ଏବେ ନେବେନି ଅବସର, ଆଉ ଏକ IPL ସିଜିନ୍ ଖେଳିବେ ମାହି !

1 min read

ନୂଆଦିଲ୍ଲୀ: ବର୍ତ୍ତମାନ ଅବସର ଘୋଷଣା ପାଇଁ ଉପଯୁକ୍ତ ସମୟ । କିନ୍ତୁ ମୁଁ ମୋ ପ୍ରଶଂସକଙ୍କ ପାଇଁ ଆଉ ଏକ ସିଜିନ୍ ଖେଳିବା ପାଇଁ ଚେଷ୍ଟା କରିବି । ପଞ୍ଚମ ଥର ପାଇଁ ଟ୍ରଫି ହାତେଇବା ପରେ ଏମିତି କିଛି କହିଛନ୍ତି କ୍ୟାପେଟେନ୍ କୁଲ ମହେନ୍ଦ୍ର ସିଂ ଧୋନୀ । IPL ୨୦୨୩ର ଟାଇଟଲ ଜିତିଛି CSK । ଫାଇନାଲ ମ୍ୟାଚ୍ ପୂର୍ବରୁ ଧୋନୀଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଥିଲା । ଗୁଜରାଟ ବିପକ୍ଷରେ ଫାଇନାଲ ମ୍ୟାଚ୍ ଧୋନୀଙ୍କ ଶେଷ ମ୍ୟାଚ୍ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମାହି । ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ସିଜିନ୍ ଖେଳିବେ ବୋଲି କହିଛନ୍ତି ଧୋନୀ ।

ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା ଫାଇନାଲ ଫାଇଟ । ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ। ଏହି ମ୍ୟାଚରେ ଗୁଜରାଟକୁ ୫ ଓ୍ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ବିଜୟର ମୁକୁଟ ପିନ୍ଧିଛି ଚେନ୍ନାଇ । ତେବେ ଚେନ୍ନାଇ ଟାଇଟଲ ଜିତିବା ପରେ ସମସ୍ତଙ୍କ ନଜର ଥିଲା ମାହିଙ୍କ ଉପରେ । ସେ ତାଙ୍କ ଆଇପିଏଲ ଭବିଷ୍ୟତକୁ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ବେଶ୍‌ ଚର୍ଚ୍ଚା ହେଉଥିଲା ।

ଗତକାଲି ମ୍ୟାଚ୍ ପରେ ଧୋନୀଙ୍କୁ ଉପସ୍ଥପାକ ହର୍ଷ ଭୋଗଲେ ଧୋନୀଙ୍କ ଆଇପିଏଲ ଭବିଷ୍ୟତକୁ ନେଇ ପ୍ରଶ୍ନ କରିଥିଲେ । ତେବେ ଏହି ପ୍ରଶ୍ନର ଉତ୍ତରରେ ଧୋନୀ କହିଥିଲେ କି ଯଦି ବର୍ତ୍ତମାନ ସ୍ଥିତିକୁ ଦେଖାଯାଏ ତେବେ ଅବସର ନେବା ପାଇଁ ଏହା ହେଉଛି ସଠିକ୍ ସମୟ । ମୁଁ ବର୍ତ୍ତମାନ ବିଦାୟ ନେଉଛି ବୋଲି କହିବା ମୋ ପାଇଁ ବହୁତ ସହଜ । କିନ୍ତୁ ଏହା ମୋ ଫ୍ୟାନ୍ସଙ୍କ ପାଇଁ ବେଶ୍ କଷ୍ଟଦାୟକ । ପ୍ରଶଂସକମାନେ ଯେଉଁ ଉତ୍ସାହ ଦେଖାଇଛନ୍ତି, ସେମାନଙ୍କ ପାଇଁ କିଛି କରିବା ଆବଶ୍ୟକ । ଦର୍ଶକଙ୍କୁ ଉପହାର ଦେବା ପାଇଁ ମୁଁ ଆଉ ଏକ ସିଜିନ ଖେଳିବି ବୋଲି କହିଛନ୍ତି ମାହି । ମୁଁ ଆଜି ଯାହା ବି ହୋଇଛି ତାହା କେବଳ ମୋ ପ୍ରଶଂସକଙ୍କ ଭଲ ପାଇବା ଯୋଗୁଁ । ତେଣୁ ସେମାନଙ୍କ ପାଇଁ ମୁଁ ଚେଷ୍ଟା କରିବି ଆଉ ଏକ ସିଜିନ୍ ଖେଳିବା ପାଇଁ । ମୁଁ ଆସନ୍ତା ସିଜିନରେ ଫେରିବି ଓ ଯେତେ ଦୂର ସମ୍ଭବ ଖେଳିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଧୋନୀ । ହେଲେ ଆସନ୍ତା  ୯ ମାସ ପରିଶ୍ରମ କରି ଫେରିବା ଓ ଆଉ ଏକ ସିଜିନ୍ ଖେଳିବା ତାଙ୍କ ପାଇଁ ବେଶ୍ କଷ୍ଟକର ବୋଲି କହିଛନ୍ତି କ୍ୟାପଟେନ୍ କୁଲ ।

ମହେନ୍ଦ୍ର ସିଂ ଧୋନୀ ୨୦୦୮ରୁ IPLରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ କରିଆସୁଛନ୍ତି । ସେ IPLରେ ୨୫୦ଟି ମ୍ୟାଚ ଖେଳିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ମାହି ଆଇପିଏଲରେ ଦୁଇଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି । ୨୦୧୬ ଓ ୨୦୧୭ରେ ସେ ରାଇଜିଂ ପୁଣେ ସୁପର ଜାଏଣ୍ଟସ୍ ପାଇଁ ଖେଳିଛନ୍ତି । ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୫ ଥର ପାଇଁ IPL ଟ୍ରଫି ଜିତିବାରେ ହୋଇଛି ସଫଳ ।