ବ୍ରିଜଭୂଷଣଙ୍କ ବାସଭବନକୁ ସଙ୍ଗୀତାଙ୍କୁ କାହିଁକି ନେଇଥିଲା ପୋଲିସ: ସାକ୍ଷୀ ମଲ୍ଲିକ

1 min read

ସୋନିପତ: ଯୌନ ଅଭିଯୋଗର ଅଭିଯୁକ୍ତ କୁସ୍ତି ସଂଘ ସଭାପତି ତଥା ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନକୁ ଦିଲ୍ଲୀ ପୋଲିସ ମହିଳା କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗାଟଙ୍କୁ ନେବାକୁ ନେଇ ପ୍ରଶ୍ନ ଉଠାଇଲେ ସାକ୍ଷୀ ମଲ୍ଲିକ । କହିଲେ- ମହିଳା କୁସ୍ତିଯୋଦ୍ଧାଙ୍କ ମାନସିକ ସ୍ଥିତି ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ଏକ ପ୍ରକାର ଶୋଷଣ । ପୋସ୍କ ମାମଲାରେ ଅଭିଯୋଗକାରୀଙ୍କ ବୟାନ ବଦଳି ଯାଇଛି । ବ୍ରିଜଭୂଷଣଙ୍କୁ ଗିରଫ କରା ନଗଲେ ତଦନ୍ତ ପ୍ରଭାବିତ ହେବ । ବ୍ରିଜଭୂଷଣ କୁସ୍ତିଯୋଦ୍ଧାଙ୍କ ଉପରେ ଚାପ ପକାଉଛନ୍ତି ।

ହରିୟାଣାର ସୋନିପତ ଧର୍ମଶାଳାରେ କୁସ୍ତିଯୋଦ୍ଧାଙ୍କ ମହା ପଞ୍ଚାୟତ ହୋଇଥିଲା । ଏଥିରେ ଏକାଧିକ ଚାଷୀ ନେତା ସାମିଲ ହୋଇଥିଲେ । ମହା ପଞ୍ଚାୟତ ପରେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଥିଲେ, ‘ବ୍ରିଜଭୂଷଣଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଜାରି ରହିବ । ୧୫ ଦିନର ସମୟ ଦିଆଯାଇଥିଲା । ମୁଁ ପ୍ରଥମ ଦିନରୁ କହି ଆସୁଛି, ଅଭିଯୁକ୍ତ ଗିରଫ ହେବା ଦରକାର ।’

ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିବାକୁ ମହିଳା କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗାଟଙ୍କୁ ନେଇ ବ୍ରିଜଭୂଷଣଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହାପରେ ଖବର ଆସିଥିଲା ସଙ୍ଗୀତା ଓ ବ୍ରିଜଭୂଷଣଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଛି । ଏପରି ଖବରକୁ ସଙ୍ଗୀତାଙ୍କ ଭଉଣୀ ବିନେଶ ଫୋଗାଟ ଖଣ୍ଡନ କରିଥିଲେ ।