ଗ: ପୁଣି ଓଡ଼ିଶାରେ ସନ୍ଦିଗ୍ଧ ପାରା ଠାବ । ଅସ୍ତରଙ୍ଗ ବ୍ଲକ ନାନପୁର ପତିସାହିରେ ସନ୍ଦିଗ୍ଧ ପାରା ଠାବ ହୋଇଛି । ତାର ଦୁଇ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ରହିଛି । ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଗତ ସପ୍ତାହେ ହେଲା ପାରାଟି ଉଡ଼ିବୁଲୁଥିଲା । ଆଜି ତାକୁ ଲୋକମାନେ କାବୁ କରିବା ପରେ ତାର ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଥିବା ଦେଖିବାକୁ ପାଇ ସନ୍ଦେହ ପ୍ରକାଶ କରିଥିଲେ । ଟ୍ୟାଗରେ ready bsp dn ଓ ୩୧ ବୋଲି ଲେଖା ହୋଇଛି । ତେବେ ବାସ୍ତବରେ ଏହି ଟ୍ୟାଗ କଣ ସୂଚିତ କରୁଛି ସେନେଇ ତଦନ୍ତ ପାଇଁ ଦାବି ହୋଇଛି । କିଛିଦିନ ତଳେ ପାରାଦୀପ ସମୁଦ୍ରରୁ ଏକ ପାରାକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ ମତ୍ସ୍ୟଜୀବୀ । ପାରାଟିର ଗୋଡ଼ରେ କ୍ୟାମେରା, ଚିପ ରହିଥିବାବେଳେ ଡେଣାରେ ବିଦେଶୀ ଭାଷା ଲେଖାଥିଲା । ବର୍ତ୍ତମାର ପାରାକୁ ନେଇ ତଦନ୍ତ ଜାରି ରହିଛି ।

ବନାଗ୍ନି ରୋକିବାକୁ ଓଡ୍ରାଫ ମୁତୟନ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ରାଜ୍ୟରେ ବନାଗ୍ନିକୁ ପ୍ରଶମନ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ବନାଗ୍ନି ପ୍ରଶମନ ନିମନ୍ତେ ପଞ୍ଚାୟତ ସ୍ତରରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । ସଂପୃକ୍ତ ଅଂଚଳର ସରପଞ୍ଚ, ସ୍ଥାନୀୟ ଜନ ପ୍ରତିନିଧି, ମିଶନ ଶକ୍ତି, ସ୍ଥାନୀୟ କ୍ଲବ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ଏହି ଅଭିଯାନରେ ସାମିଲ୍ କରାଯାଇ ପ୍ରାଥମିକତା ଭିତ୍ତିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ, ଏସ୍ପି, ଡି.ଏଫ୍.ଓ,ଅଗ୍ନିଶମ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।

ବନାଗ୍ନି ରୋକିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ସହ ଆବଶ୍ୟକ ସ୍ଥଳେ ଓଡ୍ରାଫ ଟିମକୁ ମୁତୟନ କରାଯିବ । ଆଗକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯାରିରହିବା ଆଶଙ୍କା ଥିବାରୁ ବନାଗ୍ନି ବ୍ୟାପିବା ସମ୍ଭାବିତ ସ୍ଥାନ ଗୁଡ଼ିକରେ ଆଗୁଆ ଓଡ୍ରାଫ ଟିମ୍ ମୁତୟନ ନିମନ୍ତେ ମୁଖ୍ୟ ଶାସନ ସଚିବ ଓସ୍ଡମାକୁ ନିର୍ଦ୍ଦେଶ ଦେଇଛନ୍ତି । ବନାଗ୍ନି ପ୍ରଶମନ କ୍ଷେତ୍ରରେ ଆଗୁଆ ସୂଚନା ଦେବା, ସହଯୋଗ କରୁଥିବା ସ୍ଥାନୀୟ ସଂସ୍ଥା ତଥା ବ୍ୟକ୍ତି ବିଶେଷ ଏବଂ ସଂପୃକ୍ତ ପଂଚାୟତକୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ । ଅନେକ ସ୍ଥାନରେ ମନୁଷ୍ୟକୃତ ଭାବେ ବନାଗ୍ନି ହେଉଥିବା ଦୃଷ୍ଟିରୁ ଗୋଷ୍ଠୀ ସହଭାଗିତାରେ ଏହାକୁ ରୋକିବା ନିମନ୍ତେ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

ଏତଦବ୍ୟତୀତ ବ୍ୟାପକ ସଚେତନତା ଏବଂ ସ୍ଥାନୀୟ ଗୋଷ୍ଠୀ ସହଭାଗିତାର ଉତ୍ତର ଦାୟିତ୍ୱ ବୃଦ୍ଧି ପାଇଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ । ଏଥି ସହ ଜିଲ୍ଲାର ବିଭିନ୍ନ ବନଖଣ୍ଡ ଉପରେ ତୀକ୍ଷଣ ନଜର ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଏବଂ ଡି.ଏଫ୍.ଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀଙ୍କ ତଥ୍ୟକୁ ଭିତ୍ତିକରି ସରକରଙ୍କୁ ବନାଗ୍ନି ସଂପର୍କିତ ଦୈନିକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବୈଷୟିକ ଜ୍ଞାନକୌଶଳ ଉପଯୋଗ ତଥା ଉପଗ୍ରହ ଉତ୍ତୋଳିତ ଛବି ମାଧ୍ୟମରେ ବନାଗ୍ନି ସ୍ଥାନ ଚିହ୍ନଟ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ବନାଗ୍ନିରେ ସଂପୃକ୍ତ ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ହଜାର ୮୬୦ଟି ସ୍ଥାନରେ ବନାଗ୍ନି ସଂପର୍କରେ ତଥ୍ୟ ଥିବାବେଳେ ସେଥିମଧ୍ୟରୁ ୯୮ ପ୍ରତିଶତ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପି.ସି.ସି.ଏଫ୍. ଦେବୀଦତ୍ତ ବିଶ୍ୱାଳ, ଓରସାକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନବନିଯୁକ୍ତି ଅଧିକାରୀଙ୍କୁ ଦିଗଦର୍ଶନ ଦେଇଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଆୟ ବୃଦ୍ଧି ଦିଗରେ ଲୋକମାନଙ୍କୁ ମତ୍ସ୍ୟ ଚାଷ ସକାଶେ ପ୍ରୋତ୍ସାହନ ଦେବା ଲାଗି ସହକାରୀ ମତ୍ସ୍ୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ ।

ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡିଶା ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନମ୍ବର ଓ୍ବାନ ହେବାକୁ ମିସନ ମୋଡ ଜରିଆରେ କାମ କରିବା ଲାଗି ନୂଆ ଅଫିସରମାନଙ୍କୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । । ଫାଇଭ-ଟି ନୀତି ଉପରେ ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି- ଟିମ୍ ଓ୍ବାର୍କ, ଟେକନୋଲୋଜି, ଟ୍ରାନ୍ସପରେନ୍ସି ଓ ଟାଇମକୁ ଅବଲମ୍ବନ କରିବା ଜରିଆରେ ରୂପାନ୍ତରଣ ସମ୍ଭବ ହେବ । ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ, ଗତ ଦୁଇ ଦଶନ୍ଧିରେ ରାଜ୍ୟ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ।

ଏହି ଦୁଇ ଦଶନ୍ଧିରେ ରାଜ୍ୟରେ ସିଫୁଡ ରପ୍ତାନୀ ୧୨ ଗୁଣା ବଢ଼ିଛି । ଏହି ଅବସରରେ 5-ଟି ସଚିବ ଭିକେ ପାଣ୍ଡିଆନ ‘ମୋ ସରକାର’ର ଜନାଦେଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଲୋକମାନଙ୍କଠାରୁ ମତାମତ ଗ୍ରହଣ କରି ଏହା ଉପରେ କାର୍ଯ୍ୟ କରିବା ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ବଢ଼ିବ । ଯୁବ ଅଧିକାରୀମାନେ ରାଜ୍ୟର ଭିଜନକୁ ପୂରଣ କରିବା ପାଇଁ କଠନ ପରିଶ୍ରମ କରନ୍ତୁ ବୋଲି ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ସୁରେଶ ବଶିଷ୍ଟ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଉପକୂଳରେ ଘଡଘଡି ସହ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସବୁଠି କୋହଲାପାଗ । ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଉପକୂଳରେ ଘଡଘଡି ସହ ବର୍ଷା । କାଲିଠୁ ବଢ଼ିବ ବର୍ଷାର ବିସ୍ତୃତି ଓ ପରିମାଣ । ନୟାନ୍ତ କରିବ ଝଡ ପବନ । କାଲି ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା କୋରାପୁଟ, ମାଲକାଗିରି, ନବରଙ୍ଗପୁର ସହ ୧୨ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବ । ପବନ ବେଳେ କ୍ଷୟକ୍ଷତି ନେଇ ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧୯ ତାରିଖ ଯାଏଁ ଏଭଳି ପାଗ ଲାଗିରହିବ । ୧୮ ତାରିଖରେ ସର୍ବାଧିକ ପ୍ରଭାବ ରହିବ ।

ଉପକୂଳ ଓଡ଼ିଶାର ୬ଜିଲ୍ଲା ସାଙ୍ଗକୁ ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ତଥା ହିମାଳୟ ପାଦଦେଶରୁ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି ନିମ୍ନଚାପ ରେଖା । ଆଗକୁ ଏହା ଓଡ଼ିଶାର ଆହୁରି ନିକଟତର ହେବ । ଫଳରେ ପଶ୍ଚିମାଝଡର ପ୍ରଭାବ କାଲିଠୁ ଅଧିକ ଅନଭୂତ ହେବ । ଭୂମଧ୍ୟ ସାଗରରୁ ବାୟୁମଣ୍ଡଳର ମଧ୍ୟଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ପଶ୍ଚିମା ଝଡ ଆସେ । ଏହି ପବନ ପଶ୍ଚିମରୁ ପୂର୍ବ ଆଡ଼କୁ ପ୍ରବାହିତ ହେଉଥିବାରୁ ଏହାକୁ ପଶ୍ଚିମା ଝଡ କୁହାଯାଏ । ଏହି ଘୂର୍ଣ୍ଣିବଳୟ ବା ନିମ୍ନ ଚାପରେଖା ଦକ୍ଷିଣ ଅକ୍ଷାଂଶ ଆଡ଼କୁ ଗତି କଲେ ଓଡ଼ିଶା ଉପରେ ପ୍ରଭାବ ପକାଏ । ବର୍ତ୍ତମାନ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ନେଇ ଆକଳନ ହୋଇଛି ।

ଉପମୁଖ୍ୟମନ୍ତ୍ରୀ ଅଫରକୁ ପ୍ରତ୍ୟାଖାନ କରିଥିଲେ ସୋନୁ ସୁଦ

ମୁମ୍ବାଇ: ସୁପରହିଟ ଫିଲ୍ମ ଦବଙ୍ଗର ଚୁଲବୁଲ ପାଣ୍ଡେ ଆଉ ଛେଦି ସିଂକୁ କିଏ ବା ନ ଜାଣେ । ବଲିଉଡର ଏହି ଦୁଇ ଚରିତ୍ରକୁ ବାଦ୍‌ ଦେଇ ଦବଙ୍ଗର ସିକ୍ବେଲ ନିର୍ମାଣ କରିବା ବି ଅସମ୍ଭବ  । ଦର୍ଶକଙ୍କ ହୃଦୟରେ ଛେଦି ସିଂର ଛାପ ଛାଡିଥିବା ସୋନୁ ସୁଦ କିନ୍ତୁ ଏହି ଫିଲ୍ମ ପାଇଁ ନିର୍ମାତାଙ୍କୁ ମନା କରିଦେଇଥିଲେ  । ଏ କଥାର ଖୁଲାସା ଖୋଦ ସୋନୁ କରିଛନ୍ତି  । ଫିଲ୍ମରେ ଛେଦି ସିଂର ଚରିତ୍ର ଶୁଣିବା ପରେ ଅଫର୍‌ ଗ୍ରହଣ କରିବାକୁ ରାଜି ହୋଇଥିଲେ ସୋନୁ ।

ଦବଙ୍ଗ ପାଇଁ ସୋନୁ ପ୍ରଥମେ କାହିଁକି ମାନି ନଥିଲେ ? ବଲିଉଡର ଦବଙ୍ଗ ଭାବେ ଜଣାଶୁଣା ସଲମାନଙ୍କ ସହ ତାଙ୍କର ଇଗୋ କ୍ଲାସ ଥିଲା କି ? ନା ଆଉ କେଉଁ ପରିବର୍ତ୍ତନ ପରେ ରାଜି ହୋଇଥିଲେ ଦବଙ୍ଗ ଭିଲେନ୍‌ ? ଏକ ସାକ୍ଷାତକାରରେ ଦବଙ୍ଗର ଅଜଣା କଥା ସେୟାର କରିଛନ୍ତି ସୋନୁ ।  ସଲମାନଙ୍କ ସହ ସ୍କ୍ରିନ ସେୟାର କରିବା ସୋନୁଙ୍କ ପାଇଁ ମହଙ୍ଗା ପଡିବା ପ୍ରଶ୍ନରେ ସେ କହିଥିଲେ ଯେ ‘ମୋର ଏକ କ୍ରାଏଟେରିଆ ଅଛି୍  । ଯଦିଓ ଫିଲ୍ମରେ ସଲମାନଙ୍କ ୨୧ଟି ସିନ୍‌ ଥିଲା, ମୋର ବି ୧୯ଟି ସିନ୍‌ ରହିଥିଲା  । ତେଣୁ ଏଥିରେ ଇଗୋ କ୍ଲାସର ପ୍ରଶ୍ନ ହି ଉଠୁନି  । ବରଂ ଆମ ଭିତରେ ବନ୍ଧୁତା ନିବିଡ ରହିଛି ’।

କେବଳ ଛେଦି ସିଂ ପାଇଁ ଅଫର୍‌ ସାଇନ କରିଥିଲେ ସୋନୁ  । ଏଥିପାଇଁ ସେ ଚରିତ୍ରକୁ କିଛି ମାତ୍ରାରେ ବଦଳାଇ ବି ଥିଲେ  । ସୋନୁଙ୍କ ପାଖକୁ ଯେତେବେଳେ ସ୍କ୍ରିପ୍ଟ ଆସିଥିଲା ସେଥିରେ ଛେଦି ସିଂର ଚରିତ୍ର ବଦ୍‌ରାଗୀ ଥିଲା  । ଏବେ ମାରିଦେବି, ହାଣିଦେବି ଭଳି ଚରିତ୍ରରେ ଛେଦି ସିଂଙ୍କୁ ଚିତ୍ରଣ କରାଯାଇଥିଲା  । କିନ୍ତୁ ଏଥିରେ କମେଡି ଛୁଙ୍କ ଦେଇଥିଲେ ସୋନୁ  । ଫିଲ୍ମରେ ଛେଦି ସିଂ ଚରିତ୍ର ସହ ଏକ ଫଟୋଗ୍ରାଫରକୁ ସେ ଯୋଡି ଥିଲେ  । ଯିଏ କି ପ୍ରତି ସିନରେ ଛେଦି ସିଂଙ୍କ ସହ ‘ଭୈୟା ଜି ସ୍ମାଇଲ’ କହୁଥିବାର ଦେଖିବାକୁ ମିଳିଥିଲା  । ସେହିଭଳି ଛେଦି ସିଂର କଥା କହିବା ଶୈଳୀରେ ବି ପରିବର୍ତ୍ତନ କରିଥିଲେ ଭର୍ସାଟାଇଲ ଅଭିନେତା ସୋନୁ ସୁଦ  ।

ସେ ଫିଲ୍ମ ହେଉ କି ରାଜନୀତି ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି ସୋନୁ  । ଖାସ ସେଥିପାଇଁ ତ ସେ ରାଜନୀତିରୁ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି । ଦୁଇ ଦୁଇ ଥର ସୋନୁଙ୍କୁ ରାଜ୍ୟସଭାରୁ ଅଫର୍‌ ଆସିଲାଣି  । ହେଲେ ଏହାକୁ ସେ ଗ୍ରହଣ କରୁ ନାହାନ୍ତି । ଉପମୁଖ୍ୟମନ୍ତ୍ରୀ ପଦକୁ ବି ସେ ବାଏ୍‌ ବାଏ୍‌ କରିଦେଇଛନ୍ତି  । ସମାଜସେବାରେ ବିଶ୍ବାସ କରୁଥିବା ସୋନୁ ଏଯାଏଁ ରାଜନୀତିରେ ରୁଚି ରଖୁ ନାହାନ୍ତି  । ଏଥିପାଇଁ ରିଅଲ୍‌ ପଲିଟିକ୍ସ କଣ ରିଲ୍‌ରେ ବି ପଲଟିସିଆନ ଚରିତ୍ର କରିବାକୁ ମନା କରିଦିଅନ୍ତି ସୋନୁ  ।

କୋରୋନା ସମୟରୁ ଗରିବଙ୍କ ଭଗବାନ ସାଜିଥିବା ସୋନୁ ନିଜ ଆଦର୍ଶରେ ସମାଜସେବା କରିବାକୁ ଚାହାନ୍ତି  । ଏଥିପାଇଁ କୌଣସି ରାଜନୈତିକ ଦଳର ଆବଶ୍ୟକତା ନାହିଁ ବୋଲି କୁହନ୍ତି ସୋନୁ ସୁଦ  ।