spot_img
Home Blog Page 3295

ମୋଦିଙ୍କ ଆଖିରେ ଡର ଦେଖିଛି, ମୁଁ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍‌ । ଆଦାନୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବନ୍ଧୁତା ବେସ୍ ପୁରୁଣା । ମୁଁ ପ୍ରମାଣ ସହ ଲୋକସଭାରେ ଏହି କଥା ରଖିଥିଲି । ଏୟାରପୋର୍ଟ୍ ଆଦାନୀଙ୍କୁ ନିୟମ ବଦଳାଇ ଦିଆଯାଇଥିଲା। ଏହି ବାବଦରେ ମୁଁ ପ୍ରମାଣ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲି । ଏହାପରେ ସଂସଦରେ ମୋ ବାବଦରେ ମନ୍ତ୍ରୀମାନେ ମିଛ କହିଥିଲେ । କୁହାଯାଇଥିଲା ଯେ, ମୁଁ ବିଦେଶୀ ମାଟିରେ ବିଦେଶୀ ଦେଶଙ୍କଠାରୁ ସାହାଯ୍ଯ ମାଗିଥିଲି । ମୁଁ ଏ ବାବଦରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲି । ମୁଁ ଲେଖିଥିଲି ଯେ, ଜଣକ ବିଷୟରେ ଯେତେବେଳେ ଆରୋପ ଲଗାଯାଏ ସେତେବେଳେ ତାଙ୍କୁ କହିବାର ସୁଯୋଗ ଦେବା ଆବଶ୍ୟକ । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ମୋତେ ଉତ୍ତର ମିଳିନଥିଲା । ଏହାପରେ ମୁଁ ବାଚସ୍ପତିଙ୍କ ଅଫିସ ଯାଇ ତାଙ୍କୁ ଦେଖା କରିଥିଲି । ମୁଁ ତାଙ୍କୁ ପଚାରିଥିଲି ଯେ, ମୋତେ କହିବା ପାଇଁ ସୁଯୋଗ କାହିଁକି ମିଳୁନାହିଁ। ଉତ୍ତରରେ ସ୍ପିକର ହସିଥିଲେ ଓ କହିଥିଲେ ମୁଁ ସୁଯୋଗ ଦେଇ ପାରିବି ନାହିଁ। ତା ପରେ ଯାହା ହୋଇଥିଲା ଆପଣମାନେ ଜାଣିଛନ୍ତି । ମୁଁ କିନ୍ତୁ ପ୍ରଶ୍ନ ପଚାରିବା ଜାରି ରଖିବି । ୨୦ ହଜାର କୋଟି ଟଙ୍କା ଆଦାନୀଙ୍କ ସେଲ୍ କମ୍ପାନୀରେ ଅଛି। ଏହି ଟଙ୍କା କେଉଁଠୁ ଆସିଲା ଓ ଏହା କାହାର ଟଙ୍କା । ଜଣେ ଚାଇନା ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। କ’ଣ ପାଇଁ କେହି ସେହି ଚୀନ ବ୍ୟକ୍ତି କିଏ କାହିଁକି କିଛି କୁହାଯାଉନାହିଁ ବୋଲି ପ୍ରେସମିଟରେ କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢ଼ୁଛି । ମୋତେ ଧମକାଇ ଚୁପ୍ କରାଯାଇ ପାରିବ ନାହିଁ । ଆଦାନୀଙ୍କର ଅନେକ ନକଲି କମ୍ପାନୀ ଅଛି । ସଂସଦରେ ମୋ ଭାଷଣକୁ ହଟାଯାଇଛି । ମୁଁ କାହାକୁ ଡରୁନାହିଁ । ସେମାନେ ସମସ୍ତଙ୍କୁ ଡରାଇ ରଖିଛନ୍ତି କିନ୍ତୁ ମୋତେ ଡରାଇ ପାରିବେ ନାହିଁ । ଆଦାନୀ ଓ ମୋଦିଙ୍କ ମଧ୍ୟରେ ଗଭୀର ସହଯୋଗୀତା ରହିଛି ବୋଲି କହିଛନ୍ତି ରାହୁଲ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ସାଢ଼େ ୪ ମାସ ରହିବି । ଏହା ମୋ କାମ ଓ ମୁଁ କରିବି । ଆଗରୁ ରାଜନୈତିକ ଦଳଙ୍କୁ ଯେଉଁ ସହଯୋଗ ମିଡିଆ ଓ ଅନୁଷ୍ଠାନରୁ ମିଳୁଥିଲା ଏବେ ତାହା ମିଳୁନି । ତେଣୁ କେବଳ ଲୋକଙ୍କ ଭିତରକୁ ଯିବାକୁ ପଡ଼ିବ । ସେହିପରି ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ । ତେବେ ଏଠାରେ ପ୍ରଶ୍ନ ହେଉଛି ୨୦ ହଜାର କୋଟି କାହାର । ଆଉ ସେହି ଟଙ୍କା ଆଦାନୀଙ୍କର ନୁହେଁ । ମୋତେ ମାରନ୍ତୁ, ପିଟନ୍ତୁ। ଜେଲରେ ରଖନ୍ତୁ। ମୁଁ ପ୍ରଶ୍ନ କରିବି। ସତ୍ୟ କହିବି । ଏହି ଦେଶ ମୋତେ ସବୁକିଛି ଦେଇଛି । ତେଣୁ ମୁଁ ଏହା କରୁଛି ।

ବିଜେପି ନେତାଙ୍କ କାମ ହେଉଛି ମୋତେ ଆକ୍ରମଣ କରିବା । ସେମାନେ ନରେନ୍ଦ୍ର ମୋଦିଙ୍କୁ ଡରନ୍ତି । ବିଜେପି ନେତା ସବୁ ଜାଣିଛନ୍ତି କିନ୍ତୁ ମୋଦିଙ୍କୁ ଡରୁଛନ୍ତି। ମୋଦି କହିଲେ ଧ୍ୟାନ ହଟାଅ ତେଣୁ ସେମାନେ ଏମିତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋର ଆଗାମୀ ଭାଷଣକୁ ନେଇ ଭୟଭୀତ ଥିଲେ । ମୁଁ ତାଙ୍କ ଆଖି ଦେଖିଛି । ସେ ଭୟଭୀତ ଥିଲେ ଯେ, ଆଗାମୀ ଭାଷଣରେ ଆଦାନୀଙ୍କ ବାବଦରେ କ’ଣ କହିବି। ତେଣୁ ମୋ ସଦସ୍ୟତା ରଦ୍ଦ କରାଯାଇଛି । ମୋତେ ସଦସ୍ୟତା ମିଳୁ କି ନ ମିଳୁ ମୁଁ ମୋ କାମ କରିବି। ମୋତେ ସେମାନେ ସ୍ଥାୟୀ ଭାବେ ଏକ୍ସପେଲ କରିଦେଲେ ମଧ୍ୟ ମୁଁ ମୋ କାମ କରିବି। ମୋତେ ପୁଣି ସଦସ୍ୟତା ମିଳିଲେ ମଧ୍ୟ ମୁଁ ମୋ କାମ କରିବି । ଜନତା ଜାଣିଛନ୍ତି ଆଦାନୀ ଭ୍ରଷ୍ଟ। ଲୋକ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜଣେ ଭ୍ରଷ୍ଟ ବ୍ୟକ୍ତିଙ୍କୁ କାହିଁକି ବଂଚାଇବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କୁ ଅନେକ ବିରୋଧୀ ଦଳ ସମର୍ଥନ କରିଛନ୍ତି ଏହି ପ୍ରସଙ୍ଗରେ ସେ କହିଛନ୍ତି କି ମୁଁ ବିରୋଧୀ ଦଳଙ୍କ ପ୍ରତି କୃତଜ୍ଞ । ଆମେ ମିଶିକରି କାମ କରିବୁ ।

ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ । ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ମୋତେ ସବୁଦିନ ପାଇଁ ଅଯୋଗ୍ୟ ଘୋଷଣା କରିଦିଅନ୍ତୁ । କିନ୍ତୁ ମୁଁ ଯାହା କହୁଛି ତାହା କହିବି। ଦେଶରେ ଗଣତନ୍ତ୍ର ମରିଯାଇଛି। ଲୋକ ଯାହା କହିବାକୁ ଚାହୁଁଛନ୍ତି ତାହା କହି ପାରୁନାହାନ୍ତି। ମୁଁ କାହାକୁ ଡରୁନି । ମୋଦିଙ୍କ ଆଖିରେ ମୁଁ ଡର ଦେଖିଛି। ସେ ମୋର ଆଗାମୀ ଭାଷଣକୁ ଡରି ଏମିତି କରିଛନ୍ତି ବୋଲି କହିଛନ୍ତି ରାହୁଲ ।

ଚାକିରି ଲାଗି ଜମି ମାମଲା, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ CBIର ପଚରାଉଚରା

ନୂଆଦିଲ୍ଲୀ: ଚାକିରି ଲାଗି ଜମି ମାମଲା । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସିବିଆଇର ପଚରାଉଚରା । ତେଜସ୍ବୀ କହିଛନ୍ତି- ସେ ଓ ତାଙ୍କ ପରିବାର ତଦନ୍ତକାରୀ ସଂସ୍ଥାକୁ ସମସ୍ତ ସହଯୋଗ କରିଆସିଛନ୍ତି । ମାତ୍ର ଦେଶରେ ଯାହା ଚାଲିଛି ସେ କ୍ଷେତ୍ରରେ ତାଙ୍କୁ କଷ୍ଟ ସ୍ବୀକାର କରିବାକୁ ପଡ଼ୁଛି । ତେବେ ଏହା ବିରୋଧରେ ସେ ଓ ତାଙ୍କ ପରିବାର ଲଢେଇ ଜାରି ରଖିବେ ଏବଂ ଶେଷରେ ସେମାନେ ବିଜୟୀ ହେବେ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ତେଜସ୍ବୀଙ୍କ ଭଉଣୀ ମିସା ଭାରତୀ । ଏହାକୁ ନେଇ ମିସା ଭାରତୀଙ୍କୁ ଭେଟିଛନ୍ତି ସମାଜବାଦୀ ପାର୍ଟ ନେତା ଅଖିଳେଶ ଯାଦବ ।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତିନିଟି ସ୍ଥାନ- କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବଡ଼ ଆଗୁଳ ନିକଟରେ ଏକ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ଋଣ ବଣ୍ଟନ କରିବେ । ପରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିର କଞ୍ଚୁଡ଼ୁରେ ଆୟୋଜିତ ସଭାରେ ଯୋଗଦେଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ।

ଶେଷରେ ଛତ୍ରପୁରରେ ଏକ ସଭାରେ ଯୋଗଦେଇ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁରରେ ସଭାସ୍ଥଳଗୁଡ଼ିକରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ, ଶୀଘ୍ର ରାସ୍ତା କାମ ସାରିବାକୁ ଦାବି

ଭୁବନେଶ୍ୱର: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଶୀଘ୍ର ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ନବୀନ । ୨୦୧୭ରୁ ଜତୀୟ ରାଜପଥ ପ୍ରାଧିକରଣ ଏହି କାମ କରୁଛି । ୫ ବର୍ଷ ହେବ ସରିପାରୁନି ୪ ଲେନ୍ ବିଶିଷ୍ଟ ୫୫ ନମ୍ବର ଜାତୀୟ ରାଜପଥ କାମ ।

କେବଳ ସେତିକି ନୁହେଁ ଜମି ହରାଇଥିବା ଲୋକଙ୍କ ପୁନର୍ବାସ ଓ ଥଇଥାନ ହୋଇପାରିନି । ଏହି ରାସ୍ତା ପଶ୍ଚିମ ଓଡ଼ିଶାବାସୀଙ୍କ ଜୀବନରେଖା । ହେଲେ ଏନଏଚଏଆଇର ମନମୁଖୀ ଓ ଅଧପନ୍ତରିଆ କାମ ପାଇଁ ଦୁର୍ଘଟଣା ବଢ଼ୁଛି । ବିଗତ ୨ ବର୍ଷ ମଧ୍ୟରେ ୩୯୯ ଦୁର୍ଘଟଣା ଘଟିଥିବା ବେଳେ ୧୯୬ ଜଣଙ୍କ ଜୀବନ ଯାଇଛି । ଏଥିପାଇଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏନଏଚଏଆଇ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ଏନେଇ ବାରମ୍ବାର ଅବଗତ କରାଇଥିଲେ ବି ସନ୍ତୋଷଜନକ ଉତ୍ତର ମିଳିନି ।

ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ନେଇ ବୈଠକ, ସହଯୋଗ ପାଇଁ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ-୨୦୨୩ ଆୟୋଜନ ପାଇଁ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଦେଶ୍ୟ ଏବଂ ପରିକଳ୍ପନା ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଆସନ୍ତା ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ଉପରେ ଏକ ପ୍ରାକ୍ ଉପସ୍ଥାପନା ପ୍ରଦାନ କରିଥିଲେ ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୁପକ୍ଷ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ ସ୍କିଲ୍ଡ ଇନ୍ ଓଡ଼ିଶାର ମିଶନ୍, ଭିଜନ୍ ଏବଂ ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖି ସ୍କିଲ୍ ଇକୋସିଷ୍ଟମର ପ୍ରତ୍ୟେକଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ପାଇଁ କ୍ୟାରିୟର ପରାମର୍ଶ, ସରକାରୀ ତଥା ପଲିଟେକ୍ନିକରେ ଶିକ୍ଷାର ଗୁଣବତ୍ତା ପରିବର୍ତ୍ତନ, ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ କରି ସେମାନଙ୍କୁ ରୋଲ୍‌ ମଡେଲ୍‌ ରୂପେ ପ୍ରସ୍ତୁତ କରିବା, କୃଷି କ୍ଷେତ୍ରରେ ଦକ୍ଷତା ବିକାଶ, ମିଶନ୍‌ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ କରିବା ଏବଂ ସେମାନଙ୍କୁ ଉଦ୍ୟୋଗୀ ଦକ୍ଷତାରେ ସଶକ୍ତ କରିବା, ଓଡ଼ିଶା ସ୍କିଲ କନକ୍ଲେଭକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ି ତୋଳିବାକୁ ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଥିଲେ । ରାଜ୍ୟର ୬ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ସରକାରଙ୍କ ଉଦ୍ଦେଶ୍ୟ । ସେମାନଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରି ପ୍ରତିଯୋଗିତାରେ ଭାଗନେବା ପାଇଁ ସକ୍ଷମ କରିବା, ସମସ୍ତ କ୍ଷେତ୍ର ଏବଂ ସ୍ରୋତ ମଧ୍ୟରେ ସ୍ୱଳ୍ପମିଆଦି ପାଠ୍ୟକ୍ରମର ପ୍ରଚଳନ, ଉଚ୍ଚମାନର ନିଯୁକ୍ତିଦାତାଙ୍କ ସହ ସହଯୋଗ କରିବା ଏବଂ ପାରମ୍ପରିକ ଦକ୍ଷତାକୁ ଅତିକ୍ରମ କରିବା ଆଦି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ଦିଗରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦୃଢ଼ ଆଶାବାଦୀ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅଧ୍ୟକ୍ଷତା କରିବା ସହ କହିଥିଲେ କି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳର ଅଭାବ ନାହିଁ । ସ୍କିଲ୍‌ ଇନ୍‌ ଓଡ଼ିଶା ମିଶନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମିଶନ ଭାବେ ବିକଶିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ । ଏକ ବିଶାଳ ଓଡିଶା ସ୍କିଲ୍‌ କନ୍‌କ୍ଲେଭ ଇଭେଣ୍ଟ ଆୟୋଜନରେ ସମସ୍ତ ବିଭାଗକୁ ସହଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ ।

ରାଜ୍ୟରେ ଚାଲିଛି ବାର୍ ଆସୋସିଏସନ ନିର୍ବାଚନ, ଆଜି ଘୋଷଣା ହେବ ନିର୍ବାଚିତ କର୍ମକର୍ତ୍ତାଙ୍କ ନାଁ

ଭୁବନେଶ୍ୱର: ଆଜି ସମଗ୍ର ରାଜ୍ୟରେ ମୋଟ ୧୫୩ଟି ବାର୍ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହେଉଛି । ୱାନ ବାର୍ ୱାନ ଭୋଟ ନିୟମ ଅନୁଯାୟୀ ଏହି ନିର୍ବାଚନ ପରିଚାଳନା କରାଯାଉଛି । ରାଜ୍ୟବ୍ୟାପୀ ମୋଟ ୩୩ ହଜାର ୪୩୪ ଜଣ ଆଇନଜୀବୀ ନିଜ ନିଜ ବାର ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ । ଆଜି ସକାଳ ୮ଟାଠାରୁ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି । ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଗଣତି ଶେଷ ପରେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ଆସନ୍ତା ଏପ୍ରିଲ ୧୫ ତାରିଖରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଓକିଲଙ୍କ ନିର୍ବାଚନ ପାଇଁ ଯୋଗ୍ୟ ଭୋଟରଙ୍କ ତାଲିକା ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି ।

ପୁଣି ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ

ଚାନ୍ଦବାଲି: ପୁଣି ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ । ଚାନ୍ଦବାଲି ବ୍ଲକ୍‌ ଆରଡ଼ି ଶୀତଳପୁର ଗାଁ ନିକଟରେ ୧୦୦ ଫୁଟର ସୁରକ୍ଷାବନ୍ଧ ଧସିଛି । ଫଳରେ ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଜୁଆର ପାଣି । ଭୟରେ ଜୀବନ ବିତାଉଛନ୍ତି ୨୦ ପରିବାର । ୫ଟି ଘର ସହ ଗୁହାଳ ଘର ନଦୀକୁ ଢଳି ପଡ଼ିଛି । କୋଟି କୋଟି ଟଙ୍କା କାର୍ଯ୍ଯର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

ଗତ କିଛିମାସ ହେବ ଶୀତଳପୁର ଗାଁକୁ ସୁରକ୍ଷା ଦେବା ପାଇଁ ସାଳନ୍ଦୀ ନଦୀ ବନ୍ଧର ସ୍ଥାୟୀ ମରାମତି କାର୍ଯ୍ଯ ଚାଲିଥିଲେ ମଧ୍ଯ ବାରମ୍ବାର ନଦୀଗର୍ଭକୁ ଧସିବାରେ ଲାଗିଛି। ଫଳରେ ନଦୀକୂଳରେ ବସବାସ କରୁଥିବା ୨୦ ପରିବାର ଭୟରେ ଜୀବନଯାପନ କରୁଛନ୍ତି । କୁମ୍ଭୀର ଭୟ ମଧ୍ୟ ଲୋକଙ୍କ ନିଦ ହଜେଇ ଦେଇଛି ।

ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପରେ ବିଜେପି ବିରୋଧରେ ରଣହୁଙ୍କାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ବିଜେପି ବିରୋଧରେ କଂଗ୍ରେସର ରଣହୁଙ୍କାର । ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ଦେଶରେ ଗଣତନ୍ତ୍ର ବଞ୍ଚାଅ ଅଭିଯାନ କରାଯିବ । ଗତକାଲି ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଥିଲେ । ଗୁରୁବାର ସୁରଟ କୋର୍ଟ ତାଙ୍କୁ ମାନହାନୀ ମାମଲାରେ ୨ ବର୍ଷ ଜେଲଦଣ୍ଡ ଶୁଣାଇବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କଂଗ୍ରେସ ଏହାକୁ ଗଣତନ୍ତ୍ର ହତ୍ୟା କହି କେନ୍ଦ୍ର ଓ ବିଜେପି ଉପରେ ବର୍ଷିଛି । ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଗତକାଲି ସନ୍ଧ୍ୟାରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି ଚିଦାମ୍ବରମଙ୍କ ସମେତ ବରିଷ୍ଠ ନେତା ଓ ସାଂସଦମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ କଂଗ୍ରେସ ସମଗ୍ର ଦେଶରେ ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦକୁ ନେଇ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା କରିଛୁ । ଆଇନଗତ ରଣନୀତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ଆଗାମୀ ଦିନରେ ପୂରା ଦେଶରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ବିରୋଧୀ କଂଗ୍ରେସକୁ ସମର୍ଥନ କରିଥିବାରୁ ଏହାକୁ ଦଳ ସ୍ୱାଗତ କରିଛି । ରାହୁଲ ଗାନ୍ଧୀଙ୍କୁ ସମସ୍ତ କଂଗ୍ରେସ ସାଂସଦ ଓ ବିଧାୟକଙ୍କ ସମେତ ଆଞ୍ଚଳିକ ଦଳର ନେତାମାନେ ସମର୍ଥନ କରିଛନ୍ତି । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଉଦ୍ଧବ ଠାକରେ, ଏମକେ ଷ୍ଟାଲିନ, କେସିଆର ଓ ଅଖିଳେଶ ଯାଦବଙ୍କ ଭଳି ନେତାମାନେ ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି । ବିଜେପି ସରକାର ଏକଛତ୍ରବାଦୀ ଶାସନ ଚଳାଇଥିବା ସେମାନେ କହିଛନ୍ତି ।

ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ଯୁବକଙ୍କ ମୃ୍ତ୍ୟୁ

ଗଞ୍ଜାମ: ଇଣ୍ଟରଭ୍ୟୁ ବେଳେ ଚାଲିଗଲା ଜୀବନ । ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ଯୁବକଙ୍କ ମୃ୍ତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ । ଗଞ୍ଜାମ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଶ୍ୟାମସୁନ୍ଦର ଦାସ ଚାଲିଥିବା ଇଣ୍ଟରଭ୍ୟୁରେ ୧୬୦୦ ମିଟର ଦୌଡିବା ସମୟରେ ହଠାତ ତାଙ୍କର ମୃତ୍ୟୁ ହୋଇଛି । ଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଣି ଅଶାନ୍ତ ସିରିୟା, ଆମେରିକାର ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ପୁଣି ଅଶାନ୍ତ ସିରିୟା । ସିରିୟାରେ ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆମେରିକା ପକ୍ଷରୁ ସିରିୟାରେ ରହିଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଛି । ଷ୍ଟ୍ରାଇକ ପୂର୍ବରୁ ଇରାନ ସମର୍ଥିତ ଗ୍ରୁପ ଆମେରିକା କ୍ୟାମ୍ପ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ ଜଣେ ଆମେରିକା କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ଓ ଆଉ ଜଣେ କଣ୍ଟ୍ରାକ୍ଟର ଆହତ ହୋଇଥିଲେ । ଆକ୍ରମଣର କିଛି ଘଣ୍ଟା ପରେ ହିଁ ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି ।

ଆକ୍ରମଣ ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ପୂର୍ବ ସିରିୟାର ହାସାକାହ ନିକଟରେ ଥିବା ଆମେରିକା ବେସ୍‌ କ୍ୟାମ୍ପ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା । ଇରାନରେ ନିର୍ମିତ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା ।