ଏନସିପିରେ ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାଁ ଘୋଷଣା, ଅଜିତ ପାଓ୍ବାର କୋଣଠେସା

ମହାରାଷ୍ଟ୍ର: ଶନିବାର ମହାରାଷ୍ଟ୍ର ରାଜନୀତି ହଠାତ ଉଷ୍ଣ ହୋଇଗଲା ଯେତେବେଳେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଦଳର ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାଁ ଘୋଷଣା କଲେ । ଦଳର ୨୫ତମ ପ୍ରତିଷ୍ଠା ଦିବସରେ ଶରଦ ପାଓ୍ବାର ମାଇକ ଧରିବା ପରେ ଦୁଇଟି କଥା କହିଥିଲେ ଓ ଦଳକୁ ମିଳିଥିଲା ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷ । ପ୍ରଥମ ନାଁ ଥିଲା ସୁପ୍ରିୟା ସୁଲେ ଓ ଦ୍ବିତୀୟ ନାଁଟି ଥିଲା ପ୍ରଫୁଲ୍ଲ ପଟେଲ । ଶରଦ ପାଓ୍ବାରଙ୍କ ଘୋଷଣା ରାଜ୍ୟ ରାଜନୀତିରେ ଏହି ଦୁଇ ନାଁକୁ ନେଇ ଯେତିକି ମହତ୍ବ ରଖୁଛି, ତା’ଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦଳର ଦୁଇ ନମ୍ବର ନେତା ଅଜିତ ପାଓ୍ବାରଙ୍କ ନାଁ ଏଥିରେ ନରହିବା ।

ଏହି ଘୋଷଣା ପରେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରଥମ ପ୍ରଶ୍ନ, ଶରଦ ପାଓ୍ବାର, ଅଜିତ ପାଓ୍ବାରଙ୍କୁ କାହିଁକି ଦାୟିତ୍ବ ଦେଲେ ନାହିଁ ?

ଦ୍ବିତୀୟ ପ୍ରଶ୍ନ, ଶରଦ ପାଓ୍ବାର ଅଜିତଙ୍କୁ ଏହି ଘୋଷଣା ଜରିଆରେ ବଡ଼ ରାଜନୈତିକ ସନ୍ଦେଶ ଦେବାକୁ ଚାହିଁଛନ୍ତି କି ?

ଏବେ ପ୍ରଶ୍ନ ଉଠୁଛି, ଏହି ଘୋଷଣା ପରେ ଅଜିତ ପାଓ୍ବାର କ’ଣ କରିବେ ? ଏନସିପିର ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାଁ ଘୋଷଣା ପରେ ଅଜିତ ପାଓ୍ବାର ଓ ତାଙ୍କ ସମର୍ଥକଙ୍କ ପ୍ରତିକ୍ରିୟା କ’ଣ ରହିବ । କୁହାଯାଉଛି, ଅଜିତଙ୍କୁ ଶରଦ ପାଓ୍ବାର ଗୁରୁତ୍ବପୂର୍ଣ୍ଣ ରାଜନୈତିକ ସନ୍ଦେଶ ଦେଉଛନ୍ତି । କାରଣ ପୂର୍ବରୁ ଅଜିତ ପାଓ୍ବାର ଏକାଧିକ ଥର ଭିନ୍ନ ରୂପ ଦେଖାଇ ସାରିଛନ୍ତି ।

ରାଜନୈତିକ ବିଶେଷଜ୍ଞ ସାହିଲ ଯୋଶୀଙ୍କ ଅନୁସାରେ, ସୁପ୍ରିୟା ସୁଲେଙ୍କୁ ଜାତୀୟ ରାଜନୀତିରେ ଏଣ୍ଟ୍ରି କରାଇବାକୁ ଶରଦ ପାଓ୍ବାର ଏପରି ନିଷ୍ପତ୍ତି ନେଇଛନ୍ତି । କାରଣ ଦଳରେ ପୂର୍ବରୁ ସ୍ପଷ୍ଟ ଥିଲା, ପୂର୍ବ ଭଳି ଅଜିତ ପାଓ୍ବାର ମହାରାଷ୍ଟ୍ର ରାଜନୀତିକୁ ଦେଖିବେ, ବୁଝିବେ ଓ ତା’ ପରେ କିଛି ପ୍ରତିକ୍ରିୟା ଦେବେ । ଯାହା ସେ ଆଗରୁ କରି ଆସିଛନ୍ତି ଓ ଆଗକୁ ବି କରିବେ । ଏମିତି ସ୍ଥିତିରେ ଅଜିତ ପାଓ୍ବାରଙ୍କ ସମର୍ଥକ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯିବାକୁ ଅସନ୍ତୁଷ୍ଟ ରହିବେ ବୋଲି ଆଶା କରାଯାଉନି । କାରଣ, ଶରଦ ପାଓ୍ବାରଙ୍କ ନିଷ୍ପତ୍ତିକୁ ନେଇ ଅଜିତ ଅସନ୍ତୁଷ୍ଟ ନଥିବା ସ୍ପଷ୍ଟ କରିଦିଆଯାଇଛି ।