spot_img
Home Blog Page 3288

ଓଡ଼ିଆ ପୁଅ ଆନ୍ଧ୍ରରେ ଟପ୍ପର, ୬୦୦ ମାର୍କରୁ ୫୯୪ ମାର୍କ ରଖିଲେ ଓଡ଼ିଆ ପୁଅ ମିଟୁ ମହାପାତ୍ର

ଗଜପତି: ଓଡ଼ିଆ ପୁଅ ଆନ୍ଧ୍ରରେ ଟପ୍ପର। ଚଳିତ CBSE ଫଳାଫଳରେ ଏହି କୃତିତ୍ବ ହାସଲ କରିଛନ୍ତି ଆନ୍ଧ୍ରରେ ରହୁଥିବା ଓଡ଼ିଆ ପରିବାରର ମିଟୁ ମହାପାତ୍ର। ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପୁରୁଣା ପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଓଡ଼ିଆ ମାଧ୍ୟମରେ ଦଶମ ଶ୍ରେଣୀରେ ପଢୁଥିଲେ ମିଟୁ। ଜଣେ ଗରିବ ପରିବାରର ପୁଅ ହୋଇ ସୁଦ୍ଧା ଅନ୍ୟମାନଙ୍କୁ ପଛରେ ପକାଇ ମୋଟ ୬୦୦ ମାର୍କ ରୁ ୫୯୪ ମାର୍କ ରଖି ଆନ୍ଧ୍ର ପ୍ରଦେଶର ଟପ୍ପର ଭାବେ ବିବେଚିତ ହୋଇଛନ୍ତି ।

ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପୁରୁଣା ପାଟଣାଠାରେ ରହନ୍ତି ମିଟୁର ପରିବାର। ସେଠାରେ ଏକ ସାଇକେଲ ଟାୟାର ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଇଥାନ୍ତି ବାପା ଦୁର୍ଗା ପ୍ରସାଦ ମହାପାତ୍ର । ପରିବାରର ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ନଥିବା ସତ୍ତ୍ୱେ ନିଜର ମେଧାବୀ ତଥା ଅଧ୍ୟବସାୟ ବଳରେ ପାଠ ପଢ଼ି ଏହି ସଫଳତା ହାସଲ କରିଛନ୍ତି ମିଟୁ। ସେଥିପାଇଁ ଆନ୍ଧ୍ର ପ୍ରଦେଶର ଶିକ୍ଷା ବିଭାଗ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସଫଳତାର ଖବର ପ୍ରସାରିତ ହେବା ପରେ ସୀମାବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି। ଜଣେ ଓଡ଼ିଆ ପୁଅର ଏହି ସଫଳତା ପାଇଁ ଆନ୍ଧ୍ରରେ ରହୁଥିଲେ ମଧ୍ୟ କେଉଁଠି ନା କେଉଁଠି ଓଡ଼ିଆ ପୁଅ ବୋଲି ଗର୍ବିତ ହେଉଛନ୍ତି ଅଞ୍ଚଳର ଓଡ଼ିଆ ଲୋକେ।

 

ନଉଁଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ପ୍ରାଚୀନ ତୁଙ୍ଗନାଥ ମନ୍ଦିର, ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ନଇଁଥିବା ସୂଚନା

ଡେରାଡୁନ୍: ନଉଁଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ୧୨ ହଜାର ୮ ଶହ ଫୁଟ୍ ଉଚ୍ଚତାରେ ଥିବା ତୁଙ୍ଗନାଥ ମନ୍ଦିର। ଏଏସଆଇ ପକ୍ଷରୁ କରାଯାଇଥିବା ସର୍ଭେରେ ମନ୍ଦିର ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ନଇଁଥିବା ଜଣାପଡ଼ିଛି । ଏପରିକି ମନ୍ଦିର ପରିସରରେ ଥିବା ମୂର୍ତ୍ତି ଓ ଛୋଟ ମନ୍ଦିର ୧୦ ଡିଗ୍ରୀ ଯାଏଁ ନଇଁଛି । କେନ୍ଦ୍ର ସରକାରଙ୍କୁ ଏନେଇ ଏଏସଆଇ ପକ୍ଷରୁ ତଥ୍ୟ ଦିଆଯାଇଛି । ଏଥିସହ ଏହାକୁ ସଂରକ୍ଷିତ ଐତିହ୍ୟ ଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି ।

ମନ୍ଦିର ନଇଁବା ପଛର କାରଣ ଜାଣିବା ସହ ଏହାର ମରାମତି କରିବାକୁ ଉଦ୍ୟମ କରିବ ଏଏସଆଇ । ଏଥିସହ ମନ୍ଦିର ତଳ ମାଟି ଧସିବା ଆଶଙ୍କା ନେଇ ମଧ୍ୟ ଅନୁଧ୍ଯାନ କରାଯିବ। ବିଶ୍ବର ସର୍ବାଧିକ ଉଚ୍ଚତାରେ ଥିବା ଶିବ ମନ୍ଦିର ହେଉଛି ତୁଙ୍ଗନାଥ ମନ୍ଦିର । ଅଷ୍ଟମ ଶତାବ୍ଦୀରେ ମନ୍ଦିର ନିର୍ମାଣ କରାଯାଇଥିଲା।

ମୌଲବୀ ଅବଦୁଲ କାବିର ହେଲେ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୌଲବୀ ଅବଦୁଲ କାବିର ହେଲେ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ । ହୈବାତୁଲ୍ଲା ଅଖୁନ୍ଦଜାଦାଙ୍କ ଅସୁସ୍ଥତା କାରଣରୁ କାବିରଙ୍କୁ ଏହି ଦାୟିତ୍ବ ଦେଇଛି ତାଲିବାନ । ଆମେରିକା ଓ ତାଲିବାନ ମଧ୍ୟରେ ବୁଝାମଣା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କାବିର । ଏହି ମଧ୍ୟସ୍ଥତା କାରଣରୁ ସମ୍ଭବ ହୋଇଥିଲା ଦୋହା ରାଜିନାମା । କାବିରଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଅଖୁନ୍ଦଜାଦା । ଦୀର୍ଘ ଦିନ ଧରି ଅଖୁନ୍ଦଜାଦା ହୃଦରୋଗରେ ପୀଡିତ ଅଛନ୍ତି ।

ଇମ୍ରାନ ଖାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ !, ଆତଙ୍କୀଙ୍କୁ ବାହାର କରିବା ଲାଗି ପୋଲିସ ଅପରେସନ

ଇସଲାମାବାଦ: ଇମ୍ରାନ ଖାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ! ଇମ୍ରାନ ଖାନଙ୍କ ଘରୁ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ପୋଲିସର ଅପରେସନ୍ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବାସଭବନକୁ ଘେରିଲା ପୋଲିସ । ଲାହୋରସ୍ଥିତ ଜମାନ ପାର୍କରେ ପୋଲିସର ଅପରେସନ । ପେଶାଓ୍ୱାର କୋର କମାଣ୍ଡରଙ୍କ ଘର ଉପରେ ଆକ୍ରମଣ ଯୋଜନା । ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ ହାତରେ ଅର୍ପଣ କରିବାକୁ ଇମ୍ରାନ ଖାନଙ୍କୁ ନିର୍ଦ୍ଦେଶ ।

ମହିଳା ସୁରକ୍ଷା ଉପରେ ରାଜ୍ୟ ବିଜେପିର ମନ୍ତବ୍ୟ ହାସ୍ୟାସ୍ପଦ, ପୁଣି ଥରେ ମିଛ କହି ଅପମାନିତ ହୋଇଛି ବିଜେପି

ଭୁବନେଶ୍ୱର: ମହିଳା ସୁରକ୍ଷା ଉପରେ ରାଜ୍ୟ ବିଜେପିର ମନ୍ତବ୍ୟ ହାସ୍ୟାସ୍ପଦ । ମହିଳାଙ୍କ ସୁରକ୍ଷା ପାଇଁ ସମ୍ମାନ ଉପରେ ବିଜେପି ନେତା ମନଗଢ଼ା କଥା କହିଛିନ୍ତି । ରାଜ୍ୟ ବିଜେପି ମିଛ କହି ପୁଣି ଅପମାନିତ ହୋଇଛି । ବିଜେଡି ମହିଳାଙ୍କୁ ସବୁବେଳେ ସମ୍ମାନ ଦିଏ । ମହିଳାଙ୍କୁ ମା’ ଭଳି ସମ୍ମାନ ଦିଏ ବିଜେଡି । ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧା ଧାରଣା ଦେଇଥିବା ବେଳେ ରାଜ୍ୟ ବିଜେପି ସେମାନଙ୍କ କଥା କେବେ ଚିନ୍ତା କରିଛି କି ? ଉତ୍ତରପ୍ରଦେଶର ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସତ୍ତ୍ୱେ ପୋଲିସ ମାମଲା ରୁଜୁ କରୁନଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ବିଜେପି ମହିଳାଙ୍କୁ ନେଇ କିଛି କହୁଥିବା ବେଳେ ଜନ୍ତରମନ୍ତରରେ ଧାରଣାରେ ବସିଥିବା ମହିଳାଙ୍କ ବିଷୟରେ ମୁହଁ ବନ୍ଦ କାହିଁକି କରିଛି ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେଡି ମୁଖପାତ୍ର ଇପ୍ସିତା ସାହୁ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ।

କଲେଜ ପଢୁଆ ପୁଅର ମୃତ୍ୟୁ, ଚକ୍ଷୁ ଦାନ କଲେ ବାପା

ରାୟଗଡା: କଲେଜ ପଢୁଆ ପୁଅର ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ବାପା। ପୁଅର ଚକ୍ଷୁ ଦାନ କରି ଉଦାହରଣ ପାଲଟିଛନ୍ତି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ଗ୍ରାମର ହରିଶ୍ଚନ୍ଦ୍ର ଗୌଡ଼। ହରିଶ୍ଚନ୍ଦ୍ରଙ୍କ ପୁଅ ଦେବାଶିଷଙ୍କର ମୃତ୍ୟୁ ହେବା ପରେ ଚକ୍ଷୁ ଦାନ କରିଛନ୍ତି ବାପା।

ଦେବାଶିଷକୁ ଭୁବନେଶ୍ୱର ଆଇଟିଆର କଲେଜରେ ନାମ ଲେଖାଇଥିଲେ । ହେଲେ ଗତ ୧୧ ତାରିଖରେ ପ୍ରୋଜେକ୍ଟ କାମ ପାଇଁ ଯାଇଥିବା ବେଳେ ଲ୍ୟାବ ଭିତରେ ଅଚେତ ହୋଇପଡ଼ିଥିଲେ। ଦେବାଶିଷକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବରପାଇ ବାପା ହରିଶ୍ଚନ୍ଦ୍ର ହସ୍ପିଟାଲରେ ପହଞ୍ଚିବା ପରେ ପୁଅର ଚକ୍ଷୁଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । କଠିନ ପରିସ୍ଥିତିକୁ ଧର୍ଯ୍ୟର ସହ ମୁକାବିଲା କରିବା ସହ ପୁଅ ଆଖିରେ ଆଉ କିଏ ଦୁନିଆ ଦେଖୁ ବୋଲି ହରିଶ୍ଚନ୍ଦ୍ର ଚାହିଁଥିବା ବେଳେ ଗ୍ରାମବାସୀ ଏନେଇ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଦୁବାଇରେ ଓଡ଼ିଶା ଦିବସ ପାଳି ଭୁବନେଶ୍ବର ଫେରୁଛନ୍ତି ଏସଏଚଜି ମହିଳା

ଦୁବାଇ: ଦୁବାଇରେ ଓଡ଼ିଶା ଦିବସ ପାଳି ଭୁବନେଶ୍ବର ଫେରୁଛନ୍ତି ଏସଏଚଜି ମହିଳା । ଦୁବାଇରୁ ଭୁବନେଶ୍ବର ଫେରୁଥିବା ବେଳେ ଖୁସି ଅନୁଭବ କରୁଛନ୍ତି 5T ସଚିବ । ଦୁବାଇ ଛାଡିବା ପୂର୍ବରୁ ସ୍ବପ୍ନ ସାକାର ହୋଇଛି ବୋଲି କହିଛନ୍ତି 5T  ସଚିବ ଭି.କେ ପାଣ୍ଡିଆନ୍ । ଦୁବାଇ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସଏଚଜି ମହିଳାଙ୍କ ପାଇଁ ସ୍ବତନ୍ତ୍ର ଉପହାର କିଣାଇ ଦେଇଛନ୍ତି ।

ଏଥିସହ ସେମାନଙ୍କ ପରିବାର ପାଇଁ ମଧ୍ୟ ଉପହାର କିଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉପହାର ସ୍ବରୂପ ଚକୋଲେଟ୍ ଓ ଖଜୁରୀ କୋଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏସଏଚଜି ମହିଳା ଦୁବାଇ ବୁଲିବା ପରେ ବେଶ ଭାବ ବିହ୍ବଳ ହୋଇ ପଡିଥିଲେ । ଗାଁର ପରିବେଶରେ ସମୟ କଟୁଥିବା ମହିଳାଙ୍କୁ ଆଣି ବିଦେଶ ବୁଲାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏସଏଚଜି ମହିଳା ।

ସେହିପରି ମୁଖ୍ୟମନ୍ତ୍ରୀ, 5T ସଚିବ ଓ ମିଶନ ଶକ୍ତି ସଚିବଙ୍କ ଯୋଗୁ ପାସପୋର୍ଟ ଓ ଭିସା ସମ୍ଭବ ହୋଇ ପାରିଥିଲା ବୋଲି କହିଛନ୍ତି ଏସଏଚଜି ମହିଳା । ଦୁବାଇରେ ଯେପରି ବିକାଶ ହୋଇଛି ଏହା ଆମ ପାଇଁ ପ୍ରେରଣା । ଏଠାରୁ ଆସି ଆମେ ଯାହା ଅନୁଭୂତି ନେଲୁ ତାହାକୁ ଆମ ଅଞ୍ଚଳରେ ଲାଗୁ କରିବୁ ବୋଲି କହିଛନ୍ତି ଏସଏଚଜି ମହିଳା । ସେହିପରି ଦୁବାଇରେ ଓଡ଼ିଶାର ଛୋଟ ଛୋଟ ସାମଗ୍ରୀର ବେଶ ଚାହିଦା ରହିଛି । ତେଣୁ ଓଡ଼ିଶାର ସାମଗ୍ରୀକୁ ଏଠାରେ ବିକ୍ରି କରାଯିବା ସହ ଆନ୍ତର୍ଜାତୀକ ବଜାର ସୃଷ୍ଟି ହୋଇପାରିବ । ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଥିଲେ ଏସଏଚଜି ମହିଳା । ପ୍ରବାସୀ ଓଡ଼ିଆଙ୍କୁ ଭେଟି ବେଶ ଖୁସି ହୋଇଥିଲେ ମହିଳା । ଏସଏଚଜିରୁ ଏସଏମଇ ହେବାର ସମ୍ଭାବନା ସୃଷ୍ଟି ହୋଇଛଇ ବୋଲି କହିଛନ୍ତି ଏସଏଚଜି ମହିଳା ।

ତୁଟିଲା ଦାରୁଠେଙ୍ଗ-ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ

ଭୁବନେଶ୍ୱର: ସବୁଦିନ ପାଇଁ ବନ୍ଦ ହେଲା ବିଏମସିର ଦାରୁଠେଙ୍ଗ ଡମ୍ପିଂୟାର୍ଡ। ଭୁବନେଶ୍ୱରରୁ ଆଉ ସହର ବାହାରକୁ ଯିବନି ଅଳିଆ । ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଅବଗତ କରାଇଛି ଭୁବନେଶ୍ବର ମହାନଗର ନିଗମ ।

ମେ ଶେଷ ସୁଦ୍ଧା ଡମ୍ପିୟାର୍ଡ ବନ୍ଦ ପାଇଁ ବିଏମସିକୁ ମହଲତ ମିଳିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ଡମ୍ପିଂୟାର୍ଡ ବନ୍ଦ କରିଛି ବିଏମସି । ଡମ୍ପିଂୟାର୍ଡ ବନ୍ଦ ନିଷ୍ପତ୍ତି ପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି । ବିଏମସି ପକ୍ଷରୁ ଭୁବନେଶ୍ୱରରେ  MCC ଓ MRF ପ୍ରତିଷ୍ଠା କରାଯାଇଥିବା ବେଳେ ଏଣିକି ସହରର ଅଳିଆ ସହର ଭିତରେ ପ୍ରକ୍ରିୟାକରଣ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ଅନେକ ସମୟରେ ବିବାଦ ଉପୁଜିଥିଲା । ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ ବସିବା ସହ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ହସ୍ତକ୍ଷେପ ଓ ବିଭାଗୀୟ ମନ୍ତ୍ରୀ ଉଷାଦେବୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

ମରିବା ପୂର୍ବରୁ ଦୁଇ ଅବିସ୍ମରଣୀୟ ମୁହୂର୍ତ୍ତ ଦେଖିବାକୁ ଚାହୁଁଛି: ସୁନିଲ ଗାଭାସ୍କର

ନୂଆଦିଲ୍ଲୀ: ‘ଜୀବନର ଶେଷ ମୁହୂର୍ତରେ ମୁଁ ଯଦି ୨ ମିନିଟ୍ ପାଏ, କ୍ରିକେଟ୍ ଜଗତର ଦୁଇଟି ଅବିସ୍ମରଣୀୟ ମୁହୂର୍ତକୁ ଦେଖିବାକୁ ଚାହିଁବି। ଭାବବିହ୍ବଳ ହୋଇ ନିଜର ଇଛାକୁ ଏମିତି ସ୍ପଷ୍ଟ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ।  ମୁଁ ମରିବା ପୂର୍ବରୁ ୧୯୮୩ ମସିହାର ଦୃଶ୍ୟ ଦେଖିବାକୁ ଚାହୁଁଛି। ଯେତେବେଳେ କପିଲ ଦେବ ୱାଲ୍ଡକପ୍ ଟ୍ରଫିକୁ ନିଜ ହାତରେ ଉଠାଇଥିଲେ । ଆଉ ଗୋଟିଏ ହେଉଛି ୨୦୧୧ ୱାଲ୍ଡକପ୍ ସମୟର ଧୋନିଙ୍କ ହେଲିକପ୍ଟର ସଟ୍। । କାରଣ ଏହି ସମୟ ସବୁ ଖୁବ୍ ଶାନଦାର। ଏହି ଦୁଇଟି ମୁହୂର୍ତକୁ ଦେଖିପାରିଲେ ମୁଁ ଶାନ୍ତିରେ ମରିପାରିବି। ଧୋନୀ ଆଉ କପିଳଙ୍କ ପାଇଁ ଏହାଠାରୁ ବଡ଼ ଆଉ କ’ଣ ବା ହୋଇପାରେ?

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍  ମହେନ୍ଦ୍ର ସିଂ ଧୋନୀ  ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଧୋନୀଙ୍କ ଅବସରକୁ ନେଇ ଫ୍ୟାନ୍ସ ମାନେ ଖୁବ୍ ଦୁଃଖି । ଏହାମଧ୍ୟରେ ପୂବର୍ତନ ଖେଳାଳି ତଥା କମେଣ୍ଟେଟର ସୁନିଲ ଗାଭାସ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି ।

ନିକଟରେ ସୁନିଲ ଚେନ୍ନାଇରେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାଚ୍ ପରେ ଧୋନୀଙ୍କ ଅଟୋଗ୍ରାଫ୍ ନେଇଥିଲେ । Csk ଓ ମହେନ୍ଦ୍ର ସିଂହ ଧୋନୀ ଯେତେବେଳେ ମୈଦାନର ଚକ୍କର ଲଗାଉଥିଲେ । ସେତେବେଳେ ଗାଭାସ୍କର ତୁରନ୍ତ ତାଙ୍କ ପାଖରେ ପହଞ୍ଚିଯାଇଥିଲେ । ଆଉ ସଙ୍ଗେସଙ୍ଗେ ପିନ୍ଧିଥିବା ଟି-ସାର୍ଟ ଦେଖାଇ ଅଟୋଗ୍ରାଫ୍ ମାଗିଥିଲେ । ଯାହାପରେ ଧୋନୀ ମଧ୍ୟ ସ୍ମିତ ହାସ୍ୟ ଦେଇ ଅଟୋଗ୍ରାଫ୍ ଦେବା ସହ ଆଲିଙ୍ଗନ କରିଥିଲେ। ଏହି ମୁହୂର୍ତ୍ତ କ୍ରିକେଟ୍ ପ୍ରେମୀଙ୍‌କୁ ଭାବବିହ୍ୱଳ କରିଦେଇଥିଲା । ଜେଣ୍ଟଲମ୍ୟାନସ ଗେମ୍ କ୍ରିକେଟର ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଗାଭାସ୍କର ଧୋନିଙ୍କ ଠାରୁ ନେଇଥିବା ଅଟୋଗ୍ରାଫ ଦେଖାଇ କାନ୍ଦିଥିଲେ । ଆଉ କହିଥିଲେ, ଧୋନୀଙ୍କୁ କିଏ ଭଲ ନପାଏ । ସେ ଭାରତୀୟ କ୍ରିକେଟ୍ ଜଗତ ପାଇଁ ଯାହା କରିଛନ୍ତି ତାହା ଅତୁଳନୀୟ । ବହୁ ଯୁବଗୋଷ୍ଠୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ।  ଗାଭାସ୍କରଙ୍କୁ କାନ୍ଦିବା ଦେଖି ତାଙ୍କ ପାଖରେ ବସିଥିବା କ୍ରିକେଟର ହରଭଜନ ସିଂହ ବି ଭାବବିହ୍ବଳ ହୋଇପଡ଼ିଥିଲେ।

କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ପରେ ଚେପକରେ CSK ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ‘ଲ୍ୟାପ୍ ଅଫ୍ ଅନର୍’ପ୍ରଦାନ କରାଯାଇଥିଲା। ଆଉ ଏହି ମ୍ୟାଚରେ ବ୍ୟାଟିଂ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କ ସହ କମେଣ୍ଟ୍ରି କରୁଥିଲେ ପୂର୍ବତନ ଇଂଲଣ୍ଡ କ୍ରିକେଟର୍ କେଭିନ୍ ପିଟରସନ୍ । ଗାଭାସ୍କରଙ୍କର ଏ ଦୁଇ ଶେଷ ଇଛା ଏବେ କ୍ରିକେଟ ଓ କ୍ରିକେଟରଙ୍କ ସମ୍ମାନକୁ ଆହୁରି ବଢ଼ାଇ ଦେଇଛି । ସତରେ କ୍ରିକେଟ ହେଉଛି ଜେଣ୍ଟଲମ୍ୟାନସ ଗେମ୍ । ଗାଭାସ୍କର ଓ ଧୋନୀଙ୍କ ଭଳି ଖେଳାଳି ଏ ଥିଓରୀକୁ ଶତ ପ୍ରତିଶତ ଠିକ ବୋଲି ପ୍ରମାଣ କରି ଆସିଛନ୍ତି ।

 

ସେନକୋ ଗୋଲ୍ଡ ସୁନା ଦୋକାନରୁ ଲୁଟ୍ ଘଟଣା, ଡକାୟତଙ୍କ ଟେର ପାଉନି ପୋଲିସ

ଯାଜପୁର: ଯାଜପୁର ବ୍ୟାସନଗର ସ୍ଥିତ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ସୁନା ଦୋକାନରୁ ଡକାୟତି ଘଟଣାରେ ଛାନବିନ୍ । ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ସୋମବାର ଦିନ ଦ୍ବିପ୍ରହରରେ ସୋରୁମକୁ ଗ୍ରାହକ ବେଶରେ ଆସି ୭ ଜଣ ଲୁଟେରା ୧୫ କୋଟିରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ ।

ପୋଲିସ ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରୁଛି । ସୁନା ଦୋକାନ କର୍ମଚାରୀଙ୍କୁ ମାଡ ମାରି ବନ୍ଧୁକ ମୁନରେ ଗହଣା ସବୁ ଲୁଟି ନେବା ସହ ବାହାରୁ ସଟର ପକାଇ ଫେରାର ହୋଇଯାଇଥିଲେ । ଆକ୍ରମଣରେ ସୋରୁମର ୨ ଜଣ କର୍ମଚାରୀ ଆହତ ହୋଇଥିଲେ । ଏପର୍ଯ୍ୟନ୍ତ ଡକାୟତ ଟେର ପାଉନି ପୋଲିସ । ସେହିପରି ଡକାୟତଙ୍କ ବିଷୟରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲା ପୋଲିସ ।