ଆମାଜନ ଜଙ୍ଗଲରେ ଚମତ୍କାର, ୪୦ ଦିନ ପରେ ଉଦ୍ଧାର ହେଲେ ୪ ନିଖୋଜ ଶିଶୁ

ନୂଆଦିଲ୍ଲୀ: କଲମ୍ବିଆର ଘଞ୍ଚ ଆମାଜନ ଜଙ୍ଗଲରେ ଚମତ୍କାର । ଏକ କ୍ଷୁଦ୍ର ବିମାନ ଦୁର୍ଘଟଣା ପରେ ୪୦ ଦିନ ଧରି ନିଖୋଜ ଥିବା ୪ ଜଣ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ୪ ଜଣ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ମାସରୁ କମ୍ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୧୩, ୯ ଓ ୪ ବର୍ଷ । ହିଂସ୍ର ଜୀବଜନ୍ତୁ, ବିରାଟ ବିରାଟ ସାପ ପରିପୂର୍ଣ୍ଣ କଲମ୍ବିଆର ଏହି ଭୟଙ୍କର ଆମାଜନ ଜଙ୍ଗଲରେ ୪ ଜଣ ଶିଶୁ ପ୍ରତିକୂଳ ପରିସ୍ଥିତିରେ ୪୦ ଦିନ ପରେ ଜୀବିତ ଥିବାରୁ କଲମ୍ବିଆରେ ଖୁସିର ଲହରୀ ଖେଳିଯାଇଛି ।

ଗତ ମେ ୧ ତାରିଖରେ ଆମଜନ ଜଙ୍ଗଲରେ ବିମାନ ଦୁର୍ଘଟଣା ପରେ ଏମାନେ ନିଖୋଜ ଥିଲେ । ୧୬୦ ଜଣ ଯବାନଙ୍କ ସହିତ ୨ ଶହ ସ୍ଥାନୀୟ ଲୋକ ଓ ସନ୍ଧାନୀ କୁକୁର ସର୍ଚ୍ଚ ଅପରେସନରେ ଲାଗିଥିଲେ । ହେଲିକପ୍ଟରର ସହାୟତା ନିଆଯାଇଥିଲା । ଦୁଇ ସପ୍ତାହ ତଳେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିଥିଲା । ଘଟଣାସ୍ଥଳରୁ ଚାରି ଶିଶୁଙ୍କ ମାଆଙ୍କ ସମେତ ୩ଜଣଙ୍କ ମୃତଦେହ ମିଳିଥିଲା । କିନ୍ତୁ ପିଲାମାନଙ୍କ ଖୋଜ ଖବର ମିଳିନଥିଲା । ପରେ ଉଦ୍ଧାର ହୋଇଥିବା ୪ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ଅଛି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି । ଉଦ୍ଧାରକାରୀ ଦଳ ଆକାଶମାର୍ଗରୁ ପକାଇଥିବା କିଛି ଫଳ ଖାଇ ଓ ନିଜ ବ୍ୟାବହାରିକ ଜ୍ଞାନ ପ୍ରୟୋଗ କରି ସେମାନେ ବିପଦପୂର୍ଣ୍ଣ ଜଙ୍ଗଲରେ ଜୀବନ ବଞ୍ଚାଇଥିଲେ । ଦେଶ ପାଇଁ ଏହା ସବୁଠାରୁ ଏକ ବଡ଼ ଖୁସିର ଦିନ ବୋଲି କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ।