ମେଧାବୀଙ୍କ ପାଦରେ ବେଡି ପକାଇପାରିବନି ଅଭାବ, ମାଲକାନଗିରିର କରମା ମୁଦୁଲିଙ୍କ ଦୁଃଖ ବୁଝିଲେ 5T ସଚିବ

1 min read

ଭୁବନେଶ୍ୱର: ମାଲକାନଗିରିର ମେଧାବୀ ଛାତ୍ରୀ କରମା ମୁଦୁଲି ମଜୁରୀ ଲାଗିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ଘଟଣା । କରମାଙ୍କୁ ସବୁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପାଠପଢ଼ା ପାଇଁ ସ୍କଲାରସିପ୍ ସହିତ ତାଙ୍କ ପରିବାରକୁ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, 5T ସଚିବଙ୍କ ନିର୍ଦ୍ଦେଶରେ କରମା ମୁଦୁଲିଙ୍କୁ ଭେଟି ଆଲୋଚନା କରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ WEO । କରମା ଏବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠ ପଢୁଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ତାଙ୍କୁ ୧୩ ହଜାର ଟଙ୍କାର ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପ୍ରଦାନ କରାଯାଇଥିଲା । ବିଜୁ ଯୁବ ସଶକ୍ତିକରଣ ଯୋଜନା ମଧ୍ୟମରେ ସେ ଲାପଟପ ପାଇବା ପାଇଁ ମଧ୍ୟ ଚୟନ ହୋଇଛନ୍ତି  । ଏହାଛଡ଼ା ତାଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଏବଂ IEC ଆକ୍ଟିଭିଟିଜ ଫଣ୍ଡରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ବଣ୍ଡା ଉନ୍ନୟନ ପାଣ୍ଠିରୁ ତାଙ୍କ ପରିବାରକୁ ସମସ୍ତ ସହାୟତା ପ୍ରଦାନ କରାଯାଉଛି । ତାଙ୍କ ବାପା ଓ ମାଆ ମଧୁବାବୁ ପେନସନ୍ ଯୋଜନାରେ ସହାୟତା ପାଉଛନ୍ତି । କରମାଙ୍କ କହିବା କଥା ତାଙ୍କ କଲେଜ ପାଇଁ ମାସିକ ୩ ହଜାର ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଅଧିକ ଅର୍ଥ ଦରକାର । ୨୦୨୧-୨୨ରେ ମାଲକାନଗିରି ଜିଲ୍ଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ଟପ୍ପର ହୋଇଥିଲେ ଖଇପୁଟ ବ୍ଲକ ପଦେଇଗୁଡ଼ା ଗାଁର କରମା ମୁଦୁଲି । ଛୁଟିରେ ଘରକୁ ଯାଇଥିବାବେଳେ ସେ ଗାଁର ମହିଳାଙ୍କ ସହିତ ମଜୁରୀ ଲାଗୁଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ କଲେଜକୁ ଫେରିବା ସହିତ ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଦେଇଥିଲେ । ତାଙ୍କର ପାଠପଢା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।