କେନ୍ଦୁଝର ବିକାଶର ସମୀକ୍ଷା, ସମସ୍ୟା ସମାଧାନର ପ୍ରତିଶ୍ରୁତି

1 min read

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିକାଶର ମାରାଥନ ସମୀକ୍ଷା । ଶିକ୍ଷାଠାରୁ ଜଳସେଚନ, ମା’ଙ୍କଠାରୁ ବୃଦ୍ଧବୃଦ୍ଧା, ପର୍ଯ୍ୟଟନରୁ ଗମନାଗମନ, ବିଭିନ୍ନ ସମସ୍ୟାର ସମୀକ୍ଷା କରିବା ସହ ଗୁହାରି ଶୁଣିଲେ 5T ସଚିବ ଭି.କେ. ପାଣ୍ଡିଆନ । ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି ।

ଖଣି ଖାଦାନ ଭରା କେନ୍ଦୁଝରର ସ୍ବପ୍ନ ହେଉଛି ସାକାର । ବିପ୍ଳବୀ ଧରଣୀଧରଙ୍କ ମାଟିରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ମାରାଥନ ସମୀକ୍ଷା କରିବା ସହ କହିଛନ୍ତି, ‘ମହିଳା ସଶକ୍ତ ହେଲେ, ଓଡ଼ିଶାର ବିକାଶ ହେବ । ମିଶନଶକ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ବିଶ୍ବାସ ରହିଛି ।’

ଆଜି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ କେତେଦୂର କାର୍ଯ୍ୟକାରୀ ହୋଇଛି ତାହାର ସ୍ଥିତି ପରଖିଛନ୍ତି 5T ସଚିବ । ସକାଳେ ପ୍ରଥମେ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ପହଞ୍ଚି ସେଠାରେ ବିକାଶ ସମୀକ୍ଷା କରିଥିଲେ । ଏହାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଚମ୍ପୁଆ ଏନଏସିରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ପ୍ରୋଜେକ୍ଟ ପରିଦର୍ଶନ କରିବା ପରେ ନେହରୁ ଷ୍ଟାଡିୟମ ଯାଇ ଲୋକଙ୍କ ସମସ୍ୟା ଶୁଣିଥିଲେ ।

ପରେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାୟାଲିସିସ ସେଣ୍ଟର ଓ ଅନ୍ୟାନ୍ୟ ବିକାଶ କାମର ଅନୁଧ୍ୟାନ କରିଥିଲେ । ସେଠାରୁ ଯୋଡ଼ା ଜରା ନିବାସ ପରିଦର୍ଶନ ସହ କେନ୍ଦୁଝର ଜିଲ୍ଲାବାସୀଙ୍କ ସ୍ବପ୍ନର ପ୍ରକଳ୍ପ କାନପୁର ଡ୍ୟାମକୁ ଯାଇ କାମର ସ୍ଥିତି ସମୀକ୍ଷା କରିଥିଲେ । ଯୋଡ଼ା ଫ୍ଲାଏ ଓଭର ନିର୍ମାଣ ଅଗ୍ରଗତିର ସମୀକ୍ଷା ସହ ହିଲଟପରେ ବିକାଶ କାମର ସମୀକ୍ଷା କରିଥିଲେ 5T ସଚିବ । ସହର ଉପକଣ୍ଠରେ ଡିଏମଏଫ ପରିଚାଳିତ ଜରା ନିବାସରେ ବେଶ କିଛି ସମୟ ବିତାଇଥିଲେ ।

ଯୋଡା ପରେ ସେରେଣ୍ଡାରେ ଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ଆଶ୍ରମରେ ପହଞ୍ଚିଥିଲେ ପାଣ୍ଡିଆନ । ଆଶ୍ରମର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ 5T ସଚିବ । କହିଲେ- ଆଶ୍ରମରେ ପଢୁଥିବା ସମସ୍ତ ଅନାଥ ପିଲାଙ୍କ ଦାୟିତ୍ବ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଓ ଅନାଥ ପିଲାଙ୍କ ମୁଣ୍ଡ ଉପରେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦର ହାତ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ।

ସେହିପରି ମିଶନଶକ୍ତି ମାଆଙ୍କୁ ଭେଟିଥିଲେ 5T ସଚିବ ଭି.କେ. ପାଣ୍ଡିଆନ । କେନ୍ଦୁଝର ଓଏସଏମଇ କ୍ୟାମ୍ପସରେ ମିଶନଶକ୍ତି ମାଆଙ୍କ ସହିତ ଆଲୋଚନା କରିବା ସହ କହିଥିଲେ, ମହିଳାଙ୍କ ବିକାଶରେ ଓଡ଼ିଶାର ବିକାଶ । ମା’ଙ୍କ ଉନ୍ନତିକୁ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମିଶନଶକ୍ତିର ମାଆଙ୍କ ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବା କହିଥିଲେ ।

ଧରଣୀଧର ବିଶ୍ବବିଦ୍ୟାଳୟ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଶୁଣିଥିଲେ 5T ସଚିବ । କେନ୍ଦୁଝର ଅଡିଟୋରିୟମରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ବିଳମ୍ବରେ ପହଞ୍ଚି ଥିବାରୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କ୍ଷମା ମାଗିବା ସହ ପିଲାମାନେ ସ୍ମାର୍ଟ ଦିଶୁଥିବା କହିଥିଲେ । ପିଲାଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ଦେଇଥିଲେ ପ୍ରତିଶ୍ରୁତି । ପରେ ହ୍ୟାଣ୍ଡବଲ ଷ୍ଟାଡିୟମର ବିକାଶ ଅନୁଧ୍ୟାନ କରିଥିଲେ । ସେଠାରେ କୁନି କୁନି ପିଲାମାନେ 5T ସଚିବଙ୍କୁ ପାଖରେ ପାଇ ବେଶ ଖୁସି ପ୍ରକାଶ କରିଥିଲେ ।  ପରେ ଶ୍ରୀ ବଳଦେବଜୀଉ ମନ୍ଦିରକୁ ଯାଇଥିଲେ 5T ସଚିବ । ଦେବସ୍ନାନ ପରେ ଶ୍ରୀଜିଉ ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ଗୁପ୍ତ ସେବା ଚାଲିଥିବାରୁ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ସହ ବଡ଼ଦାଣ୍ଡ ପରିଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର, ମସଜିଦ, ଚର୍ଚ୍ଚର ବିକାଶ କରାଯିବା ନେଇ ଦେଇଥିଲେ ପ୍ରତିଶ୍ରୁତି ।

ପରେ ହଠାତ ହାଡ଼ବନ୍ଧ ପୋଖରୀ ପାଖରେ ପହଞ୍ଚି ଥିଲେ 5T ସଚିବ ଭି.କେ. ପାଣ୍ଡିଆନ । ହଠାତ 5T ସଚିବଙ୍କୁ ଦେଖି ଲୋକେ ଉତ୍ସାହିତ ହୋଇଥିଲେ । ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ଏହି ପୋଖରୀର ପୁନଃରୁର୍ଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରିଛନ୍ତି ରାଜ୍ୟ ସରକାର । 5T ସଚିବଙ୍କ ସହ କୁନି କୁନି ପିଲାମାନେ ସେଲଫି ଉଠାଉ ଥିବା ଦେଖିବାକୁ ମିଳିଥିଲା ।

ରବିବାର ମଧ୍ୟ ଦିନ ତମାମ 5T ସଚିବ ଭି.କେ. ପାଣ୍ଡିଆନଙ୍କ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କାର୍ଯ୍ୟକ୍ରମ ରହିଛି