ମହିଳାଙ୍କ ସଶକ୍ତୀକରଣ ଚାହୁଁନି ରାଜ୍ୟ ବିଜେପି, ମିଶନ ଶକ୍ତି ମାଆଙ୍କୁ ଅପମାନିତ କରୁଛି ଦଳ

ଭୁବନେଶ୍ୱର: ମହିଳା ସଶକ୍ତୀକରଣରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ମହିଳା ସଶକ୍ତୀକରଣକୁ ସ୍ୱୟଂ ସହାୟିକା ଗୋଷ୍ଠୀ ନୂଆଦିଗ ଦେଇଛନ୍ତି । ଏହା ଏକ ସାମାଜିକ ବିପ୍ଳବର ରୂପ ନେଇଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ମିଶନ ବିଭାଗ ଗଠନ ହୋଇଛି । ୭୦ ଲକ୍ଷରୁ ଅଧିକ ମହିଳା ଏସଏଚଜିରେ ସାମିଲ ହୋଇଛନ୍ତି । ଏସଏଚଜି ମାଆମାନେ ୨୦ଟି ବିଭାଗରେ କାମ କରୁଛନ୍ତି । କିନ୍ତୁ ମାଆମାନଙ୍କ ଉନ୍ନତିକୁ ବିଜେପି ସହିପାରୁନି । ମାଆମାନଙ୍କୁ ବିଜେପି ଅପମାନିତ କରୁଛି । ଏଥିପାଇଁ ବିଜେପିକୁ ବିଜେଡି କଡ଼ା ସମାଲୋଚନା କରିଛି ।

ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀଙ୍କୁ ନିନ୍ଦା ଓ ଅପମାନିତ କରିଥିଲା ବିଜେପି । ଆଚରଣ ଓ ଉଚ୍ଚାରଣରେ ତ୍ରୁଟି ପାଇଁ ଓଡ଼ିଶାରେ ବିଜେପି ସଫଳ ହେଉନାହିଁ କି ହେବ ନାହିଁ । ବାରମ୍ବାର ଭୁଲ କରି ମହିଳାଙ୍କୁ ବିଜେପି ନେତା ଅପମାନିତ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ୧୭ ତାରିଖରେ ଜନସମ୍ପର୍କ ସମାବେଶ ପାଇଁ ଆସିଲେ ମଧ୍ୟ ବିଜେପି କିଛି ଲାଭ ପାଇବ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।