spot_img
Home Blog Page 3287

ପ୍ରଗତି ପଥରେ କେତେ ଆଗେଇଛି ମାଲକାନଗିରି, ଆଜିଠୁ ୨ ଦିନିଆ ମାଲକାନଗିରି ଗସ୍ତରେ ଯିବେ 5T ସଚିବ

ଭୁବନେଶ୍ୱର: କେତେବାଟ ଆଗେଇଛି ମାଲକାନଗିରିର ବିକାଶ । ସୀମାନ୍ତ ଅଞ୍ଚଳର ପ୍ରଗତି ପଥରେ କ’ଣ ରହିଛି ସମସ୍ୟା । କିଭଳି ଦ୍ରୁତ ଗତିରେ ଆଗକୁ ବଢ଼ିବ ସ୍ବାଭିମାନ ଅଞ୍ଚଳର ବିକାଶ । ଏଥିପାଇଁ ଆଜିଠୁ ଦୁଇଦିନିଆ ମାଲକାନଗିରିରେ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ । ମଧ୍ୟାହ୍ନ ୨ଟା ୫୦ ମିନିଟରେ ମାଥିଲିରେ ପହଞ୍ଚିବେ ପାଣ୍ଡିଆନ । ସେଠାରୁ ଶିବସାଗର ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିବେ । ସେଠାରେ ସପ୍ତଧାରା ଜଳସେଚନ ପ୍ରକଳ୍ପ ଏବଂ ଅଧାରେ ଅଟକିଥିବା ମାଲକାନଗିରି ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ ।

ସେଠାରୁ ସୀତାକୁଣ୍ଡରେ ପହଞ୍ଚି ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ 5T ସଚିବ । ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ ପରେ ଲୋକଙ୍କ ସହ ଆଲୋଚନା କରିବେ 5T ସଚିବ । ଏହାପରେ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଦାରେ ସ୍କୁଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମଧ୍ୟ 5T ସଚିବ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବେ ।

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ସ୍କୁଲରେ ପଶି ଆଖିବୁଝା ଗୁଳିମାଡ଼ କଲା ବନ୍ଧୁକଧାରୀ, ୩ ଶିଶୁ ମୃତ

ୱାସିଂଟନ ଡିସି: ଆମେରିକାରେ ପୁଣି ଗୋଟେଥର ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ ଆକ୍ରମଣକାରୀ ଏଥର ଏକ ସ୍କୁଲରେ ଆଖିବୁଝା ଗୁଳିମାଡ଼ କରିଛି । ଏଥିରେ ତିନି ଶିଶୁଙ୍କ ମୃତ୍ୟୁ ହୋଇଯାଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । କୁହାଯାଉଛି ଯେ ପୋଲିସ ପାଲଟା ଜବାବରେ ବନ୍ଧୁକଧାରୀକୁ ନିହତ କରିଛି । ସୂଚନା ମୁତାବକ, ଆକ୍ରମଣକାରୀ ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଗୁଳିମାଡ଼ କରିଥିଲା । ପୋଲିସ ପହଞ୍ଚିବା ପୂର୍ବରୁ ଅନେକ ଲୋକ ଏହି ଗୁଳିମାଡ଼ର ଶିକାର ହୋଇଯାଇଥିଲେ ।

ନ୍ୟାଶଭିଲେ ପୋଲିସ ଟ୍ୱିଟ୍ କରି କହିଛି ଯେ କନଭେଣ୍ଟ ସ୍କୁଲ କୋଭେନେଣ୍ଟ ପ୍ରେସଭିଟେରିୟନ ଚର୍ଚ୍ଚରେ ଏକ ଗୁଳିମାଡ଼ର ଘଟଣା ଘଟିଛି । ଆକ୍ରମଣକାରୀକୁ ପୋଲିସ ଘେରିଯିବା ସହ ମାରି ଗଡ଼ାଇଛି । ତେବେ ଏହା ପୂର୍ବରୁ କାର୍ଲିଫୋନିଆ ସ୍ଥିତ ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରରେ ଫାୟାରିଙ୍ଗର ଖବର ସାମ୍ନାକୁ ଆସିଥିଲା । ଏଠାରେ ତିନି ଜଣଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା । ଦୁଇଜଣଙ୍କୁ ଗୁଳି ଲାଗିଥିଲା । ଏବେ ସେମାନଙ୍କ ସ୍ଥିତି ଗୁରୁତର ଅଛି ।

ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଋଷ ରାଷ୍ଟ୍ରପତିଙ୍କ ଘୋଷଣାକୁ ନାଟୋର ଜୋରଦାର ବିରୋଧ

ମସ୍କୋ: ପଡ଼ୋଶୀ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣାକୁ ନାଟୋର ଜୋରଦାର ବିରୋଧ । ଏହି ପଦକ୍ଷେପ ବିପଜ୍ଜନକ ଓ ଦାୟିତ୍ବହୀନତାର ପରିଚୟ ବୋଲି କହିଛି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ । ଆଣବିକ ଅସ୍ତ୍ର ମୁତୟନ ନେଇ ଋଷର ଘୋଷଣା ସମ୍ପୂର୍ଣ୍ଣ ଅଯଥାର୍ଥ । ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ସଂକ୍ରାନ୍ତ ଅଙ୍ଗୀକାରକୁ ଋଷ ବାରମ୍ବାର ଭଙ୍ଗ କରୁଛି । ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା କହିଛନ୍ତି ନାଟୋ ମୁଖପାତ୍ର । ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଯଦି ଋଷ ଆଣବିକ ଅସ୍ତ୍ର ମୁତୟନ କରେ ତେବେ ଏହାକୁ ନେଇ ନାଟୋ ଉତକ୍ଷିପ୍ତ ହେବା ଆଶଙ୍କା ରହିଛି ।

ଗତ ଜାନୁଆରୀରେ ଋଷ ଓ ବେଲାଋଷର ମିଳିତ ସମରାଭ୍ୟାସକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ଉଦବେଗ ପ୍ରକାଶ କରିଥିଲେ । ସେପଟେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ସାମିଲ ହେବା ଲାଗି ଋଷରେ ପୁଣି ସୈନ୍ୟ ସଂଗ୍ରହ ପ୍ରକ୍ରିୟା ଜୋର ଧରିଛି । ଏଥିଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ 3 ଲକ୍ଷରୁ ଅଧିକ ରିଜର୍ଭ ସୈନ୍ୟ ସଂଗ୍ରହ ପରେ ପୁଣି ଥରେ ସୈନ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ନେଇ ଋଷର ହଜାର ହଜାର ଯୁବକ ଦେଶଛାଡି ପଳାୟନ କରିଥିବା ସୂଚନା ମିଳିଛି ।

ପାକିସ୍ତାନରେ ହୁ ହୁ ବଢୁଛି ଦରଦାମ୍, କଦଳୀ ଡଜନକୁ ୫୦୦

କରାଚୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ରମଜାନ ମାସରେ ଆକାଶ ଛୁଆଁ ହୋଇଛି ଫଳ ଦାମ । ରମଜାନ ମାସରେ ହୋସ ଉଡାଇଦେବା ଭଳି ଦାମରେ ବିକ୍ରି ହେଉଛି ଫଳ ।

କେବଳ କଦଳୀ ଏବଂ ଅଙ୍ଗୁର ନୁହେଁ, ଦୈନନ୍ଦିନ ଜିନିଷର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି।  ସେହିପରି ପୂଜା ସାମଗ୍ରୀର ଦାମ ମଧ୍ୟ ବୃଦ୍ଧି ପାଇଛି । ପିଆଜ କିଲୋ ପ୍ରତି ୨୨୮ଟଙ୍କା, ଅଟା ଦାମ ୧୨୦ ପ୍ରତିଶତ ବଢ଼ିଛି ।  ସେନସିଟିବ ପ୍ରାଇସ୍ ଇଣ୍ଡିକେଟର (SPI) ଅନୁସାରେ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପାକିସ୍ତାନରେ ଦରଦାମ୍ ବୃଦ୍ଧି ୪୭ ପ୍ରତିଶତରେ ପହଞ୍ଚିଥିଲା । ପୂର୍ବରୁ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନୀଙ୍କ ମୁଣ୍ଡରେ ଚଡ଼କ ପଡିଛି ।

କାଙ୍ଗାଳ ରାଷ୍ଟ୍ରକୁ ବେଲଆଉଟ ପ୍ୟାକେଜ ଦେବାକୁ ଅନେକଗୁଡ଼ିଏ ସର୍ତ୍ତ ରଖିଛି ଆଇଏମଏଫ । ଯଦି ଇଣ୍ଟରନାସନାଲ ମନିଟାରୀ ଫଣ୍ଡ ପାକିସ୍ତାନ ପାଇଁ ପ୍ୟାକେଜ ଘୋଷଣା କରେ, ତେବେ ଏହା ପାକିସ୍ତାନ ଅର୍ଥବ୍ୟବସ୍ଥା ପାଇଁ ସଞ୍ଜିବନୀ ସଦୃଶ ହେବ ବୋଲି ବିଶେଷଜ୍ଞ କହିଛନ୍ତି । ଫେବୃଆରୀ ଆରମ୍ଭରୁ ପାକିସ୍ତାନ ଏବଂ ଆଇଏମଏଫ ମଧ୍ୟରେ ୧.୧ ବିଲିୟନ ଡଲାରର ଋଣ ଛାଡକୁ ନେଇ ଆଲୋଚନା ଚାଲିଛି। କିନ୍ତୁ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇ ୧୦.୧୪ ବିଲିୟନ୍ ଡଲାରରେ ପହଞ୍ଚିଛି ।

ରମଜାନ୍‌ ମାସରେ ପାକିସ୍ତାନୀଙ୍କ ମୁଣ୍ଡରେ ଚଡ଼କ । ପାକିସ୍ତାନରେ ରମଜାନ ମାସ ବେଳେ ଦରଦାମ ବୃଦ୍ଧି କେବଳ ଏକ ସହର ପର୍ଯ୍ୟନ୍ତ ସୀମିତ ନାହିଁ । କରାଚୀ, ରାୱଲପିଣ୍ଡି, ଇସଲାମବାଦ ଓ ଲାହୋର ଭଳି ବଡ଼ ସହରରେ ଦରଦାମ୍ ବୃଦ୍ଧି ହୋଇଛି । ଯାହା ଫଳରେ ରମଜାନ ମାସରେ ମଧ୍ୟ ଲୋକେ କମ୍ ଜିନିଷ କିଣୁଛନ୍ତି । ପାକିସ୍ତାନରେ ମୁଦ୍ରାସ୍ପିତି ହାର ୫୦ ବର୍ଷରେ ଉଚ୍ଚ ସ୍ତରରେ ପହଞ୍ଚିଛି ।

 

 

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା ‘ଶାଶା’ର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ଏକ ଚିତାର ମୃତ୍ୟୁ । ଗତବର୍ଷ ଏହି ପାର୍କକୁ ନାମିବ୍ୟାରୁ ଅଣାଯାଇଥିବା ୮ଟି ଚିତା ମଧ୍ୟରୁ ଶାଶା ନାମକ ଏକ ମାଈ ଚିତାର ମୃତ୍ୟୁ ଘଟିଛି । ଭାରତ ଆସିବା ପୂର୍ବରୁ ସାସାର କିଡନୀରେ ସଂକ୍ରମଣ ଥିଲା । ସେ କିଛି ଦିନ ଧରି ଅସୁସ୍ଥ ହୋଇପଡିଥିଲା । ଗତ ଜାନୁଆରୀ ୨୩ ତାରିଖରେ ସେ ଅତି ଗୁରୁତର ହେବା ସହ ଦୁର୍ବଳ ହୋଇଥିଲା । ପରେ ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଥିଲା । ଶାଶାକୁ ୩ ବର୍ଷ ହୋଇଥିଲା । ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପାର୍କରେ ଚିତାଙ୍କୁ ଛଡ଼ାଯାଇଥିଲା ।

ନିଜ ଜନ୍ମଦିନ ଅବସରରେ ନାମବ୍ୟାରୁ ଆସିଥିବା ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୦ ବର୍ଷ ପରେ ଏହା ପ୍ରଥମ ଥର ଥିଲା ଯେ ଏକ ଚିତା ଭାରତ ମାଟିରେ ମୁକ୍ତ ଭାବରେ ବୁଲୁଥିଲେ । ପ୍ରଥମ ବ୍ୟାଚରେ ନାମିବ୍ୟାରୁ ୮ଟି ଚିତା ଆସିଥିବା ବେଳେ ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାଙ୍କର ଦ୍ୱିତୀୟ ବ୍ୟାଚ୍ ଭାରତକୁ ଅଣାଯାଇଛି । ହେଲେ ଆଜି ଏହି ଚିତାର ମୃତ୍ୟୁ ପରେ ଚିନ୍ତାରେ ପଡ଼ିଯାଇଛନ୍ତି ପାର୍କ କର୍ତ୍ତୃପକ୍ଷ ।

୨୦୦୮ ନୟାଗଡ଼ ମାଓ ଆକ୍ରମଣ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ୩ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ୨୦୦୮ ନୟାଗଡ଼ ମାଓ ଆକ୍ରମଣ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ୩ ଅଭିଯୁକ୍ତ । ନୟାଗଡ଼ ଟାଉନ ଥାନା ପାଖ ପୂରୁଣା ରିଜର୍ଭ ପୋଲିସ ଅଫିସ ଉପରେ ଆକ୍ରମଣରେ ଟପ ମାଓନେତା କୁହାଯାଉଥିବା ଅଭିଯୁକ୍ତ ସବ୍ୟସାଚି ପଣ୍ଡା, ପ୍ରତାପ କିମ୍ବିକା, ମଞ୍ଜୁଲତା ମୁଦୁଲି ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ୩ ଜଣ ।

୫୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା l ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ l ମାଓ ଆକ୍ରମଣ ସମୟରେ ନୟାଗଡ଼ ଜିଲ୍ଲାରେ ମୋଟ ୯ ଟି କେସ ରୁଜୁ ହୋଇଥିଲା l ନୟାଗଡ଼ରେ ୫ଟି କେସ ହୋଇଥିବା ବେଳେ ଦଶପଲ୍ଲାରେ ୪ଟି କେସ ରୁଜୁ ହୋଇଥିଲା । ୨୦୦୮ ମସିହାରେ ନୟାଗଡ଼ ମାଓ ଆକ୍ରମଣରେ ୧୫ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ଲୋକଙ୍କ ଜୀବନ ଚାଲିଯାଇଥିଲା l

ସମସ୍ତ ହସ୍ପିଟାଲରେ ବେଡ୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ଜନ ସ୍ୱାର୍ଥ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ବୃଦ୍ଧି ପାଉଛି କୋଭିଡ ପଜିଟିଭ ମାମଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସତର୍କତା ଜାରି କରାଯାଇଛି । ସମସ୍ତ ହସ୍ପିଟାଲରେ ବେଡ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମେଡିକାଲ କଲେଜ ଅଧିକ୍ଷକ, ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କଟକର SCB MCH, ବ୍ରହ୍ମପୁରର MKCG MCH, ବୁର୍ଲାର VIMSAR, କୋରାପୁଟର SLN MCHରେ 20ଟି ଲେଖାଏଁ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 10ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ରୋଗୀଙ୍କ ପାଇଁ ଅତିକମରେ ଦୁଇଟି ICU ବେଡ୍ ସହିତ 20 ଟି ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିପରି ସମସ୍ତ DHH ଏବଂ ଏକତ୍ରିତ ମେଡିକାଲ୍ କଲେଜଗୁଡିକ ଅତି କମରେ 10ଟି ଶଯ୍ୟାକୁ ପୃଥକ COVID ଭାବରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ଯଦି ଅଧିକ ବେଡର ଆବଶ୍ୟକ ହୁଏ ତେବେ ଷ୍ଟାଣ୍ଡବାଇରେ ବେଡ୍ ସହିତ ବିଭିନ୍ନ ସୁବିଧା ରଖିବାକୁ କୁହାଯାଇଛି । ଏହାସହ ସଠିକ ଭାବରେ ଭିତ୍ତିଭୂମି ଥିବା ସମସ୍ତ CHCକୁ 6 ଟି ଶଯ୍ୟା ଚିହ୍ନଟ କରି ରଖିବାକୁ କୁହାଯାଇଛି । ଉପରୋକ୍ତ ସମସ୍ତ କୋଭିଡ ସୁବିଧା ଗୁଡିକ ପାଇଁ ମାନବ ସମ୍ବଳ ସହିତ ସଠିକ ଭାବରେ ପରିଚାଳନା କରିବାକୁ ପଡ଼ିବ ।

ଏହା ସହ ଅକ୍ସିଜେନ, ଅକ୍ସିଜେନ ସିଲିଣ୍ଡର ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି । ମେଡିକାଲ କଲେଜ, ଜିଲ୍ଲା ଓ CHC ରେ ଟେଷ୍ଟିଂ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆଜି ବିଭିନ୍ନ ରାଜ୍ୟ ସର ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର । ସଜାଗ ରହିବା ସହ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ତେବେ ରାଜ୍ୟରେ କୋଭିଡ୍ ସ୍ଥିତି ସେତେଟା ଚିନ୍ତା ଜନକ ନଥିଲେ ସୁଦ୍ଧା ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।…

ପ୍ରୟାଗରାଜର ନୈନି ଜେଲରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ପହଞ୍ଚିଲା ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦ । ଗତକାଲି ଗୁଜରାଟର ସାବରମତୀ ଜେଲରୁ ତାକୁ କଡା ସୁରକ୍ଷାରେ ଅଣାଯାଇଛି ପ୍ରୟାଗରାଜ । ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଘଟଣାରେ ତାର ଦଣ୍ଡ ଘୋଷଣା ହେବ । ଜେଲରେ ତା ଲାଗି ସ୍ବତନ୍ତ୍ର ବାରାକ ହୋଇଥିବାବେଳେ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି । ୧୦୦ରୁ ଅଧିକ ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ସାଂସଦ ଆତିକଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ଗତ ୨୦୧୯ ଜୁନରେ ସାବରମତୀ ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପୂର୍ବତନ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟା ଘଟଣାରେ ବି ଆତିକ ଅଛନ୍ତି ଅଭିଯୁକ୍ତ ।

ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲଙ୍କୁ ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ । ଲୋକସଭାରେ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ସରକାରୀ କ୍ୱାଟର ଖାଲି କରିବା ପାଇଁ ରାହୁଲଙ୍କୁ ନୋଟିସ୍ ଦିଆଯାଇଛି । ଲୋକସଭା କମିଟି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦେଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପୂର୍ବତନ ସାଂସଦ ହୋଇଯାଇଛନ୍ତି । ସେ କେରଳର ୱାୟନାଡ ଆସନରୁ ପ୍ରତିନିଧିତ୍ୱ କରୁଥିଲେ । କିନ୍ତୁ ଲୋକସଭା ସଚିବାଳୟ ଶୁକ୍ରବାର ବିଜ୍ଞପ୍ତି ଜାରି କରି ତାଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲେ ।

ବର୍ତ୍ତମାନ ରାହୁଲ ୧୨ ତୁଗଲକ ଲେନରେ ଥିବା ସରକାରୀ କ୍ୱାଟରରେ ରହୁଛନ୍ତି । ନୋଟିସ୍ ଅନୁସାରେ ରାହୁଲ ଗାନ୍ଧିଙ୍କୁ ୨୨ ଏପ୍ରିଲ ସୁଦ୍ଧା ନିଜ ସରକାରୀ ବଙ୍ଗଳା ଖାଲି କରିବାକୁ ହେବ । ସୂଚନାଥାଉକି, ଗୁଜୁରାଟର ସୁରଟ କୋର୍ଟ ମୋଦି ସରନେମ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ମାମଲା କାରଣରୁ ରାହୁଲ ଗାନ୍ଧିଙ୍କ ସଦସ୍ୟତା ଚାଲିଯାଇଥିଲା ।

ଇମ୍ରାନ ଖାନଙ୍କୁ ହତ୍ୟା ଧମକ ଦେଲେ ପାକିସ୍ତାନ ଗୃହମନ୍ତ୍ରୀ

ଇସଲାମବାଦ: ଇମ୍ରାନ ଖାନଙ୍କୁ ହତ୍ୟା ଧମକ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶାସକ ପିଏମଏଲର ଶତ୍ରୁ କହିବା ସହ ହତ୍ୟା କରିବାକୁ ଧମକ ଦେଇଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନଉଲହା । ଇମ୍ରାନ ଦେଶର ରାଜନୀତିକୁ ସେହି ସ୍ତରକୁ ନେଇଛନ୍ତି, ଯେଉଁଠି ଇମ୍ରାନଙ୍କର ହତ୍ୟା କରିଦିଆଯିବ ନହେଲେ ଆମର ହତ୍ୟା ହେବ ବୋଲି ସନଉଲହା କହିଛନ୍ତି । ଶାସକ ଦଳ ପିଏମଏଲଏନର ଅସ୍ତିତ୍ବ ଏବେ ବିପଦରେ ରହିଛି । ଏହାର ରକ୍ଷା ପାଇଁ ଆମେ ଯେକୌଣସି ସ୍ତରକୁ ଯିବୁ ବୋଲି ସେ କହିଛନ୍ତି । ଇମ୍ରାନ ଖାନ ରାଜନୀତିକୁ ଶତ୍ରୁତାରେ ବଦଳାଇ ଦେଇଛନ୍ତି । ଏବେ ଇମ୍ରାନ ଆମର ଶତ୍ରୁ ଓ ତାଙ୍କ ସହ ଶତ୍ରୁ ଭଳି ବ୍ୟବହାର କରାଯିବ ବୋଲି ସନଉଲହା ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ଗତ ନଭେମ୍ବରରେ ପିଟିଆଇ ପକ୍ଷରୁ ଆୟୋଜିତ ରାଲିରେ ଇମ୍ରାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏଥିପାଇଁ ସନାଉଲହା ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଥିଲେ ଇମ୍ରାନ ଖାନ୍ ।