କୁସ୍ତିଯୋଦ୍ଧାଙ୍କ ସମର୍ଥନରେ UWW, ୪୫ ଦିନ ଭିତରେ ନିର୍ବାଚନ ନକଲେ ଭାରତୀୟ କୁସ୍ତିସଂଘକୁ ସସପେଣ୍ଡ ଧମକ

ନୂଆଦିଲ୍ଲୀ: ଭାରତରେ କୁସ୍ତିଯୋଦ୍ଧାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ଦିଲ୍ଲୀ ପୋଲିସର ଗିରଫଦାରୀକୁ ସମାଲୋଚନା କରିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ । କୁସ୍ତି ଯୋଦ୍ଧାଙ୍କ ଧାରଣା ହେବା ପରଠାରୁ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ । କୁସ୍ତି ଯୋଦ୍ଧା କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅପିଲ କରିଛି । ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିବା ବେଳେ ତାଙ୍କୁ ଅସ୍ଥାୟୀ ଭାବେ ତାଙ୍କ ପଦବୀରୁ ଦୁରେଇ ରଖାଯାଇଛି ।

ତେଣୁ ଆଗକୁ କୁସ୍ତି ଯୋଦ୍ଧାଙ୍କ ସହ ଆଲୋଚନା କରିବ ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ। ସେମାନଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବ। ଏଥିସହ ଇଣ୍ଡିଆନ୍ ଅଲିମ୍ପିକ ଆସୋସିଏସନ ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଆଡହକ୍ କମିଟିକୁ ପୂର୍ବରୁ ଦିଆଯାଇଥିବା ୪୫ ଦିନ ଡେଡଲାଇନ ବିଷୟରେ ମଧ୍ୟ ଆଉଥରେ ମନେ ପକାଇ ଦେଇଛନ୍ତି। ଏହି ଡେଡଲାଇନ ଭିତରେ ଇଲେକଟିଭ ଜେନେରାଲ ଆସେମ୍ବଲି ଗଠନ କରିବା ପାଇଁ କୁହାଯାଇଛି। ଏହି ସମୟ ଭିତରେ ନିର୍ଦ୍ଦେଶ ଅମାନ୍ୟ ହେଲେ ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ, ରେସଲିଂ ଫେଡେରସନ ଅଫ ଇଣ୍ଡିଆକୁ ଭଙ୍ଗ କରିବ। ଏହାଦ୍ବାରା ଆଗକୁ କୁସ୍ତିଯୋଦ୍ଧା ମାନେ ନିରପେକ୍ଷ ଭାବେ ଖେଳିବାକୁ ବାଧ୍ୟ ହେବେ।

କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ପାଇଁ ପୂର୍ବରୁ ଦିଲ୍ଲୀରେ ହେବାକୁ ଥିବା ଏସିଆନ ଚାମ୍ପିଆନସିପକୁ କାଜାକସ୍ଥାନରେ କରାଯାଇଥିଲା। ସେପଟେ ଗଙ୍ଗାରେ ମେଡାଲ ଭସାଇଲେ ନାହିଁ କୁସ୍ତି ଯୋଦ୍ଧା । ହରିଦ୍ବାରରେ ପହଞ୍ଚି ଗଙ୍ଗାରେ ମେଡାଲ ଭସାଇବାକୁ ପ୍ରସ୍ତୁତି ହେଉଥିବା ବେଳେ, ଚାଷୀ ନେତା ନରେଶ ଟିକାୟତ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କ ଠାରୁ ମେଡାଲ ନେଇ ନିଜ ପାଖରେ ରଖିଥିଲେ । ପାଞ୍ଚ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରେଶ ଟିକାୟତ।