ମୌସୁମୀ ପୂର୍ବରୁ ରାଜଧାନୀର ସବୁ ଡ୍ରେନ୍ ସଫା ହେବ

ଭୁବନେଶ୍ୱର: ମୌସୁମୀ ପୂର୍ବରୁ ରାଜଧାନୀର ସବୁ ଡ୍ରେନ୍ ସଫା ହେବ । ସପ୍ତାହକରେ ଡ୍ରେନ୍ ସଫା ପାଇଁ ନିର୍ଦ୍ଦେଶ ଦେଲେ ବିଏମସି ମେୟର ସୁଲୋଚନା ଦାସ । ମୁକୁଳା ଡ୍ରେନ୍ ପାଖରେ ନିର୍ମାଣ ହେବ ବ୍ୟାରିକେଡ୍ । ବିଏମସି କାର୍ଯ୍ୟାଳୟରେ ପ୍ରାକ୍ ମୌସୁମୀ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । କେତେକ ୱାର୍ଡରେ ଶତ ପ୍ରତିଶତ ଡ୍ରେନ୍ ସଫା ହୋଇସାରିଥିବା ବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍ ସଫା ହୋଇସାରିଛି । ବାକି ଥିବା ଡ୍ରେନଗୁଡିକୁ ମୌସୁମୀ ବର୍ଷା ଆସିବା ପୂବରୁ ତୁରନ୍ତ ସାରିବାକୁ ନିର୍ଦେଶ ଦିଆଯାଇଛି । ଏଜେନ୍ସିଗୁଡିକ ମଧ୍ୟ ଆସନ୍ତା ୭ ଦିନ ମଧ୍ୟରେ ଅଧିକ ଲୋକ ଲଗାଇ ଡ୍ରେନଗୁଡିକୁ ସଫା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟରେ କର୍ପୋରେଟରମାନେ ସହଯୋଗ କରିବାକୁ ମେୟର ଅନୁରୋଧ କରିଛନ୍ତି ।

କେବଳ ସେତିକି ନୁହେଁ, କେତେକ ମୁକୁଳା ଡ୍ରେନ୍ ପାର୍ଶ୍ବରେ ବ୍ୟାରିକେଡ ହୋଇନାହିଁ । ବ୍ୟାରିକେଡ ହୋଇନଥିବା ଡ୍ରେନ୍ ପାଖରେ ଶୀଘ୍ର ନିର୍ମାଣ ପାଇଁ କୁହାଯାଇଛି । ଆଗକୁ ରଥ ଯାତ୍ରା ଆସୁଛି । ଚଳିତ ବର୍ଷ ଭୁବନେଶ୍ୱରରେ ୫୭ଟି ରଥ ବାହାରିବା ପାଇଁ ନିଷ୍ପତି ହୋଇଛି । ସେଥିପାଇଁ ଡ୍ରେନ୍ ସହ ପରିମଳ ବ୍ୟବସ୍ଥାରେ ଯେପରି କୌଣସି ବ୍ୟତିକ୍ରମ ନ ହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି । କେଉଁ ୱାର୍ଡରେ କେତେ କିଲୋମିଟର ଡ୍ରେନ୍ ଓ ରାସ୍ତା ରହିଛି, ତାହାକୁ ମାପିବା ପାଇଁ ବୈଠକରେ ନିଷ୍ପତି ହୋଇଛି । ପ୍ରତ୍ୟେକ ୱାର୍ଡର କର୍ପୋରେଟର, ସଂପୃକ୍ତ ଏଜେନ୍ସି ଏବଂ ସାନିଟାରୀ ଇନ୍ସପେକ୍ଟର ମିଳିତ ଭାବେ ଏହି ମାପ କରିବେ । ଦୁଇ ଦିନ ମଧ୍ୟରେ ରାସ୍ତା ଓ ଡ୍ରେନ୍ ମାପ ଶେଷ କରିବାକୁ ନିଷ୍ପତି ହୋଇଛି । ବୈଠକ ଆରମ୍ଭ ପୂର୍ବରୁ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।