କୋଭିଡ ପରଠାରୁ ଚୀନରେ ବିଚିତ୍ର ସ୍ଥିତି, ୨୦୨୧ ତୁଳନାରେ ୨୦୨୨ରେ ୮ ଲକ୍ଷ ବିବାହ କମ୍

ବେଜିଂ: ଚୀନରେ ବ୍ୟାପକ ହ୍ରାସ ପାଉଛି ବିବାହ । ଦେଶର ଜନସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଥିବାବେଳେ ଗତବର୍ଷ ବିବାହ ସଂଖ୍ୟା ସର୍ବାଧିକ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଲଗାତାର କିଛି ବର୍ଷ ଧରି ଏହି ହାର କମୁଥିବା ଯୋଗୁ ଉଦବେଗ ପ୍ରକାଶ ପାଇଛି । ବିଶେଷ କରି କୋଭିଡ ଲକଡାଉନ ପରଠାରୁ ଏହି ଅବସ୍ଥା ଅଧିକ ଉତ୍କଟ ହୋଇଛି । ୨୦୨୨ରେ ଦେଶରେ ୬.୮୩ ନିୟୁତ ବିବାହ ପଞ୍ଜିକୃତ ହୋଇଥିବାବେଳେ ଏହି ସଂଖ୍ୟା ୨୦୨୧ ତୁଳନାରେ ୮ ଲକ୍ଷ କମ୍ ଥିବା ସୂଚନା ମିଳିଛି । ଗତବର୍ଷ କୋଭିଡ କଟକଣା କାରଣରୁ ଲକ୍ଷ ଲକ୍ଷ ଲୋକ ଘର ଭିତରେ ବା କମ୍ପାଉଣ୍ଡ ପରିସରରେ ରହିବାକୁ ବାଧ୍ୟ ହୋଇଥିଲେ । ଏହି କାରଣରୁ ଦେଶରେ ବିବାହ ହାର ହ୍ରାସ ପାଉଥିବା ସହ ଜନ୍ମହାର ଓ ତଦଜନିତ ଜନସଂଖ୍ୟା ବି କମିବା ଦେଖାଯାଇଛି ।

୨୦୨୨ରେ ପ୍ରଥମ ଥର ଲାଗି ଗତ ୬ ଦଶନ୍ଧିରେ ଚୀନ ଜନସଂଖ୍ୟା ହ୍ରାସ ପାଇଥିଲା । ଗତବର୍ଷ ଦେଶର ଜନ୍ମହାର ପ୍ରତି ୧ ହଜାର ଲୋକଙ୍କ କ୍ଷେତ୍ରରେ ଥିଲା ୬.୭୭ ପ୍ରତିଶତ । ଏହି ହାର ଚୀନ ଇତିହାସରେ ପ୍ରଥମ ବୋଲି କୁହାଯାଇଛି । ୨୦୨୧ରେ ଏହି ହାର ଥିଲା ୭.୫୨ ପ୍ରତିଶତ । ଜନସଂଖ୍ୟା ବିଶାରଦଙ୍କ ମତରେ ଚୀନର ଏହି ଅବସ୍ଥା ଦେଶ ଲାଗି ଶୁଭଙ୍କର ନୁହେଁ ଏବଂ ଏହା ଯୋଗୁ ଦେଶର ଶ୍ରମଶକ୍ତି ହ୍ରାସ ପାଇବ ଏବଂ ବୟସ୍କ ଲୋକଙ୍କ ଲାଗି ଅଧିକ ବ୍ୟୟ ବରାଦ ହେଉଥିବାରୁ ଜାତୀୟ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିବ । ଆଞ୍ଚଳିକ ସରକାରମାନେ ବି ଆର୍ଥିକ ସଂକଟର ସମ୍ମୁଖୀନ ହେବେ । ଏହାକୁ ଦୃଷ୍ଟିରେ ରଖି ଦେଶର ୨୦ଟି ସହରରେ ବିବାହ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଗର୍ଭଧାରଣ ସଂସ୍କୃତିକୁ ଅଧିକ ବ୍ୟାପ୍ତ କରିବା ଲାଗି ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏପରିକି କେତେକ ପ୍ରଜାତନ୍ତ୍ରରେ ନବବିବାହିତଙ୍କୁ ସବେତନ ବୈବାହିକ ଛୁଟି ପ୍ରଦାନ କରୁଛନ୍ତି କେତେକ ପ୍ରଜାତନ୍ତ୍ର ।